ମା’ ଟିଏ କେଉଁ ଭାଷାରେ ସ୍ୱପ୍ନ ଦେଖେ? ଗଙ୍ଗାଠାରୁ ପେରିୟାର ତଟ ପର୍ଯ୍ୟନ୍ତ ସେ ତା’ର ପିଲାମାନଙ୍କ ସହ କେଉଁ ଭାଷାରେ କଥା ହୁଏ? ପ୍ରତି ରାଜ୍ୟ, ପ୍ରତି ଜିଲ୍ଲା, ପ୍ରତି ଗ୍ରାମ ସହ ତା’ର ଭାଷା କ’ଣ ବଦଳି ଯାଏ? ହଜାର ହଜାର ଭାଷା, ଲକ୍ଷ ଲକ୍ଷ ବୋଲି, ସେ ସବୁ କିଛି ଜାଣେ? ସେ କେଉଁ ଭାଷାରେ ବିଦର୍ଭର ଚାଷୀ, ହଥରାସର ଶିଶୁ, ଦିଣ୍ଡିଗୁଲର ମହିଳାମାନଙ୍କ ସହ କଥା ହୁଏ? ଶୁଣ! ଲାଲ ମାଟିରେ ନିଜର ମଥାକୁ ଚାପିଧର। ଗୋଟିଏ ପାହାଡ ଉପରେ ଛିଡ଼ା ହୁଅ ଯେଉଁଠି ପବନ ତୁମ ମୁହଁକୁ ଶ୍ରଦ୍ଧାରେ ଆଉଁସି ଦିଏ ଏବଂ ଶୁଣ! ତୁମେ ତାକୁ, ତା’ର କାହାଣୀକୁ, ତା’ର ଗୀତକୁ, ତା’ର କାନ୍ଦକୁ ଶୁଣି ପାରିବକି? ମୋତେ କୁହ, ତୁମେ ତା’ର ଭାଷାକୁ ଚିହ୍ନି ପାରିବ କି? ମୋତେ କୁହ, ମୋ ପରି, ତୁମେ କ’ଣ ସେ ତୁମ ପାଇଁ ଗାଉଥିବା ନାନାବାୟା ଗୀତ ଶୁଣି ପାରୁଛ?

ଗୋକୁଳ ଜି.କେ. ତାଙ୍କ କବିତା ଆବୃତ୍ତି କରୁଥିବା ଶୁଣନ୍ତୁ

ଜିହ୍ୱା

ମୋ ଜିଭରେ ଛୁରୀ ଭୁଷି ହୋଇଯାଇଛି!
କଅଁଳ ମାଂସପେଶୀକୁ ଚିରୁଥିବା -
ଏହାର ତୀକ୍ଷ୍ନ ଧାରକୁ ମୁଁ ଅନୁଭବ କରୁଛି।
ମଁ ଆଉ କଥା କହି ପାରିବିନି,
ଏହି ଛୁରୀ ମୋର ଶବ୍ଦ ସବୁ ନେଇ ଯାଇଛି,
ସବୁ ଅକ୍ଷର, ସବୁ ଗୀତ, ସବୁ କାହାଣୀ,
ଯାହା ସବୁ ଅନୁଭବ ହୋଇଥିଲା ଆଉ ଜଣା ଥିଲା।

ଲହୁଲୁହାଣ ହୋଇଛି ଏହି ଜିହ୍ୱା,
ରକ୍ତର ଏକ ଧାରା
ବୋହି ଯାଉଛି ମୋ ମୁହଁରୁ ଛାତି ଆଡ଼କୁ,
ମୋ ନାଭିକୁ, ମୋ ଲିଙ୍ଗକୁ,
ଏହି ଦ୍ରାବିଡ ମାଟିକୁ।
ଏହି ମାଟି ଜିଭ ପରି ଲାଲ ଏବଂ ଆର୍ଦ୍ର।
ପ୍ରତି ବୁନ୍ଦା ସୃଷ୍ଟିକରେ ଆଉ ଗୋଟିଏକୁ,
କଳା ପୃଥିବୀରୁ ଲାଲ ଘାସପତ୍ରକୁ।

ତଳେ ଲୁଚି ରହିଥିବା ଶହ ଶହ ଭାଷା,
ହଜାର ଆଉ ଲକ୍ଷ।
ମୃତମାନେ ଉଠୁଛନ୍ତି ପୁରାତନ କବରସ୍ଥାନରୁ,
ବିସ୍ମୃତମାନେ ପ୍ରସ୍ଫୁଟିତ ହେଉଛନ୍ତି ବସନ୍ତର ଫୁଲ ପରି,
ମୋ ମା’ ଜାଣିଥିବା ଗୀତ ଆଉ ଗପର ପେଡ଼ି ପୁଣି ଖୋଲୁଛି।

ମୋ ଜିଭରେ ଛୁରୀ ଭୁଷି ହୋଇଯାଉଛି
ତୀକ୍ଷ୍ଣ ଧାର କମ୍ପୁଛି,
ଭାଷାମାନଙ୍କର ଏଇ ମାଟିର ଗୀତକୁ ଭୟ କରି।

ଅନୁବାଦ : ଓଡ଼ିଶାଲାଇଭ୍‍

Poem and Text : Gokul G.K.

ଗୋକୁଳ ଜି.କେ. ହେଉଛନ୍ତି କେରଳର ତିରୁବନ୍ତପୁରମ୍‌ରେ ରହୁଥିବା ଜଣେ ମୁକ୍ତବୃତ୍ତି ସାମ୍ବାଦିକ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Gokul G.K.
Illustration : Labani Jangi

ଲାବଣୀ ଜାଙ୍ଗୀ ୨୦୨୦ର ଜଣେ ପରୀ ଫେଲୋ ଏବଂ ପଶ୍ଚିମବଙ୍ଗ ନଦିଆରେ ରହୁଥିବା ଜଣେ ସ୍ୱ-ପ୍ରଶିକ୍ଷିତ ଚିତ୍ରକର। ସେ କୋଲକାତାସ୍ଥିତ ସେଣ୍ଟର ଫର ଷ୍ଟଡିଜ୍‌ ଇନ୍‌ ସୋସିଆଲ ସାଇନ୍ସେସ୍‌ରେ ଶ୍ରମିକ ପ୍ରବାସ ଉପରେ ପିଏଚଡି କରୁଛନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Labani Jangi
Editor : Pratishtha Pandya

ପ୍ରତିଷ୍ଠା ପାଣ୍ଡ୍ୟା ପରୀରେ କାର୍ଯ୍ୟରତ ଜଣେ ବରିଷ୍ଠ ସମ୍ପାଦିକା ଯେଉଁଠି ସେ ପରୀର ସୃଜନଶୀଳ ଲେଖା ବିଭାଗର ନେତୃତ୍ୱ ନେଇଥାନ୍ତି। ସେ ମଧ୍ୟ ପରୀ ଭାଷା ଦଳର ଜଣେ ସଦସ୍ୟ ଏବଂ ଗୁଜରାଟୀ ଭାଷାରେ କାହାଣୀ ଅନୁବାଦ କରିଥାନ୍ତି ଓ ଲେଖିଥାନ୍ତି। ସେ ଜଣେ କବି ଏବଂ ଗୁଜରାଟୀ ଓ ଇଂରାଜୀ ଭାଷାରେ ତାଙ୍କର କବିତା ପ୍ରକାଶ ପାଇଛି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Pratishtha Pandya
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE