ରୂପ ରାଣୀ କହିଲେ, “ଯଦି ସେମାନେ ଆମର ଘରକୁ ହାତୀ ଲଗାଇ ଭାଙ୍ଗି ଦିଅନ୍ତି ତା’ ହେଲେ ଆମେ ଆମର ସମସ୍ତ ଜିନିଷପତ୍ର ଓ ଆମର ପିଲାମାନଙ୍କୁ ପୋଖରୀକୁ ଫିଙ୍ଗିଦେବୁ । ଆମେ ଗୋଲ୍ ହୋଇ ଛିଡ଼ା ହୋଇଯାଇ ଆମକୁ ଗୁଳି ମାରିଦେବାକୁ ସେମାନଙ୍କୁ କହିବୁ । କିନ୍ତୁ ଆମର ଦାବି ପୂରଣ ନ ହେଲା ଯାଏ ଆମେ ଏହି ସ୍ଥାନ ଛାଡ଼ିବୁ ନାହିଁ ।’’ ରୂପ ରାଣୀ ହୁଏତ ଖୁବ୍ ଶୀଘ୍ର ତାଙ୍କର ଘର ଓ ଜମି ହରାଇ ପାରନ୍ତି । ତାଙ୍କ ପରି ରାମପୁରାର ଅନ୍ୟ ସମସ୍ତ ବାସିନ୍ଦାମାନେ ମଧ୍ୟ ନିଜର ଘର ଓ ଜମି ହରାଇବେ ।
ସେମାନଙ୍କର ଗାଁ ପାନ୍ନା ବ୍ୟାଘ୍ର ଅଭୟାରଣ୍ୟର ବଫର ଜୋନରେ ଥିବା ୪୯ଟି ଗାଁ ମଧ୍ୟରେ ସାମିଲ । ଯେଉଁଠାରେ ଲୋକମାନେ କହୁଛନ୍ତି ଯେ ବାଘମାନଙ୍କର ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁ ଅଭୟାରଣ୍ୟର କୋର ଏରିଆ (ଅଭ୍ୟନ୍ତର ଅଞ୍ଚଳକୁ) ଆହୁରି ବୃଦ୍ଧି କରାଯିବ ବୋଲି ଜଙ୍ଗଲ ବିଭାଗ ପକ୍ଷରୁ ସେମାନଙ୍କୁ କୁହାଯାଇଛି । ଅଭୟାରଣ୍ୟର ଅଭ୍ୟନ୍ତର ଅଞ୍ଚଳରେ ଜନବସତିକୁ ଅନୁମତି ନାହିଁ, କିନ୍ତୁ ବାଘଙ୍କର ପରିସଂସ୍ଥା ଚାରିପଟେ ଥିବା ବଫର ଜୋନ ବାଘମାନଙ୍କୁ ମୁକ୍ତ ଭାବେ ଚଳପ୍ରଚଳ କରିବାକୁ ସୁଯୋଗ ଦେଇଥାଏ, ଏହି ଅଞ୍ଚଳରେ ମଣିଷ ଓ ଜୀବ ଜନ୍ତୁ ମିଶିକରି ରହନ୍ତି । ଅଗଷ୍ଟ ୨୦୧୨ରେ ରାମପୁରା ପାନ୍ନା ବ୍ୟାଘ୍ର ଅଭୟାରଣ୍ୟର ସଂରକ୍ଷିତ ଅଞ୍ଚଳ ମଧ୍ୟକୁ ଆସିଲା ।
କିନ୍ତୁ ଗତ ୪ ବର୍ଷ ହେଲା ଅଭୟାରଣ୍ୟର ଅଭ୍ୟନ୍ତର ଅଞ୍ଚଳକୁ ବୃଦ୍ଧି କରାଯିବାର ଯୋଜନା ପଡ଼ିରହିଛି । ଏହାଯୋଗୁ ରୂପ ରାନି ଏବଂ ତାଙ୍କର ପଡ଼ୋଶୀମାନଙ୍କର ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି । ସେବେଠାରୁ ସେମାନେ ସେମାନଙ୍କର ଜମିକୁ ସୁରକ୍ଷିତ କରିବା ଲାଗି ଉଦ୍ୟମ କରୁଛନ୍ତି । ଏହା ସହ ସେମାନଙ୍କୁ ବିସ୍ଥାପନ ବଦଳରେ ୫ ଏକରର ପ୍ଲଟ ଏବଂ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବା ଲାଗି ଜଙ୍ଗଲ ବିଭାଗ ସହିତ ଆଲୋଚନା କରୁଛନ୍ତି । ୨୦୦୮ରେ କେନ୍ଦ୍ର ସରକାରଙ୍କ ବ୍ୟାଘ୍ର ପ୍ରକଳ୍ପ ପାଇଁ ପ୍ରତି ପରିବାରକୁ ବାଧ୍ୟତାମୂଳକ ଭାବେ ଏତିକି ପରିମାଣରେ ସହାୟତା ଦେବା ଲାଗି ସ୍ଥିର କରାଯାଇଥିଲା ।



