ପ୍ରତିଦିନ ଅନନ୍ତପୁରରେ ଥିବା ଡକ୍ଟର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଗୋଟିଏ ନୂଆ ଫୁଲମାଳ ଦିଆଯାଏ। ସକାଳ ପ୍ରାୟ ୮.୩୦ ସମୟରେ ଫୁଲ ବ୍ୟବସାୟୀ ଏ. ଶୁଭନ୍, ସୁନା ଛାଉଣି ହୋଇଥିବା ପ୍ରତିମୂର୍ତ୍ତି ଉପରକୁ ଚଢି ଲାଲ୍ ଗୋଲାପ ବା କଇଁ ଫୁଲରେ ତାଙ୍କ ପରିବାର ଲୋକଙ୍କ ଦ୍ୱାରା ଗୁନ୍ଥା ହୋଇଥିବା ମାଳ ପିନ୍ଧାଇଥାଆନ୍ତି। ଶୁଭନ ବା ତାଙ୍କର ୧୭ ବର୍ଷୀୟ ପୁତୁରା ବବଲୁ ନିୟମିତ ଏହି କାମ କରାନ୍ତି।
ଟ୍ରାଫିକ୍ ମଝିରେ ଆସିବାରୁ ଡକ୍ଟର ଆମ୍ବେଦକରଙ୍କର ପୁରୁଣା ପ୍ରତିମୂର୍ତ୍ତି ଭଙ୍ଗା ଯାଇ ଏହି ନୂଆ ମୂର୍ତ୍ତି ସ୍ଥାପନ ହେବା ପରଠାରୁ ପ୍ରାୟ ୨୦୧୦ରୁ ଏହି ପରମ୍ପରା ଆରମ୍ଭ ହୋଇଥିଲା। ଆନ୍ଧ୍ରପ୍ରଦେଶର ଅନନ୍ତପୁର ସହରର କେନ୍ଦ୍ର ସ୍ଥଳରେ ଥିବା କ୍ଲକ୍ ଟାୱାରଠାରୁ ଦକ୍ଷିଣକୁ ପ୍ରାୟ ଏକ କିଲୋମିଟର ଦୂରରେ ଏହି ପ୍ରତିମୂର୍ତ୍ତି ରହିଛି, ଯେଉଁଠାକୁ ଶୁଭନଙ୍କ ଫୁଲ ଦୋକାନଠାରୁ ଚାଲିଯାଇହେବ।
ନିକଟରେ ଥିବା ଅନ୍ୟ ପ୍ରତିମୂର୍ତ୍ତି ଗୁଡିକର ଭାଗ୍ୟ କିନ୍ତୁ ଏମିତି ନୁହେଁ। ସେହି ରାସ୍ତାରେ କ୍ଲକ୍ ଟାୱାର ପରେ ପ୍ରଥମେ ଇନ୍ଦିରା ଗାନ୍ଧିଙ୍କର ପ୍ରତିମୂର୍ତ୍ତି ରହିଛି। ଏବେ ତାହା ଏକ ଝୋଟ କପଡାରେ ଆବୃତ୍ତ ହୋଇ ରହିଛି। କିନ୍ତୁ ଆନ୍ଧ୍ରପ୍ରଦେଶରେ କଂଗ୍ରେସ କ୍ଷମତାରେ ଥିବାବେଳେ(୨୦୦୪ରୁ୨୦୧୪) ତାହା ଭଲ ସ୍ଥିତିରେ ଥିଲା। ୨୦୧୩ରେ ପ୍ରତିମୂର୍ତ୍ତିର ପୂର୍ବ ପ୍ରତିମୂର୍ତ୍ତିକୁ ସ୍ୱତନ୍ତ୍ର ତେଲେଙ୍ଗାନା ଗଠନକୁ ବିରୋଧ କରୁଥିବା ଲୋକମାନେ ଭାଙ୍ଗିଦେବା ସହ ଜାଳି ଦେଇଥିଲେ। ତା’ପରେ ଏକ ନୂଆ ପ୍ରତିମୂର୍ତ୍ତି ସ୍ଥାପନ ହେଲା, କିନ୍ତୁ ତାହା ମଧ୍ୟ ଆକ୍ରୋଶର ଶିକାର ହେଲା। ଏହି ରାସ୍ତାରେ ଥିବା ରାଜୀବ ଗାନ୍ଧିଙ୍କର ଏକ ପ୍ରତିମୂର୍ତ୍ତି ମଧ୍ୟ ଆବୃତ୍ତ ହୋଇ ରହିଛି। ବୋଧହୁଏ ତାହା ରାଜ୍ୟରେ କଂଗ୍ରେସ ଦଳର ଅବଦମିତ ଭାଗ୍ୟକୁ ଦର୍ଶାଉଛି।







