ତାଲୁପୁରୁରେ ଏମ୍. ନାରାୟଣସ୍ୱାମୀ କହିଲେ, “ଆମେ ଭୋକିଲା ରହିପାରୁ, କିନ୍ତୁ ତଥାପି ଆମେ ଆମର ଦଳର ପତାକା ଧରି ଯିବୁ। ଆମେ ନିଶ୍ଚୟ ଯିବୁ, ଆମର କୌଣସି ବିକଳ୍ପ ନାହିଁ।’’ ସେ ଏହି ଗାଁର ରାସନ ଦୋକାନ ଡିଲର। ଏହି ଗାଁ ଅନନ୍ତପୁର ଜିଲ୍ଲାର ରାପତାଡୁ ବିଧାନସଭା କ୍ଷେତ୍ରରେ ଆସୁଛି ଏବଂ ସେ ଏପ୍ରିଲ୍ ୧୧-ଆଜିର ନିର୍ବାଚନ ପ୍ରଚାର ବିଷୟରେ କହୁଛନ୍ତି, ଯେଉଁଦିନ ଆନ୍ଧ୍ରପ୍ରଦେଶରେ ଉଭୟ ଲୋକସଭା ଏବଂ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବ। ସେ ଏଠାର ଲୋକମାନେ କ’ଣ ଚିନ୍ତା କରୁଛନ୍ତି, ସେମାନେ କିପରି ଭୋଟ ଦେଇପାରନ୍ତି, କାହା ପାଇଁ ଭୋଟ୍ ଦେବେ- ଏବଂ କାହିଁକି ସେସବୁ ବିଷୟରେ କହୁଛନ୍ତି।
ଏଠାରେ ଯଥାକ୍ରମେ ହିନ୍ଦୁପୁର ଏବଂ କଡ଼ପା ଲୋକସଭା (ଏଲ୍ଏସ୍) ସଂସଦୀୟ କ୍ଷେତ୍ରରେ ଥିବା ରାପାତାଡୁ ଓ ପୁଲିଭେନ୍ଦୁଲା ବିଧାନସଭା ଆସନ ପାଇଁ ଅଧିକ ନଜର ଏବଂ ଆଲୋଚନା ଚାଲିଛି।
ରାପ୍ତାଡୁରେ କ୍ଷମତାସୀନ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି)ର ପରିତାଲା ଶ୍ରୀରାମ ଏବଂ ଓ୍ୱାଇଏସ୍ଆର୍ କଂଗ୍ରେସ ପାର୍ଟି (ଓ୍ୱାଇଏସ୍ଆର୍ସିପି)ର ଥୋପୁଦୁର୍ଥି ପ୍ରକାଶ ରେଡ୍ଡୀଙ୍କ ମଧ୍ୟରେ ପ୍ରତିଯୋଗିତା। ୨୦୦୯ ଏବଂ ୨୦୧୪ରେ ରେଡ୍ଡୀ ଶ୍ରୀରାମଙ୍କ ମାଆ ପରିତାଲା ସୁନିତାଲାଠାରୁ ଏହି ଆସନରେ ହାରିଥିଲେ। ପୁଲିଭେନ୍ଦୁଲାରେ ଓ୍ୱାଇଏସ୍ଆର୍ସିପି ନେତା ଜଗନମୋହନ ରେଡ୍ଡୀ ଟିଡିପିର ଏସ୍.ଭି. ସତୀଶ କୁମାର ରେଡ୍ଡୀଙ୍କୁ ସାମ୍ନା କରୁଛନ୍ତି। ଜଗନମୋହନ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ଥିବାରୁ ତାଙ୍କର ବିଜୟର ସମ୍ଭାବନା ଅଧିକ ରହିଛି ବୋଲି ଅନେକ ମନେକରନ୍ତି।
ହିନ୍ଦୁପୁର ଲୋକସଭା ନିର୍ବାଚନ କ୍ଷେତ୍ରରେ ଟିଡିପିର ନିମ୍ମଲା କିସ୍ତାପ୍ପା ଏବଂ ଓ୍ୱାଇଏସ୍ଆର୍ସିପିର ଗୋରନ୍ତଲା ମାଧବଙ୍କ ମଧ୍ୟରେ ପ୍ରତିଯୋଗିତା। କଡ଼ାପ୍ପା ଲୋକସଭା ଆସନରେ ବର୍ତ୍ତମାନର ସାଂସଦ (MP) ଓ୍ୱାଇଏସ୍ଆର୍ସିପିର ଓ୍ୱାଇ.ଏସ୍. ଅବିନାଶ ରେଡ୍ଡୀଙ୍କ ବିପକ୍ଷରେ ଟିଡିପିର ଆଦିନାରାୟଣ ରେଡ୍ଡୀ ମୁଖ୍ୟ ବିରୋଧୀ ଭାବରେ ଅଛନ୍ତି।
ତଥାପି ଅନନ୍ତପୁରର ଗାଁଗୁଡ଼ିକର ଲୋକମାନେ ପ୍ରାର୍ଥୀଙ୍କ ଅପେକ୍ଷା ଦଳ ଏବଂ ଗୋଷ୍ଠୀଗତ ଆନୁଗତ୍ୟରେ ଅଧିକ ପ୍ରଭାବିତ। ରାପତାଡୁରେ ଗ୍ରାମବାସୀମାନଙ୍କର କଥାବାର୍ତ୍ତା ହିନ୍ଦୁପୁର ଲୋକସଭା ଆସନ ଅପେକ୍ଷା ବିଧାନସଭା ପ୍ରତିଯୋଗିତା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରୁଥିଲା (ଯଦିଓ ସେମାନେ ଉଭୟ ପାଇଁ ଭୋଟ୍ ଦେବେ)। ପ୍ରକୃତରେ ଏହି ନିର୍ବାଚନ ମଣ୍ଡଳୀର ଭୋଟରମାନେ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଅଧିକ ଆଗ୍ରହୀ ଥିବା ମନେ ହେଉଥିଲା।










