“ଏବେ ଏପ୍ରିକଟ୍ର ସ୍ୱାଦ ଭିନ୍ନ ହୋଇଯାଇଛି ।’’
“ମୋର ଆଣ୍ଠୁ ଉଚ୍ଚତା ପର୍ଯ୍ୟନ୍ତ ବରଫ ଜମି ରହୁଥିବା ମୋର ମନେ ଅଛି ।”
“ଆମେ ସବୁବେଳେ ବର୍ଷା ଦେଖି ଆସିଛୁ, କିନ୍ତୁ ଏହି ଭଳି କ୍ଷୟକ୍ଷତି କେବେ ନୁହେଁ । ଆମେମାନେ ଡରି ଯାଇଛୁ ।’’
“ସମୟ ପୂର୍ବରୁ ଗରମ ଅନୁଭୂତ ହେଉଛି ।’’
“ଏପରି କାହିଁକି ହେଉଛି ଆମେ ଜାଣିନୁ – ଆମେମାନେ ଅପ୍ରସ୍ତୁତ ଅଛୁ ।’’
“ହିମବାହଗୁଡିକ ପ୍ରାୟ ଏକ କିଲୋମିଟର୍ ପଛକୁ ଚାଲିଯାଇଛି ।’’
“ନିଃସନ୍ଦେହରେ କୁହାଯାଇ ପାରିବ ଯେ ଜଳବାୟୁରେ ପରିବର୍ତ୍ତନ ହେଉଛି ।”
ଲେହ ସହରଠାରୁ ନୁବ୍ରା ଉପତ୍ୟକାର ଗ୍ରାମଗୁଡିକ ପର୍ଯ୍ୟନ୍ତ ଓ ସବୁ ବର୍ଗ ଓ ଜୀବିକାର ଲୋକମାନଙ୍କ ମୁଖରୁ ପ୍ରକାଶିତ ଏଗୁଡିକ ହେଉଛି ସେମାନଙ୍କ ସମସ୍ୟାକୁ ବ୍ୟକ୍ତ କରୁଥିବା ସେହି ବାକ୍ୟ ଯାହାର ସମାଧାନ ସେମାନେ ଚାହୁଛନ୍ତି । ଗତ ଛଅ ବର୍ଷ ମଧ୍ୟରେ ହୋଇଥିବା ପ୍ରଳୟଙ୍କାରୀ ଆକସ୍ମିକ ବନ୍ୟା, କାଦୁଅ ଅତଡା ଖସିବା, ଭୂସ୍ଖଳନ ଓ ପ୍ରବଳ ବର୍ଷା ଯୋଗୁ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି।
ଗୁଲାମ୍ ମହମ୍ମଦ, ସାୟୋକ୍ ଗେଷ୍ଟହାଉସ୍ର ମାଲିକ. ତୁର୍ତୁକ୍ ଗ୍ରାମ ଓ ଏହାର ପାଖ ଗ୍ରାମ ଚୁଲୁଙ୍ଗଖାରେ ଘଟୁଥିବା ଜଳବାୟୁ ପରିବର୍ତ୍ତନ ବିଷୟରେ ଜାଣିଛନ୍ତି । ସେ କୁହନ୍ତି : ‘‘ସମସ୍ୟା ହେଉଛି ଆମେମାନେ ଭବିଷ୍ୟତର ପରିବର୍ତ୍ତନର ସାମନା କରିବା ପାଇଁ ପୂର୍ବରୁ ଅପ୍ରସ୍ତୁତ ଥିଲୁ ଓ ବର୍ତ୍ତମାନ ମଧ୍ୟ ଅପ୍ରସ୍ତୁତ ଅଛୁ ।’’
ନୁବ୍ରା ହେଉଛି ଉଚ୍ଚ ପତନରେ ଅବସ୍ଥିତ ଏକ ଶୀତଳ ମରୁଭୂମି, ଯେଉଁଠାରେ ତାପମାତ୍ରା ଅତି ନିମ୍ନ ସ୍ତରକୁ ଖସି ଆସେ, ଖୁବ୍ କମ୍ ବର୍ଷା ହୋଇଥାଏ ଓ ସବୁବେଳେ ହିମବାହ ରହିଥାଏ । ତୁର୍ତୁକ୍ ଏହି ଅଞ୍ଚଳରେ ଏକ ପାହାଡର ଶୀର୍ଷରେ ଅବସ୍ଥିତ, ଯାହାକୁ ଘେରି ବିଶାଳକାୟ ପର୍ବତମାଳା ଓ ସାୟକ୍ ନଦୀ କୂଳେ କୂଳେ ସବୁଜ କ୍ଷେତଗୁଡିକ ରହିଛି । ଏକଦା ପୁରୁଣା ରେଶମ ରାସ୍ତାରେ ଯାଉଥିବା ଯାତ୍ରୀମାନଙ୍କ ପାଇଁ ବିଶ୍ରାମସ୍ଥଳି ହୋଇଥିବା ଏହି ଗ୍ରାମ ସମୁଦ୍ର ପତନଠାରୁ ୩୦୦୦ମିଟର୍ ଉଚ୍ଚରେ ଅବସ୍ଥିତ। ଭାରତ ଓ ପାକିସ୍ତାନ୍ ମଧ୍ୟରେ ଥିବା ସୀମାରେଖା ବା ଲାଇନ୍ ଅଫ୍ କଣ୍ଟ୍ରୋଲ୍ (ଏଲ୍ଓସି) ଠାରୁ ଏହା ମାତ୍ର ୧୦ କିମି ଦୂରରେ ଅବସ୍ଥିତ ଓ ଲେହରୁ ଏଠାରେ ପହଞ୍ଚିବା ପାଇଁ ୮ଘଣ୍ଟା ସମୟ ଲାଗିଥାଏ ।









