ଶ୍ରମିକ ଶ୍ରେଣୀର ଲୋକମାନେ ଘୋରି ହୋଇ ଛିଣ୍ଡି ଯାଇଥିବା ଚପଲକୁ ମଧ୍ୟ ସାଇତି ରଖନ୍ତି। ମାଲ୍ ବୋହୁଥିବା ଲୋକଙ୍କ ଚପଲରେ କେଉଁଠି ଚେପା ତ’ ଗୋଇଠି ଭିତର ପଟେ କଣା ଦେଖିବାକୁ ମିଳେ, ଅନ୍ୟପଟେ କାଠ କଟାଳୀଙ୍କ ଚପଲରେ କଣ୍ଟା ଫୁଟି ଯାଇଥାଏ। ଏପରିକି ମୁଁ ନିଜ ଚପଲକୁ ସାଇତି ରଖିବା ଲାଗି ସେଥିରେ ସେଫ୍ଟିପିନ୍ ଲଗାଇଥାଏ।
ସାରା ଭାରତରେ ବୁଲିବା ସମୟରେ, ମୁଁ ଲଗାତାର ଜୋତାଗୁଡ଼ିକର ଫଟୋ ଉଠାଇଛି, ଏବଂ ମୁଁ ନିଜ ଫଟୋରେ ଏସବୁ ପଛରେ ଥିବା କାହାଣୀକୁ ଖୋଜିବା ଆରମ୍ଭ କରି ଦେଇଛି। ଏଭଳି ଜୋତାଗୁଡ଼ିକର କାହାଣୀ ଜରିଆରେ, ମୋ ନିଜ ଯାତ୍ରା ମଧ୍ୟ ଉଜାଗର ହୋଇଥାଏ।
ନିକଟରେ ଓଡ଼ିଶାର ଯାଜପୁରକୁ ଗୋଟିଏ କାମ ଉଦ୍ଦେଶ୍ୟରେ ଯାଇଥିବା ବେଳେ ମୁଁ ବାରବାଙ୍କୀ ଏବଂ ପୁରୁଣା ମାନତୀରା ସ୍କୁଲକୁ ଯିବା ପାଇଁ ସୁଯୋଗ ପାଇଥିଲି। ଯେତେବେଳେ ଆମେ ସେଠାରେ ପହଞ୍ଚିଥିଲୁ, ସେଠାକାର ଆଦିବାସୀମାନେ ଏକାଠି ହୋଇଥିବା ଗୋଟିଏ କୋଠରୀ ବାହାରେ ସାବଧାନତା ପୂର୍ବକ ବ୍ୟବସ୍ଥିତ ହୋଇ ରଖାଯାଇଥିବା ଚପଲ ସବୁ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଥିଲି।
ପ୍ରଥମେ ପ୍ରଥମେ, ମୁଁ ବେଶୀ ଧ୍ୟାନ ଦେଇନଥିଲି, କିନ୍ତୁ ଯାତ୍ରାର ତିନି ଦିନ ପରେ ଛିଣ୍ଡି ଯାଇଥିବା ଚପଲଗୁଡ଼ିକୁ ମୁଁ ଦେଖିଲି, ସେଥିରୁ କେତେକ ଚପଲରେ କଣା ହୋଇଯାଇଥିଲା।
























