“ଏ ବିଷୟରେ ଗତକାଲି ରାତିରେ ହିଁ ମୁଁ ଓ ମୋ ମାଆଙ୍କ ଭିତରେ ଝଗଡ଼ା ଲାଗିଥିଲା,” ୨୧ ବର୍ଷୀୟା ଆଶା ବସ୍ସି କହନ୍ତି । ତାଙ୍କ କଥା ବୁଝାଇ ଦେବାକୁ ଯାଇ ସେ ଆହୁରି କହନ୍ତି, “ଗଲା ସାଢ଼େ ତିନି ବର୍ଷ ହେଲା ମୋ ବାପାମାଆ ମୋତେ ପାଠପଢ଼ା ଛାଡ଼ି ବାହା ହେବାକୁ କହିଆସୁଛନ୍ତି ।”
ୟବତମାଲ ସହରର ସାବିତ୍ରୀ ଜ୍ୟୋତିରାଓ ସମାଜକାର୍ୟ୍ୟ ମହାବିଦ୍ୟାଳୟର ଶେଷ ବର୍ଷର ଛାତ୍ରୀ ଆଶା ଏବେ ସାମାଜିକ କାର୍ଯ୍ୟ ବା ‘ସୋସିଆଲ ୱର୍କ’ରେ ସ୍ନାତକ ଡିଗ୍ରୀ ଲାଗି ଶିକ୍ଷାଲାଭ କରୁଛନ୍ତି । ଆନୁଷ୍ଠାନିକ ଶିକ୍ଷା ହାସଲ କରିବାରେ ସେ ତାଙ୍କ ପରିବାରର ପ୍ରଥମ ସଦସ୍ୟା । “ଆମ ସମାଜରେ ଯେଉଁ ଝିଅମାନେ ଜଲ୍ଦି ବାହା ହୋଇଯାଆନ୍ତି, ସେମାନଙ୍କୁ ପ୍ରଶଂସା କରାଯାଏ,” ସେ କହନ୍ତି, ଏବଂ କଥା ଯୋଡ଼ନ୍ତି, “କିନ୍ତୁ ମୁଁ ନିଜକୁ ଶିକ୍ଷିତା କରାଇବାକୁ ଚାହେଁ, ଏହି ବାଟ ଦେଇ ଗଲେ ହିଁ ମୁଁ ମୁକ୍ତ ଜୀବନ ବିତାଇ ପାରିବି ।”
ମହାରାଷ୍ଟ୍ରର ୟବତମାଲ ଜିଲ୍ଲା ଅନ୍ତର୍ଗତ ଜେୱଲି ଗାଁ ବାସିନ୍ଦା ଆଶା ମଥିୁରା ଲଭାନ ସଂପ୍ରଦାୟର ଏବଂ ରାଜ୍ୟରେ ଏହି ସଂପ୍ରଦାୟ ଅଣ-ଅଧିସୂଚିତ ବା ବିମୁକ୍ତ ଜନଜାତି (ବିମୁକ୍ତ ଜାତି) ରୂପେ ତାଲିକାଭୁକ୍ତ । ତାଙ୍କ ବାପାମାଆ କୃଷକ ଏବଂ ସେମାନେ ସୋୟା, କପା, ଗହମ ଏବଂ ବାଜରା ଚାଷ କରନ୍ତି ।
ତିନି ଝିଅ ଓ ଗୋଟିଏ ପୁଅ - ଏମିତି ଚାରି ଜଣ ପିଲାଙ୍କୁ ମଣିଷ କରିବା ପାଇଁ ଚାଷବାସ ଉପରେ ନିର୍ଭର କରେ ତାଙ୍କ ପରିବାର । ଆଶା ସବୁଠାରୁ ବଡ଼ ଏବଂ ସେ ୟବତମାଲ ସହରରେ ତାଙ୍କ ମାମୁଁ ଓ ମାଇଁଙ୍କ ପାଖରେ ରହି ସ୍ନାତକ ଡିଗ୍ରୀ ପାଇଁ ପଢ଼ନ୍ତି ।
ସେଠାକାର କେତେକ ଶିକ୍ଷକ ବାରମ୍ବାର କହିବାରୁ, ଆଶାଙ୍କୁ ୭ ବର୍ଷ ବୟସ ହୋଇଥିବା ବେଳେ ବାପାମାଆ ଘର ପାଖ ଜିଲ୍ଲା ପରିଷଦ ସ୍କୁଲରେ ତାଙ୍କ ନାଁ ଲେଖାଇ ଦେଇଥିଲେ । ସେଠାରେ ସେ ୩ୟ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଲେ ଏବଂ ତା’ପରେ ଜେୱଲି ଗାଁରୁ ୧୧୨ କିଲୋମିଟର ଦୂର ୟବତମାଲ ସହରକୁ ପଢ଼ିବା ପାଇଁ ଗଲେ । ସେଠାରେ ସେ ମହାରାଷ୍ଟ୍ର ରାଜ୍ୟ ବୋର୍ଡ ସହ ଅନୁବନ୍ଧିତ ଏକ ସ୍କୁଲରେ ପାଠପଢ଼ା ସାରିବା ପରେ ପାଖ କଲେଜରେ ନାଁ ଲେଖାଇଲେ ।








