ଅହମଦୋସ ସୀତାରମେକର ପ୍ୟାରିସକୁ ଯାଇ ପାରିଥାନ୍ତେ, କିନ୍ତୁ ତାଙ୍କ ବାପା ସେଥିପାଇଁ ଅନୁମତି ଦେଲେ ନାହିଁ। “ତୁମେ ଯଦି ବାହାର ଦୁନିଆ ଦେଖିବ, ତେବେ ଆଉ ଫେରିବ ନାହିଁ”, ସେ କହିଥିଲେ। ଏବେ ସେହିକଥାକୁ ମନେ ପକେଇଲେ ୯୯-ବର୍ଷୀୟ ଅହମଦୋସଙ୍କ ମୁହଁରେ ମୁରୁକି ହସ ଖେଳିଯାଏ।
ଯେତେବେଳେ ପଞ୍ଚମ ପିଢ଼ିର ଏହି ସୀତାର୍ ପ୍ରସ୍ତୁତକାରୀ ତାଙ୍କର ତ୍ରୟୋଦଶୋତମ ବୟସର ଶେଷ ଭାଗରେ ଥିଲେ, ସେତେବେଳେ ଏହି ତାରଯୁକ୍ତ ଶାସ୍ତ୍ରୀୟ ବାଦ୍ୟଯନ୍ତ୍ର ତିଆରି କାମ ଶିଖିବା ପାଇଁ ପ୍ୟାରିସର ଦୁଇଜଣ ମହିଳା ତାଙ୍କ ସହରକୁ ଆସିଥିଲେ। “ଚାରିଆଡ଼େ ପଚରାପଚରି କରି ମୋ ପାଖରେ ସାହାଯ୍ୟ ପାଇଁ ପହଞ୍ଚିଲେ ଓ ମୁଁ ସେମାନଙ୍କୁ ଶିଖେଇବା ଆରମ୍ଭ କଲି”, କହନ୍ତି ଅହମଦୋସ, ମିରାଜର ସୀତାରମେକର ଗଳିରେ ଥିବା ତାଙ୍କ ଦୁଇ ମହଲା ଘରର ତଳ ମହଲାରେ ଥିବା ୱାର୍କସପ୍ରେ ବସି, ଯେଉଁଠାରେ ତାଙ୍କ ପରିବାରର ଏକାଧିକ ପିଢ଼ି ରହିଛନ୍ତି ଓ କାମ କରିଛନ୍ତି।
“ସେତେବେଳେ ଆମ ଘରେ ପାଇଖାନା ନଥିଲା”, ଅହମଦୋସ ତାଙ୍କ କହିବା ଜାରି ରଖି ଆଗକୁ ବଢ଼ାନ୍ତି, “ଆମେ ଗୋଟିଏ ଦିନରେ ପାଇଖାନାଟିଏ ତିଆରି କଲୁ, କାରଣ ସେମାନଙ୍କୁ (ବିଦେଶିନୀମାନଙ୍କୁ) ଆମ ଭଳି ପଡ଼ିଆକୁ ଯିବାକୁ ଆମେ କହି ପାରିଲୁନି”। ସେ କହୁଥିଲା ବେଳେ ସୀତାରରେ ସ୍ଵର ସଂଯୋଜନାର ଶବ୍ଦ ହାଲ୍କା ଭାବେ ଶୁଭିଲା। ତାଙ୍କ ପୁଅ ଗଉସ ସୀତାରମେକର କାମ କରୁଥିଲେ।
ସେହି ଦୁଇଜଣ ଯୁବତୀ ଅହମଦୋସଙ୍କ ପରିବାରରେ ନ’ମାସ ରହିଲେ, କିନ୍ତୁ ଭିସା ଅବଧି ଶେଷ ହୋଇଯିବାରୁ ସୀତାର ତିଆରିର ଶେଷ ଭାଗ କାମ ସେମାନେ ଶିଖି ପାରିଲେନି। କିଛି ମାସ ପରେ ସେହି ଶେଷ ଭାଗ କାମ ଶିଖିବା ପାଇଁ ସେମାନେ ତାଙ୍କୁ ପ୍ୟାରିସ ଯିବାକୁ ନିମନ୍ତ୍ରଣ କଲେ।
କିନ୍ତୁ ଅହମଦୋସ ତାଙ୍କ ବାପାଙ୍କ କଥାକୁ ମନେରଖି ସେଠାକୁ ନଯାଇ ସୀତାର ନିର୍ମାଣ ପାଇଁ ପ୍ରସୀଦ୍ଧ ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାସ୍ଥିତ ଘରେ ରହି ଜଣେ କାରିଗର ରୂପେ ଜୀବନ ନିର୍ବାହ ଜାରି ରଖିଲେ। ସାତ ପିଢ଼ି ହେଲା ଅହମଦୋସଙ୍କ ପରିବାର ଦେଢ଼ଶହ ବର୍ଷରୁ ଅଧିକ ସମୟ ଧରି ଏହି ବ୍ୟବସାୟ କରି ଆସୁଛନ୍ତି, ଆଉ ଏବେ ତାଙ୍କୁ ୯୯-ବର୍ଷ ଓ ସେ କାମ କରିବା ଜାରି ରଖିଛନ୍ତି।












