ଆଜିକୁ ବର୍ଷେ ହେବ କୋଲାଟି ନାରାୟଣ ପ୍ରତିଦିନ ଜାକମପୁଡ଼ି ଗାଁରୁ କ୍ରିଷ୍ଣା ନଦୀ ତଟରେ ଥିବା ବିଜୟୱାଡ଼ା ସହରର ପ୍ରସିଦ୍ଧ ପୁନାମି ଘାଟକୁ ଚାଲିଚାଲି ଯାଉଛନ୍ତି। ବାଟ ୬ କିଲୋମିଟର। ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ସେ ଆଉ କିଛି ଲୋକଙ୍କ ସହ ମାଛ ଧରନ୍ତି ଏବଂ ନଦୀ ତଟରେ ବସି ବିକ୍ରି କରନ୍ତି।
ଆଂଶିକ ଦୃଷ୍ଟି ବାଧିତ ୨୭ ବର୍ଷୀୟ ନାରାୟଣ, ଏହା ପରେ ପୁଣି ୬ କିଲୋମିଟର ଚାଲିଚାଲି ଘରକୁ ଫେରନ୍ତି। ସେ କହନ୍ତି, ‘‘ମୁଁ ଚାଲି ଚାଲି ଆସେ, କାରଣ ଅଟୋରିକ୍ସା ଭଡ଼ା ୪୦ ଟଙ୍କା ଦେବାକୁ ମୋର କ୍ଷମତା ନାହିଁ।’’ ‘‘ଦିନକୁ ଅତି ବେଶିରେ ୫୦-୧୦୦ ଟଙ୍କା ମୋର ରୋଜଗାର।’’ ତାଙ୍କର ଦୁଇ ଝିଅ ମଧ୍ୟ ଆଂଶିକ ଦୃଷ୍ଟିବାଧିତ। ଜଣେ ଚାରି ବର୍ଷର ଓ ଆଉ ଜଣଙ୍କ ବୟସ ୨ ବର୍ଷ।
ପୁନ୍ନାମି ଘାଟରେ ଥିବା ତାଙ୍କ ଘର, ଯେଉଁଠି ସେ ଜନ୍ମରୁ ଥିଲେ, ୨୦୧୬ ମଧ୍ୟ ଭାଗରେ ତାକୁ ଭାଙ୍ଗି ଦିଆଗଲା। ଏହାପରେ ୧୨ କିଲୋମିଟର ବାଟ ଚାଲିବାକୁ ନାରାୟଣ ବାଧ୍ୟ ହେଉଛନ୍ତି। ସେଇ କଚ୍ଚା ଘରଟି ତାଙ୍କ ଭାଇଙ୍କର ଥିଲା। ନାରାୟଣ ତାଙ୍କୁ ବେଳେ ବେଳେ ଅଳ୍ପ କିଛି ଭଡ଼ା ଦିଅନ୍ତି। ଏବେ ଜାକମପୁଡ଼ିର ଓ୍ୱାଇଏସଆର କଲୋନୀରେ ମାସକୁ ୧,୦୦୦ ଟଙ୍କା ଭଡ଼ା ଦେଇ ରହୁଛନ୍ତି। (ଉଛେଦ ପରେ ତାଙ୍କ ଭାଇ ମଧ୍ୟ ସେଠାକୁ ସ୍ଥାନାନ୍ତର ହୋଇଛନ୍ତି, କିନ୍ତୁ ସେଇ ଛୋଟ ଜାଗାରେ ନାରାୟଣଙ୍କ ପରିବାର ରହିବା ସମ୍ଭବ ନୁହେଁ।)











