ଦିଲ୍ଲୀରେ ଗୋଟିଏ କ୍ଳାନ୍ତ ଶୀତ ଅପରାହ୍ଣରେ ଜାନୁଆରୀର ସୂର୍ଯ୍ୟ ଏକ ସ୍ୱାଗତଯୋଗ୍ୟ ଅତିଥି ପରି ବାରଣ୍ଡାରେ ଥିବା ବେଳେ କମର ହଜାରେ କିଲୋମିଟର ଦୂରରେ ଥିବା ତାଙ୍କ ମାଆଙ୍କୁ ଫୋନ୍ କରିଥିଲେ। ୭୫ ବର୍ଷ ବୟସ୍କା ଶମିମା ଖାତୁନଙ୍କ ସହ କଥା ହେବା ବେଳେ ସେ ଚେତନାରେ ବିହାରର ସୀତାମାଢ଼ି ଜିଲ୍ଲାର ବାରୀ ଫୁଲୱାରିଆ ଗ୍ରାମରେ ଥିବା ତାଙ୍କ ପିଲାଦିନର ଘରକୁ ଚାଲିଯାଇଥିଲେ।
ଯଦି ଆପଣ ସେହି ଅପରାହ୍ଣରେ ଟେଲିଫୋନ୍ର ଉଭୟ ପାର୍ଶ୍ୱରେ କଣ୍ଠସ୍ୱର ଶୁଣିଥା’ନ୍ତେ ତେବେ ଆପଣ ନିଶ୍ଚୟ କିଛି ବିଚିତ୍ର ଜିନିଷ ଲକ୍ଷ୍ୟ କରିଥା’ନ୍ତେ। ସ୍ପଷ୍ଟ ଉର୍ଦ୍ଦୁରେ ସେ ପଚାରୁଛନ୍ତି, ‘‘ଅମ୍ମି ଜରା ୟେ ବତାଇୟେଗା, ବଚ୍ପନ୍ ମେ ଜୋ ମୋରେ ସର୍ପେ ଜଖମ୍ ହୋତା ଥା ଉସ୍କା ଇଲାଜ୍ କେସେ କର୍ତେ ଥେ? (ମାଆ ମୋତେ କୁହ ପିଲାଦିନେ ମୋ ମୁଣ୍ଡରେ ଘାଆ ବାହାରିଥିଲା ତୁମେ ତାହା କିପରି ଭଲ କରିଥିଲ?)
‘‘ଶିର୍ ମେ ଯୋ ହୋ ଜାହାୟି – ତୋରୋହୋ ହୋଲା ରାହା – ବତ୍ଖୋରା କାହା ହୟି ଓକୋ ଇଧର୍। ରେହ, ଚିକ୍ନି ମିଟ୍ଟି ଲଗାକେ ଧୋଲିୟା ରହା, ମଗର୍ ଲଗା ହୟି ବହୁତ୍। ତା ଛୁଟ୍ ଗେଲାୟି’’ [ତାଳୁରେ ଯାହା ହୁଏ – ତୋର ମଧ୍ୟ ସେଇଆ ହୋଇଥିଲା– ତା’କୁ ଏଠି ବତ୍ଖୋରା କହନ୍ତି। ମୁଁ ତୋର ମୁଣ୍ଡକୁ ରେହ (ଲୁଣିଆ ମାଟି) ଏବଂ ଚିକ୍ନି ମିଟ୍ଟି (କାଦୁଅ)ରେ ଧୋଇଲି, କିନ୍ତୁ ଏହା ଭୀଷଣ କାଟେ। ଶେଷରେ ତୁ ଏଥିରୁ ମୁକ୍ତି ପାଇଲୁ,]’’ ତାଙ୍କର ଘରୋଇ ଉପଚାର ବର୍ଣ୍ଣନା କରି ସେ ଖୁସିରେ ହସୁଥିଲେ, ତାଙ୍କର ଭାଷା କମର୍ଙ୍କ ଭାଷାଠାରୁ ଉଲ୍ଲେଖଯୋଗ୍ୟ ଭାବରେ ଭିନ୍ନ ଥିଲା।
ସେମାନଙ୍କ କଥାବାର୍ତ୍ତାରେ କିଛି ଅସ୍ୱାଭାବିକତା ନଥିଲା। କମର୍ ଏବଂ ତାଙ୍କ ମାଆ ସବୁବେଳେ ପରସ୍ପର ସହିତ ଭିନ୍ନ ଭିନ୍ନ ଭାଷାରେ କଥା ହେଉଥିଲେ।
ଏହା ପରଦିନ ଆନ୍ତର୍ଜାତୀୟ ମାତୃଭାଷା ଦିବସ ଉପରେ ଆମ କାହାଣୀର ପ୍ରସଙ୍ଗ ଆଲୋଚନା କରିବା ସମୟରେ ପରୀ ଭାଷା ବୈଠକରେ ସେ କହିଲେ, ‘‘ମୁଁ ତା’ର ବୋଲି ବୁଝେ, କିନ୍ତୁ ମୁଁ ସେଥିରେ କଥାବାର୍ତ୍ତା କରିପାରେନି। ମୁଁ କହେ ଉର୍ଦ୍ଦୁ ହେଉଛି ମୋର ‘ମାତୃଭାଷା’ କିନ୍ତୁ ମୋ ମାଆ ଏକ ଭିନ୍ନ ଭାଷାରେ କଥା ହୁଅନ୍ତି।’’ ଏଥିସହିତ ସେ ଏହା ମଧ୍ୟ କହିଥିଲେ, ‘‘ତା’ର ଭାଷାର ନାଁ କ’ଣ ସେ ସମ୍ପର୍କରେ କାହାର କୌଣସି ଧାରଣା ନାହିଁ, ଅମ୍ମିର ନୁହେଁ କିମ୍ବା ମୋ ପରିବାରରେ ଅନ୍ୟ କାହାର ନୁହେଁ, ଏପରିକି ଯେଉଁମାନେ ଏହା କୁହନ୍ତି।’’ ସେ, ତାଙ୍କ ବାପା ଏବଂ ତାଙ୍କ ଭାଇଙ୍କ ସହିତ ଯେଉଁ ଲୋକମାନେ କାର୍ଯ୍ୟ ସନ୍ଧାନରେ ଗାଁରୁ ଚାଲିଯାଇଥିଲେ, ସେହି ଭାଷା କହୁନଥିଲେ। କମର୍ଙ୍କ ପିଲାମାନେ ଆହୁରି ଦୂରରେ: ସେମାନେ ସେମାନଙ୍କ ଜେଜେମାଆଙ୍କ ଭାଷା ବୁଝିପାରନ୍ତି ନାହିଁ।



















