କେବଳ ଗୋଟିଏ ରାତିରେ, ତାଲିବାଇ ଘୁଲେ ହିସାବ କରି ଦେଖିଲେ ଯେ ତାଙ୍କର ଲକ୍ଷେ ଟଙ୍କାର କ୍ଷତି ହୋଇଛି।

୪୨ ବର୍ଷୀୟା ମହିଳା ତାଙ୍କ ଗାଁଠାରୁ ନଅ କିଲୋମିଟର ଦୂରରେ ଥିବା ଭଲୱାନୀରେ ଥିଲେ ଯେତେବେଳେ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା। ମେଣ୍ଢା ଏବଂ ଛେଳି ପାଳକ କହନ୍ତି, “ସନ୍ଧ୍ୟା ପାଞ୍ଚଟାବେଳେ ବର୍ଷା ଆରମ୍ଭ ହୋଇ ମଧ୍ୟରାତ୍ରି ପରେ ବଢ଼ିବାକୁ ଲାଗିଲା’’। ନୂଆ କରି ହଳ ହୋଇଥିବା କ୍ଷେତ ଶୀଘ୍ର ଓଦା ଏବଂ କାଦୁଅ ହୋଇଗଲା, ଏବଂ ତାଙ୍କର ପ୍ରାୟ ୨୦୦ ଛେଳି ମେଣ୍ଢା ଥିବା ପଶୁପଲ ପାଇଁ ଚିକିଟା କାଦୁଅରେ ସେଠାରୁ ବାହାରିବା କଷ୍ଟକର ହୋଇ ପଡ଼ିଲା।

ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାରେ ଡିସେମ୍ବର ୨୦୨୧ ର ପ୍ରବଳ ବର୍ଷାକୁ ମନେ ପକାଇ ସେ କହନ୍ତି, “ଆମେ ରାତିସାରା କାଦୁଅରେ ବସି ଆମ ପଶୁମାନଙ୍କ ସହିତ ସେହି ବନ୍ୟାପାଣିରେ ବୁଡ଼ି ରହିଥିଲୁ’’।

“ଆମେ ପ୍ରବଳ ବର୍ଷା ଦେଖିଛୁ, କିନ୍ତୁ ଆମର ଏଭଳି କ୍ଷତି କେବେ ହୋଇ ନାହିଁ। ଏହା ପ୍ରଥମ ଥର ଥିଲା” କହନ୍ତି ଧବଲପୁରୀ ଗାଁର ପଶୁପାଳକ ତାଇବାଇ, ଯିଏ ଆଠଟି ମେଣ୍ଢା ଏବଂ ଗୋଟିଏ ମାଈ ଛେଳି ହରାଇଛନ୍ତି। “ଆମେ କେବଳ ସେମାନଙ୍କୁ ବଞ୍ଚାଇବାକୁ ଚାହୁଁଥିଲୁ।”

ବିଶେଷ କରି ସତାରାରେ ପ୍ରବଳ ବର୍ଷା ହୋଇଥିଲା ଏବଂ ଡିସେମ୍ବର ୨, ୨୦୨୧ ରେ ଏହାର ଅଧିକାଂଶ ତାଲୁକାରେ ପ୍ରାୟ ୧୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା।

The grazing ground of Bhandgaon village in Pune, Maharashtra where Dhangar pastoralist Taibai Ghule comes often to graze her sheep and goats.
PHOTO • Jitendra Maid
Herders like her stay on the road for six months, returning only after the onset of the monsoon as the small animals cannot withstand the Konkan region’s heavy rains
PHOTO • Jitendra Maid

ମହାରାଷ୍ଟ୍ରର ପୁଣେର ଭଣ୍ଡଗାଓଁ ଗାଁର ଚରାଭୂଇଁ (ବାମ) ଯେଉଁଠାରେ ଢଙ୍ଗର ପଶୁପାଳକ ତାଇବାଇ ଘୁଲେ ଅନେକ ସମୟରେ  ତାଙ୍କ ମେଣ୍ଢା ଓ ଛେଳିମାନଙ୍କୁ ଚରାଇବାକୁ ଆସନ୍ତି। ତାଙ୍କ ଭଳି ପଶୁପାଳକମାନଙ୍କୁ ଛଅ ମାସ ଧରି ରାସ୍ତାରେ ରହିବାକୁ ପଡ଼େ। କେବଳ ମୌସୁମୀ ବର୍ଷା ଆସିବା ବେଳକୁ ସେମାନେ ଫେରନ୍ତି କାରଣ ଛୋଟ ଛୋଟ ଛୁଆମାନେ କୋଙ୍କଣ ଅଞ୍ଚଳର ପ୍ରବଳ ବର୍ଷା ସହି ପାରନ୍ତି ନାହିଁ

“ବର୍ଷା ଏତେ ଜୋରରେ ହେଉଥିଲା ଯେ ଆମେ କ’ଣ କରିବୁ କିଛି ଭାବି ପାରିଲୁ ନାହିଁ। କିଛି ମେଣ୍ଢା ଥଣ୍ଡା ସହି ନ ପାରି ମରିଗଲେ,” କହନ୍ତି ଧବଲପୁରୀର ୪୦ ବର୍ଷ ବୟସ୍କ ପଶୁପାଳକ ଗଙ୍ଗାରାମ ଦେବେ। “ସେମାନେ ସମସ୍ତେ ଶକ୍ତିହୀନ ହୋଇଯାଇଥିଲେ।”

ବର୍ଷା ଆରମ୍ଭ ହେବା ବେଳକୁ ସେ ୧୩ କିଲୋମିଟର ଦୂର ଭଣ୍ଡଗାଓଁରେ ଥିଲେ। ତାଙ୍କର ୨୦୦ ପଶୁଙ୍କ ମଧ୍ୟରୁ ଗଙ୍ଗାରାମ ସେହି ରାତିରେ ୧୩ ଟି ହରାଇଲେ: ସାତଟି ପୂରାପୂରି ବଢ଼ିଲା ମେଣ୍ଢା, ପାଞ୍ଚଟି ଛୋଟ ଛୁଆ ଏବଂ ଗୋଟିଏ ମାଈ ଛେଳି। ସେ ଅସୁସ୍ଥ ପଶୁମାନଙ୍କୁ ସ୍ଥାନୀୟ ଔଷଧ ଦୋକାନୀଙ୍କଠାରୁ ୫୦୦୦ ଟଙ୍କାର ଔଷଧ ଏବଂ ଇଞ୍ଜେକସନ୍ କିଣି ଦେଇଥିଲେ।  କିନ୍ତୁ କିଛି କାମ ଦେଲା ନାହିଁ।

ତାଇବାଇ ଏବଂ ଗଙ୍ଗାରାମ ଦେବେ ଢଙ୍ଗର ସମ୍ପ୍ରଦାୟର, ମହାରାଷ୍ଟ୍ରର ଏକ ଯାଯାବର ଜନଜାତି ଭାବରେ ତାଲିକାଭୁକ୍ତ। ସେମାନେ ଅହମ୍ମଦନଗର ଜିଲ୍ଲା ଏବଂ ଏହାର ଆଖପାଖରେ ବାସ କରନ୍ତି ଯେଉଁଠାରେ ବହୁ ସଂଖ୍ୟାରେ ମେଣ୍ଢା ଅଛନ୍ତି।

ଗ୍ରୀଷ୍ମ ଋତୁରେ, ଯେତେବେଳେ ପାଣି ଏବଂ ଚାରାର ଅଭାବ ଦେଖାଦିଏ, ତାଇବାଇଙ୍କ ପରି ପଶୁପାଳକମାନେ ଉତ୍ତର କୋଙ୍କଣ ଅଞ୍ଚଳର ପାଲଘର୍ ଏବଂ ଥାନେ ଜିଲ୍ଲାର ଡାହାନୁ ଏବଂ ଭିୱାଣ୍ଡିକୁ ଯାଇଥାନ୍ତି। ପଶୁପାଳକମାନଙ୍କୁ ସେଠାରେ ଛଅ ମାସ ଧରି ରାସ୍ତାରେ ରହିବାକୁ ପଡ଼େ। କେବଳ ମୌସୁମୀ ବର୍ଷା ଆସିବା ବେଳକୁ ସେମାନେ ଫେରନ୍ତି କାରଣ ଛୋଟ ଛୋଟ ଛୁଆମାନେ କୋଙ୍କଣ ଅଞ୍ଚଳର ପ୍ରବଳ ବର୍ଷା ସହି ପାରନ୍ତି ନାହିଁ।

ସେ କହନ୍ତି, "ଏମିତି ବର୍ଷା କେମିତି ହେଲା ତାହା ଆମେ ପ୍ରକୃତରେ ଜାଣି ପାରିଲୁନି।” ବାଦଲ ଆଡ଼କୁ ଦେଖି ସେ କହନ୍ତି, "ସେ ହେଉଛନ୍ତି ମେଘରାଜା।”

Shepherd Gangaram Dhebe lost 13 animals to heavy rains on the night of December 1, 2021. 'We have no shelter,' he says
PHOTO • Jitendra Maid

ଡିସେମ୍ବର ୧, ୨୦୨୧ ରାତିରେ ପ୍ରବଳ ବର୍ଷା ହେତୁ ପଶୁପାଳକ ଗଙ୍ଗାରାମ ଦେବେ ୧୩ ଟି ପଶୁଙ୍କୁ ହରାଇଥିଲେ

ସେ ଘଟଣାକୁ ମନେ ପକାଇବାବେଳେ ତାଙ୍କ ଆଖି ଭରି ଆସିଲା। : “ଆମର ବହୁତ କ୍ଷତି ହୋଇଛି।  ଏକ ବଡ଼ କ୍ଷତି ଆମେ ସହିଛୁ। ଯଦି ଆମେ ଅନ୍ୟ କିଛି ବୃତ୍ତି ପାଉ, ତେବେ ଆମେ ଏହାକୁ ଛାଡ଼ିଦେବୁ।”

ତୁକାରାମ କୋକାରେ ତାଙ୍କର ୯୦ଟି ପଶୁଥିବା ପଲରୁ ନଅଟି ପୂରା ବଢ଼ିଲା ମେଣ୍ଢା ଏବଂ ଚାରୋଟି ମେଣ୍ଢା ଛୁଆ ହରାଇଛନ୍ତି।  ସେ ମଧ୍ୟ କୁହନ୍ତି, “ଏହା ଏକ ବଡ଼ କ୍ଷତି ଥିଲା।” ଗୋଟିଏ ମେଣ୍ଢା କିଣିବା ପାଇଁ ୧୨,୦୦୦ ରୁ ୧୩,୦୦୦ ଟଙ୍କା ପଡ଼ୁଛି। “ଆମେ ନଅଟି ପଶୁ ହରାଇଛୁ। ତେଣୁ, ଆପଣ କଳ୍ପନା କରିପାରିବେ ଯେ ଆମେ କେତେ କ୍ଷତି ସହିଛୁ,” ୪୦ ବର୍ଷୀୟ ଢଙ୍ଗର ପଶୁପାଳକ କୁହନ୍ତି।

ଆପଣମାନେ ଏହାର ରିପୋର୍ଟ ପ୍ରସ୍ତୁତ କରିଥିଲେ କି? “ଆମେ କେମିତି କରିବୁ?” କହନ୍ତି  ଅସହାୟ ତୁକାରାମ। “ଆମକୁ ସୁରକ୍ଷା ଦେବା ପାଇଁ ଆମ ପାଖରେ କିଛି ନଥିଲା ଏବଂ କେହି କୃଷକ ମଧ୍ୟ ଆଖପାଖରେ ନଥିଲେ। ମେଣ୍ଢା ସବୁ ଦୌଡ଼ିବାକୁ ଲାଗିଲେ। ଆମେ ସେମାନଙ୍କୁ ଛାଡ଼ି ପାରିଲୁ ନାହିଁ ଏବଂ ଯାହା ଘଟିଲା ତାହା ଜଣାଇବାକୁ ସମୟ ନ ଥିଲା।”

ସେ ହିସାବ କରି କହିଲେ ଯେ କେବଳ ଭାଲୱାନୀରେ ୩୦୦ ମେଣ୍ଢାଙ୍କର ମୃତ୍ୟୁ ଘଟିଛି। ସର୍ବାଧିକ ସଂଖ୍ୟକ ମେଣ୍ଢା- ୨.୭ ନିୟୁତ ସହିତ ମହାରାଷ୍ଟ୍ରର ଦେଶରେ ସପ୍ତମ ସ୍ଥାନରେ ରହିଛି।

ସତାରା ଅଞ୍ଚଳର ମାନ୍, ଖାତାଭ ଏବଂ ଡାହିୱାଡି ରେ ଗୃହପାଳିତ ପଶୁ ହାନୀ ଏବଂ ସରକାରୀ ଉଦାସୀନତା ବିଷୟରେ ଫଲଟନର ଜଣେ ପଶୁପାଳକ ତଥା କୁସ୍ତି ଖେଳାଳି ଶମ୍ଭୁରାଜେ ଶେଣ୍ଡଗେ ପାଟିଲ୍ କହନ୍ତି, “ଯଦି କୌଣସି ବ୍ୟକ୍ତି ସୁଟ୍ ବୁଟ୍ ପିନ୍ଧି ସରକାରୀ ଅଫିସକୁ ଯାଆନ୍ତି, ତେବେ ଅଧିକାରୀ ତାଙ୍କର କାମ ଗୋଟିଏ ଘଣ୍ଟା ଭିତରେ ସାରି ଦେବାକୁ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ ସେହି ଅଧିକାରୀ ମୋର ପଶୁପାଳକ ପୋଷାକ ପିନ୍ଧା ଢଙ୍ଗର ସାଥୀମାନଙ୍କୁ ଦେଖିଲେ ଦୁଇ ଦିନ ପରେ ଆସିବାକୁ କହନ୍ତି।”

Tukaram Kokare lost nine full-grown sheep and four lambs from his herd of 90. He says, 'It was a huge loss.'
PHOTO • Jitendra Maid
Shambhuraje Shendge Patil (in yellow t-shirt) shares that shepherds from the nomadic Dhangar community often face hostility from locals
PHOTO • Jitendra Maid

ବାମ: ତୁକାରାମ କୋକାରେ ତାଙ୍କର ୯୦ଟି ପଶୁଥିବା ପଲରୁ ନଅଟି ପୂରା ବଢ଼ିଲା ମେଣ୍ଢା ଏବଂ ଚାରୋଟି ମେଣ୍ଢା ଛୁଆ ହରାଇଛନ୍ତି।  ସେ କହନ୍ତି, ‘ଏହା ଏକ ବଡ଼ କ୍ଷତି ଥିଲା।’ ଡାହାଣ: ଶମ୍ଭୁରାଜେ ଶେଣ୍ଡଗେ ପାଟିଲ (ହଳଦିଆ ଟି-ସାର୍ଟରେ) କହନ୍ତି ଯେ ଯାଯାବର ଢଙ୍ଗର ସମ୍ପ୍ରଦାୟର ପଶୁପାଳକମାନେ ଅନେକ ସମୟରେ ସ୍ଥାନୀୟ ଲୋକଙ୍କ ବିରୋଧର ସାମ୍ନା କରନ୍ତି

“ଆମେ ମରିଯାଇଥିବା ମେଣ୍ଢାମାନଙ୍କର ଫଟୋ ମଧ୍ୟ ନେଇ ପାରିଲୁ ନାହିଁ। ଆମର ଫୋନ୍ ଅଛି କିନ୍ତୁ ସେଥିରେ ଚାର୍ଜ ନାହିଁ। ଆମେ ଯେତେବେଳେ କୌଣସି ଗାଁ କିମ୍ବା ବସ୍ତିରେ ରହୁ ସେତେବେଳେ ହିଁ ଆମେ ଫୋନ୍ ଚାର୍ଜ କରିପାରୁ,” ତାଇବାଇ କହନ୍ତି।

ତାଇବାଇ ଏବଂ ତାଙ୍କ ପଶୁମାନେ ଅସ୍ଥାୟୀ ଭାବରେ ମେଣ୍ଢା ପଘାରେ ଘେରି ହୋଇଥିବା ଏକ କ୍ଷେତରେ ରହୁଛନ୍ତି। ତାଙ୍କର ମେଣ୍ଢା ଓ ଛେଳି ପଲ ବିଶ୍ରାମ ନେଉଛନ୍ତି। ସେ କହିଛନ୍ତି, “ଆମର ପଶୁମାନଙ୍କୁ ଖାଇବାକୁ ଦେବା ପାଇଁ ଆମକୁ ବହୁତ ଦୂର ଯିବାକୁ ପଡ଼େ।”

ଗଙ୍ଗାରାମ ତାଙ୍କ ମେଣ୍ଢାମାନଙ୍କ ପାଇଁ ଚାରା ଖୋଜି ଖୋଜି ଧବଲପୁରୀରୁ ପୁଣେ ଜିଲ୍ଲାର ଦେହୁକୁ ଯାଆନ୍ତି। ଦେହୁର ସମତଳ ଭୂମିରେ ପହଞ୍ଚିବାକୁ ତାଙ୍କୁ ୧୫ ଦିନ ଲାଗେ। “ଯଦି ଆମେ ଲୋକଙ୍କ କ୍ଷେତରେ ପଶି ପଶୁମାନଙ୍କୁ  ଖାଇବାକୁ ଦେବୁ ତେବେ ସେମାନେ ଆମକୁ ବାଡ଼େଇବେ। ମାଡ଼ ଖାଇବା ଛଡ଼ା ଆମ ପାଖରେ କୌଣସି ବିକଳ୍ପ ନାହିଁ,”  ସେ କହନ୍ତି। ସ୍ଥାନୀୟ ଗୁଣ୍ଡାମାନେ ସେମାନଙ୍କୁ ହଇରାଣ କରିବାବେଳେ “କୃଷକମାନେ ଆମର ଏକମାତ୍ର ସାହାଭରସା।”

ପ୍ରାଣୀ ଚିକିତ୍ସକ ଡାକ୍ତର ନିତ୍ୟା ଘୋଟଗେ କହନ୍ତି, “ସାଧାରଣତଃ ପଶୁପାଳକମାନେ ବାଧାବିଘ୍ନ ସହି ପାରନ୍ତି, କିନ୍ତୁ  ଡିସେମ୍ବର ୧ ଏବଂ ୨ ର ଅପ୍ରତ୍ୟାଶିତ ବର୍ଷାରେ ବହୁ ସଂଖ୍ୟକ ମେଣ୍ଢାଙ୍କର ମୃତ୍ୟୁ ସେମାନଙ୍କ ମନୋବଳକୁ ଭାଙ୍ଗି ଦେଇଥିଲା।”

Taibai Ghule's flock of sheep and goats resting after grazing in Bhandgaon.
PHOTO • Jitendra Maid
Young kids and lambs are kept in makeshift tents while older animals are allowed to graze in the open
PHOTO • Jitendra Maid

ବାମ: ତାଇବାଇ ଘୁଲେଙ୍କ ମେଣ୍ଢା ଓ ଛେଳିମାନେ ଭଣ୍ଡଗାଓଁରେ ଚରିବା ପରେ ବିଶ୍ରାମ ନେଉଛନ୍ତି। ଡାହାଣ: ଛୋଟ ଛୁଆ ଏବଂ ମେଣ୍ଢାମାନଙ୍କୁ ଗୋଟିଏ ତମ୍ୱୁ ଭିତରେ ରଖାଯାଇଥିବାବେଳେ ବଢ଼ିଲା ପଶୁମାନଙ୍କୁ ଖୋଲା ସ୍ଥାନରେ ଚରିବାକୁ ଛାଡ଼ି ଦିଆଯାଇଛି

ପଶୁପାଳକମାନଙ୍କୁ ନିଜକୁ ଏବଂ ପରିବାରକୁ ସୁରକ୍ଷା ଦେବା ପାଇଁ ବହୁ ପ୍ରକାର ଚାପର ସାମ୍ନା କରିବାକୁ ପଡ଼ିଥିଲା। “ଛୋଟ ପିଲା, ଖାଦ୍ୟ ସାମଗ୍ରୀ, ଜାଳେଣି କାଠ ଏବଂ ମୋବାଇଲ୍ ଫୋନ୍ ଏବଂ ସେମାନଙ୍କର ପଶୁ, ବିଶେଷ କରି ଦୁର୍ବଳ ଏବଂ ଛୋଟ ଛୁଆ ସମସ୍ତେ ବିପଦରେ ଥିଲେ,” ଘୋଟଗେ କହନ୍ତି, ଯିଏକି ପଶୁପାଳକ ଏବଂ କୃଷି ସମ୍ପ୍ରଦାୟ ସହିତ ମିଳିତ ଭାବରେ କାମ କରୁଥିବା ଏକ ଅଣ-ସରକାରୀ ସଂଗଠନ (ଏନଜିଓ) ଆନ୍ଥ୍ରାର ନିର୍ଦ୍ଦେଶକ।

ପଶୁପାଳକମାନେ ରିପୋର୍ଟ ଦାଖଲ କରିବା, ଜଳବାୟୁ ସମ୍ବନ୍ଧୀୟ ଆକସ୍ମିକ ଘଟଣା, ରୋଗ, ଟୀକା ଏବଂ ଠିକ୍ ସମୟରେ ପ୍ରାଣୀ ଚିକିତ୍ସା ସହାୟତା ବିଷୟରେ ସୂଚନା ପାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ସହାୟତା ଆବଶ୍ୟକ କରନ୍ତି। ଘୋଟଗେ କୁହନ୍ତି, “ଆଶା କରାଯାଉଛି ଯେ ଜଳବାୟୁ ପରିବର୍ତ୍ତନ ଏବଂ ପଶୁପାଳନ ନୀତି ପ୍ରସ୍ତୁତ କରୁଥିବାବେଳେ ସରକାର ଏଥିପ୍ରତି ଦୃଷ୍ଟି ଦେବେ।"

ଧବଲପୁରୀରେ ଏକ ସାଧାରଣ ଶେଡ୍ ନିର୍ମାଣ କରାଗଲେ ତାଙ୍କ ପରି ପଶୁପାଳକମାନେ ସେମାନଙ୍କର ପଶୁମାନଙ୍କୁ ବଞ୍ଚାଇବାରେ ସମର୍ଥ ହେବେ ବୋଲି ତୁକାରାମ ମତ ଦେଇଛନ୍ତି। “ଏହା ଏପରି ଭାବରେ ନିର୍ମାଣ କରାଯିବା ଉଚିତ ଯେପରି ମେଣ୍ଢାମାନେ ଶୁଖିଲା ଏବଂ ନିରାପଦ ରହିପାରିବେ। ସେମାନଙ୍କ ଦେହ ଭିତରକୁ ଥଣ୍ଡା ଯିବ ନାହିଁ,” କହନ୍ତି ଅଭିଜ୍ଞ ପଶୁପାଳକ।

ସେପର୍ଯ୍ୟନ୍ତ ତାଇବାଇ, ଗଙ୍ଗାରାମ ଏବଂ ତୁକାରାମ ଚାରା, ପାଣି ଏବଂ ଆଶ୍ରୟ ସନ୍ଧାନରେ ସେମାନଙ୍କ ପଲ ଧରି ଚାଲିବା ଜାରି ରଖିବେ। ସେମାନେ କହିଛନ୍ତି ଯେ ରାଜ୍ୟ ସରକାର କିମ୍ବା ବର୍ଷାଠାରୁ କୌଣସି ସାହାଯ୍ୟ କିମ୍ବା ରିଲିଫକୁ ଅପେକ୍ଷା ନକରି ନିଜ କାମ ଜାରି ରଖିବା ବୁଦ୍ଧିମତ୍ତା ଅଟେ।

ଅନୁବାଦ : ଓଡ଼ିଶାଲାଇଭ୍‍

Jitendra Maid

ଜିତେନ୍ଦ୍ର ମୈଦ ଜଣେ ମୁକ୍ତ ବୃତ୍ତିର ସାମ୍ବାଦିକ ଯିଏକି ମୌଖିକ ପରମ୍ପରା ଉପରେ ଅଧ୍ୟୟନ କରିଥାନ୍ତି। ସେ କିଛି ବର୍ଷ ପୂର୍ବେ ପୁଣେସ୍ଥିତ ସେଣ୍ଟର ଫର କୋଅପରେଟିଭ ରିସର୍ଚ୍ଚ ଇନ ସୋସିଆଲ ସାଇନ୍ସେସରେ ଗଏ ପୋଏଟିଭିନ ଓ ହେମା ରାଇରକରଙ୍କ ସହିତ ଜଣେ ରିସର୍ଚ୍ଚ କୋଅର୍ଡିନେଟର ଭାବେ କାର୍ଯ୍ୟ କରିଥିଲେ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Jitendra Maid
Editor : Siddhita Sonavane

ସିଦ୍ଧିତା ସୋନାଭାନେ ଜଣେ ସାମ୍ବାଦିକ ତଥା ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆରେ ବିଷୟବସ୍ତୁ ସମ୍ପାଦକ। ସେ ୨୦୨୨ ମସିହାରେ ମୁମ୍ବାଇର ଏସଏନଡିଟି ମହିଳା ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ସମାପ୍ତ କରିଥିଲେ ଏବଂ ବର୍ତ୍ତମାନ ସେଠାକାର ଇଂରାଜୀ ବିଭାଗରେ ଜଣେ ଭିଜିଟିଂ ଫାକଲ୍ଟି ଭାବରେ କାର୍ଯ୍ୟ କରୁଛନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Siddhita Sonavane
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE