ଉପକୂଳବର୍ତ୍ତୀ କର୍ଣ୍ଣାଟକରେ ବିଭିନ୍ନ ସାଂସ୍କୃତିକ ଉତ୍ସବ ପାଳନ ସମୟରେ ତୁଲୁନାଡୁର ଗାର୍ନାଲ ସାଇବର ବା ବାଣ କାରିଗରଙ୍କ ଆବଶ୍ୟକତା ଖୁବ୍ ଅନୁଭୂତ ହୁଏ । ଭୂତ କୋଲା, ପର୍ବପର୍ବାଣୀ, ବିବାହ ଉତ୍ସବ, ଜନ୍ମଦିନ ପାଳନ, ଗୃହ ପ୍ରବେଶ ଏବଂ ଏମିତି କି ଅନ୍ତିମ ସଂସ୍କାର କାର୍ଯ୍ୟରେ ବି ସେମାନଙ୍କ ଅଂଶଗ୍ରହଣ ପୂର୍ବ ନିର୍ଦ୍ଧାରିତ ବୋଲି ଗ୍ରହଣ କରାଯାଏ ।
‘ଗାର୍ନାଲ’ ଏକ ପ୍ରକାର ବାଣ ଏବଂ ‘ସାଇବର’ ଜଣେ ମୁସଲମାନ ବ୍ୟକ୍ତିଙ୍କୁ ବୁଝାଇଥାଏ।
ମୁଲକି ସହରର ଜଣେ ଗାର୍ନାଲ ସାଇବର ଆମୀର ହୁସେନ୍ କହନ୍ତି, ତାଙ୍କ ବାପାଙ୍କ ପାଖରୁ ସେ ଏହି କାରିଗରୀ ଶିଖିଥିଲେ ଏବଂ ତାଙ୍କର ଏହି ପାରିବାରିକ ବୃତ୍ତି ପିଢ଼ି ପରେ ପିଢ଼ି ଧରି ଚାଲି ଆସିଛି ।
‘କର୍ଣ୍ଣାଟକର ମନିପାଲ ଏକାଡେମୀ ଅଫ୍ ହାୟର ଏଜୁକେସନ’ର ଜଣେ ଗବେଷଣା ସହାୟକ ନୀତେଶ ଆଞ୍ଚନ କହନ୍ତି, “ବାଣ, ବିଶେଷତଃ ବଡ଼ ବଡ଼ ବାଣ ଫୁଟାଇବା ଏବଂ ଫିଙ୍ଗିବା ଏକ ବିପଜ୍ଜନକ କାମ।”
ଉଡୁପି ଜିଲ୍ଲା ଅନ୍ତର୍ଗତ ଆଥ୍ରାଡ଼ି ଗାଁର ଜଣେ ମୁସଲମାନ ଯୁବକ ମୁସ୍ତାକ ଆଥ୍ରାଡୀ ଗାର୍ନାଲ ତିଆରି କରନ୍ତି ଏବଂ ଭୂତ ପର୍ବରେ ଏହାକୁ ଉପରକୁ ଫୋପାଡ଼ନ୍ତି । ବିଶେଷତଃ ସେ କାଡ଼ୋନି ବୋଲି କୁହାଯାଉଥିବା ସବୁଠାରୁ ଅଧିକ ଶକ୍ତିଶାଳୀ ଗାର୍ନାଲ ଫିଙ୍ଗିବାରେ ସିଦ୍ଧହସ୍ତ । ସେ କହନ୍ତି, “କାଡ଼ୋନି ହେଉଛି ଏକ ପ୍ରକାର ବିସ୍ଫୋରକ ପାଉଡର ଏବଂ ବିଭିନ୍ନ ରାସାୟନିକ ଦ୍ରବ୍ୟର ମିଶ୍ରଣ ସଂପର୍କିତ ଏକ ବିସ୍ତୃତ ପ୍ରକ୍ରିୟାରେ ଏହା ତିଆରି କରାଯାଏ ।” କାଡ଼ୋନି ଯେଉଁଠାରେ ଫୁଟେ, ସେଠାରେ ଭୂମିରେ ଫାଟ ସୃଷ୍ଟି ହୁଏ ବୋଲି କୁହାଯାଏ ।


