ଗୋକୁଳ ଦିନ ରାତି ନିଆଁ ପାଖରେ ବସି କଠିନ ପରିଶ୍ରମ କରନ୍ତି । ସେ ଲୁହାକୁ ଗରମ କରି ଲାଲ୍ କରନ୍ତି, ତା’କୁ ପିଟି ଆକାର ଦିଅନ୍ତି। ନିଆଁ ଝୁଲ ପଡ଼ି ତାଙ୍କର ପୋଷାକ ଏବଂ ତାଙ୍କ ଜୋତାରେ ଛୋଟ ବଡ଼ କଣା ହୋଇଯାଏ; ନିଆଁ ସଂସ୍ପର୍ଶରେ ଆସି ତାଙ୍କ ହାତରେ ହୋଇଥିବା ଫୋଟକା ସବୁ ଭାରତୀୟ ଅର୍ଥବ୍ୟବସ୍ଥାର ଚକକୁ ଆଗକୁ ବଢ଼ାଇବାରେ ତାଙ୍କର କଠିନ ପରିଶ୍ରମର କାହାଣୀ କହିଥା’ନ୍ତି।
ବଜେଟ୍ କଥା ଶୁଣିଛନ୍ତି କି ବୋଲି ପଚାରିଲେ ସେ କୁହନ୍ତି, ‘‘କ୍ୟା ହୁଣ୍ ଦା ହୈ (ସେଇଟା କ’ଣ)?’’
କେନ୍ଦ୍ର ବଜେଟ୍ ୨୦୨୫ ସଂସଦରେ ଉପସ୍ଥାପିତ ହେବାର ୪୮ ଘଣ୍ଟାରୁ କମ୍ ସମୟ ମଧ୍ୟରେ ସାରା ଦେଶରେ ଖବର ବ୍ୟାପି ଯାଇଥିଲା। କିନ୍ତୁ, ବଗ୍ରିୟା ସମ୍ପ୍ରଦାୟର ଜଣେ ଯାଯାବର କମାର ଗୋକୁଳଙ୍କ ପାଇଁ କିଛି ବଦଳି ନାହିଁ।
‘‘ଦେଖନ୍ତୁ, କେହି ଆମ ପାଇଁ କିଛି କରିନାହାନ୍ତି। ଏମିତି ପ୍ରାୟ ୭୦୦-୮୦୦ ବର୍ଷ ବିତିଯାଇଛି। ଆମର ଅନେକ ପିଢ଼ି ପଞ୍ଜାବ ମାଟିରେ ଲୀନ ହୋଇଯାଇଛନ୍ତି। କେହି ଆମକୁ କିଛି ଦେଇନାହାନ୍ତି,’’ ବୟସର ୪୦ଟି ଅପରାହ୍ଣ ବିତାଇ ସାରିଥିବା ଏହି କମାର ଜଣଙ୍କ କୁହନ୍ତି ।




