ଚାନ୍ଦିନି ପର୍ମା କୁହନ୍ତି, ‘‘ମହିଳାମାନେ ଏରୋପ୍ଲେନ୍ ମଧ୍ୟ ଚଳାଉଛନ୍ତି , ତାହା ହେଲେ ଅଟୋରିକ୍ସା ଚଳାଇବାରେ ଏତେ କଷ୍ଟ କେଉଁଠି?’’ ୨୦୧୮ ମସିହାର ଶେଷ ଭାଗରେ ମାତ୍ର ୨୦ବର୍ଷ ବୟସରେ ସେ ଭୁଜ୍ ସହରର ପ୍ରଥମ ମହିଳା ଅଟୋରିକ୍ସା ଚାଳକ ପାଲଟିଥିଲେ । ତାଙ୍କର ଠିକ୍ ପରେ ଆସିଥିଲେ ଆଶା ବାଘେଲା, ଗୋଟିଏ ବର୍ଷ ସାନ, ଯିଏକି ଚାନ୍ଦନିଙ୍କର ମାଉସି ବା ତାଙ୍କ ମାଆଙ୍କର ସବୁଠୁ ସାନଭଉଣୀ ।
ସେମାନେ ଯେଉଁ ଗାଡ଼ି ଚଳାନ୍ତି ତାହା ଚକାଦୋ ବା ଚକଡ଼ା ଭାବରେ ଜଣାଶୁଣା। ଏହା ହେଉଛି ଏକ ବଡ଼ ତିନିଚକିଆ ଯେଉଁଥିରେ ୧୦ଜଣ ପର୍ଯ୍ୟନ୍ତ ଲୋକ ଆରାମରେ ବସିପାରିବେ । ଗୁଜରାଟର କଛ ଜିଲ୍ଲାର ମୁଖ୍ୟାଳୟ, ଭୁଜ୍ରୁ ୨୫ କିଲୋମିଟର ପର୍ଯ୍ୟନ୍ତ ଥିବା ଗାଁକୁ ଯିବା ଆସିବା କରୁଥିବା ଲୋକଙ୍କ ପାଇଁ ଏହା ପରିବହନର ସାଧାରଣ ପଦ୍ଧତି । ଯେହେତୁ ଏହା ଏକ ଟ୍ୟାକ୍ସି ମିଟର ବିନା ଚାଲିଥାଏ, ଭଡ଼ା ସାଧାରଣତଃ ଏକ ଅଣଲିଖିତ ଦରରେ ନିଆଯାଇଥାଏ । ଆଶା କୁହନ୍ତି, ‘‘ଆମେ ପାଖ ରାସ୍ତା ପାଇଁ ଟ. ୨୦-୩୦ ନେଉ, ଅଧିକ ଦୂର ପାଇଁ ଅଧିକ ନେଉ । ଯଦି ଆମେ ଖୁବ୍ ଦୂରକୁ ଯାଉ ତେବେ ଏହି ଭଡ଼ା ଟ. ୩୦୦ ପର୍ଯ୍ୟନ୍ତ ମଧ୍ୟ ହୋଇପାରେ ।’’
ପ୍ରଥମେ ସେମାନଙ୍କ ପରିବାର – ବିଶେଷ କରି ଆଶାଙ୍କ ପିତାମାତା ସେମାନଙ୍କ ଝିଅମାନଙ୍କୁ ସେମାନଙ୍କ ପରିବାରର ଅନ୍ୟ କୌଣସି ମହିଳା କିମ୍ବା ଏପରିକି ସମଗ୍ର ଭୁଜ୍ରେ କେହି କରିନଥିବା କାମକୁ ଯିବା ପାଇଁ ଅନିଚ୍ଛୁକ ଥିଲେ । ଚାନ୍ଦନିଙ୍କ କ୍ଷେତ୍ରରେ ଏକ ବଡ଼ ବର୍ଦ୍ଧିଷ୍ଣୁ ପରିବାରର ଆର୍ଥକ ଆବଶ୍ୟକତା ତିନିଚକିଆ ଚଳାଇବା ଶିଖିବା ନିମନ୍ତେ ତାଙ୍କ ପିତାମାତାଙ୍କୁ ଅଧିକ ଆଗ୍ରହୀ କରିଥିଲା ।
ଚାରିଭଉଣୀ, ଦୁଇଭାଇ ଏବଂ ସେମାନଙ୍କ ପିତାମାତାଙ୍କ ପରିବାରର ସବୁଠାରୁ ବଡ଼ ସନ୍ତାନ ଚାନ୍ଦନି ଗୋଟିଏ ରବିବାର ଭୁଜ୍ ରେଳ ଷ୍ଟେସନ ପରେ ଥିବା ଏକ ଅର୍ଦ୍ଧଗ୍ରାମୀଣ କଲୋନୀ ଭୁତେଶ୍ୱର ନଗରରେ ଥିବା ତାଙ୍କ ଘରକୁ ଗାଡ଼ିରେ ବସାଇ ନେଇଥିଲେ । ମୁଖ୍ୟ ରାସ୍ତାରୁ ତାଙ୍କ ଘରକୁ ଯିବାକୁ ଥିବା ମାଟି ରାସ୍ତା ଅସମାନ ଏବଂ ଧକଡ଼କଚଡ଼ ଯାତ୍ରା ଥିଲା । ସେ କୁହନ୍ତି, ‘‘ମୋ ବ୍ୟତୀତ କୌଣସି ଅଟୋ ବାଲା ଏଠାକୁ ଆସିବେନି । ତେଣୁ ମୁଁ ମୋ ଘର ଆଖପାଖରୁ ସହରକୁ ଯିବାକୁ ଥିବା ଅନେକ ଗ୍ରାହକ ପାଇଯାଏ ।’’







