‘‘ଗୋଟିଏ ପଟେ ଜି-୨୦ ଶିଖର ସମ୍ମିଳନୀ ପାଇଁ ଦେଶର ରାଜଧାନୀ ସହର ଶୁକ୍ରବାର ଦିନ ସମ୍ପୂର୍ଣ୍ଣ ଆଲୋକିତ ହୋଇ ବିଶ୍ୱ ନେତାମାନଙ୍କୁ ସ୍ୱାଗତ ଜଣାଇଛି, ଅନ୍ୟପଟେ ଦିଲ୍ଲୀରେ ଅବହେଳିତ ଅବସ୍ଥାରେ ଥିବା ଲୋକଙ୍କ ପାଇଁ ସାରା ଦୁନିଆ ଆଖି ବୁଜି ଦେଇଛି । ଏହି ଅବହେଳିତ ଲୋକମାନେ ହେଉଛନ୍ତି ବିସ୍ଥାପିତ ଚାଷୀ, ଯେଉଁମାନେ ଏବେ ଯମୁନା ବନ୍ୟା ଶରଣାର୍ଥୀ ପାଲଟିଛନ୍ତି। ଏମାନେ ଏବେ ସମ୍ପୂର୍ଣ୍ଣ ଦୃଷ୍ଟି ଆଢ଼ୁଆଳରେ ରହିଯାଇଛନ୍ତି । ସେମାନଙ୍କୁ ଗୀତା କଲୋନୀ ଫ୍ଲାଏ ଓଭର ତଳେ ଥିବା ସେମାନଙ୍କର ଅସ୍ଥାୟୀ ବାସସ୍ଥଳୀଠାରୁ ଦୂରକୁ ପଠାଇ ଦିଆଯାଇଛି ଏବଂ ନଦୀ ତଟରେ ଥିବା ଜଙ୍ଗଲିଆ ଅଞ୍ଚଳରେ ତିନି ଦିନ ପର୍ଯ୍ୟନ୍ତ ଲୁଚି ରହିବାକୁ କୁହାଯାଇଛି ।
‘‘ଆମ ଭିତରକୁ କିଛି ଲୋକଙ୍କୁ ପୁଲିସ ଜୋର୍ କରି ହଟାଇ ଦେଇଥିଲା। ୧୫ ମିନିଟ୍ ମଧ୍ୟରେ ଆମକୁ ଜାଗା ଖାଲି କରିବାକୁ କୁହାଯାଇଥିଲା ନଚେତ୍ ସେମାନେ ବଳ ଓ କ୍ଷମତା ପ୍ରୟୋଗ କରି ଘଉଡ଼େଇ ଦେବେ ବୋଲି କହିଥିଲେ,’’ ହୀରାଲାଲ ପରୀକୁ କହିଛନ୍ତି।
ଜଙ୍ଗଲିଆ ସ୍ଥାନର ଉଚ୍ଚ ଘାସରେ ସାପ, ପିଛା ଓ ଅନ୍ୟାନ୍ୟ ବିପଦ ଆଶଙ୍କା ରହିଛି । ‘‘ପାଣି ଓ ବିଦ୍ୟୁତ ବିନା ଆମ ପରିବାର ସେଠାରେ ଅଛଛନ୍ତି । ଯଦି କେହି ସର୍ପାଘାତ କିମ୍ବା କାମୁଡ଼ାର ଶିକାର ହୁଅନ୍ତି ତା’ହେଲେ ତାଙ୍କୁ କୌଣସି ଚିକିତ୍ସା ସହାୟତା ମିଳିପାରିବ ନାହିଁ,’’ ଏକଦା ଚାଷକୁ ନେଇ ଗର୍ବ କରୁଥିବା ଚାଷୀ ଜଣଙ୍କ କୁହନ୍ତି।
*****
ତାଙ୍କ ପରିବାରର ରନ୍ଧନ ଗ୍ୟାସ୍ ସିଲିଣ୍ଡରକୁ ଟେକି ଆଣିବା ଲାଗି ଦୌଡ଼ି ଗଲେ ହୀରାଲାଲ। ଭୟଙ୍କର ଗତିରେ ଆଖପାଖ ଅଞ୍ଚଳକୁ ମାଡ଼ି ଆସୁଥିଲା କଳା ରଙ୍ଗର ପାଣି ଏବଂ ଦିଲ୍ଲୀର ରାଜଘାଟ ନିକଟବର୍ତ୍ତୀ ବେଲା ଇଷ୍ଟେଟ୍ରେ ଅବସ୍ଥିତ ତାଙ୍କ ଘର ଭିତରକୁ ପାଣି ପଶିଆସୁଥିବା ବେଳେ ନିଜ ଘରର ଜିନିଷପତ୍ର ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ ଚଳାଇଥିଲେ ଏହି ୪୦ ବର୍ଷୀୟ ବ୍ୟକ୍ତି ଜଣକ।
ଏହା ଥିଲା ୨୦୨୩ ଜୁଲାଇ ୧୨ ତାରିଖର ରାତି। କିଛି ଦିନର ଲଗାଣ ବର୍ଷାରେ ଫୁଲି ଉଠିଥିଲା ଯମୁନା ନଦୀ, ଏବଂ ନଦୀକୂଳରେ ରହୁଥିବା ହୀରାଲାଲଙ୍କ ଭଳି ଅନେକ ଦିଲ୍ଲୀ ବାସିନ୍ଦାଙ୍କ ହାତରେ ସମୟ ନଥିଲା।
ମୟୂର ବିହାରର ଯମୁନା ପୁସ୍ତା ଅଞ୍ଚଳରେ ରହୁଥିବା ୬୦ ବର୍ଷୀୟା ଚମେଲି (ଗୀତା ନାଁରେ ବି ଜଣାଶୁଣା) ତାଙ୍କ ଯୁବ ପଡ଼ୋଶୀଙ୍କ ମାସକର ଶିଶୁ, ରିଙ୍କିକୁ ଜାବୁଡ଼ି ଧରି ଉଠାଇ ନେଲେ। ତେଣେ, ତାଙ୍କ ଚାରିପଟେ ଲୋକମାନେ ନିଜ ନିଜର ଭୟଭୀତ ଛେଳି ଓ ଆତଙ୍କିତ କୁକୁରମାନଙ୍କୁ କାନ୍ଧରେ ଉଠାଇ ନେଇଥିଲେ। କେତେକ ତ ବାଟରେ ହିଁ ହଜିଯାଇଥିଲେ। ନଈ ଫୁଲିବା ସହିତ ବନ୍ୟା ପାଣି ବଢ଼ିବାରେ ଲାଗିଥିଲା ଏବଂ ଖୁବ୍ ଶୀଘ୍ର ଘର ଭିତରେ ପଶି ସେମାନଙ୍କର ସବୁ ଜିନିଷପତ୍ର ଭସେଇ ନେବା ପୂର୍ବରୁ ଅସହାୟ ଲୋକେ ନିଜ ନିଜର ଲୁଗାପଟା ଓ ବାସନକୁସନ ଏକାଠି କରିବାରେ ଲାଗି ପଡ଼ିଥିଲେ।
ବେଲା ଇଷ୍ଟେଟ୍ରେ ହୀରାଲାଲଙ୍କ ପଡ଼ୋଶୀ, ୫୫ ବର୍ଷୀୟା ଶାନ୍ତି ଦେବୀ କହିଲେ, “ସକାଳ ହେଲା ବେଳକୁ ଚାରିଆଡ଼େ ପାଣି ମାଡ଼ିଯାଇଥିଲା। ଆମକୁ ଉଦ୍ଧାର କରିବା ପାଇଁ କୌଣସି ଡଙ୍ଗା ନଥିଲା। ଲୋକେ ଫ୍ଲାଏଓଭର ଆଡ଼କୁ, ଯେଉଁଠି ବି ଟିକେ ଶୁଖିଲା ଜାଗା ମିଳିଲା ସେଆଡ଼କୁ, ଧାଇଁଲେ। ଆମ ପିଲାମାନଙ୍କୁ ସୁରକ୍ଷିତ ରଖିବା ହିଁ ଆମର ପ୍ରଥମ ଚିନ୍ତା ଥିଲା, କାରଣ, ଗୋଳିଆ ପାଣିରେ ସାପ ଓ ଅନ୍ୟାନ୍ୟ ଜୀବ ରହିବାର ଆଶଙ୍କା ଥିଲା ଏବଂ ଅନ୍ଧାରରେ ସେମାନେ ଦିଶୁ ନଥିଲେ।”
ସେମାନଙ୍କର ସବୁ ଖାଦ୍ୟସାମଗ୍ରୀ ଏବଂ ପିଲାମାନଙ୍କର ବହିପତ୍ର ପାଣିରେ ଭାସୁଥିବା ବେଳେ ସେମାନେ ଅସହାୟ ଭାବରେ ଚାହିଁ ରହିଥିଲେ। “ପାଣିରେ ଆମେ ୨୫ କିଲୋ ଗହମ ହରାଇଲୁ, ଲୁଗାପଟା ଭାସିଗଲା...।”
କିଛି ସପ୍ତାହ ପରେ, ଗୀତା କଲୋନିର ଫ୍ଲାଏଓଭର ତଳେ ସେମାନଙ୍କ ଅସ୍ଥାୟୀ ଘରେ ରହୁଥିବା ବିସ୍ଥାପିତ ଲୋକେ ‘ପରୀ’ ଟିମ୍ ସହିତ କଥାବାର୍ତ୍ତା କରିଥିଲେ। “ପ୍ରଶାସନ ନେ ସମୟ ସେ ପହଲେ ଜଗହ ଖାଲି କରନେ କୀ ଚେତାବନୀ ନହିଁ ଦି। କପଡ଼େ ପହଲେ ସେ ବାନ୍ଧ କେ ରଖେ ଥେ, ଗୋଦ୍ ମେଁ ଉଠା ଉଠା କେ ବକରିୟାଁ ନିକାଲିଁ... ହମନେ ନାଓ ଭି ମାଙ୍ଗି ଜାନୱରୋଁ କୋ ବଚାନେ କେ ଲିୟେ, ପର କୁଛ ନହିଁ ମିଲା (ସମୟ ଥାଉ ଥାଉ ଘରୁ ବାହାରି ପଳାଇବା ଲାଗି ପ୍ରଶାସନ କୌଣସି ଘୋଷଣା କଲା ନାହିଁ। ଆମେ ଆମ ଲୁଗାପଟା ବାନ୍ଧି ସାରିଥିଲୁ, ଅନେକ ଛେଳିଙ୍କୁ କୋଳରେ ଧରି ଉଦ୍ଧାର କଲୁ, ଆମେ ଆମ ପୋଷା ଜୀବମାନଙ୍କୁ ବଞ୍ଚାଇବା ଲାଗି ଗୋଟିଏ ଡଙ୍ଗା ମାଗିଥିଲୁ, କିନ୍ତୁ କିଛି ମିଳିଲା ନାହିଁ।)” ଅଗଷ୍ଟ ପ୍ରଥମ ଭାଗରେ ଆମକୁ ଏହା କହିଥିଲେ ହୀରାଲାଲ।
ପ୍ରାୟ ଦୁଇ ମାସ ହେଲା ଗୀତା କଲୋନି ଫ୍ଲାଏଓଭର ତଳେ ରହିଆସୁଛନ୍ତି ହୀରାଲାଲ ଓ ଶାନ୍ତି ଦେବୀଙ୍କ ପରିବାର। ରାସ୍ତାକଡ଼ର ଆଲୁଅ ଲାଇନ୍ରୁ ତାର ଟାଣି ନିଜ ନିଜର ଅସ୍ଥାୟୀ ଘରେ ବିଦ୍ୟୁତ୍ ଶକ୍ତିର ମୌଳିକ ଆବଶ୍ୟକତା ପୂରଣ କରିବାକୁ ସେମାନେ ବାଧ୍ୟ ହୋଇଛନ୍ତି। ତାହା ବି ରାତିରେ କେବଳ ବଲ୍ବ ଗୋଟିଏ ଜାଳିବା ପାଇଁ। ଦିନକୁ ଦୁଇ ଥର, ସେଠାରୁ ୪ରୁ ୫ କିଲୋମିଟର ଦୂର ଦରିୟାଗଞ୍ଜର ଏକ ସର୍ବସାଧାରଣ ପାଣି ଟ୍ୟାପ୍ରୁ ୨୦ ଲିଟର ଲେଖାଏଁ ପିଇବା ପାଣି ବୋହି ଆଣନ୍ତି ହୀରାଲାଲ।
ପୁଣି ଥରେ ଜୀବନକୁ ଗଢ଼ି ତୋଳିବା ପାଇଁ ଏ ପର୍ଯ୍ୟନ୍ତ ସେମାନଙ୍କୁ କୌଣସି କ୍ଷତିପୂରଣ ମିଳିନାହିଁ ଏବଂ ଏକଦା ଯମୁନା ନଦୀକୂଳ ଅଞ୍ଚଳରେ ଜଣେ ସମୃଦ୍ଧ କୃଷକର ପରିଚୟ ବହନ କରୁଥିବା ହୀରାଲାଲ ଆଜିକାଲି ନିର୍ମାଣ ଶ୍ରମିକ ଭାବରେ କାମ କରୁଛନ୍ତି। ତାଙ୍କରି ଭଳି ଆଉ ଜଣେ ପୂର୍ବତନ କୃଷକ, ତାଙ୍କ ପଡ଼ୋଶୀ ଶାନ୍ତି ଦେବୀଙ୍କ ୫୮ ବର୍ଷୀୟ ସ୍ୱାମୀ ରମେଶ ନିଷାଦ, ଆଜିକାଲି ଜନଗହଳିପୂର୍ଣ୍ଣ ରାସ୍ତାରେ, କଚୋଡ଼ି (ଜଳଖିଆ) ବିକାଳିଙ୍କ ଲମ୍ବା ଧାଡ଼ିରେ ଠିଆ ହୋଇ ନିଜ ଜିନିଷ ବିକୁଛନ୍ତି।
ହେଲେ ଏହି ଅବ୍ୟବହିତ ଭବିଷ୍ୟତ ମଧ୍ୟ ଏବେ ବିପନ୍ନ ହେବା ଉପରେ। କାରଣ, ଜି୨୦ ବୈଠକ ଆୟୋଜନ ନିମନ୍ତେ ସରକାର ଓ ଦିଲ୍ଲୀ ପ୍ରସ୍ତୁତ ହେଉଛନ୍ତି । ଆସନ୍ତା ଦୁଇ ମାସ ପାଇଁ ରାସ୍ତାରୁ ଦୂରେଇ ରହିବା ଲାଗି ବୁଲାବିକାଳିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। “ନଜରରେ ପଡ଼ିବ ନାହିଁ” ବୋଲି କର୍ତ୍ତୃପକ୍ଷ କହନ୍ତି। “ଆମେ କେମିତି ଖାଇବୁ ?” ବୋଲି ପଚାରନ୍ତି ଶାନ୍ତି। “ସାରା ବିଶ୍ୱରେ ଦେଖେଇ ହେବା ଲାଗି ତମେ ତମ ନିଜ ଲୋକଙ୍କ ଘର ଓ ଜୀବିକା ଉଜାଡ଼ି ଦେଉଛ।”
ବନ୍ୟା ପ୍ରପୀଡ଼ିତ ପ୍ରତି ପରିବାରକୁ ୧୦,୦୦୦ ଟଙ୍କା ଲେଖାଏଁ ସହାୟତା ଦିଆଯିବ ବୋଲି ଜୁଲାଇ ୧୬ ତାରିଖ ଦିନ ଦିଲ୍ଲୀ ସରକାର ଘୋଷଣା କରିଥିଲେ। ଟଙ୍କାର ପରିମାଣ ଶୁଣି ବିଶ୍ୱାସ କରିପାରି ନଥିଲେ ହୀରାଲାଲ। “ଏଇଟା କେଉଁ ପ୍ରକାରର କ୍ଷତିପୂରଣ ? କେଉଁ ଭିତ୍ତିରେ ସେମାନେ ଏହି ସଂଖ୍ୟା ସ୍ଥିର କଲେ ? ଆମ ଜୀବନର ମୂଲ୍ୟ କ’ଣ କେବଳ ୧୦,୦୦୦ ଟଙ୍କା ? ଛେଳିଟିଏ କିଣିଲେ ୮,୦୦୦-୧୦,୦୦୦ (ଟଙ୍କା) ଲାଗେ। ଅସ୍ଥାୟୀ ଘରଟିଏ ଗଢ଼ିବାକୁ ୨୦,୦୦୦-୨୫,୦୦୦ (ଟଙ୍କା) ଦରକାର ହୁଏ।”
ମଜଦୁରି (ଦିନ ମଜୁରିଆ କାମ) କରୁଛନ୍ତି। କିଏ ରିକ୍ସା ଟାଣୁଛନ୍ତି ତ ଆଉ କିଏ ବିକଳ ଭାବରେ କାହାରି ଘରେ କାମ କରିବାକୁ ଖୋଜୁଛନ୍ତି। ସେମାନେ ପଚାରନ୍ତି, “ବନ୍ୟାରେ କିଏ କେତେ ହରାଇଲା ତାହା ସ୍ଥିର କରିବାକୁ କୌଣସି ସର୍ଭେ କରାଯାଇଛି କି?”
ଛଅ ସପ୍ତାହ ପରେ, ବନ୍ୟା ଜଳସ୍ତର ହ୍ରାସ ପାଇଥିଲା ସତ, ହେଲେ ସମସ୍ତଙ୍କୁ କ୍ଷତିପୂରଣ ମିଳି ନଥିଲା। ଏଥିପାଇଁ ଅତ୍ୟଧିକ କାଗଜପତ୍ର କାମ ଏବଂ ଲଗାତାର ଚକ୍କର କାଟିବା ପ୍ରକ୍ରିୟାକୁ ଦାୟୀ କରନ୍ତି ସ୍ଥାନୀୟ ବାସିନ୍ଦାମାନେ। କମଲ ଲାଲ କହିଲେ, “ପ୍ରଥମେ ସେମାନେ ଆଧାର କାର୍ଡ, ବ୍ୟାଙ୍କ କାଗଜପତ୍ର, ଫଟୋ ଆଣିବାକୁ କହିଲେ, ତା’ପରେ ରେସନ କାର୍ଡ ମାଗିଲେ...।” ସହଜରେ ଏଡ଼ାଇ ହେବା ଭଳି ଗୋଟିଏ ମନୁଷ୍ୟକୃତ ବିପର୍ଯ୍ୟୟର ଶିକାର ହୋଇଥିବା ସେ ଅଞ୍ଚଳର ୧୫୦ରୁ ଅଧିକ ପରିବାର ପାଖରେ ଯେ ଶେଷରେ ଏହି ଟଙ୍କା ପହଞ୍ଚିବ, ସେ ସଂପର୍କରେ ନିଶ୍ଚିତ ନୁହଁନ୍ତି କମଲ ଲାଲ।
ପୂର୍ବରୁ ବିଭିନ୍ନ ସରକାରୀ ପ୍ରକଳ୍ପ ପାଇଁ ନିଜ ନିଜର ଚାଷଜମି ହରାଇଥିବା ସେ ଅଞ୍ଚଳର ୭୦୦ରୁ ଅଧିକ ଚାଷୀ ପରିବାରଙ୍କ ପୁନର୍ବାସ ଦିଗରେ ଚାଲିଥିବା ଉଦ୍ୟମ ଏ ପର୍ଯ୍ୟନ୍ତ ଆଗେଇ ପାରିନାହିଁ। ସେଠାରୁ ସେମାନଙ୍କୁ ହଟାଇବାକୁ ଚାହୁଁଥିବା କର୍ତ୍ତୃପକ୍ଷଙ୍କ ସହିତ ସେମାନଙ୍କର ଟଣାଓଟରା ଲାଗି ରହିଛି। ‘ବିକାଶ’ ହେଉ କି ବିସ୍ଥାପନ, ବିପର୍ଯ୍ୟୟ କିମ୍ବା ପ୍ରଦର୍ଶନ, ସବୁବେଳେ ଏ ପ୍ରକାର ଯୋଜନାର ଶିକାର ହୋଇଆସିଛନ୍ତି ଏହି ଚାଷୀମାନେ। ବେଲା ଇଷ୍ଟେଟ୍ ମଜଦୁର ବସ୍ତି ସମିତି ନାମକ ଏକ ଗୋଷ୍ଠୀର ସଦସ୍ୟ ଅଛନ୍ତି କମଲ ଲାଲ ଏବଂ ସେମାନେ ସରକାରୀ କ୍ଷତିପୂରଣ ଦାବି କରିଆସୁଛନ୍ତି। କିନ୍ତୁ “ବନ୍ୟା ଯୋଗୁଁ ଆମର ପ୍ରତିବାଦ ବନ୍ଦ ରହିଛି,” ଅଗଷ୍ଟ ମାସର ଆର୍ଦ୍ର ଅପରାହ୍ଣରେ ଗୋଟିଏ ହାତରେ ଝାଳ ପୋଛୁ ପୋଛୁ ୩୭ ବର୍ଷୀୟ କମଲ ଲାଲ କହନ୍ତି।
*****
ଏମିତି ତ ୪୫ ବର୍ଷ ପରେ ଦିଲ୍ଲୀ ପୁଣି ବୁଡ଼ିଯାଉଥିଲା। ୧୯୭୮ରେ ଯମୁନା ନଦୀର ପାଣି ନିର୍ଦ୍ଧାରିତ ବିପଦ ସଂକେତ ସ୍ତରରୁ ୧.୮ ମିଟର ଉପରକୁ ଉଠି ୨୦୭.୫ ମିଟରରେ ପହଞ୍ଚିଥିଲା। ଏ ବର୍ଷ ଜୁଲାଇରେ ଏହା ୨୦୮.୫ ମିଟର ପାର କରିଥିଲା, ଯାହା କି ଏକ ସର୍ବକାଳୀନ ରେକର୍ଡ। ହରିଆଣା ଏବଂ ଉତ୍ତର ପ୍ରଦେଶରେ ଥିବା ବ୍ୟାରେଜ୍ଗୁଡ଼ିକ ଠିକ୍ ସମୟରେ ଖୋଲା ନଯିବାରୁ ନଦୀ ଫୁଲି ବନ୍ୟାଜଳ ଦିଲ୍ଲୀରେ ପଶିଥିଲା ଏବଂ ଏହା ଫଳରେ ଜୀବନହାନି ସହିତ ଲୋକେ ଘର ଏବଂ ଜୀବିକା, ଫସଲ ହରାଇଥିଲେ ଏବଂ ଅନ୍ୟାନ୍ୟ ଜଳାଶୟଗୁଡ଼ିକର ମଧ୍ୟ ଅତ୍ୟଧିକ କ୍ଷୟକ୍ଷତି ହୋଇଥିଲା।
୧୯୭୮ର ବନ୍ୟାରେ ‘କ୍ଷୟକ୍ଷତି ପରିମାଣ ପ୍ରାୟ ୧୦ କୋଟି ଟଙ୍କା ଆକଳନ କରାଯାଇଥିଲା ଏବଂ ଏଥିରେ ୧୮ ଜଣଙ୍କର ପ୍ରାଣହାନି ସହିତ ହଜାର ହଜାର ଲୋକ ବାସହରା ହୋଇଥିଲେ’ ବୋଲି ଦିଲ୍ଲୀର ଜାତୀୟ ରାଜଧାନୀ କ୍ଷେତ୍ର ସରକାରଙ୍କ ଜଳସେଚନ ଏବଂ ବନ୍ୟା ନିୟନ୍ତ୍ରଣ ବିଭାଗ ପକ୍ଷରୁ ଦର୍ଶାଯାଇଥିଲା।
ଏ ବର୍ଷ ଜୁଲାଇରେ ଅନେକ ଦିନ ଧରି ଲଗାଣ ବର୍ଷା ଜନିତ ବନ୍ୟାରେ ୨୫,୦୦୦ରୁ ଅଧିକ ଲୋକ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି ଏକ ଜନସ୍ୱାର୍ଥ ସମ୍ବଳିତ ମାମଲାର ଆବେଦନରେ ଦର୍ଶାଯାଇଥିଲା। ନୂଆଦିଲ୍ଲୀର ସହରାଞ୍ଚଳ ପରିବେଶଗତ ସ୍ଥିତିର ଯମୁନା ନଦୀ ପ୍ରକଳ୍ପ ଅନୁସାରେ: ସମତଳ ଅଞ୍ଚଳର ପ୍ଲାବନଭୂମିରେ ଲଗାତାର ଜବରଦଖଲ ଯୋଗୁଁ “... ପୂର୍ବ ଦିଲ୍ଲୀରେ ବନ୍ୟା ପାଣି ମାଡ଼ିଯିବ ଏବଂ ପ୍ଲାବନଭୂମିର ତଳିଆ ଅଞ୍ଚଳରେ ନିର୍ମିତ ଢାଞ୍ଚା ସବୁ ଧୋଇ ହୋଇଯିବ।”
ଯମୁନା ନଦୀକୂଳର ପ୍ରାୟ ୨୪,୦୦୦ ଏକର ଜମିରେ ଚାଷ କରାଯାଏ ଏବଂ ଗୋଟିଏ ଶତାବ୍ଦୀରୁ ଅଧିକ କାଳ ହେଲା ଚାଷୀମାନେ ଏଠାରେ ଚାଷବାସ କରିଆସୁଛନ୍ତି। କିନ୍ତୁ ନଦୀଜଳ ପ୍ରବେଶ କରୁଥିବା ପ୍ଲାବନଭୂମି ଅଞ୍ଚଳରେ, ମନ୍ଦିର, ମେଟ୍ରୋ ଷ୍ଟେସନ୍, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଗ୍ରାମ (CWG) ସକାଶେ କଂକ୍ରିଟ୍ ନିର୍ମାଣ ଯୋଗୁଁ ବନ୍ୟାପାଣି ରହିବା ଲାଗି ଥିବା ଖାଲି ସ୍ଥାନର ପରିମାଣ କମିବାରେ ଲାଗିଛି। ପଢ଼ନ୍ତୁ: ବଡ଼ ସହର, କ୍ଷୁଦ୍ର ଚାଷୀମାନେ ଏବଂ ମୃତ ନଦୀ
“ଆମେ ଯେତେ ଯାହା କଲେ ବି ପ୍ରକୃତି ତା ନିଜର ବାଟ ନିଜେ ଖୋଜିନେବ। ଆଗରୁ ବର୍ଷା କି ବନ୍ୟା ହେଲେ ପାଣି ଚାରିଆଡ଼େ ମାଡ଼ି ଯାଉଥିଲା। କିନ୍ତୁ ଏବେ (ପ୍ଲାବନଭୂମିରେ) କମ୍ ସ୍ଥାନ ଥିବାରୁ ପାଣି ଉପରକୁ ଉଠି ମାଡ଼ି ଯିବାକୁ ବାଧ୍ୟ ହେଉଛି ଏବଂ ଏହି ପ୍ରକ୍ରିୟାରେ ଆମକୁ ବରବାଦ୍ କରିଦେଉଛି” ବୋଲି କହନ୍ତି ବେଲା ଇଷ୍ଟେଟ୍ର କମଲ। ୨୦୨୩ ବନ୍ୟାର ମୂଲ୍ୟ ପୈଠ କରିବାକୁ ବାଧ୍ୟ ହେଉଥିବା ଲୋକଙ୍କ ଭିତରୁ ସେ ଜଣେ। “ସାଫ୍ କରନି ଥୀ ଯମୁନା, ଲେକିନ ହମେଁ ହି ସାଫ କର୍ ଦିୟା (ସେମାନେ ଯମୁନା ନଦୀକୁ ସଫା କରିବା କଥା, କିନ୍ତୁ ତା ବଦଳରେ ଆମକୁ ସଫା କରିଦେଲେ)!”
କମଲ ଆହୁରି କହନ୍ତି, “ଯମୁନା କେ କିନାରେ ବିକାଶ ନହିଁ କର୍ନା ଚାହିୟେ। ୟେ ଡୁବ୍ କ୍ଷେତ୍ର ଘୋଷିତ ହୈ। ସିଡବ୍ଲୁଜି, ଅକ୍ଷରଧାମ, ମେଟ୍ରୋ ୟେ ସବ୍ ପ୍ରକୃତି କେ ସାଥ ଖିଲୱାଡ଼ ହୈ। ପ୍ରକୃତି କୋ ଜିତନି ଜଗହ ଚାହିୟେ, ୱହ ତୋ ଲେଗି। ପହଲେ ପାନି ଫୈଲକେ ଜାତା ଥା, ଔର ଅବ୍ କ୍ୟୁଁକି ଜଗହ କମ୍ ହୈ, ତୋ ଉଠ କେ ଜା ରହା ହୈ, ଜିସ୍କି ୱଜହ ସେ ନୁକ୍ସାନ ହମେଁ ହୁଆ ହୈ (ଯମୁନା ନଦୀକୁ ଲାଗି ରହିଥିବା ପ୍ଲାବନ ଭୂମିର ବିକାଶ କରିବା ଉଚିତ ନୁହେଁ। ଏହା ବନ୍ୟା-ପ୍ରବଣ ଅଞ୍ଚଳ ରୂପେ ଚିହ୍ନିତ ହୋଇସାରିଛି। ପ୍ଲାବନଭୂମିରେ ସିଡବ୍ଲୁଜି, ଅକ୍ଷରଧାମ ମନ୍ଦିର, ମେଟ୍ରୋ ଷ୍ଟେସନ ଭଳି ନିର୍ମାଣ କରିବା ଅର୍ଥ ପ୍ରକୃତି ସହିତ ଖେଳ ଖେଳିବା )।”
“ଦିଲ୍ଲୀ କୋ କିସ୍ନେ ଡୁବାୟା (କିଏ ଦିଲ୍ଲୀକୁ ବୁଡ଼ାଇଲା)? ପ୍ରତି ବର୍ଷ ଜୁନ୍ ୧୫ରୁ ୨୫ ତାରିଖ ଭିତରେ ଦିଲ୍ଲୀ ସରକାରଙ୍କ ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ବିଭାଗ ପ୍ରସ୍ତୁତି କରିବା କଥା। ସେମାନେ ଯଦି (ଠିକ୍ ସମୟରେ) ବ୍ୟାରେଜ୍ ଗେଟ୍ଗୁଡ଼ିକ ଖୋଲିଦେଇଥାଆନ୍ତେ ବନ୍ୟାପାଣି ଏମିତି ଭାବରେ ମାଡ଼ି ଯାଇ ନଥାଆନ୍ତା। ପାନି ନ୍ୟାୟ ମାଙ୍ଗନେ ସୁପ୍ରିମ କୋର୍ଟ ଗୟା (ପାଣି ସୁପ୍ରିମ କୋର୍ଟ ଯାଏ ପହଞ୍ଚିଲା, ସତେ ଯେମିତି ନ୍ୟାୟ ମାଗିବାକୁ ଆସିଛି),” କହିଲେ ରାଜେନ୍ଦ୍ର ସିଂହ, ପରିହାସ ଛଳରେ ନୁହେଁ।
୨୦୨୩ ଜୁଲାଇ ୨୪ ତାରିଖ ଦିନ “ଦିଲ୍ଲୀର ବନ୍ୟା: ଜବରଦଖଲ କିମ୍ବା ଅଧିକାର?” ଶୀର୍ଷକ ଏକ ସର୍ବସାଧାରଣ ଆଲୋଚନା ସଭାକୁ ସମ୍ବୋଧନ କରି ଅଲୱରର ଏହି ପରିବେଶବିତ୍ ସୂଚାଇ ଦେଲେ ଯେ, “ଏହା ଏକ ପ୍ରାକୃତିକ ବିପର୍ଯ୍ୟୟ ନୁହେଁ। ପୂର୍ବରୁ ମଧ୍ୟ ଅନିୟମିତ ବୃଷ୍ଟିପାତ ହେଉଥିଲା।” ଯମୁନା ନଦୀକୁ ପ୍ରଦୂଷଣରୁ ରକ୍ଷା କରିବା ପାଇଁ ଗଠିତ ସାଧାରଣ ଲୋକଙ୍କର ଏକ ଅଭିଯାନ, ‘ଯମୁନା ସଂସଦ’ ପକ୍ଷରୁ ଏହା ଦିଲ୍ଲୀରେ ଆୟୋଜିତ ହୋଇଥିଲା।
ଏହି ଆଲୋଚନାରେ ଯୋଗ ଦେଇ ଡକ୍ଟର ଅଶ୍ୱନୀ କେ. ଗୋସାଇଁ କହିଲେ, “ଏ ବର୍ଷ ଯମୁନାରେ ଯାହା ଘଟିଗଲା ସେଥିପାଇଁ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ମିଳିବା ଉଚିତ।” ୨୦୧୮ରେ ଜାତୀୟ ସବୁଜ ପ୍ରାଧିକରଣ ଦ୍ୱାରା ଗଠିତ ଯମୁନା ତଦାରଖ କମିଟିରେ ସେ ଜଣେ ବିଶେଷଜ୍ଞ ସଦସ୍ୟ ଥିଲେ।
“ଜଳର ବି ବେଗ ଅଛି। ନଦୀବନ୍ଧ ନଥିଲେ ପାଣି କେଉଁଠିକୁ ଯିବ?” ବୋଲି ଗୋସାଇଁ ପଚାରନ୍ତି। ବ୍ୟାରେଜ୍ ବା ଆଡ଼ିବନ୍ଧ ବଦଳରେ ଜଳଭଣ୍ଡାର ନିର୍ମାଣ ସପକ୍ଷରେ ସେ ମତପୋଷଣ କରନ୍ତି। ଦିଲ୍ଲୀର ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ସିଭିଲ ଇଞ୍ଜିନିୟରିଂ ବିଭାଗର ଜଣେ ‘ଏମେରିଟସ୍ ପ୍ରଫେସର’ ଭାବେ ଶିକ୍ଷାଦାନ କରୁଥିବା ପ୍ରଫେସର ଗୋସାଇଁ କହନ୍ତି ଯେ,ଦିଲ୍ଲୀରେ ବେଆଇନ ଭାବେ ଗଢ଼ି ଉଠିଥିବା ୧,୫୦୦ଟି ଅନଧିକୃତ କଲୋନି ଏବଂ ରାସ୍ତା କଡ଼ରେ ଆବଶ୍ୟକ ନାଳର ଅଭାବ ଯୋଗୁଁ ପାଣି ନର୍ଦ୍ଦମା ପାଇପ୍ ଲାଇନ୍ ଭିତରେ ପଶିଯାଏ ଏବଂ “ଏହା ରୋଗକୁ ମଧ୍ୟ ଡାକି ଆଣେ।”
*****
ଜଳବାୟୁ ପରିବର୍ତ୍ତନ କାରଣରୁ ବେଲା ଇଷ୍ଟେଟ୍ର ଚାଷୀମାନେ ଘୋର ଅନିଶ୍ଚିତତା ମଧ୍ୟରେ କାଳ କାଟୁଛନ୍ତି, ସେମାନଙ୍କ ଚାଷବାସ ବନ୍ଦ ହୋଇଯାଇଛି, ପୁନର୍ବାସ ବ୍ୟବସ୍ଥା ନାହିଁ ଏବଂ ଉଚ୍ଛେଦ ଆଶଙ୍କା ଲାଗି ରହିଛି। ପଢ଼ନ୍ତୁ: ‘ରାଜଧାନୀରେ ଚାଷୀଙ୍କ ସହିତ ଏପରି ବ୍ୟବହାର କରାଯାଏ’ । କ୍ରମାଗତ କ୍ଷୟକ୍ଷତିର ଏହି ତାଲିକାର ଶେଷରେ ଯୋଡ଼ି ହୋଇଯାଇଛି ନିକଟ ଅତୀତର ଏହି ବନ୍ୟା।
ହୀରାଲାଲ କହନ୍ତି, “ଗୋଟିଏ ୪-୫ ଜଣିଆ ପରିବାର ରହୁଥିବା ୧୦X୧୦ ଆକାରର ଗୋଟିଏ ଝୁଗ୍ଗି (ଅସ୍ଥାୟୀ ଘର) ତିଆରି କରିବା ପାଇଁ ୨୦,୦୦୦ରୁ ୨୫,୦୦୦ ଟଙ୍କା ଲାଗେ। କେବଳ ଜଳ ନିରୋଧକ ଶିଟ୍ ବିଛାଇବାରେ ୨,୦୦୦ ଟଙ୍କା ଖର୍ଚ୍ଚ ହୋଇଥାଏ। ଯଦି ଆମେ ଘର ତିଆରି ପାଇଁ ଶ୍ରମିକମାନଙ୍କୁ କାମରେ ଲଗାଇବୁ ତେବେ ଜଣ ପିଛା ଦିନକୁ ୫୦୦ରୁ ୭୦୦ (ଟଙ୍କା) ଦେବାକୁ ପଡ଼ିବ। ଯଦି ନିଜେ କରିବୁ, ତେବେ ଆମର ଗୋଟିଏ ଦିନର ମଜୁରି ହରାଇବୁ।” ହୀରାଲାଲ ସେଠାରେ ତାଙ୍କ ସ୍ତ୍ରୀ ଏବଂ ୧୭, ୧୫, ୧୦ ଓ ୮ ବର୍ଷ ବୟସର ଚାରି ପିଲାଙ୍କ ସହିତ ରହନ୍ତି। ଏମିତି କି ବାଉଁଶ ଖୁଣ୍ଟ ଗୋଟିକୁ ୩୦୦ ଟଙ୍କା ପଡ଼େ ଏବଂ ତାଙ୍କର ଅତି କମ୍ରେ ୨୦ଟି ଖୁଣ୍ଟ ଦରକାର ହେବ ବୋଲି ସେ କହନ୍ତି। ସେମାନଙ୍କ କ୍ଷତି ବାବଦରେ କିଏ ସେମାନଙ୍କୁ କ୍ଷତିପୂରଣ ଦେବେ, ସେ ସଂପର୍କରେ ବିସ୍ଥାପିତ ପରିବାରମାନେ ନିଶ୍ଚିତ ନୁହନ୍ତି।
ତା ସାଙ୍ଗକୁ ସେମାନଙ୍କର ଅନେକ ଗୃହପାଳିତ ପଶୁ ବନ୍ୟାରେ ଭାସି ଯାଇଥିବାରୁ ସେମାନଙ୍କୁ ତାହା ପୁଣି କିଣିବାକୁ ପଡ଼ିବ ଏବଂ ସେ ବାବଦ ଖର୍ଚ୍ଚ ବି ରହିଛି। ସେ କହନ୍ତି, “ଗୋଟିଏ ମଇଁଷିର ଦାମ୍ ୭୦,୦୦୦( ଟଙ୍କା) ଉପରକୁ। ତାକୁ ଭଲ ଭାବରେ ଖୁଆଇ ପିଆଇ ରଖିଲେ ଯାଇ ସେ ବଞ୍ଚି ରହିବ ଏବଂ କ୍ଷୀର ଦେବ। ଘରେ ଚା’ କରିବା ଏବଂ ପିଲାମାନଙ୍କ ପିଇବା ଭଳି କ୍ଷୀରର ନିତିଦିନିଆ ଆବଶ୍ୟକତା ପୂରଣ ପାଇଁ ଆମେ ଯେଉଁ ଛେଳି ପୋଷୁ, ତାହା ଗୋଟିକୁ ୮,୦୦୦ରୁ ୧୦,୦୦୦ ଟଙ୍କା ପଡ଼େ।”
ତାଙ୍କ ପଡ଼ୋଶୀ ଶାନ୍ତି ଦେବୀ ‘ପରୀ’କୁ କହିଲେ ଯେ, ଯମୁନା କୂଳର ଜଣେ ଜମି ମାଲିକ ଏବଂ ଚାଷୀ ଭାବରେ ନିଜକୁ ଚିହ୍ନଟ କରାଇ ନ ପାରି ତାଙ୍କ ସ୍ୱାମୀ ସାଇକେଲରେ ବୁଲି ବୁଲି କଚୋଡ଼ି ବିକୁଛନ୍ତି ଏବଂ ଅତି ବେଶୀରେ ଦିନକୁ ୨୦୦-୩୦୦ ଟଙ୍କା ରୋଜଗାର କରୁଛନ୍ତି। ସେ କହନ୍ତି, “ପ୍ରତି ସାଇକେଲ ପିଛା ପୋଲିସ ମାସକୁ ୧,୫୦୦ ଟଙ୍କା ନିଏ, ତେଣିକି ଆପଣ ସେଠି ତିନି ଦିନ ଠିଆ ହୁଅନ୍ତୁ କି ୩୦ ଦିନ।”
ବନ୍ୟାପାଣି କମିଗଲାଣି ସତ, ହେଲେ ମୁଣ୍ଡ ଉପରେ ଅନ୍ୟାନ୍ୟ ବିପଦର ଆଶଙ୍କା ରହିଛି: ମ୍ୟାଲେରିଆ, ଡେଙ୍ଗୁ, ହଇଜା, ଆନ୍ତ୍ରିକ ଜ୍ୱର ଭଳି ଜଳବାହୀ ରୋଗର ଆଶଙ୍କା। ଏହା ସହିତ ବନ୍ୟା ଛାଡ଼ିବାର ଅବ୍ୟବହିତ ପରବର୍ତ୍ତୀ ସମୟରେ ବିଭିନ୍ନ ସହାୟତା ଶିବିରରୁ ଦିନକୁ ୧୦୦ରୁ ଅଧିକ ଆଖିଧରା ରୋଗ ବା ‘ଆଇ ଫ୍ଲୁ’ର ରିପୋର୍ଟ ମିଳିବାରୁ ଏହି ଶିବିରଗୁଡ଼ିକୁ ଉଠାଇ ନିଆଯାଇଛି। ଆମେ ତାଙ୍କୁ ସାକ୍ଷାତ କରିବା ସମୟରେ ହୀରାଲାଲଙ୍କ ଆଖି ଫୁଲି ଲାଲ ହୋଇଯାଇଥିଲା। ସେ ଚଢ଼ା ଦରରେ କିଣିଥିବା ହଳେ ଚଷମା ପିନ୍ଧୁଥିଲେ: “ଏଗୁଡ଼ିକର ମୂଲ୍ୟ ୫୦ ଟଙ୍କା ହେଲେ, ଏବେ ଚାହିଦା ଥିବା କାରଣରୁ ୨୦୦ ଟଙ୍କାରେ ବିକା ହେଉଛି।”
ସେମାନଙ୍କୁ ମିଳିବାକୁ ଥିବା କ୍ଷତିପୂରଣ ଆଦୌ ପର୍ଯ୍ୟାପ୍ତ ହେବ ନାହିଁ ବୋଲି ଜାଣି ସୁଦ୍ଧା ଏହାକୁ ଅପେକ୍ଷା କରି ରହିଥିବା ସବୁ ପରିବାର ଲୋକଙ୍କ ତରଫରୁ କହିବାକୁ ଯାଇ କିଛିଟା ବିଷର୍ଣ୍ଣ ହସ ସହିତ ସେ କହିଲେ, “ଏଥିରେ ନୂଆ କଥା କିଛି ନାହିଁ, ଲୋକେ ସବୁବେଳେ ଅନ୍ୟର କଷ୍ଟରୁ ହିଁ ଫାଇଦା ଉଠାନ୍ତି।”
ଏହି ଷ୍ଟୋରୀ ସେପ୍ଟେମ୍ବର 9 ତାରିଖ 2023ରେ ଅଦ୍ୟତନ କରାଯାଇଛି।
ଅନୁବାଦ : ଓଡ଼ିଶାଲାଇଭ୍