ଅନିତା ଘୋଟାଲେଙ୍କ ପାଇଁ ଶନିବାର, ମାର୍ଚ୍ଚ ୨୧ ତାରିଖ ଥିଲା ଏକ ସାଧାରଣ କାର୍ଯ୍ୟ ଦିବସ– ଯଦିଓ ସହରର ବହୁ ଦୋକାନ ବନ୍ଦ ରହିଥିଲା, ବଜାରରେ ଲୋକ ନଥିଲେ, ସବୁ ରାସ୍ତା ଶାନ୍ତ ଥିଲା ।କୋଭିଡ୍-୧୯ ବ୍ୟାପୁଥିବା ଯୋଗୁଁ ସରକାରୀ ପଦକ୍ଷେପ ସ୍ଵରୂପ ଲକ୍ଡାଉନ୍ ଲାଗୁ କରାଯାଇଥିବାରୁ ସେଦିନ ମୁମ୍ବାଇର ବହୁ ଲୋକ ଘର ଭିତରେ ବନ୍ଦ ହୋଇ ରହିଥିଲେ ।
କିନ୍ତୁ ଅନିତା ସେଇ ଶାନ୍ତ ରାସ୍ତାଗୁଡ଼ିକୁ ସଫା କରୁଥିଲେ, ଜମି ରହିଥିବା କଳା ଏବଂ ମଇଳା ପାଣି ଭିତରୁ ପଙ୍କ କାଦୁଅ ଭଳି ମଇଳାକୁ ଝାଡୁରେ ସଫା କରୁଥିଲେ । କିଛି ମଇଳା ପାଣି ତାଙ୍କ ଗୋଡ଼ ଉପରକୁ ଛିଟିକି ପଡ଼ିଲା । ସେ କହିଲେ, “ଆମ ପାଇଁ ତ ସବୁ ଦିନ ବିପଦ ଆଶଙ୍କା ରହିଛି । କେବଳ ଏଇ କରୋନା କାରଣରୁ ନୁହେଁ, ବରଂ ପିଢ଼ି ପରେ ପିଢ଼ି ଧରି (ଆମ ପାଇଁ ଏହା ଏମିତି) ରହି ଆସିଛି’’।
ସେତେବେଳକୁ ସକାଳ ପ୍ରାୟ ୯ଟା, ଏବଂ ସେ ଦୁଇ ଘଣ୍ଟା ଧରି କାମ କରିସାରିଥିଲେ, ପୂର୍ବ ମୁମ୍ବାଇର ଚେମ୍ବୁରରେ ଥିବା ମାହୁଲ ଗାଁରେ ଏମ୍-ୱେଷ୍ଟ ୱାର୍ଡ଼ର ରାସ୍ତା ଓ ଫୁଟ୍ପାଥ୍ରେ ଝାଡୁ କରୁଥିଲେ ।
ଏଭଳି ବିପଜ୍ଜନକ ସ୍ଥିତିରେ ସେ ତାଙ୍କ ନିଜ ସ୍ଵାସ୍ଥ୍ୟ କଥା କେମିତି ବୁଝୁଛନ୍ତି ? ସେ କହିଲେ “ଗତକାଲି (ମାର୍ଚ୍ଚ ୨୦ ତାରିଖ) ହିଁ ଆମେ ଏଇ ମାସ୍କ ପାଇଲୁ, ତାହା ବି ଏଇ ଭୂତାଣୁ କାରଣରୁ ଆମେ ଯେତେବେଳେ ଏଥିପାଇଁ ଦାବି କଲୁ।” ତାଙ୍କ ଅଣ୍ଟା ପାଖ ଶାଢ଼ିରେ ଗୋଟିଏ ମାସ୍କ ଖୋସା ହୋଇଥିଲା ଏବଂ ସୁରକ୍ଷା ପାଇଁ ବେକରେ ଗୋଟିଏ ସ୍କାର୍ଫ୍ ଗୁଡ଼ାଇଥିଲେ ୩୫ ବର୍ଷୀୟା ଅନିତା । ସେ କହିଲେ, “ଏଇ ମାସ୍କଗୁଡ଼ିକ ପତଳା ଏବଂ (ଦୁଇ ଦିନ ପିନ୍ଧିବା ପରେ) ଆଉ ଥରେ ପିନ୍ଧି ହେବନାହିଁ ।” ତାଙ୍କ କର୍ମକ୍ଷେତ୍ରରେ ହାତରେ ଗ୍ଲୋବ୍ସ କିମ୍ବା ଗୋଡ଼ରେ ମଜଭୁତ ଜୋତା ଭଳି ସୁରକ୍ଷା ପୋଷାକ କଥା ସେ ଶୁଣି ନଥିଲେ ।
ମହାରାଷ୍ଟ୍ରରେ ଅନୁସୂଚିତ ଜାତି ରୂପେ ତାଲିକାଭୁକ୍ତ ମାତଙ୍ଗ ସଂପ୍ରଦାୟର ଅନିତା କହନ୍ତି, ପିଢ଼ି ପରେ ପିଢ଼ି ଧରି ତାଙ୍କ ପରିବାର ଏହି ସଫେଇ କାମ କରିଆସୁଛି । ସେ କହନ୍ତି, “ମୋ ଜେଜେବାପା (ମୁମ୍ବାଇର)ଖୋଲା ନର୍ଦ୍ଦମାରୁ ମଣିଷଙ୍କ ମଳ ମୁଣ୍ଡରେ ବୋହି ନେଉଥିଲେ । ଯେ କୌଣସି ପିଢ଼ିରେ ହେଉ କି ବର୍ଷରେ, ମଣିଷ ଭାବରେ ଆମ ଅଧିକାର ପାଇବା ପାଇଁ ଆମକୁ ସବୁବେଳେ ସଂଗ୍ରାମ କରିବାକୁ ପଡ଼ିଛି ।”
ଆହୁରି ବିପଜ୍ଜନକ କଥା ହେଲା, ଆଖପାଖରେ ଥିବା ରାସାୟନିକ ଶିଳ୍ପ ଏବଂ ବିଶୋଧନାଗାର କାରଣରୁ ମାତ୍ରାଧିକ ବିଷାକ୍ତ ବାୟୁକୁ ନେଇ ଅନିତାଙ୍କ ବାସସ୍ଥାନ ଏବଂ କର୍ମସ୍ଥଳୀ ମାହୁଲ ଅଞ୍ଚଳ ଗତ କିଛି ବର୍ଷ ହେଲା ଖବରରେ ରହିଆସିଛି ।









