‘‘ଏଠି ବାହା ହୋଇ ମୁଁ ଅନୁତାପ କରୁଛି।’’
୨୯ ବର୍ଷୀୟା ରୋଜି ଜଣେ ନବବିବାହିତା ଭାବେ ନିଜର ଅନୁଭୂତି ପ୍ରକାଶ କରୁଛନ୍ତି। ସେ ଏକାକୀ ନୁହନ୍ତି । ଶ୍ରୀନଗରର ଡଲ୍ ହ୍ରଦ ନିବାସୀମାନେ କୁହନ୍ତି ଯେ ଏଠାରେ ରହୁଥିବା କୌଣସି ପୁଅଙ୍କୁ ଝିଅମାନେ ବିବାହ କରିବାକୁ ଚାହୁଁନାହାନ୍ତି। ନିଜ ସାନ ପୁଅ ପାଇଁ ବାହାଘର ପ୍ରସ୍ତାବ ସନ୍ଧାନରେ ଥିବା ଗୁଲଶନ୍ ନଜୀର କୁହନ୍ତି, ‘‘ଆମେ ପୂର୍ବରୁ ତିନି ଥର ଅସ୍ୱୀକୃତିର ସାମ୍ନା କରିସାରିଛୁ। ଏପରିକି ମଧ୍ୟସ୍ଥମାନେ ମଧ୍ୟ ଏଠାକୁ ଆସିବା ବନ୍ଦ କରି ଦେଇଛନ୍ତି।’’
ବାରୁ ମୋହଲ୍ଲାର ଏହି ମା’ ଜଣଙ୍କ କୁହନ୍ତି ଯେ ଏହାର କାରଣ ହେଉଛି ସ୍ଥାନୀୟ ଅଞ୍ଚଳବାସୀ ଭୋଗୁଥିବା ଗୁରୁତର ଜଳସଙ୍କଟ। ରାଜ୍ୟର ସବୁଠୁ ବଡ଼ ମଧୁର ଜଳ ହ୍ରଦ ପାଖରେ ରହୁଥିବା ଲୋକମାନେ ଏଭଳି ସମସ୍ୟା ଭୋଗିବା ଏକ ବିଡ଼ମ୍ବନା।
‘‘ନଅ ବର୍ଷ ପୂର୍ବରୁ, ଆମେ ଆମ ନୌକାରେ ଡଲ୍ ହ୍ରଦ ଚାରି ପାଖରେ ଥିବା ବିଭିନ୍ନ ସ୍ଥାନକୁ ଯାଇ ପାଣି ଆଣୁଥିଲୁ,’’ ପେସାରେ ଜଣେ ବଢ଼େଇ ମୁସ୍ତାକ୍ ଅହମ୍ମଦ କୁହନ୍ତି। ‘‘ସେତେବେଳେ ପାଣି ଟ୍ୟାଙ୍କର୍ ନଥିଲା।’’
କିନ୍ତୁ ଗତ ଏକ ଦଶନ୍ଧିରୁ ଅଧିକ ସମୟ ଧରି ମୁସ୍ତାକ ସକାଳ ଠିକ୍ ୯ଟା ବେଳେ ମୁଖ୍ୟ ରାସ୍ତାରେ ପହଞ୍ଚି ଯାଉଛନ୍ତି ଏବଂ ସରକାରୀ ପାଣି ଟ୍ୟାଙ୍କରକୁ ଅପେକ୍ଷା କରି ରହୁଛନ୍ତି। ଗୁଡୁ ମୋହଲ୍ଲାରେ ରହୁଥିବା ତାଙ୍କର ୧୦ ଜଣିଆ ପରିବାର ତାଙ୍କ ଉପରେ ନିର୍ଭର କରିଥାନ୍ତି। କାମକୁ ସହଜ କରିବା ଲାଗି ସେ ୨୦,୦୦୦-୨୫,୦୦୦ ଟଙ୍କା ଖର୍ଚ୍ଚ କରି ଗୋଟିଏ ପାଣି ଟାଙ୍କି କିଣିଛନ୍ତି ଓ ପାଇପ୍ ବିଛାଇଛନ୍ତି । ‘‘ବିଦ୍ୟୁତ ସଂଯୋଗ ଥିଲେ ଏହି ବ୍ୟବସ୍ଥା କାମ କରିଥାଏ, କିନ୍ତୁ ଶୀତ ଦିନେ କାଶ୍ମୀରରେ ବହୁବାର ବିଦ୍ୟୁତ କାଟ ହୋଇଥାଏ,’’ ସେ କୁହନ୍ତି। ଚଳିତ ମାସ (ମାର୍ଚ୍ଚ)ରେ ଟ୍ରାନ୍ସଫର୍ମର ଖରାପ ହେବା କାରଣରୁ ସେମାନଙ୍କୁ ବାଲ୍ଟିରେ ପାଣି ବୋହିବାକୁ ପଡ଼ିଥିଲା।






















