ଭାରତରେ ୨୦୨୨ ମସିହାରେ ‘ମହିଳାଙ୍କ ବିରୁଦ୍ଧରେ ହିଂସା’ ଭାବେ ସମୁଦାୟ ୪,୪୫,୨୫୬ଟି କେସ ପଞ୍ଜୀକୃତ ହୋଇଥିଲା। ଏହାର ଅର୍ଥ, ଦୈନିକ ପାଖାପାଖି ୧,୨୨୦ଟି କେସ୍ – ଏହି ସଂଖ୍ୟା ହେଉଛି ସରକାରୀ ଭାବେ ପଞ୍ଜୀକୃତ ଓ ଜାତୀୟ ଅପରାଧ ରେକର୍ଡସ ବ୍ୟୁରୋ ସଂଗୃହୀତ କେସଗୁଡ଼ିକର ସଂଖ୍ୟା। ତେବେ ପ୍ରକୃତରେ ଘଟୁଥିବା ଏହି ଲିଙ୍ଗଗତ ନିର୍ଯ୍ୟାତନା କେସ୍ ସଂଖ୍ୟା ରେକର୍ଡଭୁକ୍ତ ସଂଖ୍ୟାଠାରୁ ନିଶ୍ଚିତରେ ଯଥେଷ୍ଟ ଅଧିକ।
ମହିଳାମାନଙ୍କୁ ଦୈନନ୍ଦିନ ଜୀବନର ପ୍ରତ୍ୟେକ ସ୍ତରରେ କପଟତାର ସହ ନିର୍ଯ୍ୟାତନା ଦେବାକୁ ସାଧାରଣ ଭାବେ ଗ୍ରହଣ କରି ନିଆଯାଇଛି। କାର୍ଯ୍ୟସ୍ଥଳରେ ନିର୍ଯ୍ୟାତନା, ମହିଳା ଚାଲାଣ, ଯୌନ ନିର୍ଯ୍ୟାତନା, ଘରୋଇ ହିଂସା, କଳା ଓ ଭାଷା ମାଧ୍ୟମରେ ଯୌନତା ପକାଶ ଆଦି ସମସ୍ତ କଥା ମହିଳାମାନଙ୍କ ସୁରକ୍ଷା ଓ ନିରାପତ୍ତାକୁ ବ୍ୟାହତ କରେ।
ଏହା ଏକ ତଥ୍ୟଯୁକ୍ତ ସତ୍ୟ ଯେ ମହିଳାମାନେ ସେମାନଙ୍କ ପ୍ରତି ହେଉଥିବା ଅପରାଧ ସମ୍ପର୍କରେ ରିପୋର୍ଟ କରିବାକୁ ପସନ୍ଦ କରନ୍ତି ନାହିଁ, ଯାହା କି ସେମାନଙ୍କ ସ୍ଵରକୁ ଅଧିକ ଦୁର୍ବଳ କରିଦିଏ। ଉତ୍ତର ପ୍ରଦେଶର ୨୨-ବର୍ଷ ବୟସର ଦଳିତ ମହିଳା ବରଖାଙ୍କ କେସକୁ ଉଦାହରଣ ଭାବେ ନିଆଯାଇ ପାରେ। ବରଖା କହନ୍ତି ଯେ ସେ ଯେତେବେଳେ ପୋଲିସ ନିକଟକୁ ଯାଇ ତାଙ୍କୁ ଦୁଷ୍କର୍ମ ଓ ଅପହରଣ କରାଯାଇଥିବା ଅଭିଯୋଗ କଲେ, ମୁଖ୍ୟ ଅଭିଯୁକ୍ତ ଜଣେ ସ୍ଥାନୀୟ ରାଜନୈତିକ ନେତା ହୋଇଥିବାରୁ ସେ ସମ୍ପର୍କରେ ସେମାନେ ଏଫଆଇଆର ରୁଜୁ କଲେ ନାହିଁ । ଦୁଷ୍କର୍ମପୀଡ଼ିତା ହରିୟାଣାର ମାଳିନୀ ନାମ୍ନୀ ଅନ୍ୟ ଜଣେ ମହିଳା କହନ୍ତି, “ଅଭିଯୁକ୍ତଠାରୁ କିଛି ଟଙ୍କା ନେଇ କଥା ରଫାଦଫା କରିଦେବାକୁ ପୋଲିସ ମତେ କହିଲା। ମୁଁ ଯେତେବେଳେ ବୁଝାମଣା କରିବାକୁ ମନା କଲି ସେମାନେ ମତେ ଗାଳି ଦେଲେ ଓ କହିଲେ, “ ଯଦି ବୁଝାମଣା ନକରୁ ଆମେ ତତେ ହାଜତରେ ପୁରେଇ ଦେବୁ ”।
ପୋଲିସ ଅବହେଳା, ଅନୌପଚାରିକ ‘ଖାପ’ ପଞ୍ଚାୟତ ଏବଂ ସ୍ଵାସ୍ଥ୍ୟସେବା ଓ କାନୁନଗତ ସହାୟତା ପାଇବା ସହଜ ହୋଇନଥିବାରୁ, ମହିଳାମାନଙ୍କୁ ସେମାନଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନା ବିରୁଦ୍ଧରେ ନ୍ୟାୟ ପାଇବା ପାଇଁ ଯେଉଁ ପ୍ରସ୍ତୁତି ଦରକାର ତାହା କରୁନାହିଁ। ୨୦୨୦ ରେ ପ୍ରକାଶ ପାଇଥିବା ରିପୋର୍ଟ ‘ନ୍ୟାୟ ପାଇବା ପାଇଁ ପ୍ରତିବନ୍ଧକ: ଭାରତର ଉତ୍ତର ପ୍ରଦେଶରେ ୧୪ ଜଣ ଦୁଷ୍କର୍ମ ପୀଡ଼ିତାଙ୍କ ଅନୁଭୂତି’ ‘ ବ୍ୟାରିୟର୍ସ ଇନ୍ ଆକ୍ସେସିଂ ଜଷ୍ଟିସ: ଦି ଏକ୍ସପିରିଏନ୍ସ ଅଫ ୧୪ ରେପ ସରଭାଇଭର୍ସ ଇନ୍ ଉତ୍ତର ପ୍ରଦେଶ, ଇଣ୍ଡିଆ ’ ଅନୁଯାୟୀ ପର୍ଯ୍ୟାଲୋଚନା ଅନ୍ତର୍ଗତ ୬ ଟି କେସ୍ରେ ପୋଲିସବାହିନୀର ଉପରିସ୍ଥ ଅଧିକାରୀଙ୍କ ନିକଟରେ ଦାବି କରିବା ପରେ ହିଁ ପୋଲିସ ଏଫଆଇଆର ରୁଜୁ କରିଥିଲା। ଜାତି, ଶ୍ରେଣୀ, ଅସାମର୍ଥ୍ୟ ଓ ବୟସ ଆଦି ବିଷୟ ଆଧାରରେ ରାଜ୍ୟର ନ୍ୟାୟ ବ୍ୟବସ୍ଥା ଯେଉଁଠାରେ ଲିଙ୍ଗଗତ ନିର୍ଯ୍ୟାତନାର ପ୍ରତିକାର କରାଯିବା କଥା ସେଠାରେ ଅନ୍ତର୍ଭୁକ୍ତ କରାଯାଇ ନଥିଲା। ଦଳିତ ହ୍ୟୁମାନ ରାଇଟସ ଡିଫେଣ୍ଡର୍ସ ନେଟୱାର୍କ ପକ୍ଷରୁ ପ୍ରକାଶିତ ଗୋଟିଏ ରିପୋର୍ଟ ଅନୁଯାୟୀ ଦଳିତ ମହିଳାଙ୍କ ବିରୁଦ୍ଧରେ ଯୌନ ନିର୍ଯ୍ୟାତନାର ୫୦ଟି କେସ ଷ୍ଟଡ଼ିଜ ମଧ୍ୟରୁ ୬୨ ଭାଗ କେସରେ ଅପରାଧୀମାନେ ୧୮ବର୍ଷରୁ କମ୍ ବୟସର ମହିଳାମାନଙ୍କୁ ସେମାନଙ୍କ ଲକ୍ଷ୍ୟରେ ରଖିଥିଲେ। କ୍ରାଇମ ଇନ୍ ଇଣ୍ଡିଆ ୨୦୨୨ ରିପୋର୍ଟର ଉଲ୍ଲେଖ ଅନୁଯାୟୀ ସର୍ବାଧିକ ଦୁଷ୍କର୍ମ ଘଟଣା ୧୮ ରୁ ୩୦ ବର୍ଷ ବଯସର ମହିଳାମାନଙ୍କ କ୍ଷେତ୍ରରେ ସର୍ବାଧିକ।
ଏହି ରିପୋର୍ଟର ଉଲ୍ଲେଖ ଅନୁଯାୟୀ ଭାରତରେ ମନସ୍ତାତ୍ତ୍ଵିକ ବା ଶାରୀରିକ ଅକ୍ଷମତା ଥିବା ଯୁବତୀ ଓ ମହିଳାମାନେ ଭାବ ଆଦାନ ପ୍ରଦାନରେ ଅକ୍ଷମତା ତଥା ସେଥିପାଇଁ ତତ୍ତ୍ଵାବଧାରକଙ୍କ ଉପରେ ନିର୍ଭରଶୀଳତା ଯୋଗୁଁ ଯୌନ ନିର୍ଯ୍ୟାତନାର ସହଜ ଶିକାର ହୁଅନ୍ତି। ଏପରିକି ଅଭିଯୋଗ ପଞ୍ଜୀକୃତ ହେଲା ପରେ ବି ମାନସିକ ଅକ୍ଷମତା ଥିବା ୨୧-ବର୍ଷ ବୟସର କଜରୀଙ୍କ କ୍ଷେତ୍ରରେ ଘଟିଥିବା ଘଟଣା ଭଳି ନ୍ୟାୟିକ ବ୍ୟବସ୍ଥାର ଧାରା ଦଣ୍ଡ ଭଳି ହୋଇଯାଏ। ୨୦୧୦ ମସିହାରେ କଜରୀଙ୍କୁ ଅପହରଣ କରି ନିଆଯିବା ପରେ ସେ ଚାଲାଣ, ଯୌନ ଉତ୍ପୀଡନ ଓ ଶିଶୁ ଶ୍ରମିକ ଭାବେ ୧୦ ବର୍ଷ କାଟିଲେ । ତାଙ୍କ ବାପା କହନ୍ତି, “କୌଣସି ଗୋଟିଏ ଜାଗାରେ କାମ କରିବା ମୋ ପାଇଁ କଷ୍ଟସାଧ୍ୟ ହେଲା କାରଣ ମତେ କଜରୀକୁ ନେଇ କେବେ ପୋଲିସକୁ ବିବୃତି ଦେବା ପାଇଁ ତ ଆଉ କେବେ ପରୀକ୍ଷା କରେଇବା ପାଇଁ ମୋତେ ଅନେକ ଦିନ ଛୁଟି ଦରକାର ପଡୁଥିଲା। ବାରମ୍ବାର ଛୁଟି ମାଗିବା ଯୋଗୁଁ ମତେ କାମରୁ ବାହାର କରି ଦିଆଗଲା”।
ପ୍ରଫେସର ଉମା ଚକ୍ରବର୍ତ୍ତୀ ତାଙ୍କ ପ୍ରବନ୍ଧ କନସେପଚୁଆଲାଇଜିଂ ବ୍ରାହ୍ମନିକାଲ ପାଟ୍ରିଆର୍କି ଇନ୍ ୟର୍ଲି ଇଣ୍ଡିଆରେ ଲେଖିଛନ୍ତି, ଲଗାତାର ଭାବେ ”(ମହିଳାମାନଙ୍କୁ) ନିୟନ୍ତ୍ରଣ କରିବା ପାଇଁ ଏକ ଫଳପ୍ରଦ ବ୍ୟବସ୍ଥା ଓ ଜଗିବା ଆବଶ୍ୟକତା ନିରନ୍ତର କାମ କରୁଛି”। ପ୍ରବନ୍ଧର ବର୍ଣ୍ଣନା ଅନୁଯାୟୀ ଏହି ନିୟନ୍ତ୍ରଣ ଦ୍ଵାରା ପୁରୁଷକୈନ୍ଦ୍ରିକ ବ୍ୟବସ୍ଥାକୁ ଗ୍ରହଣ କରୁଥିବା ମହିଳାମାନଙ୍କୁ ସୁବିଧା ପ୍ରଦାନ କରାଯାଏ ଓ ଯେଉଁମାନେ ଗ୍ରହଣ ନ କରିବେ ସେମାନଙ୍କୁ ଲଜ୍ଜିତ କରାଯାଏ। ମହିଳାମାନଙ୍କ ଗତିବିଧିକୁ ହିଂସ୍ର ଭାବେ ସଙ୍କୁଚିତ କରୁଥିବା ଏହି ନିୟନ୍ତ୍ରଣ ବ୍ୟବସ୍ଥା ବହୁଧା ମହିଳାମାନଙ୍କ ଯୌନତା ଓ ଆର୍ଥିକ ସ୍ଵାଧୀନତାର ଭୟ ମଧ୍ୟରେ ଲୁଚି ରହିଥାଏ। “ପୂର୍ବରୁ ସେମାନେ (ତାଙ୍କ ଶାଶୁଘର ଲୋକେ) ଯେତେବେଳେ ମୁଁ ଗାଁର କୌଣସି ଗର୍ଭବତୀ ମହିଳାଙ୍କୁ ଭେଟିବାକୁ ବା ସେମାନଙ୍କୁ ଡାକ୍ତରଖାନାକୁ ନେବାକୁ ବାହାରକୁ ଯାଏ, କହୁଥିଲେ କି ମୁଁ ଅନ୍ୟ ପୁରୁଷଙ୍କୁ ଭେଟିବାକୁ ଯାଏ। ଜଣେ ‘ଆଶା’ କର୍ମୀ ରୂପେ ଏହା ମୋର କାମ”, କହନ୍ତି ୩୦-ବର୍ଷୀୟା ଗିରିଜା। ଉତ୍ତର ପ୍ରଦେଶର ମାହୋବା ଜିଲ୍ଲାରେ ରହୁଥିବା ଗିରିଜାଙ୍କୁ ‘ଆଶା’ (ଆକ୍ରେଡିଟେଡ ସୋସିଆଲ ହେଲଥ ଆକ୍ଟିଭିଷ୍ଟ) କର୍ମୀ କାମ ଛାଡି ଦେବା ପାଇଁ ତାଙ୍କ ଶାଶୁଘର ଲୋକଙ୍କ ଚାପ ସହିବାକୁ ପଡେ। “ଗତକାଲି ମୋ ସ୍ଵାମୀଙ୍କ ଜେଜେବାପା ମତେ ଲାଠିରେ ବାଡ଼େଇଲେ ଓ ଏପରିକି ମୋ ତଣ୍ଟି ଚିପିବାକୁ ଚେଷ୍ଟା କଲେ”, ସେ କହିଲେ।
ଯେତେବେଳେ ମହିଳାମାନେ ସାଧ୍ୟମତେ କାମ କଲେ ଓ ସେଥି ପାଇଁ ଟଙ୍କା ପାଇଲେ, ସେତେବେଳେ କର୍ମସ୍ଥଳରେ ପରବର୍ତ୍ତୀ ଲିଙ୍ଗଗତ ପ୍ରତିବନ୍ଧକର ସାମନା କରିବାକୁ ପଡ଼େ। ଗୋଟିଏ ସର୍ବେକ୍ଷଣ ଅନୁଯାୟୀ ଜାତୀୟ ରାଜଧାନୀ ଅଞ୍ଚଳ ଓ ବେଙ୍ଗାଲୁରୁର ପୋଷାକ ପ୍ରସ୍ତୁତି କ୍ଷେତ୍ରରେ କାମ କରୁଥିବା ମହିଳାମାନଙ୍କ ମଧ୍ୟରୁ ୧୭ ଭାଗ ମହିଳାଙ୍କର କର୍ମସ୍ଥଳରେ ଯୌନ ଉତ୍ପୀଡନର ସାମନା କରୁଥିବା ବାବଦରେ ଲିଖିତ ଅଭିଯୋଗ ରହିଛି। “ପୁରୁଷ ମ୍ୟାନେଜର, ସୁପରଭାଇଜର ଓ ମେକାନିକମାନେ ଆମକୁ ଛୁଇଁବାକୁ ଚେଷ୍ଟା କରନ୍ତି ଓ ଆମେ ଅଭିଯୋଗ ଶୁଣିବା ପାଇଁ କେହି ନାହାନ୍ତି”, ଉଲ୍ଲେଖ କରନ୍ତି ପୋଷାକ ପ୍ରସ୍ତୁତି ଶିଳ୍ପରେ ଜଣେ କାରଖାନା କର୍ମଚାରୀ ରୂପେ କାମ କରୁଥିବା ଲତା ( ପଢନ୍ତୁ: ହ୍ୱେନ ଦଳିତ ଓମେନ ୟୁନାଇଟେଡ଼ ଇନ୍ ଡିଣ୍ଡିଗୁଡ଼ି )। ମହିଳା କର୍ମଚାରୀମାନଙ୍କୁ ସାମୁହିକ ଭାବେ ସେମାନଙ୍କ ଦାବି ଦୃଢ ଭାବେ ଉପସ୍ଥାପନ କରିବା ଲକ୍ଷ୍ୟ ରଖି ‘ବିଶାଖା ନିର୍ଦ୍ଦେଶିକା’ (୧୯୭୭ ) ସୁପାରିଶ ଅନୁଯାୟୀ ସଂସ୍ଥାଗୁଡ଼ିକ ଗୋଟିଏ ‘ଅଭିଯୋଗ କମିଟି’ ଗଠନ କରିବେ ଯାହାର ମୁଖ୍ୟ ରୂପେ ଜଣେ ଜଣେ ମହିଳା ରହିବେ ଓ ସେହି କମିଟିର ସମୁଦାୟ ସଦସ୍ୟ ସଂଖ୍ୟାର ଅଧାରୁ ମହିଳା ସଦସ୍ୟଙ୍କ ସଂଖ୍ୟା କମ୍ ହେବ ନାହିଁ। କାଗଜରେ ଏଭଳି ନିର୍ଦ୍ଦେଶାବଳୀ ରହିଥିବା ସତ୍ତ୍ୱେ ତାହାର କାର୍ଯ୍ୟକାରିତା ବହୁତ କମ୍ କରାଯାଉଛି। ମହିଳାମାନଙ୍କ ପ୍ରତି ହିଂସ୍ର ଆଚରଣ କର୍ମସ୍ଥଳ ଓ ଘର ଭିତରେ ପରିବ୍ୟାପ୍ତ ହୋଇ ରହିଛି।
ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନଏଫଏଚଏସ) ଅନୁଯାୟୀ ୨୦୧୯-୨୧ରେ ୧୮ ରୁ ୪୯ ବର୍ଷ ଅନ୍ତର୍ଗତ ୨୯ % ମହିଳାମାନେ ୧୫ ବର୍ଷ ବୟସଠାରୁ ନିଜ ଘରେ ଶାରୀରିକ ହିଂସାର ଅନୁଭୂତି ରିପୋର୍ଟ କରିଛନ୍ତି । ୬ ଭାଗ ମହିଳାଙ୍କର ଯୌନ ହିଂସ୍ରତା ଅନୁଭୂତି ରହିଛି। ତେବେ, ୧୪ ଭାଗ ମହିଳା ଯୌନ ହିଂସ୍ରତା ବା ଶାରୀରିକ ନିର୍ଯ୍ୟାତନାର ଶିକାର ହେବା ମାତ୍ରେ ତାହାକୁ ବନ୍ଦ କରିବା ପାଇଁ ସାହାଯ୍ୟ ଲୋଡିଛନ୍ତି। ନିଜ ସାଥୀଙ୍କ ଦ୍ଵାରା ମହିଳାମାନଙ୍କ ଯୌନ ଉତ୍ପୀଡନର ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। “ ମେରି ଘରବାଲି ହୈ, ତୁମ କିଉଁ ବିଚ ମେଁ ଆ ରହେ ହୋ [ସେ ମୋ ସ୍ତ୍ରୀ, ତୁମେ କାହିଁକି ମୁଣ୍ଡ ପୁରାଉଛ]?”, ତା’ ସ୍ତ୍ରୀକୁ ମାଡ଼ ମାରିବା ବେଳେ ଯଦି କେହି ସେପରି କରିବା ପାଇଁ ମନା କରେ ରବି ଏଭଳି କହିବ। ସାରା ବିଶ୍ୱରେ କେବଳ ୨୦୨୧ ରେ ୪୫,୦୦୦ ମହିଳା ସେମାନଙ୍କ ସାଥୀମାନଙ୍କ ଦ୍ଵାରା ବା ପରିବାରର ଅନ୍ୟ ସଦସ୍ୟମାନଙ୍କ ଦ୍ଵାରା ହତ୍ୟାର ଶିକାର ହୋଇଛନ୍ତି ।
ଜନପ୍ରିୟ ସାଂସ୍କୃତିକ ପ୍ରେକ୍ଷାପଟ୍ଟରେ ଦର୍ଶାଯାଉଥିବା ପ୍ରେମ ସମ୍ପର୍କରେ ହିଂସ୍ର ଆଚରଣର ବର୍ଣ୍ଣନା ନିଃସନ୍ଦେହରେ ଏହାକୁ ସ୍ୱୀକୃତି ଦେଉଛି। ଯୁବ ମାନସରେ ଭାରତୀୟ ଚଳଚ୍ଚିତ୍ରର ପ୍ରଭାବ ଇମ୍ପାକ୍ଟ ଅଫ ଇଣ୍ଡିଆନ ସିନେମା ଅଣ ୟଙ୍ଗ ଭିଉର୍ସ ଅନୁଯାୟୀ, ଛେଡ଼ଖାନି ବା ଝିଅମାନଙ୍କୁ ଚିଡ଼େଇବାକୁ ( ଯାହାକୁ ଆମେ ରାସ୍ତା ରୋମିଓଙ୍କ ଯୌନ ନିର୍ଯ୍ୟାତନା କହି ପାରିବା ) ୬୦ ଭାଗ ଯୁବ ବର୍ଗ କୌଣସି ହାନି କରୁ ନଥିବା ମଜାକଥା ବୋଲି ମନେ କରନ୍ତି। ଯୌନ ହିଂସ୍ରତାକୁ ଏଭଳି ଭୟଙ୍କର ଭାବେ ସାଧାରଣ ମାନ୍ୟତା ଦେବାର ବର୍ଣ୍ଣନା ଯେଉଁ ପରି ନିକଟରେ ପ୍ରକାଶିତ ଆନାଲିସିସ ଅଫ ସିଟିଂ ଏମପିଜ/ଏମଏଲଏସ୍ ୱିଥ ଡିକ୍ଲେଆର୍ଡ କେସେସ ରିଲେଟେଡ ଟୁ କ୍ରାଇମସ ଏଗେନଷ୍ଟ ଓମେନ୍ ୨୦୨୪ କରାଯାଇଛି, ତଦନୁଯାୟୀ ବର୍ତ୍ତମାନ ରହିଥିବା ଏମପି/ଏମଏଲଏମାନଙ୍କ ମଧ୍ୟରୁ ୧୫୧ ଜଣ ପ୍ରତିନିଧିଙ୍କର ମହିଳାମାନଙ୍କ ବିରୁଦ୍ଧରେ ଘୋଷିତ ଅପରାଧ ରହିଛି।
ଏହି ଭଳି ଉଦବେଗଜନକ ପରିସ୍ଥିତି ସହ ପୀଡ଼ିତମାନଙ୍କୁ ଲଜ୍ଜିତ କରିବା, ବିଶେଷତଃ ଯେଉଁମାନେ ଯୌନ ଉତ୍ପୀଡ଼ନର ଶିକାର ହୋଇଥାନ୍ତି ସେମାନଙ୍କ ପ୍ରତି: ବିଡ୍ ଜିଲ୍ଲାର ରାଧାକୁ ତାଙ୍କ ଗାଁର ଚାରିଜଣ ଲୋକ ଦୁଷ୍କର୍ମ କଲା ପରେ ଯେତେବେଳେ ସେ ସେମାନଙ୍କ ବିରୁଦ୍ଧରେ କହିଲା, ତାକୁ ଜଣେ ଚରିତ୍ରହୀନା ବୋଲି କହିବା ସହ ଗାଁର ନାଁ ବଦନାମ କରୁଛୁ ବୋଲି କୁହାଗଲା ।
ଏଭଳି ଅପରାଧର ତାଲିକା ବହୁତ ଲମ୍ବା, ଓ ଆମ ସମାଜର ପୁରୁଷକୈନ୍ଦ୍ରିକ ମାନସିକତାରେ ଏହାର ଚେର ପୋତି ହୋଇ ରହିଛି। ମହିଳାମାନଙ୍କ ବିରୁଦ୍ଧରେ ଯୌନ ଉତ୍ପୀଡ଼ନ ସମ୍ପର୍କରେ ଅଧିକ ପଢ଼ିବା ପାଇଁ ‘ପରୀ’ ପାଠାଗାରର ଲିଙ୍ଗଗତ ନିର୍ଯ୍ୟାତନା ବିଭାଗକୁ ଏଠାରେ କ୍ଲିକ କରି ଯାଆନ୍ତୁ ।
ପ୍ରଚ୍ଛଦ ପ୍ରସ୍ତୁତି: ସ୍ଵଦେଶା ଶର୍ମା
ଅନୁବାଦ : ଓଡ଼ିଶାଲାଇଭ୍