ପ୍ରଥମ ଥର ପାଇଁ ୧୮ ବର୍ଷ ବୟସ୍କ ସୁମିତ (ଛଦ୍ମନାମ) ଯେତେବେଳେ ହରିୟାଣା ରୋହତକର ଏକ ସରକାରୀ ଜିଲ୍ଲା ଡାକ୍ତରଖାନାରେ ଛାତି ପୁନର୍ଗଠନ ଅସ୍ତ୍ରୋପଚାର ବିଷୟରେ ପଚାରିବାକୁ ଗଲେ, ତାଙ୍କୁ ପୋଡ଼ି ହୋଇଯାଇଥିବା ରୋଗୀ ଭାବେ ଭର୍ତ୍ତି ହେବାକୁ ପଡ଼ିବ ବୋଲି କୁହାଗଲା।
ଏହା ଏକ ମିଛ ଥିଲା। ଭାରତର ତୃତୀୟ ଲିଙ୍ଗୀ ଲୋକମାନେ ଯେଉଁ ଶରୀର ସହିତ ଜନ୍ମ ନେଇଛନ୍ତି ଯଦି ସେମାନେ ତାହାକୁ ପରିତ୍ୟାଗ କରି ନିଜେ ସହଜ ଅନୁଭବ କରୁଥିବା ଆଉ ଏକ ଶରୀର ବଦଳାଇବାକୁ ଚୟନ କରନ୍ତି ତା’ହେଲେ ସେମାନଙ୍କୁ ଏହା ସହ ଜଡ଼ିତ ଏକ ଜଟିଳ ଚିକିତ୍ସା ଓ ଆଇନଗତ ଯାତ୍ରାକୁ ବେଡ଼ି ରହିଥିବା ନାଲି ଫିତାର ପ୍ରତିବନ୍ଧକକୁ କାଟିବା ଲାଗି ଏପରି ମିଛ କହିବାକୁ ପଡ଼ିଥାଏ। ତଥାପି ଏହି ମିଥ୍ୟା ସୁମିତଙ୍କ କ୍ଷେତ୍ରରେ କାମ ଦେଲା ନାହିଁ ।
ରୋହତକଠାରୁ ପ୍ରାୟ ୧୦୦ କିଲୋମିଟର ଦୂର ହିସାରର ଏକ ଘରୋଇ ଡାକ୍ତରଖାନାରେ ‘ଟପ୍ ସର୍ଜରୀ’ (କଥିତ ଭାଷାରେ ଯେପରି ଉଲ୍ଲେଖ କରାଯାଏ) ବା ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର କରିବା ପୂର୍ବରୁ ସୁମିତଙ୍କୁ ଆଠ ବର୍ଷର କାଗଜପତ୍ର କାମ, ଅନ୍ତହୀନ ମାନସିକ ମୂଲ୍ୟାଙ୍କନ, ଚିକିତ୍ସା ପରାମର୍ଶ, ଋଣ ସମେତ ଏକ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ, ପାରିବାରିକ ସମ୍ପର୍କରେ ମତଭେଦ ଏବଂ ନିଜର ପୂର୍ବର ସ୍ତନ ପ୍ରତି ଅପରିବର୍ତ୍ତନୀୟ ନାପସନ୍ଦ ଭାବନା ଭଳି ପର୍ଯ୍ୟାୟ ଦେଇ ଗତି କରିବାକୁ ହୋଇଥିଲା।
ଦେଢ଼ ବର୍ଷ ପରେ ୨୬ ବର୍ଷୀୟ ସୁମିତ୍ ଏବେ ବି ନିଜ କାନ୍ଧ ତଳକୁ କରି ଚାଲନ୍ତି, ଅସ୍ତ୍ରୋପଚାର ପୂର୍ବ ସମୟର ଏହି ଅଭ୍ୟାସ ତାଙ୍କ ଭିତରେ ରହିଛି ଯେତେବେଳେ ତାଙ୍କର ସ୍ତନ ତାଙ୍କ ପାଇଁ ଲଜ୍ଜା ଓ ଅସହଜବୋଧର କାରଣ ଥିଲା।
ଜନ୍ମ ସମୟରେ ଧାର୍ଯ୍ୟ ଲିଙ୍ଗଠାରୁ ଭିନ୍ନ ଲିଙ୍ଗରେ ପରିଚୟ ଦେଉଥିବା ସୁମିତଙ୍କ ଭଳି ଏମିତି କେତେଜଣ ଲୋକ ଭାରତରେ ଅଛନ୍ତି ତା’କୁ ନେଇ ନିକଟରେ କୌଣସି ଗଣନା ହୋଇନାହିଁ । ଜାତୀୟ ମାନବାଧିକାର ଆୟୋଗଙ୍କ ସହଯୋଗରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ୨୦୧୭ରେ ଭାରତରେ ୪.୮୮ ଲକ୍ଷ ତୃତୀୟ ଲିଙ୍ଗୀ ଲୋକ ଥିଲେ।
୨୦୧୪ର ଜାତୀୟ ଆଇନସେବା ପ୍ରାଧିକରଣ ବନାମ ଭାରତ ସରକାର ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଏକ ଐତିହାସିକ ରାୟ ଦେଇଥିଲେ। ଏଥିରେ ‘‘ତୃତୀୟ ଲିଙ୍ଗୀ’’ଙ୍କୁ ମାନ୍ୟତା ଦିଆଯିବା ସହ ସେମାନଙ୍କୁ ‘‘ସ୍ୱ-ପରିଚିତ’’ ଲିଙ୍ଗ ଭାବେ ନିଜର ପରିଚୟ ଦେବାକୁ ଅଧିକାର ଦିଆଯାଇଥିଲା। ଏଭଳି ଲୋକମାନଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରିବାକୁ ସରକାରଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ପାଞ୍ଚ ବର୍ଷ ପରେ, ତୃତୀୟ ଲିଙ୍ଗୀ ବ୍ୟକ୍ତି (ସୁରକ୍ଷା ଅଧିକାର)ଆଇନ, ୨୦୧୯ ଏହି ସମ୍ପ୍ରଦାୟର ଲୋକମାନଙ୍କ ପାଇଁ ଲିଙ୍ଗ ନିର୍ଦ୍ଧାରଣ ଅସ୍ତ୍ରୋପଚାର, ହର୍ମୋନ ଥେରାପୀ ଏବଂ ମାନସିକ ସ୍ୱାସ୍ଥ୍ୟ ସେବା ଭଳି ସାମଗ୍ରିକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ସରକାରଙ୍କ ଭୂମିକାକୁ ପୁନଃପରିଭାଷିତ କରିଥିଲା।









