ଏବଂ ସେମାନଙ୍କର କ୍ଳାନ୍ତ ଆଖି କ’ଣ ଦେଖିବ?
ବିକ୍ଷିପ୍ତ ହୋଇପଡ଼ିଥିବା କ୍ଷତାକ୍ତ ସ୍ୱପ୍ନ!
ଭାଙ୍ଗି ପଡ଼ିଥିବା ସ୍ୱର୍ଗୀୟ ଯୋଜନା!
(ଶ୍ରୀରଙ୍ଗମ ଶ୍ରୀନିବାସ ରାଓଙ୍କର ‘ଦ ଡିଫିଟେଡ୍’ରୁ ଅନୁବାଦ କରାଯାଇଛି, ତାଙ୍କର ମୂଳ ରଚନା ୧୯୩୫ ମସିହାର ତେଲୁଗୁ କବିତା ‘ପାରିଜାତୁଲୁ’)
ଘର ଭଙ୍ଗା ଦଳ ଭୋର ୫ଟାରୁ ଆସିଲେ। ‘‘ସେମାନେ ଆମକୁ ଘର ଭିତରୁ ନିଜର ଆବଶ୍ୟକ ଜିନିଷ ବାହାର କରିବା ପାଇଁ ମଧ୍ୟ ସମୟ ଦେଲେ ନାହିଁ,’’ କହିଲେ ଡି. ଗାଙ୍ଗୁଲାମ୍ମା, ତାଙ୍କ ବୟସ ପ୍ରାୟ ୪୦ ପାଖାପାଖି ଏବଂ ସେ ଜଣେ ଦିନ ମଜୁରିଆ ଭାବରେ କାମ କରନ୍ତି, ଯେ କି ଆନ୍ଧ୍ରପ୍ରଦେଶର ଅନନ୍ତପୁର ସହର ଉପକଣ୍ଠରେ ବିଜୟନଗର କଲୋନୀରେ ବାସ କରନ୍ତି। ‘‘ସେମାନେ ଆମ ଜୀବନକୁ ଠେଲି ଆଣି ରାସ୍ତାରେ ଠିଆ କରାଇଦେଲେ।’’
ଏହି ବାସିନ୍ଦାମାନଙ୍କର ଆକଳନ ଅନୁଯାୟୀ ପ୍ରାୟ ଆଠଟି ବୁଲ୍ଡୋଜର ଓ ୨୦୦ ପାଖାପାଖି ପୋଲିସଙ୍କ ସହିତ ଆଠ ଜଣ କନେଷ୍ଟବଳ ସେମାନଙ୍କ ସହିତ ଦିନ ୯ଟାରେ ଯୋଗ ଦେଇଥିଲେ - ସେମାନେ ଏହି କଲୋନୀରେ ପ୍ରାୟ ୩୦୦ ଘର ରହିଥିବା ୧୫୦ଟି ବାସଗୃହ ଧ୍ୱଂସ କରିଦେଇଥିଲେ। ଅଧିକାଂଶ ଘର ଗତ ୩-୪ ବର୍ଷ ଭିତରେ ତିଆରି ହୋଇଥିଲା, ଏହି କଲୋନୀରେ ଅତ୍ୟନ୍ତ ଗରିବ ଲୋକ ରହୁଥିଲେ।
ଫଟା ପ୍ଲାଷ୍ଟିକ୍ ବାଲ୍ଟି, ଚିରି ଯାଇଥିବା ସ୍କୁଲ୍ ବହି, ଭାଙ୍ଗି ଯାଇଥିବା ଠାକୁରଙ୍କ ଫଟୋ, ମଇଳା ଲୁଗାର ଗଦା ଓ ଅନ୍ୟାନ୍ୟ ଜିନିଷ - ଭୟ ଓ ତରତରରେ ସବୁକିଛି ଛାଡ଼ି ଆସିଲେ - ଏବେ ତାଙ୍କ ଘରର ଧ୍ୱଂସାବଶେଷ ମଧ୍ୟରେ ବିକ୍ଷିପ୍ତ ହୋଇ ପଡ଼ିଛି।









