ତାଙ୍କ ଚାଷଜମି କଡ଼ରେ ଠିଆ ହୋଇ ରୁପା ଭଳି ଚକଚକ୍ କରୁଥିବା ଫସଲକୁ ସେ ଚାହିଁ ରହିଥିଲେ। ପ୍ରବଳ ବର୍ଷା ପରେ ତାଙ୍କ ଫସଲ ଆଣ୍ଠୁଏ ପାଣିରେ ବୁଡ଼ି ରହିଥିଲା। ବିଦର୍ଭରେ ବିଜୟ ମରୋତ୍ତରଙ୍କ କପା କ୍ଷେତ ସଂପୂର୍ଣ୍ଣ ଉଜୁଡ଼ି ଯାଇଥିଲା। ୨୫ ବର୍ଷୀୟ ବିଜୟ କହିଲେ, “ଏହି ଫସଲରେ ମୁଁ ପ୍ରାୟ ୧ ଲକ୍ଷ ୨୫ ହଜାର ଟଙ୍କା ଲଗାଇଥିଲି। ଏହାର ଅଧିକାଂଶ ଭାଗ ବୁଡ଼ି ଗଲାଣି।” ଏହା ଥିଲା ସେପଟେମ୍ବର, ୨୦୨୨ ମସିହା ଏବଂ ବିଜୟଙ୍କ ପ୍ରଥମ ଫସଲ ଅମଳ ମାସ। ଏବଂ ଏଥର ତାଙ୍କ ସମସ୍ୟାରେ ଭାଗୀଦାର ହେବାକୁ ତାଙ୍କ ପାଖରେ କେହି ହେଲେ ନଥିଲେ।
ପାଞ୍ଚ ମାସ ତଳେ ତାଙ୍କ ବାପା ଘନଶ୍ୟାମ ମରୋତ୍ତର ଆତ୍ମହତ୍ୟା କରି ପ୍ରାଣ ହରାଇଥିଲେ ଏବଂ ଦୁଇ ବର୍ଷରୁ କିଛି ଅଧିକ ସମୟ ତଳେ ଅଚାନକ ହୃଦଘାତରେ ତାଙ୍କ ମାଆଙ୍କର ଦେହାନ୍ତ ଘଟିଥିଲା। ଅନିୟମିତ ପାଣିପାଗ ଯୋଗୁଁ ବାରମ୍ବାର ଫସଲହାନି ଏବଂ ତା’ ସାଙ୍ଗକୁ ଋଣଭାର ବୃଦ୍ଧି କାରଣରୁ ବିଦର୍ଭ ଅଞ୍ଚଳର ଅନ୍ୟ ଅନେକ ଚାଷୀଙ୍କ ଭଳି ତାଙ୍କ ବାପାମାଆ ଘୋର ଦୁଶ୍ଚିନ୍ତା ଏବଂ ମାନସିକ ଚାପରେ ରହୁଥିଲେ। ଆଉ ଏ ପରିସ୍ଥିତିରେ ସେମାନଙ୍କୁ ସେତେଟା ସହାୟତା ମିଳୁ ନଥିଲା।
ବିଜୟ କିନ୍ତୁ ଜାଣିସାରିଥିଲେ ଯେ ସେ ତାଙ୍କ ବାପାଙ୍କ ଭଳି ଭାଙ୍ଗି ପଡ଼ିଲେ ଚଳିବ ନାହିଁ। ତେଣୁ ପରବର୍ତ୍ତୀ ଦୁଇ ମାସ ଧରି ସେ ତାଙ୍କ କ୍ଷେତରୁ ପାଣି ବାହାର କରିବା କାମରେ ନିଜକୁ ବ୍ୟସ୍ତ ରଖିଲେ। ଖାଲି ପାଦରେ ଏବଂ ପିନ୍ଧିଥିବା ଟ୍ରାକ୍ ପ୍ୟାଣ୍ଟକୁ ଆଣ୍ଠୁ ଯାଏ ମୋଡ଼ି ଦେଇ ହାତରେ କେବଳ ଗୋଟିଏ ବାଲଟି ନେଇ ସେ କାଦୁଅରେ ଭର୍ତ୍ତି କ୍ଷେତରୁ ପ୍ରତିଦିନ ଦୁଇ ଘଣ୍ଟା ପାଇଁ ପାଣି ବାହାର କରିବାରେ ଲାଗିଲେ। ତାଙ୍କର ଟି-ଶାର୍ଟ୍ ଝାଳରେ ଭିଜି ଯାଉଥିଲା। ଖାଲି ହାତରେ ଜମିରୁ ପାଣି କାଢ଼ିବା ଲାଗି ତାଙ୍କୁ ହାଡ଼ଭଙ୍ଗା ପରିଶ୍ରମ କରିବାକୁ ପଡ଼ିଥିଲା। ଏ ସଂପର୍କରେ ବୁଝାଇବାକୁ ଯାଇ ବିଜୟ କହନ୍ତି, “ମୋ ଚାଷଜମି ଖାଲୁଆ ଅଞ୍ଚଳରେ ରହିଛି। ତେଣୁ ଅତ୍ୟଧିକ ବର୍ଷା ହେଲେ ଏହା ବେଶୀ କ୍ଷତିଗ୍ରସ୍ତ ହୁଏ। ଆଖପାଖ ଜମିରୁ ପାଣି ଆସି ମୋ ଜମିରେ ଭରିଯାଏ ଏବଂ ଏହି ସ୍ଥିତିରୁ ନିସ୍ତାର ପାଇବା କଷ୍ଟକର।” ଏହି ଅନୁଭୂତି ହିଁ ତାଙ୍କୁ ଭୟଭୀତ କରିଛି।
ଅତ୍ୟଧିକ ବର୍ଷା, ଦୀର୍ଘକାଳ ଧରି ଶୁଖିଲା ପାଗ ଏବଂ କୁଆପଥର ବର୍ଷା ଭଳି ପ୍ରତିକୂଳ ପାଣିପାଗ ସ୍ଥିତିରେ ବିଦର୍ଭର ଚାଷୀକୂଳ ଘୋର ମାନସିକ ଚାପରେ ରହୁଥିବା କାରଣରୁ ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ହେଲେ, ଏଭଳି ସଂକଟର ମୁକାବିଲା କରିବା ଦିଗରେ ଚାଷୀମାନଙ୍କ ସହାୟତା ପାଇଁ ସରକାର ପର୍ଯ୍ୟାପ୍ତ ପଦକ୍ଷେପ ନିଅନ୍ତି ନାହିଁ। (ପଢନ୍ତୁ: ବିଦର୍ଭରେ କୃଷି ସଂକଟ ଓ ମାନସିକ ଚାପ )। ମାନସିକ ଚାପଗ୍ରସ୍ତ ଓ ମାନସିକ ରୋଗରେ ପୀଡ଼ିତ ବ୍ୟକ୍ତିମାନଙ୍କ ପାଇଁ ମାନସିକ ସ୍ୱାସ୍ଥ୍ୟସେବା ଆଇନ, ୨୦୧୭ରେ ରହିଥିବା କୌଣସି ବ୍ୟବସ୍ଥା ବା ସେବା ବିଜୟଙ୍କ ପାଖରେ ପହଞ୍ଚି ନାହିଁ କି ମାନସିକ ସମସ୍ୟା ସହିତ ସଂଘର୍ଷରତ ତାଙ୍କ ବାପା ଘନଶ୍ୟାମଙ୍କ ଜୀବିତାବସ୍ଥାରେ ତାଙ୍କ ପାଖରେ ବି ପହଞ୍ଚି ନଥିଲା। ଏହି ଆଇନ ସଂପର୍କିତ କୌଣସି ସୂଚନା ସେମାନଙ୍କ ପାଖରେ ନାହିଁ। କେବଳ ସେତିକି ନୁହେଁ, ୧୯୯୬ରୁ ଆରମ୍ଭ ହୋଇଥିବା ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନରେ ଆୟୋଜିତ କୌଣସି ସର୍ବସାଧାରଣ ସଂପର୍କ ଶିବିର ସଂପର୍କରେ ମଧ୍ୟ ସେମାନେ ଜାଣିନାହାନ୍ତି।
କୃଷକମାନଙ୍କ ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ଲାଗି ୨୦୧୪ ନଭେମ୍ବର ମାସରେ ମହାରାଷ୍ଟ୍ର ରାଜ୍ୟ ସରକାର ‘ପ୍ରେରଣା ପ୍ରକଳ୍ପ କୃଷକ ପରାମର୍ଶ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ’ ଆରମ୍ଭ କରିଥିଲେ। ଗ୍ରାମାଞ୍ଚଳରେ ମାନସିକ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ଲାଗି ଇନ୍ଦିରାବାଇ ସୀତାରାମ ଦେଶମୁଖ ବହୁଦ୍ଦେଶୀୟ ସଂସ୍ଥା ନାମକ ୟବତମାଲର ଏକ ବେସରକାରୀ ସଂସ୍ଥା ସହଯୋଗରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜରିଆରେ କାର୍ଯ୍ୟକାରୀ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ସରକାରୀ-ବେସରକାରୀ (ନାଗରିକ ସମାଜ) ଭାଗୀଦାର ବ୍ୟବସ୍ଥାରେ ଆରମ୍ଭ ହୋଇଥିଲା। କିନ୍ତୁ ୨୦୨୨ ମସିହାରେ ବିଜୟ ଯେତେବେଳେ ତାଙ୍କ ବାପାଙ୍କୁ ହରାଇଲେ, ସେତେବେଳକୁ ଏହି ବହୁଚର୍ଚ୍ଚିତ ସରକାରୀ ‘ପ୍ରେରଣା’ ପ୍ରକଳ୍ପ ବି ଶୂନ୍ୟରେ ମିଳାଇ ସାରିଥିଲା।









