ଆନ୍ଧ୍ରପ୍ରଦେଶ ସରକାର କ୍ରିଷ୍ଣା ନଦୀ କୂଳରେ ଅମରାବତୀ ସହର –ଏହାର ସ୍ୱପ୍ନର ନଦୀ ଅବବାହିକା ରାଜଧାନୀ-ଗଢିବା ପାଇଁ ଏହା ପାଖରେ ଥିବା ୨୯ଟି ଗ୍ରାମରୁ ବିପୁଳ ପରିମାଣର ଜମି ଅଧିଗ୍ରହଣ କରୁଥିବା ବେଳେ ଏହି ଅଞ୍ଚଳକୁ ପ୍ରବାସରେ ଆସୁଥିବା ଏହାର ପ୍ରଥମ ନୂତନ ‘ନାଗରିକ’ମାନେ ମୁଖ୍ୟତଃ ନିଜର ଚାରି ଗୋଡ଼ରେ ଚାଲି ଚାଲି ଆସୁଛନ୍ତି ।
ସରକାର ଜମି ଗ୍ରହଣ କରୁଥିବାରୁ, କୃଷି କାର୍ଯ୍ୟ ଅଚଳ ହୋଇଯାଇଛି, କୃଷିଜମିଗୁଡିକ ଚାରଣଭୂମି ପାଲଟିଯାଇଛି ଓ ରାଜଧାନୀ ସହର ଯାହା ନିର୍ମାଣ ହୋଇପାରେ ବା ନହୋଇପାରେ ମଧ୍ୟ, ତାହାର ନିର୍ମାଣକୁ ଅପେକ୍ଷା କରି ହଜାର ହଜାର କୃଷି ଶ୍ରମିକଙ୍କ ଭାଗ୍ୟ ଅନିର୍ଦ୍ଦିଷ୍ଟତା ଦେଇ ଗତି କରୁଛି । ଇତିମଧ୍ୟରେ ଛେଳି-ଚରାଳିମାନେ ସେମାନେ ରଖିଥିବା ହଜାର ହଜାର ପଶୁଙ୍କ ସହିତ ଏହି ଉର୍ବର ଭୂମି ଯେଉଁଥିରେ ବର୍ଷରେ ତିନୋଟି ଫସଲ ହୋଇପାରିବ, ସେଠାକୁ କ୍ରମାଗତ ଭାବେ ଆସିବାରେ ଲାଗିଛନ୍ତି । “ମୁଁ ଖବରକାଗଜରେ ପଢିଲି ଯେ ଏହି ସ୍ଥାନରେ ସହର ନିର୍ମାଣ କରିବା ପାଇଁ ସରକାର ଏଠାରେ କୃଷି କାମ ବନ୍ଦ କରିବା ପାଇଁ କୃଷକମାନଙ୍କୁ କହିଛନ୍ତି,” ବୋଲି ଗୋରିପାର୍ଥୀ ଲାଧର ବାବୁ, ଜଣେ ଛେଳି-ପାଳକ କହିଛନ୍ତି ।








