“ହାତୀମାନେ ବହୁତ ଥର ମୋତେ ଗୋଡେଇଛନ୍ତି, କିନ୍ତୁ ମୁଁ କେବେ ଆହତ ହୋଇନାହିଁ”, ହସିକି କହନ୍ତି ରବି କୁମାର ନେତମ।
୨୫-ବର୍ଷୀୟ ଏହି ଗୋଣ୍ଡ ଆଦିବାସୀ ଜଣକ ଆର୍ଶୀକହ୍ନାର କ୍ଷେତ୍ରର ଜଙ୍ଗଲ ରାସ୍ତାରେ ଚାଲନ୍ତି। ଛତିଶଗଡ଼ର ଉଦନ୍ତି ସୀତାନଦୀ ବ୍ୟାଘ୍ର ଅଭୟାରଣ୍ୟରେ ହାତୀମାନଙ୍କ ଠାବକାରୀ ଭାବେ ହାତୀଙ୍କ ମଳ ଓ ପାଦ ଚିହ୍ନକୁ ଦେଖିଦେଖି ସେମାନଙ୍କୁ କିପରି ଠାବ କରାଯାଏ ତାହା ତାଙ୍କୁ ଜଣା।
“ମୁଁ ଜଙ୍ଗଲରେ ଜନ୍ମ ହେଇ ବଢ଼ିଛି। ଏସବୁ ଜାଣିବା ପାଇଁ ମତେ ସ୍କୁଲ ଯିବା ଦରକାର ନାହିଁ”, କହନ୍ତି ଧାମତରି ଜିଲ୍ଲା ଅନ୍ତର୍ଗତ ତେନାହି ଗାଁର ରବି। ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଲା ପରେ ସେ ଏହି କାମ ଆରମ୍ଭ କରିବା ପୂର୍ବରୁ ଜଙ୍ଗଲ ବିଭାଗରେ ଚାରି ବର୍ଷ ତଳେ ଜଣେ ଅଗ୍ନି ସୁରକ୍ଷା କର୍ମୀ ରୂପେ କାମ ଆରମ୍ଭ କରିଥିଲେ।
ଠାବକାରୀମାନେ ଆମକୁ ଜଙ୍ଗଲ ଭିତରକୁ ନେଇଗଲା ବେଳେ କେବଳ କୀଟ ପତଙ୍ଗଙ୍କ ହାଲ୍କା ଝିଇଁ ଝିଇଁ ଶବ୍ଦ ଏବଂ ଶାଳ (ସୋରିଆ ରୋବସ୍ତା) ଓ ଶାଗୁଆନ (ଟେକଟୋନା ଗ୍ରାଣ୍ଡିସ) ଗଛ ପତ୍ର ଫାଙ୍କରେ ପବନର ସିଇଁ ସିଇଁ ଶବ୍ଦ ଶୁଭୁଥିଲା। ମଝିରେ ମଝିରେ ଚଢ଼େଇଙ୍କ କୁହାଟ କିମ୍ବା ଗଛ ଡାଳ ପରସ୍ପର ସହ ଘଷି ହେବାର ଶବ୍ଦ ଶୁଣିବାକୁ ମିଳୁଥିଲା। ହାତୀ ଠାବକାରୀମାନଙ୍କୁ ଶୁଣା ଯାଉଥିବା ଶବ୍ଦ ଓ ଦେଖା ଯାଉଥିବା ସଙ୍କେତ ପ୍ରତି ଧ୍ୟାନ ଦେବା ଦରକାର ଥିଲା।












