“ହଳଦିଆ ବାକ୍ସରେ ଭୋଟ୍ ଦିଅ!” ଚିତ୍କାର ଶୁଭୁଥିଲା। “ଶୁଭ ମଞ୍ଜଲ ପେଟ୍ଟିକୁ ବାଛି ନିଅ!”
ଏହା ଥିଲା ୧୯୩୭ରେ ବ୍ରିଟିଶ ଶାସନ ଅଧୀନସ୍ଥ ମାଡ୍ରାସ ପ୍ରେସିଡେନ୍ସିର ପ୍ରାଦେଶିକ ନିର୍ବାଚନ।
ଏହି ସ୍ଲୋଗାନ୍ ଦେଉଥିଲେ ଦଳଦଳ ହୋଇ ଢୋଲ ବଜାଉଥିବା ପିଲାମାନେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ପିଲାଙ୍କର ଭୋଟ ଦେବାର ବୟସ ହୋଇ ନଥିଲା। ଏବଂ ଭୋଟଦାନ ପାଇଁ ଯୋଗ୍ୟତା ଅର୍ଜନ କରିନଥିଲେ, ଯଦିବା ସେମାନେ କରିଥାଆନ୍ତେ, ତଥାପି ସେତେବେଳେ ସବୁ ପ୍ରାପ୍ତବୟସ୍କ ଲୋକେ ଭୋଟ ଦେଇପାରୁ ନଥିଲେ।
ମତଦାନ ଅଧିକାର ଉପରେ ରହିଥିବା ଏହି କଟକଣା, ଜମିଜମା ଓ ସଂପତ୍ତିର ମାଲିକ ଏବଂ ଗ୍ରାମୀଣ ଅଞ୍ଚଳରେ, ଧନୀ କୃଷକମାନଙ୍କ ସପକ୍ଷରେ ଯାଉଥିଲା।
ଗୋଟିଏ ବି ଭୋଟ ଦେବାର ଯୋଗ୍ୟତା ନଥିବା ଛୋଟପିଲାମାନେ ଜୋରସୋରରେ ନିର୍ବାଚନ ପ୍ରଚାର କରୁଥିବାର ଏହି ଦୃଶ୍ୟ ପୂରାପୂରି ନୂଆ ନଥିଲା।
ଏହା ପୂର୍ବରୁ, ୧୯୩୫ ଜୁଲାଇରେ, ଜଷ୍ଟିସ୍ ପାର୍ଟିର ଖବରକାଗଜ ତଥା ମୁଖପତ୍ର - ଜଷ୍ଟିସ୍ରେ, କେବଳ ସାମାନ୍ୟ ଅବଜ୍ଞାରେ ନୁହେଁ, ବରଂ ନିହାତି ଘୃଣାପୂର୍ଣ୍ଣ ଭାବରେ ଉଲ୍ଲେଖ କରାଯାଇଥିଲା:
ଆପଣ ଯେ କୌଣସି ଗାଁକୁ, ଏମିତି କି ଦୂରବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ଗାଁକୁ ଗଲେ ବି କଂଗ୍ରେସର ଖଦଡ଼ ପୋଷାକ ଏବଂ ଗାନ୍ଧି ଟୋପି ପିନ୍ଧିଥିବା ଏବଂ ହାତରେ ତ୍ରିରଙ୍ଗା ପତାକାକୁ ଉଠାଇ ଧରି ଚାଲିଥିବା ଦଳଦଳ ଦରିଦ୍ର ପିଲାଙ୍କୁ ଦେଖିପାରିବେ, ଏସବୁ ଲୋକଙ୍କ ମଧ୍ୟରୁ ପାଖାପାଖି ଅଶୀ ପ୍ରତିଶତ କର୍ମୀ ଓ ସ୍ୱେଚ୍ଛାସେବୀ ଆସିଛନ୍ତି ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଶହ ଶହ ଭୋଟଦାନ ଅଧିକାର ନଥିବା, ସଂପତ୍ତିହୀନ, ବେକାର ବର୍ଗରୁ...
୧୯୩୭ ମସିହାର ସେହି ପିଲାମାନଙ୍କ ମଧ୍ୟରୁ ଜଣେ ହେଲେ ଆର୍.ନଲ୍ଲାକନ୍ନୁ, ସେ ସମୟରେ ତାଙ୍କ ବୟସ ଅତି ବେଶିରେ ୧୨ ବର୍ଷ, ଏବେ ୯୭ (୨୦୨୨)। ଆମକୁ ସେ ସେହି ନାଟକର କାହାଣୀ ଶୁଣାନ୍ତି ଏବଂ ସେହି ‘ମଳିମୁଣ୍ଡିଆ ପିଲା’ଙ୍କ ମଧ୍ୟରୁ ସେ ନିଜେ ଜଣେ ଥିଲେ ବୋଲି ହସି ହସି କହନ୍ତି। ସେ ସମୟର କଥା ମନେ ପକାଇ ସେ କହନ୍ତି, “ଯେଉଁମାନଙ୍କ ପାଖରେ ଜମିର ମାଲିକାନା ଥିଲା ଏବଂ ଜମିର ଖଜଣା ବାବଦରେ ୧୦ ଟଙ୍କା କିମ୍ବା ଅଧିକ ଦେଉଥିଲେ, ସେମାନେ ଭୋଟ ଦେଇପାରୁଥିଲେ।” ୧୯୩୭ର ନିର୍ବାଚନରେ ଭୋଟଦାନ ଅଧିକାର ପରିସର କିଛିଟା ବ୍ୟାପକ ହୋଇଥିଲା। କିନ୍ତୁ “ଏହାର ଅର୍ଥ ନୁହେଁ ଯେ ଭୋଟ ଦେବାକୁ ୧୫-୨୦ ପ୍ରତିଶତରୁ ଅଧିକ ପ୍ରାପ୍ତବୟସ୍କଙ୍କୁ ଅନୁମତି ଦିଆଯାଇଥିଲା,” ସେ କହନ୍ତି। “ଆଉ ଯେ କୌଣସି ନିର୍ବାଚନ ମଣ୍ଡଳୀରେ ୧,୦୦୦ରୁ ୨,୦୦୦ ଲୋକଙ୍କ ଅପେକ୍ଷା ଅଧିକ ଲୋକ ଭୋଟ ଦେଉ ନଥିଲେ।”