ମେ ମାସର ଏକ ଆର୍ଦ୍ର ଓ ଗରମ ଅପରାହ୍ଣରେ, ମୋହାର ହଜରତ ସୟେଦ ଅଲୱି [ରେହମତୁଲ୍ଲା ଆଲାହି] ଦରଗାହ (ପୂଜାସ୍ଥଳ)ରେ ଲୋକଙ୍କ ଭିଡ଼ ଜମିବାରେ ଲାଗିଥାଏ। ଚାଳିଶଟି ପରିବାର, ଯେଉଁଥିରେ ମୁସଲମାନ ତୁଳନାରେ ହିନ୍ଦୁଙ୍କ ସଂଖ୍ୟା ଅଧିକ, ସେମାନଙ୍କ ବାର୍ଷିକ ପୂଜୋତ୍ସବ ଏବଂ ଭୋଜିଭାତ ଲାଗି କାମରେ ଲାଗି ପଡ଼ିଥାଆନ୍ତି। ଏହି ଭୋଜି ଉତ୍ସବକୁ କନ୍ଦୁରିବୋଲି କୁହାଯାଇଥାଏ। ସେମାନଙ୍କ ମଧ୍ୟରୁ ଗୋଟିଏ ହେଲା ଧୋବଲେ ପରିବାର। ଓସମାନାବାଦ ଜିଲ୍ଲା କଲାମ୍ବ ବ୍ଲକ୍ର ଏହି ୨୦୦ ବର୍ଷ ପୁରୁଣା ଦରଗାହରେ ସେମାନଙ୍କ ଅତିଥି ରୂପେ ଯୋଗ ଦେଇଛୁ ମୁଁ ଓ ମୋ ପରିବାର।
ସାଧାରଣତଃ ଗ୍ରୀଷ୍ମ ମାସରେ, ଏ ଅଞ୍ଚଳର ଚାଷୀ ପରିବାର ପାଖରେ କିଛିଟା ଖାଲି ସମୟ ଥିବା ବେଳେ, ଓସମାନାବାଦ, ଲାଟୁର ଏବଂ ବୀଡ, ଜାଲ୍ନା, ଔରଙ୍ଗାବାଦ, ପରବଣି, ନାନ୍ଦେଡ ଏବଂ ହିଙ୍ଗୋଲି ଭଳି ମରାଠୱାଡ଼ା ଅଞ୍ଚଳର ଅନ୍ୟ ଛଅଟି ଜିଲ୍ଲାର ବିଭିନ୍ନ ପୀରବାବା(ପବିତ୍ର ପୁରୁଷ)ଙ୍କ ଦରଗାହରେ ସେମାନଙ୍କ ଭିଡ଼ ଜମିଥାଏ। ଗୁରୁବାର ଏବଂ ରବିବାର ଦିନ ବହୁସଂଖ୍ୟକ ପରିବାର ଆସି ଏସବୁ ସ୍ଥାନରେ ପହଞ୍ଚନ୍ତି। ସେମାନେ ଅଣ୍ଡିରା ଛେଳି ବା ଖାସି ବଳି ଦେବା ସହିତ ରନ୍ଧାମାଂସରୁ ପ୍ରସ୍ତୁତ ନିବାଦ ଅର୍ପଣ କରନ୍ତି, ଆଶୀର୍ବାଦ କାମନା କରନ୍ତି, ଏକାଠି ଭୋଜନ କରନ୍ତି ଏବଂ ଅନ୍ୟମାନଙ୍କୁ ଖାଇବାକୁ ଦିଅନ୍ତି।
ଓସମାନାବାଦର ୟେଦଶିରୁ (ୟେଦସି ମଧ୍ୟ କୁହାଯାଏ) ଆସିଥିବା ଆମ ସଂପର୍କୀୟ ୬୦ ବର୍ଷୀୟ ଭାଗୀରଥି କଦମ କହନ୍ତି, “ଅନେକ ପିଢ଼ି ଧରି ଆମେ ଏହା (କନ୍ଦୁରି) କରିଆସୁଛୁ।”ମରାଠୱାଡ଼ାର ଏହି ଅଞ୍ଚଳ ୬୦୦ବର୍ଷରୁ ଅଧିକ କାଳ (ହାଇଦ୍ରାବାଦ ନିଜାମଙ୍କ ୨୨୪ ବର୍ଷ ଶାସନ କାଳ ସମେତ) ଇସଲାମ ଶାସନାଧୀନ ଥିଲା। ଏଠାକାର ସମସ୍ତ ଇସଲାମୀୟ ପୂଜାପୀଠରେ ଲୋକଙ୍କ ଆସ୍ଥା ଓ ପୂଜାବିଧିରେ ବିଶ୍ୱାସ ଓ ଭକ୍ତିର ଅପୂର୍ବ ମିଳନ ଘଟିଥାଏ ଏବଂ ଏଥିରୁ ହିଁ ପ୍ରତିପାଦିତ ହୋଇଥାଏଏ ଅଞ୍ଚଳର ଧାର୍ମିକ ଓ ସାଂସ୍କୃତିକ ସଂହତି ସଂପନ୍ନ ଜୀବନ ଧାରା।
ଶହ ଶହ ବର୍ଷ ହେଲା ଭିନ୍ନ ଭିନ୍ନ ଗାଁ ଲୋକଙ୍କ ପୂଜା ପାଇଁ ନିର୍ଦ୍ଦିଷ୍ଟ ଦରଗାହ ନିରୂପିତ ହୋଇ ରହିଛି ଏବଂ ଏହି ପରମ୍ପରା ସଂପର୍କରେ ସୂଚନା ଦେବାକୁ ଯାଇ ଭାଗାମାୱଶୀ ଶ୍ରଦ୍ଧା ନାମରେ ପରିଚିତ ଭାଗୀରଥି କହନ୍ତି, “ଆମେ ଗଡ଼ ଦେଓଦରିରେ ପୂଜା କରୁ। ତାୱାରାଜ ଖେଡ଼ାର ଲୋକେ ମୋହାକୁ ଆସନ୍ତି ଏବଂ ଆପଣଙ୍କ ଗାଁ (ଲାଟୁର ଜିଲ୍ଲାର ବୋରଗାଓଁ ବି.କେ)ର ଲୋକଙ୍କୁ ଶେରାକୁ ଯିବାକୁ ହୁଏ।”
ମୋହାର ରେହମତୁଲ୍ଲା ଦରଗାହରେ, ପ୍ରତିଟି ଗଛ ତଳେ ଏବଂ ଟିଣ କିମ୍ବା ତାରପୁଲିନ୍ ଛାତ ଥିବା ଆଶ୍ରୟସ୍ଥଳୀରେ ଲୋକେ ଚୁଲ୍ଲା (ଅସ୍ଥାୟୀ ଚୁଲି) ସ୍ଥାପନ କରିଛନ୍ତି ଏବଂ ଦରଗାହରେ ପୂଜାବିଧି ପାଳନ ଅବସରରେ ଅର୍ପଣ ନିମନ୍ତେ ସେଗୁଡ଼ିକରେ ଖାଦ୍ୟ ରନ୍ଧା ଯାଉଛି। ପୁରୁଷ ଓ ମହିଳାମାନେ ଗପସପରେ ବ୍ୟସ୍ତ ଥିବା ବେଳେ ପିଲାମାନେ ଖେଳରେ ମାତି ଯାଇଛନ୍ତି। ବାୟୁମଣ୍ଡଳରେ ଉଷ୍ମତା ଭରି ରହିଥିଲେ ହେଁ ପଶ୍ଚିମ ଆକାଶରେ ଘନୀଭୂତ ବାଦଲ ଏବଂ ଦରଗାହର ପ୍ରବେଶ ପଥରେ ରହିଥିବା ଧାଡ଼ିକି ଧାଡ଼ି ପୁରୁଣା ତେନ୍ତୁଳି ଗଛର ଛାଇ ଲୋକଙ୍କୁ ତାତିରୁ କିଛିଟା ରିହାତି ପ୍ରଦାନ କରୁଛି।ଦରଗାହର ଏକମାତ୍ର ଜଳାଶୟ-୯୦ ଫୁଟ ଗଭୀର ବାରଭ ବୋଲି କୁହାଯାଉଥିବା ଏକ ପୁରୁଣା ପଥର କୂଅ ଶୁଖିଲା ପଡ଼ିଛି ସତ, ହେଲେ ଜଣେ ଭକ୍ତ ଆମକୁ ସୂଚାଇ ଦିଅନ୍ତି ଯେ, ଏହା “ବର୍ଷାଦିନେ ପାଣିରେ ଭରିଯିବ।”




















