"ମୋର ମାଲିକଙ୍କୁ ୨୫,୦୦୦ ଟଙ୍କା ଦେବାର ଅଛି । ଏହି ଋଣ ପରିଶୋଧ ନକରି ମୁଁ ଅଧିଆ ଚାଷ ଛାଡ଼ି ପାରିବି ନାହିଁ", ଏକଥା କହନ୍ତି ରବେନ୍ଦ୍ର ସିଂହ ବାରଗହି। "ଅଗର ଛୋଡ ଦିୟା ତୋ ୟେ ଓ୍ବାଦା ଖିଲାଫି ମାନା ଯାଏଗା(ଯଦି ଛାଡ଼ି ଦେଲି, ତେବେ ଏହା ବଚନ ଭଙ୍ଗ ବୋଲି ଧରିନିଆଯିବ)"।
ମଧ୍ୟପ୍ରଦେଶର ମୁଗୱାରି ଗାଁରେ ବାସ କରନ୍ତି ରବେନ୍ଦ୍ର, ଯେଉଁଠି ସେ ଗତ ୨୦ ବର୍ଷ ହେବ ଭାଗଚାଷୀ ଭାବେ କାମ କରନ୍ତି। ଅଧିଆ ଚାଷ କହିଲେ, ଏକ ପୁରୁଣା ମୌଖିକ ବ୍ୟବସ୍ଥା- ଯାହା ମଧ୍ୟପ୍ରଦେଶର ସିଦ୍ଧି ଓ ଆଖାପଖ ଜିଲ୍ଲାଗୁଡ଼ିକରେ ମୁଖ୍ୟତଃ ବିନ୍ଧ୍ୟାଞ୍ଚଳରେ ପ୍ରଚଳିତ। ଏହି ବ୍ୟବସ୍ଥା ଅନୁଯାୟୀ ମାଲିକ (ଜମି ମାଲିକ) ଓ ଭାଗୁଆ ଚାଷ ଲାଗି ସମାନ ସମାନ ଖର୍ଚ୍ଚ କରିଥାନ୍ତି, ଆଉ ଅମଳ ଫସଲ ମଧ୍ୟ ସମାନ ସମାନ ଭାବେ ବାଣ୍ଟି ନେଇଥାନ୍ତି।
ଆଠ ଏକର ଜମିରେ, ରବେନ୍ଦ୍ର ଓ ତାଙ୍କ ପତ୍ନୀ ମମତା ସାଧାରଣତଃ ଧାନ, ଗହମ, ସୋରିଷ, ମୁଗ ଓ ବିରି ଚାଷ କରିଥାନ୍ତି। କିନ୍ତୁ ମଧ୍ୟପ୍ରଦେଶର କେତେକ ଅଞ୍ଚଳରେ ପ୍ରଚଳିତ ହିନ୍ଦୀରେ କୁହାଯାଉଥିବା ଏକ ଭାଷା -ବାଘେଲୀ ଭାଷାରେ ଅଧିଆକୁ 'ଅଧା' କୁହାଯାଏ। କିନ୍ତୁ ପ୍ରକୃତରେ ଏହା ଅଧା ନୁହେଁ ।
ଦେଶର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଭାବେ ପ୍ରଚଳିତ ଏହି ଅଣଆନୁଷ୍ଠାନିକ ଚୁକ୍ତିରେ, ଜମି ମାଲିକ ଚାଷ ସଂପର୍କିତ ସମସ୍ତ ନିଷ୍ପତ୍ତି ନେଇଥାନ୍ତି । ଯେମିତିକି କେଉଁ ଫସଲ ଚାଷ କରାଯିବ। କିନ୍ତୁ ଯେତେବେଳେ ପ୍ରବଳ ଥଣ୍ଡା, ଅଦିନିଆ ବର୍ଷା କିମ୍ବା କୁଆପଥର ମାଡ଼ରେ ଫସଲ ନଷ୍ଟ ହୋଇଯାଏ, ଜମି ମାଲିକ ସରକାରଙ୍କଠାରୁ କିମ୍ବା ବୀମା କମ୍ପାନିଠାରୁ କ୍ଷତିପୂରଣ ପାଇଥାଏ। ଆଉ ଏହାର କିଛି ବି ଭାଗ ପାଏନି ଭାଗଚାଷୀ।





