“ତାଙ୍କର ଏହି ଫଟୋ ଆଜି ଏପରି ଏହି କାନ୍ଥରେ ନଥାନ୍ତା,” ବୋଲି ଶୀଲା ତାରେ କୁହନ୍ତି । “ଯଦି ସଠିକ୍ ସମୟରେ ତାଙ୍କର ରୋଗ ନିର୍ଣ୍ଣୟ ହୋଇପାରିଥାନ୍ତା, ତାହାହେଲେ ସେ ଆଜି ଏଠାରେ ଆମ ସହିତ ଥାଆନ୍ତେ” ।
ତଳେ ନୀଳରଙ୍ଗର ପୃଷ୍ଠଭୂମିରେ ଥିବା ତାଙ୍କ ସ୍ୱାମୀ ଅଶୋକଙ୍କ ଫଟୋଗ୍ରାଫ୍ରେ ମରାଠି ଭାଷାରେ ‘ ମୃତ୍ୟୁ : 30/05/2020’ ବୋଲି ଲେଖାହୋଇଥିଲା ।
ପଶ୍ଚିମ ମୁମ୍ବାଇର ବାନ୍ଦ୍ରାଠାରେ ଅବସ୍ଥିତ କେ.ବି ଭାବା ଡାକ୍ତରଖାନାରେ ଅଶୋକଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ କୋଭିଡ୍-୧୯ ସଂକ୍ରମଣ କାରଣରୁ ହୋଇଥିବା ସନ୍ଦେହ କରାଯାଉଛି । ତାଙ୍କୁ ୪୬ବର୍ଷ ହୋଇଥିଲା ଓ ସେ ଗ୍ରେଟର୍ ମୁମ୍ବାଇ ପୌରପାଳିକା ନିଗମ(ବିଏମ୍ସି)ରେ ସଫେଇ କର୍ମଚାରୀ ଭାବେ କାମ କରୁଥିଲେ ।
ଶୀଲା, ୪୦, ଙ୍କ ଆଖି ଛଳଛଳ ହୋଇଗଲା । ପୂର୍ବ ମୁମ୍ବାଇର ଚେମ୍ବୁରସ୍ଥିତ ବସ୍ତି ଥଇଥାନ କତ୍ତୃପକ୍ଷଙ୍କ ବିଲ୍ଡିଂରେ ଥିବା ତାଙ୍କର ୨୬୯ ବର୍ଗ ଫୁଟ୍ର ଭଡା ଫ୍ଲାଟ୍ରେ ରହୁଥିବା ପରିବାରର ସମସ୍ତେ ହଠାତ୍ ନୀରବ ହୋଇଗଲେ । ତାଙ୍କର ପୁଅ ନିକେଶ ଓ ସ୍ୱପ୍ନିଲ ଓ ଝିଅ ମନିଷା, ମା‘ଙ୍କ କଥା ଶୁଣିବାକୁ ଅପେକ୍ଷା କରିରହିଲେ ।
“ଏପ୍ରିଲ୍ ୮-୧୦ ମଧ୍ୟରେ କୌଣସି ଏକ ଦିନ, ଯେତେବେଳେ ଭନ୍ଦୁପ୍ଠାରେ ଥିବା ତାଙ୍କ ଚୌକିରେ ମୁକୁନ୍ଦମ (କୋଭିଡ୍- ୧୯) ପଜିଟିଭ୍ ଥିବା ଜଣାପଡିଲା,” ଶୀଲା ନିଜ କଥା ଜାରି ରଖି କୁହନ୍ତି “ସେମାନେ ସେହି ଚୌକି ବନ୍ଦ କରିଦେଲେ ଓ ସମସ୍ତ କର୍ମଚାରୀଙ୍କୁ ନାହୁର୍ଠାରେ ଥିବା ଚୌକି (ସହରର ଏସ୍ ୱାର୍ଡରେ, ସେହି ଅଞ୍ଚଳରେ)ରେ ଯାଇ ରିପୋର୍ଟ କରିବାକୁ କହିଲେ । ଏକ ସପ୍ତାହ ପରେ ସେ ଶ୍ୱାସକ୍ରିୟା ସମୟରେ କଷ୍ଟ ଅନୁଭବ କରୁଥିବା ବିଷୟରେ ଜଣାଇଥିଲେ ।
ଅଶୋକ ଏକ ଆବର୍ଜନା ଏକାଠି କରୁଥିବା ଟ୍ରକ୍ରେ ଗୋଟିଏ ଦଳ ସହିତ କାମ କରନ୍ତି, ଯେଉଁମାନେ ଭାନ୍ଦୁପ୍ର ବିଭିନ୍ନ ସ୍ଥାନରୁ ଆବର୍ଜନା ଉଠାଇଥାନ୍ତି । ସେ ସୁରକ୍ଷା ପୋଷାକ ପିନ୍ଧୁନଥିଲେ । ଆଉ ସେ ମଧୁମେହ ରୋଗୀ ମଧ୍ୟ ନଥିଲେ । ସେ ତାଙ୍କ ଠାରେ ଥିବା ଲକ୍ଷଣଗୁଡିକ ପ୍ରତି ତାଙ୍କର ମୁଖ୍ୟ ସୁପର୍ଭାଇଜର୍ଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥିଲେ । ହେଲେ, ଅସୁସ୍ଥତା ପାଇଁ ଛୁଟି ଓ ଡାକ୍ତରୀ ଯାଞ୍ଚ ପାଇଁ ତାଙ୍କର ଅନୁରୋଧକୁ ଅଣଦେଖା କରାଗଲା । ଶୀଲା ସେଦିନ କଥା ମନେପକାନ୍ତି ଯେଉଁଦିନ ସେ ଅଶୋକଙ୍କ ସହିତ ମିଶି ନହୁର ଚୌକିକୁ ଯାଇଥିଲେ ।
“ମୁଁ ପାଞ୍ଚଦିନ ପାଇଁ ଛୁଟି ମଞ୍ଜୁର କରିବାକୁ ସାହେବଙ୍କୁ ଅନୁରୋଧ କରିବାକୁ ତାଙ୍କ ସହିତ ଯାଇଥିଲି” ବୋଲି ସେ କୁହନ୍ତି । ଏହାସହିତ ସେ ଏହା ମଧ୍ୟ କହିଲେ ଯେ, ଅଶୋକ ତାଙ୍କର ୨୧ଦିନର ପୂରା ବେତନ ଛୁଟି ମଧ୍ୟ ନେଇନାହାନ୍ତି । “ସାହେବ ଚୌକି ଉପରେ ବସି କହିଲେ ଯଦି ସମସ୍ତେ ଛୁଟିରେ ଚାଲିଯିବେ, ତାହାହେଲେ ଏହି ପରିସ୍ଥିତିରେ କାମ କିଏ କରିବ?”
ଏଣୁ ଅଶୋକ ଏପ୍ରିଲ୍ ଓ ମେ ମାସ ସାରା କାମ କରିଥିଲେ । ତାଙ୍କର ସହକର୍ମୀ, ସଚିନ୍ ବଙ୍କର (ତାଙ୍କ ଅନୁରୋଧରେ ନାମ ବଦଳାଯାଇଛି), କହିଲେ ଯେ ଅଶୋକ କାମ କରିବାକୁ ଆପ୍ରାଣ ଉଦ୍ୟମ କରୁଥିବା ସେ ଦେଖିପାରୁଥିଲେ ।











