ନିଜ ଚାରି ପାଖରେ ବିଛା ହୋଇ ରହିଥିବା ବିଭିନ୍ନ ପ୍ରକାର କଣ୍ଢେଇ ଆଡ଼କୁ ଚାହିଁ ରାମଚନ୍ଦ୍ର ପୁଲୱର କୁହନ୍ତି, ‘‘ଆମ ପାଇଁ ଏଗୁଡ଼ିକ କେବଳ ସାଧାରଣ ଚମଡ଼ା ଆକୃତି ନୁହେଁ। ସେମାନେ ହେଉଛନ୍ତି ଦେବତା ଓ ଦେବୀ ଏବଂ ଦୈବିକ ଶକ୍ତିର ଅବତାର।’’ ତାଙ୍କ ସାମ୍ନାରେ ରଖାଯାଇଥିବା ନିଖୁଣ ଭାବେ ତିଆରି ପ୍ରତିକୃତିଗୁଡ଼ିକ ତୋଲପାୱକୁତୁ କଣ୍ଢେଇ ନାଚରେ ବ୍ୟବହୃତ ହୋଇଥାଏ। କେରଳର ଦକ୍ଷିଣ ଉପକୂଳ କ୍ଷେତ୍ର ମାଲାବାରରେ ଏହା ଏକ ମଞ୍ଚ ନାଟକ ଭାବେ ଲୋକପ୍ରିୟତା ହାସଲ କରିଛି ।
ପାରମ୍ପରିକ ଭାବେ ଏସବୁ ମୂର୍ତ୍ତିକୁ ଚକ୍କିଲିୟାନଙ୍କ ଭଳି ନିର୍ଦ୍ଦିଷ୍ଟ ସମୁଦାୟ ଦ୍ୱାରା ନିର୍ମାଣ କରାଯାଇଥାଏ। ବର୍ତ୍ତମାନ ଏହି କଳାର ଲୋକପ୍ରିୟତା ହ୍ରାସ ପାଉଥିବାରୁ ସମୁଦାୟର ଲୋକମାନେ ଏଥିରୁ ଦୂରେଇ ଯାଉଛନ୍ତି । ସେଥିପାଇଁ କ୍ରିଷ୍ଣନକୁଟ୍ଟୀ ପଲୱର ଏହି କଣ୍ଢେଇ ତିଆରି କଳା ଶିକ୍ଷା ଦେବାର ଦାୟିତ୍ୱ ଗ୍ରହଣ କରିଛନ୍ତି ଏବଂ ଅନ୍ୟମାନଙ୍କ ସହାୟତାରେ ଏହି କଳାକୁ ଜୀବନ୍ତ ରଖିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ତାଙ୍କ ପୁଅ, ରାମଚନ୍ଦ୍ର ଆଉ ପାଦେ ଆଗକୁ ଯାଇ ନିଜ ପରିବାର ଓ ପଡ଼ୋଶୀ ମହିଳାମାନଙ୍କୁ କଣ୍ଢେଇ ତିଆରି କଳା ଶିଖାଉଛନ୍ତି । ପାରମ୍ପରିକ ଭାବେ ମନ୍ଦିର ପରିସରରେ କାମ କରୁଥିବା ପୁରୁଷଙ୍କୁ ନେଇ ସୀମିତ ଏହି ବୃତ୍ତିରେ ରାଜଲକ୍ଷ୍ମୀ, ରଜିତା ଓ ଅଶ୍ୱତୀଙ୍କ ଭଳି ମହିଳା କଳାକାରମାନେ କାମ କରୁଛନ୍ତି।
ଏସବୁ କଣ୍ଢେଇକୁ କେବଳ କାରିଗର ନୁହଁନ୍ତି, ବରଂ ସମାରୋହରେ ଅଂଶଗ୍ରହଣ କରୁଥିବା ଭକ୍ତମାନେ ମଧ୍ୟ ଦିବ୍ୟ ପ୍ରତିମୂର୍ତ୍ତି ବୋଲି ଗ୍ରହଣ କରିଥାନ୍ତି। ମଈଁଷି ଓ ଛେଳି ଚମଡ଼ାରେ ଏସବୁ ଆକୃତି ତିଆରି କରାଯାଏ। କଣ୍ଢେଇ କାରିଗରମାନେ ଚମଡ଼ା ଉପରେ ଯତ୍ନର ସହକାରେ ଡିଜାଇନ ତିଆରି କରି ନିର୍ମାଣ ପ୍ରକ୍ରିୟା ଆରମ୍ଭ କରିଥାନ୍ତି । ସେମାନେ ବଟାଳି ଏବଂ ଛେଦନ ଉପକରଣ ବ୍ୟବହାର କରି ଚମଡ଼ାରେ ଖୋଦେଇ କରିଥାନ୍ତି । ‘‘କୁଶଳୀ କମାର ମିଳୁନଥିବାରୁ ଏସବୁ ଉପକରଣ କିଣିବା ଏବେ ସମସ୍ୟାପୂର୍ଣ୍ଣ ହୋଇଗଲାଣି,’’ ରାମଚନ୍ଦ୍ରଙ୍କ ପୁଅ ରାଜୀବ୍ ପଲୱର କୁହନ୍ତି।


