ସାରୁ ନିଜ ଘର ବାହାରେ ଆମ୍ବ ଗଛ ତଳେ ମନଦୁଃଖରେ ବସିଛନ୍ତି। କୋଳରେ ଅସ୍ଥିର ହୋଇ ଖେଳୁଛି ତାଙ୍କର କୁନି ପୁଅ। ଏବେ ଯାଏଁ ସେ ମା କ୍ଷୀର ଛାଡ଼ିନି। ସାରୁ କହିଲେ, "ଏବେ ସମୟ ହୋଇଗଲାଣି, ଯେକୌଣସି ଦିନ ମୋର ପିରିୟଡ୍ସ ହେବ। ସେତେବେଳେ ମୋତେ କୁର୍ମା ଘରକୁ ଯିବାକୁ ପଡ଼ିବ।" ସତକୁ ସତ ‘ପିରିୟଡ୍ ହଟ୍’, ଯାହାକୁ କୁର୍ମା ଘର କୁହାଯାଏ, ସେଠାରେ ଋତୁସ୍ରାବ ସମୟରେ ତାଙ୍କୁ ୪-୫ ଦିନ ରହିବାକୁ ପଡ଼ିବ।
ଏହି ଆସନ୍ନ ପ୍ରାୟ ଘଟଣା ସାରୁଙ୍କୁ (ତାଙ୍କର ପ୍ରକୃତ ନାମ ନୁହେଁ) ଚିନ୍ତିତ କରି ପକାଇଲାଣି। ସେ ନିଜ ନଅ ମାସର ପୁଅକୁ ଶାନ୍ତ କରିବାକୁ ଚେଷ୍ଟା କରୁ କରୁ କହନ୍ତି, “କୁର୍ମା ଘରେ ଅଣନିଶ୍ୱାସୀ ଲାଗେ। ମୋ ପିଲାଙ୍କଠୁ ଦୂରରେ ରହି ମୁଁ ସେଠି ଶୋଇ ପାରେନି।” ତାଙ୍କର ଆଉ ଗୋଟିଏ ଝିଅ ବି ଅଛି, କୋମଲ୍ (ତାର ପ୍ରକୃତ ନାମ ନୁହେଁ), ତାକୁ ସାଢ଼େ ତିନି ବର୍ଷ ଏବଂ ସେ ନର୍ସରୀ ସ୍କୁଲରେ ପଢ଼ୁଛି। “ତା’ର ବି ପାଳି [ମାସିକ ଋତୁସ୍ରାବ] ଦିନେ ଆରମ୍ଭ ହେବ; ଏହା ଭାବି ମୋତେ ଡର ଲାଗୁଛି,” କହନ୍ତି ୩୦ ବର୍ଷର ସାରୁ। ତାଙ୍କ ଝିଅକୁ ବି ମାଡିଆ ଜନଜାତିର ପରମ୍ପରା ମାନିବାକୁ ପଡ଼ିବ ବୋଲି ବ୍ୟସ୍ତ ହୋଇ ପଡ଼ନ୍ତି ସାରୁ।
ସାରୁଙ୍କ ଗାଁରେ ଚାରୋଟି କୁର୍ମା ଘର ଅଛି - ତାଙ୍କ ଘରଠାରୁ ୧୦୦ ମିଟରରୁ କମ୍ ଦୂରରେ ଗୋଟିଏ ଅଛି। ସେହି ଘରଗୁଡ଼ିକୁ ବର୍ତ୍ତମାନ ଗାଁର ୨୭ ଜଣ କିଶୋରୀ ଏବଂ ମହିଳାମାନେ ବ୍ୟବହାର କରୁଛନ୍ତି। “ମୁଁ ମୋର ମା’ ଏବଂ ତାଙ୍କ ମା’ କୁର୍ମା ଘରକୁ ଯାଉଥିବାର ଦେଖି ବଡ଼ ହୋଇଛି। ବର୍ତ୍ତମାନ ମୁଁ ଏହାକୁ ବ୍ୟବହାର କରୁଛି। କିନ୍ତୁ ମୁଁ ଚାହେଁ ନାହିଁ ଯେ କୋମଲ୍ ବି ଏହି ପ୍ରଥାର ଶିକାର ହେଉ,” କହନ୍ତି ସାରୁ।
ମାଡ଼ିଆ, ଏକ ଆଦିବାସୀ ଜନଜାତି, ଋତୁସ୍ରାବ ହେଉଥିବା ମହିଳାମାନଙ୍କୁ ଅଶୁଦ୍ଧ ଏବଂ ଅସ୍ପୃଶ୍ୟ ବୋଲି ମନେ କରନ୍ତି ଏବଂ ଯେତେବେଳେ ସେମାନଙ୍କର ଋତୁସ୍ରାବ ହୁଏ, ସେତେବେଳେ ସେମାନଙ୍କୁ ଦୂରକୁ ପଠାଇ ଦିଅନ୍ତି। ସାରୁ କହନ୍ତି, “ମୁଁ ୧୩ ବର୍ଷ ବୟସରୁ କୁର୍ମା ଘରକୁ ଯାଉଛି।” ସେ ସେତେବେଳେ ମହାରାଷ୍ଟ୍ରର ଗାଡଚିରୋଲି ଜିଲ୍ଲାର ପୂର୍ବ ଭାଗରେ ବର୍ତ୍ତମାନର ଘରଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ଏକ ଗାଁରେ ତାଙ୍କ ବାପାଙ୍କ ଘରେ ଥିଲେ।
ଗତ ୧୮ ବର୍ଷ ମଧ୍ୟରେ, ସାରୁ ତାଙ୍କ ଜୀବନର ପ୍ରାୟ ୧୦୦୦ ଦିନ - ପ୍ରତି ମାସରେ ପ୍ରାୟ ପାଞ୍ଚ ଦିନ – ଏଭଳି ଏକ କୁଡ଼ିଆ ଘରେ ବିତାଇଛନ୍ତି ଯେଉଁଠି ବାଥରୁମ୍ ନାହିଁ, ପାଇପ୍ ପାଣି ଜଳ ନାହିଁ, ବିଦ୍ୟୁତ୍ ନାହିଁ, ଖଟ ନାହିଁ କି ପଙ୍ଖା ନାହିଁ। “ଏହା ଭିତର ଅନ୍ଧାର ଏବଂ ରାତିରେ ବହୁତ ଡର ଲାଗେ। ମୋତେ ଲାଗେ ସତେ ଯେମିତି ଅନ୍ଧକାର ମୋତେ ଖାଇଦେବ,” ସେ କହନ୍ତି। "ମୋତେ ଲାଗେ ଯେମିତି ଜୋର୍ ରେ ଦୌଡ଼ି ମୋ ଘରକୁ ପଳେଇବି ଏବଂ ମୋ ପିଲାମାନଙ୍କୁ ମୋ ଛାତିରେ କୁଣ୍ଢେଇ ଧରିବି... କିନ୍ତୁ ମୁଁ ସେମିତି କରିପାରିବି ନାହିଁ।"


















