ଆଜି, ପୁଣିଥରେ, ପିପୁଲ୍ସ ଆର୍କାଇଭ୍ ଅପ୍ ରୁରଲ ଇଣ୍ଡିଆ ଉଭୟ ବିଶ୍ୱ ଅନୁବାଦ ଦିବସ ପାଳନ କରୁଛି ଏବଂ ଆମର ଅନୁବାଦ ଟିମ୍ ଯେ କୌଣସି ସାମ୍ବାଦିକତା ୱେବସାଇଟ୍ ପାଇଁ ଶ୍ରେଷ୍ଠ ବୋଲି ଆମେ ବିଶ୍ୱାସ କରୁ। ମୁଁ ଏତିକି କହିପାରିବି – ଏବଂ ମୋର ତ୍ରୁଟି କେହି ସୁଧାରିଲେ ବରଂ ମୁଁ ଖୁସି ହେବି- ପରୀ ହେଉଛି ବିଶ୍ୱର ସବୁଠୁ ବଡ଼ ବହୁଭାଷୀ ସାମ୍ବାଦିକତା ୱେବସାଇଟ୍ । ପରୀ ୧୪ଟି ଭାଷାରେ ପ୍ରକାଶିତ ହେଉଛି ଏବଂ ଏଥିପାଇଁ ୧୭୦ ଜଣ ଅନୁବାଦକଙ୍କର ଏକ କୁଶଳୀ ଦଳ ଧନ୍ୟବାଦର ପାତ୍ର। ନିଶ୍ଚିତ ଭାବେ ଏମିତି କିଛି ଗଣମାଧ୍ୟମ ସଂସ୍ଥା ଅଛନ୍ତି ଯେଉଁମାନେ ୪୦ଟି ଭାଷାରେ କାର୍ଯ୍ୟ କରୁଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରେ ଦୃଢ଼ ଶ୍ରେଣୀବଦ୍ଧତା ରହିଛି। କେତେକ ଭାଷା ଅନ୍ୟ ଭାଷା ସହିତ ଉଣାଅଧିକେ ସମାନ ହୋଇଥାଏ।
ଆହୁରି, ଆମର ପ୍ରକାଶନ ନୀତି ‘ପ୍ରତ୍ୟେକ ଭାରତୀୟ ଭାଷା ଆପଣଙ୍କର ଭାଷା’ ସିଦ୍ଧାନ୍ତ ଉପରେ ଆଧାରିତ। ଆଉ ଏହାର ଅର୍ଥ ହେଉଛି ଭାଷାଗୁଡ଼ିକ ମଧ୍ୟରେ ସମାନତା। ଯଦି କୌଣସି ବିଷୟବସ୍ତୁ ଗୋଟିଏ ଭାଷାରେ ଆସୁଛି, ତା’ହେଲେ ଏହା ସମସ୍ତ ୧୪ଟି ଭାଷାରେ ମଧ୍ୟ ପ୍ରକାଶିତ କରିବାକୁ ଆମେ ସୁନିଶ୍ଚିତ କରୁଛୁ । ଚଳିତ ବର୍ଷ ପରୀ ପରିବାର ସହ ଯୋଡ଼ି ହୋଇଛି ଛତିଶଗଡ଼ି ଭାଷା। ଆଗକୁ ଯୋଡ଼ି ହେବା ପାଇଁ ଆମ ଯୋଜନାରେ ରହିଛି ଭୋଜପୁରୀ ଭାଷା।
ଆମେ ବିଚାର କରୁ ଯେ, ସାମଗ୍ରିକ ଭାବରେ ଏକ ସମାଜ ପାଇଁ ଭାରତୀୟ ଭାଷାଗୁଡ଼ିକୁ ପ୍ରୋତ୍ସାହିତ କରିବା ଜରୁରି । ଏ ଦେଶର ଭାଷାଗତ ସମୃଦ୍ଧି ଏକ ପ୍ରାଚୀନ ଲୋକକଥାକୁ ଯଥାର୍ଥ ବୋଲି ପ୍ରମାଣିତ କରିଥାଏ, ତାହା ହେଉଛି, ଏଠାରେ ଯଦି ପ୍ରତି ତିନି କିମ୍ବା ଚାରି କିଲୋମିଟରରେ ପାଣିର ସ୍ୱାଦ ଭିନ୍ନ ତା’ହେଲେ ୧୨-୧୫ କିଲୋମିଟରରେ ଏକ ଭିନ୍ନ ଭାଷା ଶୁଣିବାକୁ ମିଳିଥାଏ।
କିନ୍ତୁ ତାହାକୁ ନେଇ ଆମେ ଆତ୍ମସନ୍ତୁଷ୍ଟ ହୋଇପାରିବା ନାହିଁ। ବିଶେଷ କରି ଏପରି ଏକ ସମୟରେ ଯେତେବେଳେ ଭାରତୀୟ ଜନଭାଷା ସର୍ବେକ୍ଷଣରୁ ଜଣାପଡ଼ିଥାଏ ଏ ଦେଶରେ ପ୍ରଚଳିତ ପ୍ରାୟ ୮୦୦ ଭାଷା ମଧ୍ୟରୁ ଗତ ୫୦ ବର୍ଷ ମଧ୍ୟରେ ୨୨୫ଟି ଭାଷା ଲୁପ୍ତ ହୋଇସାରିଲାଣି। ଏବେ ଏମିତି ଏକ ସମୟ ଯେତେବେଳେ ମିଳିତ ଜାତିସଂଘ ପକ୍ଷରୁ ଦାବି କରାଯାଇଛି ଯେ ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ୯୦-୯୫ ପ୍ରତିଶତ କଥିତ ଭାଷା ବିଲୁପ୍ତ କିମ୍ବା ଗମ୍ଭୀର ଭାବେ ସଙ୍କଟଗ୍ରସ୍ତ ହୋଇଯିବ। ଏମିତି ଏକ ସମୟରେ ଆମେ ଶାନ୍ତିରେ ବସି ପାରିବା ନାହିଁ ଯେତେବେଳେ ସାରା ବିଶ୍ୱରେ ପ୍ରତି ୧୫ଦିନରେ ଗୋଟିଏ ଦେଶୀୟ ଭାଷା ଲୁପ୍ତ ହେଉଛି।


