ଦୀର୍ଘ ନିଶ୍ୱାସ ଛାଡି ମଙ୍ଗଳା ବାଂଶୋଡେ କହିଲେ, “ଲୋକଙ୍କର ରୁଚି ବଦଳିଛି, ଆମେ ନୁହଁ”। ସେ ହସି କହିଲେ, “ଲୋକମାନେ ଏବେ ଲୋକପ୍ରିୟ ହିନ୍ଦି ଗୀତ ଦାବି କରୁଛନ୍ତି। ହୁଏତ ଆଗକୁ ଏମିତି ସମୟ ଆସିବ, ଯେତେବେଳେ ମଞ୍ଚରେ ଶିବାଜୀ ମହାରାଜଙ୍କ ପ୍ରବେଶ ସମୟରେ ଆମକୁ ବଲିଉଡର ଏକ ହିଟ୍ ଗୀତ ବ୍ୟବହାର କରିବାକୁ ପଡିବ।”
ମଙ୍ଗଳାତାଇ କେବଳ ଯେ ଲୋକଙ୍କର ରୁଚି ବଦଳିବାକୁ ଅନୁଧ୍ୟାନ କରିଛନ୍ତି, ତାହା ନୁହେଁ, ପଚାଶ ବର୍ଷରୁ ଅଧିକ ସମୟ ଧରି ସେ ତମାସାକୁ ବଳଦ ଗାଡିରେ ଯାତ୍ରା କରି ପ୍ରାୟ ୧୦ ଜଣ ପୁରୁଷ ଓ ମହିଳାଙ୍କୁ ନେଇ ହେଉଥିବା ଛୋଟ ଆସରରୁ ବଡ ପ୍ରଡକ୍ସନରେ ପରିବର୍ତ୍ତିତ ହେବାର ଦେଖିଛନ୍ତି। ତାଙ୍କର ଦଳ ଏବେ ସେହିଭଳି ଏକ ପ୍ରଡକ୍ସନର କଥା ବୁଝୁଛନ୍ତି।
୬୬ ବର୍ଷୀୟା ମଙ୍ଗଳା ବାଂଶୋଡେ ଏଗାର ବର୍ଷ ବୟସରୁ ଏହି ବ୍ୟବସାୟରେ ଅଛନ୍ତି। ସେ ତମାସା କ୍ଷେତ୍ରର ପ୍ରଖ୍ୟାତ ବ୍ୟକ୍ତିତ୍ୱ ବିଠାବାଇ ନାରାୟଣଗାଓଁଙ୍କରଙ୍କ ବଡ ଝିଅ। ତମାସାର ପବିତ୍ର ନିବାସ ବୋଲି କୁହାଯାଉଥିବା ପୁନେ ଜିଲ୍ଲାର ନାରାୟଣଗାଓଁରେ ବିଠାବାଇ ରହୁଥିଲେ। ମଙ୍ଗଳାତାଇ ଏବେ ସତାରା ଜିଲ୍ଲାର ପରାବଡି ଗାଁରେ ରହୁଥିବାବେଳେ, ୧୯୮୩ ମସିହାରୁ ୧୭୦ ଜଣଙ୍କୁ ନେଇ ନିଜର ଫାଦ(ଟ୍ରୁପ୍) ପ୍ରତିଷ୍ଠା କରିଛନ୍ତି। ‘ମଙ୍ଗଳା ବାଂଶୋଡେ ଏଣ୍ଡ ନିତିନ କୁମାର ତମାସା ମଣ୍ଡଳ’(ନିତିନ କୁମାର ହେଉଛନ୍ତି ତାଙ୍କ ସାନ ପୁଅ ଏବଂ ତାଙ୍କ ଦଳର ଗାୟକ-ଅଭିନେତା-ନର୍ତ୍ତକ ଏବଂ ଷ୍ଟାର)ା ମହାରାଷ୍ଟ୍ରର ଗାଁ ଗୁଡିକରେ ପ୍ରତିବର୍ଷ ସେପ୍ଟେମ୍ବରରୁ ମେ ମାସ ଯାଏଁ ପରିବେଷଣ କରିଥାଏ। (ଦେଖନ୍ତୁ ‘ତମାସା ହେଉଛି ଏକ ଜେଲ୍ ଭଳି, ଯେଉଁଠି ମୁଁ ରହିବାକୁ ଚାହିଁବି’। )









