ଚେନ୍ନାଇସ୍ଥିତ ନୂତନ ମହାନଗର ନିଗମ ଦ୍ୱାରା ପରିଚାଳିତ ସ୍କୁଲରେ ପ୍ରଥମ ଦିନରେ ୮ବର୍ଷ ବୟସ୍କ ରଘୁ କଳାପଟାରେ କିମ୍ବା ତାଙ୍କ ସାମ୍ନାରେ ଥିବା ପାଠବହିର ତାମିଲ ଭାଷାରେ ଲେଖାଯାଇଥିବା ପାଠରୁ ଗୋଟିଏ ଅକ୍ଷର ମଧ୍ୟ ବୁଝିପାରିଲେ ନାହିଁ । ଘରେ ଅର୍ଥାତ୍ ଉତ୍ତରପ୍ରଦେଶର ନାଓଲି ଗାଁରେ ଥିବା ତାଙ୍କ ବିଦ୍ୟାଳୟରେ ସେ ହିନ୍ଦୀ କିମ୍ବା ଭୋଜପୁରି ଭାଷାରେ ପଢ଼ିବା, ଲେଖିବା ଏବଂ କଥାବାର୍ତ୍ତା କରିବାରେ ଅଭ୍ୟସ୍ତ ଥିଲେ ।
ବର୍ତ୍ତମାନ ସେ କେବଳ ବହିରେ ଥିବା ଚିତ୍ରଗୁଡ଼ିକୁ ଦେଖି ଏଥିରେ କ’ଣ ଲେଖା ହୋଇଛି ତାହା ଅନୁମାନ କରିବାକୁ ଚେଷ୍ଟା କରିପାରିବେ । ସେ କୁହନ୍ତି, ‘‘ଗୋଟିଏ ବହିରେ ମିଶାଣ-ଫେଡ଼ାଣ ଚିହ୍ନ ଅଛି, ତେଣୁ ତାହା ଗଣିତ ବହି ଥିଲା; ଅନ୍ୟ ବହି ହୁଏତ ବିଜ୍ଞାନ ଥିଲା ଏବଂ ଆଉ ଏକ ବହିରେ ମହିଳା, ଛୋଟପିଲା, ଘର ଏବଂ ଗୋଟିଏ ପର୍ବତ ଥିଲା ।’’
ଚତୁର୍ଥ ଶ୍ରେଣୀର ଦ୍ୱିତୀୟ ଧାଡ଼ିରେ ଗୋଟିଏ ବେଞ୍ଚରେ ସେ ଚୁପ୍ଚାପ୍ ବସିଥିବା ବେଳେ ତାଙ୍କ ପାଖରେ ବସିଥିବା ବାଳକଟିଏ ରଘୁଙ୍କୁ ଗୋଟିଏ ପ୍ରଶ୍ନ ପଚାରିଲା । ‘‘ ଏହା ପରେ ସମସ୍ତେ ମୋତେ ଘେରିଗଲେ ଏବଂ ତାମିଲରେ ମୋତେ କିଛି ପଚାରିଲେ, ମୁଁ କିଛି ବୁଝିପାରିଲି ନାହିଁ, ସେମାନେ କ’ଣ କହୁଥିଲେ । ତେଣୁ ମୁଁ କେବଳ କହିଲି, ‘ମେରା ନାମ୍ ରଘୁ ହେ’ । ସେମାନେ ହସିବା ଆରମ୍ଭ କଲେ । ମୁଁ ଡରିଗଲି ।’’
୨୦୧୫ ମେ’ ରେ ଯେତେବେଳେ ଜଲୌନ ଜିଲ୍ଲାର ନନ୍ଦିଗାଁଓ ବ୍ଲକ୍ରେ ଥିବା ସେମାନଙ୍କ ଗାଁ ଛାଡ଼ିବା ପାଇଁ ରଘୁଙ୍କ ପିତାମାତା ନିଷ୍ପତ୍ତି ନେଲେ ସେତେବେଳେ ସେମାନେ ଟ୍ରେନରେ ଚେନ୍ନାଇ ପାଇଁ ବାହାରିବା ସମୟରେ ସେ ତଳେ ଗଡ଼ି କାନ୍ଦୁଥିଲା । ତା’ର ପାଞ୍ଚବର୍ଷର ଭାଇ ସନି ସେମାନଙ୍କ ବାପାଙ୍କ ହାତକୁ ଧରିଥିଲା । ତା’ର ମାଆ ଗାୟତ୍ରୀ ପାଲ କୁହନ୍ତି, ‘‘ସେ [ରଘୁ] ଯିବାକୁ ଚାହୁଁନଥିଲା । ତାକୁ ଏମିତି ଦେଖି ମୋ ହୃଦୟ ମଧ୍ୟ କାନ୍ଦି ଉଠିଲା ।’’
କିନ୍ତୁ ସେମାନଙ୍କ ଗାଁ ଛାଡ଼ି ଅନ୍ୟ କେଉଁ ସ୍ଥାନରେ କାମ କରିବା ରଘୁଙ୍କ ପିତାମାତାଙ୍କ ପାଇଁ ଅତି ଜରୁରୀ ଥିଲା । ୩୫ ବର୍ଷ ବୟସ୍କା ଗାୟତ୍ରୀ କୁହନ୍ତି, ‘‘ଯଦି ଆମେ ଚାଷରୁ କିଛି ନ ପାଉ, ତେବେ ଆମକୁ ନିଶ୍ଚୟ ଅନ୍ୟ ସ୍ଥାନକୁ ଯିବାକୁ ହେବ, ସେହି ବର୍ଷ [୨୦୧୩-୧୪] ଆମେ ଅତି ବେଶୀରେ ଦୁଇ କ୍ୱିଣ୍ଟାଲ ବାଜରା ପାଉଥିଲୁ । ଫସଲ ପାଇଁ ପାଣି ନଥିଲା, ଗାଁରେ କାମ ନଥିଲା । ଆମ ଗାଁର ଅଧା ରାଜ୍ୟ ବାହାରକୁ ଚାଲିଯାଇଥିଲେ, ଯେଉଁଠାରେ ସେମାନେ କାମ ପାଇଥିଲେ ।’’ ସେ ଏବଂ ତାଙ୍କର ସ୍ୱାମୀ ୪୫ ବର୍ଷ ବୟସ୍କ ମନିଷ ଚେନ୍ନାଇରେ ଏକ ନିର୍ମାଣ କ୍ଷେତ୍ରରେ କାମ ପାଇଲେ, ଯେଉଁଠାରେ ସେମାନଙ୍କ ଗାଁର କେଇଜଣ ପୂର୍ବରୁ କାମ କରୁଥିଲେ ।












