‘‘କାଗଜପତ୍ରରେ ଦେଖିଲେ ଏଠାରେ ବୁଣାକାରଙ୍କ ଅଭାବ ନାହିଁ କିନ୍ତୁ ମୋ ମୃତ୍ୟୁ ପରେ (ବାସ୍ତବରେ) ସବୁକିଛି ଶେଷ ହୋଇଯିବ,’’ ନିଜ ବାଉଁଶ କୁଡ଼ିଆରେ ହସ୍ତତନ୍ତରେ ବୁଣିବାରୁ ସାମାନ୍ୟ ବିଶ୍ରାମ ନେଇ ରୂପଚାନ୍ଦ ଦେବନାଥ ନିରାଶ ହୋଇ କୁହନ୍ତି। ତାଙ୍କ ଘରର ଅଧିକାଂଶ ଜାଗା ତନ୍ତ ନେଇଯାଇଥିବା ବେଳେ ଅବଶିଷ୍ଟ ଭାଗରେ ଅଦରକାରୀ ସାମଗ୍ରୀ-ଭଙ୍ଗା ଫର୍ଣ୍ଣିଚର, ଧାତବ ସରଞ୍ଜାମ ଓ ବାଉଁଶ ଖଣ୍ଡ, ତଥା ଅନ୍ୟାନ୍ୟ ଜିନିଷରେ ଭର୍ତ୍ତି ହୋଇ ରହିଛି । ସେଠାରେ ଜଣେ ଲୋକଙ୍କୁ ଛାଡ଼ି ଦେଲେ ଦ୍ୱିତୀୟ ଲୋକ ପାଇଁ ସ୍ଥାନ ନାହିଁ ।
ଭାରତ ଓ ବାଂଲାଦେଶ ସୀମାବର୍ତ୍ତୀ ତ୍ରିପୁରା ରାଜ୍ୟର ଧର୍ମନଗର ସହର ଉପକଣ୍ଠ ଗୋବିନ୍ଦପୁରରେ ରୂପଚାନ୍ଦ (୭୩) ରୁହନ୍ତି। ଗାଁକୁ ସଂକୀର୍ଣ୍ଣ ପିଚୁ ରାସ୍ତାଟିଏ ପଡ଼ିଛି। ସ୍ଥାନୀୟ ଲୋକମାନେ କୁହନ୍ତି, ଏକଦା ଏହି ସ୍ଥାନରେ ୨୦୦ ବୁଣାକାର ପରିବାର ଓ ୬୦୦ରୁ ଅଧିକ ବୁଣାକାର ରହୁଥିଲେ। ଗୋବିନ୍ଦପୁର ହସ୍ତତନ୍ତ ବୁଣାକାର ସଂଘର କାର୍ଯ୍ୟାଳୟ ସଂକୀର୍ଣ୍ଣ ଗଳି ପାର୍ଶ୍ୱରେ କିଛି ଘର ମଧ୍ୟରେ ଅବସ୍ଥିତ, ଯାହାର ଭଗ୍ନ କାନ୍ଥ ପ୍ରାୟତଃ ବିସ୍ମୃତ ଗୌରବକୁ ସ୍ମରଣ କରାଇ ଦେଇଥାଏ।
ରାଜ୍ୟରେ ଅନ୍ୟାନ୍ୟ ପଛୁଆ ବର୍ଗ ଭାବେ ତାଲିକାଭୁକ୍ତ ନାଥ ସମ୍ପ୍ରଦାୟର ରୂପଚାନ୍ଦ କୁହନ୍ତି, ‘‘ପୂର୍ବରୁ ଏଠାରେ ଏମିତି ଗୋଟିଏ ଘର ନଥିଲା ଯେଉଁଠି ତନ୍ତ ନଥିବ।’’ ସୂର୍ଯ୍ୟ ତେଜ ଅଧିକ ରହିଛି ଏବଂ ସେ ନିଜ ମୁହଁରୁ ଝାଳ ପୋଛି କଥାବାର୍ତ୍ତା ଆଗକୁ ବଢ଼ାନ୍ତି। ‘‘ସମାଜ ଆମକୁ ସମ୍ମାନ କରୁଥିଲା। ଏବେ କେହି ଖାତିର କରୁନାହାନ୍ତି। ଯେଉଁ ବେଉସାରୁ କିଛି ଟଙ୍କା ମିଳୁନାହିଁ ତାହାକୁ କିଏ ସମ୍ମାନ କରିବ ମୋତେ କୁହ?’’ ସେ ପ୍ରଶ୍ନ କରିଥାନ୍ତି, ତାଙ୍କର କଣ୍ଠ ବାଷ୍ପରୁଦ୍ଧ ହୋଇଯାଉଥାଏ।
ଏହି ଅଭିଜ୍ଞ ବୁଣାକାର ହାତରେ ବୁଣା ହେଉଥିବା ନକ୍ସି ଶାଢ଼ୀ ତିଆରି କରିବା ବିଷୟରେ ସ୍ମରଣ କରିଥାନ୍ତି ଯେଉଁଥିରେ ନିଖୁଣ ପୁଷ୍ପ ରୂପାଙ୍କନ ରହୁଥିଲା। କିନ୍ତୁ ୧୯୮୦ ଦଶକରେ, ‘‘ଯେତେବେଳେ ପୂର୍ବାଶା (ତ୍ରିପୁରା ସରକାରଙ୍କ ହସ୍ତଶିଳ୍ପ ଏମ୍ପୋରିୟମ) ପକ୍ଷରୁ ଧର୍ମନଗରରେ ଗୋଟିଏ ଆଉଟ୍ଲେଟ୍ ଖୋଲାଗଲା, ସେମାନେ ଆମକୁ ନକ୍ସି ଶାଢ଼ି ତିଆରି ବନ୍ଦ କରିବା ଏବଂ ସାଦା ଶାଢ଼ି ତିଆରି କରିବାକୁ କହିଲେ,’’ ରୂପଚାନ୍ଦ କହିଥାନ୍ତି। ଏଗୁଡ଼ିକର କାରୁକାର୍ଯ୍ୟ ଏବଂ ସାମଗ୍ରିକ ଗୁଣବତ୍ତା କମ୍ ଥିଲା ସେଥିପାଇଁ ଶସ୍ତା ଥିଲା।
ସେ କହିଥିଲେ, ଧୀରେ ଧୀରେ ଏହି ଅଞ୍ଚଳରେ ନକ୍ସି ଶାଢ଼ି ବିଲୁପ୍ତ ହୋଇଗଲା ଏବଂ ଆଜି, ‘‘କେହି କାରୀଗର ନାହାନ୍ତି କିମ୍ବା ତନ୍ତ ପାଇଁ ସରଞ୍ଜାମ ଯୋଗାଣ ଲାଗି କେହି ନାହାନ୍ତି।’’ ତାଙ୍କ ମନ୍ତବ୍ୟକୁ ଗତ ଚାରି ବର୍ଷ ଧରି ବୁଣାକାର ସଂଘର କାର୍ଯ୍ୟକାରୀ ଅଧ୍ୟକ୍ଷ ଥିବା ରବୀନ୍ଦ୍ର ଦେବନାଥ ମଧ୍ୟ ଦୋହରାଇଥା’ନ୍ତି। ସେ କୁହନ୍ତି, ‘‘ଆମେ ଯେଉଁ ପୋଷାକ ତିଆରି କରୁଥିଲୁ ସେଥିପାଇଁ କୌଣସି ବଜାର ମିଳୁନଥିଲା।’’ ୬୩ ବର୍ଷ ବୟସରେ ବୁଣାକାମ କରିବା ଲାଗି ଆବଶ୍ୟକ ପରିଶ୍ରମ ସେ ଆଉ କରିପାରୁନାହାନ୍ତି।














