“ଆଓ ଆଓ ସୁନୋ ଅପନା ଭବିଷ୍ୟବାଣୀ, ସୁନୋ ଅପନୀ ଆଗେ କୀ କାହାଣୀ...” ସନ୍ଧ୍ୟା ଅରାଜକତା ମେଲାଉଥିବା ବେଳେ ତାଙ୍କ କଣ୍ଠସ୍ୱର ରହସ୍ୟମୟ ମନ୍ତ୍ର ଭଳି ଜୁହୁ ବେଳାଭୂମିରେ ଗୁଞ୍ଜରିତ ହୁଏ । ମୁମ୍ବାଇ ଉପକଣ୍ଠ ଏହି ଆକର୍ଷଣୀୟ ବେଳାଭୂମିରେ ସୂର୍ଯ୍ୟ ଅସ୍ତ ହେଉଥିବା ସମୟରେ କିଛି ସୁଖଦାୟକ କଥା ଶୁଣିବାକୁ ଲୋକମାନଙ୍କୁ ଆମନ୍ତ୍ରଣ କରୁଛନ୍ତି ୨୭ ବର୍ଷୀୟ ଉଦୟ କୁମାର ।
ସେ କୌଣସି ଆତ୍ମଘୋଷିତ ଜ୍ୟୋତିଷ ନୁହଁନ୍ତି, ନା’ ହସ୍ତଶାସ୍ତ୍ରୀ, ନା’ ସେ ଟାରୋଟ କାର୍ଡ ରିଡର୍ । ଏହା ପରିବର୍ତ୍ତେ, ରଙ୍ଗବେରଙ୍ଗ ଲାଇଟ୍ରେ ସଜା ଯାଇଥିବା ଫୁଟେ ଲମ୍ବର ଗୋଟିଏ ଛୋଟ ରୋବଟ୍ ସହ ଛିଡ଼ା ହୋଇଥାନ୍ତି, ଯାହା ୪ ଫୁଟ ଉଚ୍ଚର ଭାଙ୍ଗି ହେଉଥିବା ଟେବୁଲରେ ଥିବା ରହସ୍ୟମୟ କଳା ବାକ୍ସ ଉପରେ ରଖାଯାଇଥିଲା । ରୋବଟ ସଂପର୍କରେ ଏହି ରିପୋର୍ଟରଙ୍କୁ ଉଦୟ କୁମାର କହିଛନ୍ତି, “ଏହାକୁ ଜ୍ୟୋତିଷ କମ୍ପ୍ୟୁଟର ଲାଇଭ୍ ଷ୍ଟୋରୀ କୁହାଯାଏ ।”
ତାଙ୍କ ନିକଟକୁ ଆସିଥିବା ଜଣେ ଉତ୍ସାହୀ ଗ୍ରାହକଙ୍କୁ ରୋବଟରେ ଲାଗିଥିବା ହେଡ୍ଫୋନ ଦେବା ସହ ସେ କହିଥିଲେ ଏହି ଛୋଟ ଉପକରଣଟି ବ୍ୟକ୍ତିର କମ୍ପନକୁ ବିଶ୍ଳେଷଣ କରିପାରେ । ହେଡ୍ଫୋନ ଲଗାଇବାର କିଛି ସମୟ ପରେ ହିନ୍ଦୀରେ ଜଣେ ମହିଳାଙ୍କ କଣ୍ଠସ୍ୱରରେ ଭବିଷ୍ୟତରେ ଲୁଚି ରହିଥିବା ରହସ୍ୟଗୁଡ଼ିକୁ ଖୋଲିବ । ଏଥିପାଇଁ ଦେବାକୁ ହେବ ୩୦ ଟଙ୍କା ।
ଉଦୟ ଏହି ଚମତ୍କାର ଟେକନିକର ଏକମାତ୍ର ସଂରକ୍ଷକ, ଯାହା ସେ ତାଙ୍କ ଚାଚା ରାମଚନ୍ଦରଙ୍କଠାରୁ ଉତ୍ତରାଧିକାରୀ ସୂତ୍ରରେ ପାଇଛନ୍ତି, ଯିଏ କିଛି ଦଶନ୍ଧି ପୂର୍ବରୁ ବିହାରର ଗେନ୍ଦ ଗାଁକ (ପଡ଼ା)ରୁ ମୁମ୍ବାଇ ଆସିଥିଲେ (ଏବଂ ସହରରେ ତାଙ୍କୁ ରାଜୁ ନାଁରେ ଜାଣିଥିଲେ)। ଯେତେବେଳେ ବି ତାଙ୍କ ଚାଚା ଘରକୁ ଫେରୁଥିଲେ, ସହରର ଗୁଡିଏ କାହାଣୀ ନେଇ ଆସୁଥିଲେ । “ଚାଚା (ବାପାଙ୍କ ଭାଇ) କହୁଥିଲେ ତାଙ୍କ ପାଖରେ ଏକ ଅଜୁବା (ଏକ ଆଶ୍ଚର୍ଯ୍ୟ ଯନ୍ତ୍ର) ଅଛି, ଯିଏ ଭବିଷ୍ୟତ କହିପାରୁଛି ଏବଂ ଏଥିରେ ତାଙ୍କର ଟଙ୍କା ରୋଜଗାର ହେଉଛି । କିଛି ଲୋକ ହସୁଥିଲେ ଏବଂ ଭାବୁଥିଲେ ମଜାରେ ସେ ଏପରି କହୁଛନ୍ତି । ମୁଁ ମନ୍ତ୍ରମୁଗ୍ଧ ହୋଇ ଯାଉଥିଲି!” ରାଜୁ ତାଙ୍କର ୧୧ ବର୍ଷୀୟ ପୁତୁରାକୁ ସହରୀ ଜୀବନର ଆଶ୍ଚର୍ଯ୍ୟ ଘଟଣା ସହ ଏହି ମେସିନ ସହ ପରିଚିତ କରାଇଥିଲେ ।















