“ଚମରୀ ଗାଈଙ୍କ ସଂଖ୍ୟା କମିବାରେ ଲାଗିଛି,”ପଦ୍ମା ଥୁମୋ କହନ୍ତି । ୩୦ ବର୍ଷରୁ ଅଧିକ କାଳ ହେଲା ଚମରୀ ଗାଈ ପାଳିଆସୁଥିବା ଏହି ମହିଳା ଆହୁରି କହନ୍ତି, “ଆଜିକାଲି ତଳିଆ ମାଳଭୂମିରେ (ପ୍ରାୟ ୩,୦୦୦ ମିଟର ଉଚ୍ଚତା) ଖୁବ୍ କମ୍ ସଂଖ୍ୟକ ଚମରୀ ଗାଈ ଦେଖିବାକୁ ମିଳୁଛନ୍ତି ।”
ପଦ୍ମାଙ୍କ ଘର ଜଂସ୍କାର ବ୍ଲକ୍ ଅନ୍ତର୍ଗତ ଅବ୍ରାନ୍ ଗାଁରେ ଏବଂ ପ୍ରାୟ ୧୨୦ଟି ଚମରୀ ଗାଈଙ୍କୁ ସାଙ୍ଗରେ ନେଇ ସେ ବର୍ଷ ସାରା ଲଦାଖର ଉଚ୍ଚ ଓ ପ୍ରବଳ ଥଣ୍ଡା ପଡୁଥିବା ଅଞ୍ଚଳର ବିଭିନ୍ନ ସ୍ଥାନକୁ ଯାତ୍ରା କରୁଥାଆନ୍ତି । ଲଦାଖର ଏ ଅଞ୍ଚଳରେ ତାପମାତ୍ରା ମାଇନସ୍ ୧୫ଡିଗ୍ରୀକୁ ବି ଖସି ଆସିଥାଏ ।
ଚମରୀ ଗାଈ ବା ୟାକ୍ (ବସ୍ ଗ୍ରନିୟେନସ) ଏହି ଥଣ୍ଡା ପାଗରେ ଖୁବ୍ ସହଜରେ ଖାପ ଖୁଆଇ ନିଅନ୍ତି କିନ୍ତୁ ୧୩ ଡିଗ୍ରୀ ସେଲସିୟସରୁ ଅଧିକ ତାପମାତ୍ରାରେ ସେମାନଙ୍କ ରହିବା କଷ୍ଟକର ହୋଇପଡ଼େ ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଗତ କେଇ ଦଶନ୍ଧି ହେଲା, ଜଂସ୍କାର ଉପତ୍ୟକାର ତଳିଆ ମାଳ ଅଞ୍ଚଳରେ ଗ୍ରୀଷ୍ମ ଦିନର ହାରାହାରୀ ତାପମାତ୍ରା ୨୫ ଡିଗ୍ରୀ ସେଲସିୟସରୁ ଅଧିକ, ଏମିତି କି ୩୨ଡିଗ୍ରୀ ସେଲସିୟସ ଯାଏ ବି ବୃଦ୍ଧି ପାଉଛି । ଏହି ଉପତ୍ୟକାର ଜଣେ ଡ୍ରାଇଭର ତେନଜିନ୍ ଏନ୍. କହନ୍ତି, “ଆଜିକାଲି ଗ୍ରୀଷ୍ମ ଋତୁ ଓ ଶୀତ ଋତୁର ତାପମାନରେ ବହୁତ ଅଧିକ ପ୍ରଭେଦ ରହୁଛି ।”
ଏଭଳି ଅସ୍ୱାଭାବିକ ଗରମର ପ୍ରଭାବ ଚମରୀ ଗାଈଙ୍କ ସଂଖ୍ୟା ଉପରେ ପଡ଼ିଛି ଏବଂ ୨୦୧୨ରୁ ୨୦୧୯ମଧ୍ୟରେ ଜାମ୍ମୁ ଓ କାଶ୍ମୀରରେ ସେମାନଙ୍କ ସଂଖ୍ୟା ଅଧାକୁ ଖସି ଆସିଲାଣି(୨୦ତମ ପଶୁଧନ ଗଣନା) ।























