ଏକ ଗାଢ଼ ନୀଳ ରଙ୍ଗର କୁର୍ତ୍ତା, ଏମ୍ବ୍ରୋଡରି ପଡିଥିବା ଲୁଙ୍ଗି ପିନ୍ଧି, କେଶରେ ସୁଗନ୍ଧିତ ଯସ୍ମିନ୍ ଫୁଲର ଗଜରା ଲଗାଇ ବଡ଼ ରୋଷେଇ ଘରେ ପ୍ରବେଶ କରନ୍ତି ଏମ.ପି. ସେଲଭି, ଯାହାକୁ ସେ ସାରାଦିନ ସମ୍ଭାଳନ୍ତି- କରୁମ୍ବୁକାଡ଼ାଇ ଏମ.ପି ସେଲଭି ବିରିୟାନୀ ମାଷ୍ଟର । କ୍ୟାଟରିଂ ୟୁନିଟର କର୍ମଚାରୀମାନେ ତାଙ୍କୁ ଦେଖନ୍ତି, ସେମାନଙ୍କ ମଧ୍ୟରେ ଚାଲିଥିବା କଥାବାର୍ତ୍ତା ବନ୍ଦ ହୋଇଯାଏ ଏବଂ ଜଣେ କର୍ମଚାରୀ ତାଙ୍କୁ ଅଭିବାଦନ ଜଣାଇ ତାଙ୍କ ହାତରେ ଥିବା ବ୍ୟାଗ ନେଇଯାଏ ।
ସେଲଭି ହେଉଛନ୍ତି ‘ବିରିୟାନୀ ମାଷ୍ଟର’। ଏହି ବଡ଼ ରୋଷେଇ ଘରେ ତାଙ୍କ ନିର୍ଦ୍ଦେଶକୁ ୬୦ରୁ ଅଧିକ କର୍ମଚାରୀ ମାନିଥାନ୍ତି । କିଛି ମିନିଟ୍ ମଧ୍ୟରେ ସମସ୍ତେ ସଜାଗ ହୋଇଯାଆନ୍ତି, ଚଳଚଞ୍ଚଳ ହୋଇଉଠି ଦକ୍ଷତାର ସହ କାର୍ଯ୍ୟରେ ଲାଗିପଡ଼ନ୍ତି । ନିଆଁକୁ ବାହାରୁଥିବା ଧୂଆଁ ଓ ଧାଁସକୁ ଖାତିର କରନ୍ତି ନାହିଁ ।
ଏହି ପ୍ରସିଦ୍ଧ ବିରିୟାନୀ ସେଲଭି ଓ ତାଙ୍କ ରୋଷେୟାଙ୍କ ଦ୍ୱାରା ଗତ ୩ ଦଶନ୍ଧୀ ଧରି ତିଆରି ହୋଇଆସୁଛି - ଦମ୍ ମଟନ୍ ବିରିୟାନୀ, ଏପରି ଏକ ବ୍ୟଞ୍ଜନ ମାଂସ ଓ ଚାଉଳ ଏକାଠି ରୋଷେଇ କରାଯାଏ, ଅନ୍ୟ ବିରିୟାନୀ ଭଳି ନୁହେଁ, ଯେଉଁଥିରେ ଦୁଇ ମୁଖ୍ୟ ଉପାଦାନ ଅଲଗା ଅଲଗା ରନ୍ଧାଯାଏ ।
୫୦ ବର୍ଷ ବୟସ୍କା ଏହି କିନ୍ନର କୁହନ୍ତି, “ମୁଁ କୋଏମ୍ବାଟୁରଦମ୍ବିରିୟାନୀ ବିଶେଷଜ୍ଞ । ମୁଁ ଏକାକୀ ଏହାର ପରିଚାଳନା କରେ । ସବୁକିଛି ମନେ ରଖିଥାଏ । ଅନେକ ସମୟରେ ୬ ମାସ ପୂର୍ବରୁ ବୁକିଂ ମିଳିଯାଏ ।”
ଆମ ସହ କଥା ହେଉଥିବା ବେଳେ ବିରିୟାନୀ ମସଲା ଭର୍ତ୍ତି ହୋଇଥିବା ଏକ ସତୁଭମ୍ (ବଡ଼ ଚାମଚ) ତାଙ୍କ ହାତକୁ ବଢ଼ାଇ ଦିଆଗଲା । ମାରିନେଡ୍କୁ ଚାଖିଲେ ସେଲଭି ଏବଂ ମୁଣ୍ଡ ହଲାଇ କହିଲେ, “ଠିକ୍ ଅଛି ।” ଏହା ଶେଷ ଓ ସବୁଠୁ ଗୁରୁତ୍ୱପୂର୍ଣ୍ଣସ୍ୱାଦ ପରୀକ୍ଷା । ବ୍ୟଞ୍ଜନକୁ ମୁଖ୍ୟ ରୋଷୟାଙ୍କ ଅନୁମୋଦନ ମିଳିବା ପରେ ସମସ୍ତେ ଆଶ୍ୱସ୍ତ ହେଲେ।
ସେଲଭି ହସି ହସି କୁହନ୍ତି, “ସମସ୍ତେ ମତେ ‘ସେଲଭି ଆମ୍ମା (ମାଆ)’ ଡାକନ୍ତି । ଜଣେ ‘ଥିରୁନାଙ୍ଗାଇ’ (କିନ୍ନର)କୁ ‘ଆମ୍ମା’ ସମ୍ବୋଧନ କରିବା ଖୁସି ଦେଇଥାଏ ।”























