୨୦୧୮ ନଭେମ୍ବର ଆରମ୍ଭରେ ଦୀପାବଳି ପୂର୍ବର ଏକ ସକାଳ। ପଶ୍ଚିମ ଓଡ଼ିଶାର ପ୍ରାୟ ୩୦-୪୦ ଜଣ ବାଦ୍ୟକାର ରାୟପୁର ବୁଢା ତଲବ ଚାରିଛକରେ ଏକାଠି ହୋଇଥିଲେ। ତାଙ୍କ ବେଶ ପୋଷାକ ଓ ବାଦ୍ୟ ଯନ୍ତ୍ରରୁ ମୁଁ ନିଶ୍ଚୟ କହିପାରିବି, ଯେ ସେମାନେ ବଲାଙ୍ଗିର, କଳାହାଣ୍ଡି କିମ୍ବା ନୂଆପଡ଼ା ଜିଲ୍ଲାର। ସେମାନେ ଥିଲେ ଅନୁସୂଚିତ ଜନଜାତି ଗଣ୍ଡ ସଂପ୍ରଦାୟର।
ସେମାନଙ୍କ ପରିବେଷଣ – ସ୍ଥାନୀୟ ଅଞ୍ଚଳରେ ଗଣ-ବାଜା ବୋଲି କହନ୍ତି – ଏହା ଓଡ଼ିଶାର ଏକ ପ୍ରସିଦ୍ଧ ଲୋକକଳା। ବିବାହ, ପୂଜା ଏବଂ ଅନ୍ୟାନ୍ୟ ଉତ୍ସବ ପାଇଁ ସେମାନଙ୍କ ଭିନ୍ନ ଭିନ୍ନ ତାଳ ବା ବାଦନ ଥାଏ। ପ୍ରାୟ ୫-୧୦ ଜଣ ଲୋକ – ପାରମ୍ପରିକ ଭାବେ ପୁରୁଷ – ଗୋଟିଏ ଦଳରେ ବିଭକ୍ତ ହୋଇଥାନ୍ତି। ସମସ୍ତଙ୍କ ହାତରେ ଥାଏ ଢାପ, ଡୋଲ, ଝାଂଜ, ନିଶାନ ଏବ ତାସା ଭଳି ବାଦ୍ୟଯନ୍ତ୍ର।
କାହାକୁ ସେମାନେ ଅପେକ୍ଷା କରିଛନ୍ତି ବୋଲି ତାଙ୍କୁ କୋଶଳି (ବା ସମ୍ବଲପୁରୀ) ଭାଷାରେ ମୁଁ ପଚାରିଲି। ମୋ କଥା ଶୁଣି, ବେଣୁଧର ଛୁରା କହିଲେ, "ଆମେ ରାଉତ-ନାଚ ଦଳକୁ ଅପେକ୍ଷା କରିଛୁ। ସେମାନେ ଆମକୁ ତାଙ୍କ ନାଚ ପାଇଁ ନେବେ।" ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ତହସିଲର କନ୍ଦଖାଲ ଗାଁର ବେଣୁଧର ଛୁରା ପ୍ରାୟ ୩୦ ବର୍ଷ ହେବ ଏଠାକୁ ଆସୁଛନ୍ତି।







