ଅକ୍ସିଜେନ୍, ହସ୍ପିଟାଲରେ ଶଯ୍ୟା ଓ ଅତ୍ୟାବଶ୍ୟକ ଔଷଧପତ୍ର ପାଇଁ ନିବେଦନ କରି ଅସଂଖ୍ୟ ପୋଷ୍ଟ, କାହାଣୀ ଓ ବାର୍ତ୍ତାରେ ଭରି ଯାଇଥିଲା ସାରା ସୋସିଆଲ ମିଡିଆ । ମୋ ଫୋନ୍ଟା ବି ଅବିରତ ବାଜୁଥିଲା। ଗୋଟିଏ ମେସେଜ୍ରେ ଲେଖା ଥିଲା ‘ତୁରନ୍ତ ଅକ୍ସିଜେନ୍ ଆବଶ୍ୟକ’। ଏମିତି ଏକ ରବିବାର ଦିନ ସକାଳ ପ୍ରାୟ ୯ଟାରେ ମୁଁ ମୋର ଜଣେ ଅନ୍ତରଙ୍ଗ ବନ୍ଧୁଙ୍କ ପାଖରୁ ଫୋନ୍ କଲ୍ଟିଏ ପାଇଲି । ତାଙ୍କ ବନ୍ଧୁଙ୍କ ବାପା କୋଭିଡ୍-୧୯ରେ ଆକ୍ରାନ୍ତ ହୋଇଥିଲେ ଏବଂ ସେମାନେ କୌଣସି ହସ୍ପିଟାଲରେ ଖାଲି ବେଡ୍ଟିଏ ଖୋଜି ପାଇବାକୁ ସଂଘର୍ଷ କରୁଥିଲେ । ସେତେବେଳକୁ ଭାରତରେ ଦୈନିକ କୋଭିଡ୍ ସଂକ୍ରମିତ ବ୍ୟକ୍ତି ସଂଖ୍ୟା ୩୦୦,୦୦୦କୁ ଟପିଯାଇଥାଏ । ମୁଁ କେତେକ ପରିଚିତ ଲୋକଙ୍କୁ ଫୋନ୍ କଲି, କିନ୍ତୁ ସେ ଉଦ୍ୟମ ବ୍ୟର୍ଥ ହେଲା । ଏବଂ ସେସବୁ ଝଞ୍ଜଟ ଭିତରେ ମୁଁ ଏହି ନିର୍ଦ୍ଦିଷ୍ଟ ଘଟଣାଟିକୁ ଭୁଲିଗଲି । କିଛି ଦିନ ପରେ ମୋର ବନ୍ଧୁ ପୁଣି ଥରେ ଫୋନ୍ କରି କହିଲେ, “ମୋ ବନ୍ଧୁଙ୍କ ବାପା...ଚାଲିଗଲେ ।”
ଏପ୍ରିଲ ୧୭ ତାରିଖରେ, ତାଙ୍କ ଶରୀରର ଅକ୍ସିଜେନ୍ ସ୍ତର ବିପଜ୍ଜନକ ଭାବେ ୫୭ ପ୍ରତିଶତକୁ ଖସି ଆସିଥିଲା (୯୨-୯୦ରୁ ତଳକୁ ଖସିଲେ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି)। କେଇ ଘଣ୍ଟା ଭିତରେ, ତାଙ୍କର ଅକ୍ସିଜେନ ସ୍ତର ୩୧କୁ ହ୍ରାସ ପାଇଲା ଏବଂ ଏହାର ଠିକ୍ ପରେ ପରେ ତାଙ୍କର ମୃତ୍ୟୁ ହେଲା । ତାଙ୍କର ସେହି ଶୋଚନୀୟ ଅବସ୍ଥା ସଂପର୍କରେ ସେ ଟୁଇଟ୍ କରି ଜଣାଇଥିଲେ ଏବଂ ତାଙ୍କର ଶେଷ ଟୁଇଟ୍ ଥିଲା: “ମୋର ଅକ୍ସିଜେନ ସ୍ତର ୩୧। କେହି ମୋତେ ସାହାଯ୍ୟ କରିବେ କି ?”
ଏମିତି ଅନେକ ଏସ୍ଓଏସ୍ ମେସେଜ୍, ଅନେକ ଟୁଇଟ୍, ଅନେକ ଫୋନ୍ କଲ୍ । ଗୋଟିଏ ପୋଷ୍ଟରେ ଲେଖା ହୋଇଥିବ:“ହସ୍ପିଟାଲରେ ବେଡ୍ ଦରକାର” କିନ୍ତୁ ପରଦିନ ହିଁ ଅପ୍ଡେଟ୍ ମିଳିବ-“ରୋଗୀଙ୍କର ମୃତ୍ୟୁ ହୋଇଯାଇଛି ।”
ସେହି ବନ୍ଧୁ, ଯାହାଙ୍କୁ ମୁଁ କେବେ ଭେଟିନାହିଁ, କେବେ କଥାବାର୍ତ୍ତା କରିନାହିଁ କିମ୍ବା ତାଙ୍କୁ ଜାଣିନାହିଁ; ସେହି ବନ୍ଧୁ.ଯେ କି ଏକ ସୁଦୂର ରାଜ୍ୟରେ ରହନ୍ତି ଏବଂ ଭିନ୍ନ ଏକ ଭାଷା କହନ୍ତି, କୌଣସି ଏକ ସ୍ଥାନରେ ତାଙ୍କର ମୃତ୍ୟୁ ଘଟିଲା, ସେ ନିଶ୍ୱାସ ନେଇପାରିଲେ ନାହିଁ, ଏବେ ଏକ ଅଜଣା ଚିତାରେ ଜଳୁଛନ୍ତି ସେ ।



