ତାମିଲନାଡୁର ବାଡ଼ାନାମେଲି ଗାଁରେ ବିଳମ୍ବିତ ସଞ୍ଜବୁଡ଼। କାରିଅକୋତୁ ପରିବେଷଣ ଲାଗି ପ୍ରସ୍ତୁତ ହେଉଥାଆନ୍ତି ଶ୍ରୀ ପୋନ୍ନିଆମ୍ମାମ ତେରୁକୁତୁ ମଣ୍ଡ୍ରମର ସଦସ୍ୟମାନେ। ସବୁ ଥର ଭଳି, ଏଥର ବି ଏହା ପ୍ରତ୍ୟୁଷରୁ ଗୋଧୂଳି ପର୍ଯ୍ୟନ୍ତ ପରିବେଷଣ କରାଯିବ ଏବଂ ଏଥିରେ ରହିବେ ଅନେକ ଚରିତ୍ର ଓ ସେମାନଙ୍କ ପୋଷାକ ପରିଚ୍ଛଦରେ ବାରମ୍ବାର ପରିବର୍ତ୍ତନ ହେବ।
ନେପଥ୍ୟରେ ପ୍ରସାଧନ ଆରମ୍ଭ କରିସାରିଛନ୍ତି ୩୩ ବର୍ଷୀୟା ଶାର୍ମି। ଲାଲ ପାଉଡ଼ର ସହିତ ତେଲ ମିଶାଇ ନିଜ ପାଇଁ ଲିପଷ୍ଟିକ୍ ତିଆରି କରୁ କରୁ ସେ ଏହି ପ୍ରସାଧନର କେତେକ ମୌଳିକ ନୀତି ସଂପର୍କରେ ବୁଝାଇ ଦିଅନ୍ତି। “ପୁରୁଷ ଓ ମହିଳାଙ୍କ ପାଇଁ ଭିନ୍ନ ଭିନ୍ନ ଅରିଦାରମ ରହିଛି। ଚରିତ୍ର ଓ ଭୂମିକାର ଅବଧି ଅନୁସାରେ ମଧ୍ୟ ଏହା ଭିନ୍ନ ଭିନ୍ନ ହୋଇଥାଏ।’’
ବିଶ୍ୱାସ କରାଯାଏ ଯେ, ଏହା ତାମିଲନାଡୁର ସର୍ବପୁରାତନ କଳା ପରିବେଷଣ ଶୈଳୀ ଏବଂ ଏଥିପ୍ରତି ଉତ୍ସର୍ଗୀକୃତ ଏକ ନାଟକ କମ୍ପାନୀ- ଶ୍ରୀ ପୋନ୍ନିଆମ୍ମାନ ତେରୁକୁତୁ ମଣ୍ଡ୍ରମର ୧୭ ଜଣିଆ କଳାକାର ମଣ୍ଡଳୀର ଚାରି ଜଣ ଭିନ୍ନଲିଙ୍ଗୀ କଳାକାରଙ୍କ ମଧ୍ୟରୁ ଜଣେ ହେଲେ ଶାର୍ମି। “ଆମ ପିଢ଼ି ପୂର୍ବରୁ ମଧ୍ୟ ଲୋକେ ତେରୁକୁତୁ ପରିବେଷଣ କରୁଥିଲେ,” ଶାର୍ମି କହନ୍ତି। “ଏହା ଠିକ୍ କେତେ ବର୍ଷ ପୁରୁଣା ତାହା ମୁଁ କହିପାରିବିନି।”
ତେରୁକୁତୁ, କିମ୍ବା ପଥପ୍ରାନ୍ତ ଥିଏଟର, ସାଧାରଣତଃ ମହାଭାରତ ଏବଂ ରାମାୟଣ ଭଳି ମହାକାବ୍ୟର କାହାଣୀ ଉପରେ ପର୍ଯ୍ୟବସିତ ଏବଂ ଏହା ସାରା ରାତି ପରିବେଷଣ କରାଯାଏ। ସ୍ୱାଭାବିକ ଭାବରେ ପଙ୍ଗୁଣି (ଏପ୍ରିଲ) ଏବଂ ପୁରଟ୍ଟାସି (ସେପ୍ଟେମ୍ବର) ମାସ ମଧ୍ୟରେ ପଡ଼େ ତେରୁକୁତୁ ଋତୁ। ଏହି ସମୟରେ ଶାର୍ମି ଏବଂ ତାଙ୍କ କଳାକାର ଦଳ ସପ୍ତାହର ପ୍ରାୟ ସବୁ କାର୍ଯ୍ୟଦିବସରେ କଳା ପରିବେଷଣ କରନ୍ତି, ଅର୍ଥାତ୍ ମାସକରେ ମୋଟାମୋଟି ୧୫ରୁ ୨୦ ଥର ପରିବେଷଣ। ପ୍ରତି ପରିବେଷଣ ପିଛା ୭୦୦-୮୦୦ ଟଙ୍କା ହିସାବରେ ଜଣେ କଳାକାର ମାସକୁ ପ୍ରାୟ ୧୦,୦୦୦ରୁ ୧୫,୦୦୦ ଟଙ୍କା ରୋଜଗାର କରନ୍ତି।
ହେଲେ, ଥରେ ଏହି ଲୋକନାଟକ ଋତୁ ଶେଷ ହୋଇଗଲେ କଳାକାରମାନେ ରୋଜଗାରର ବିକଳ୍ପ ପନ୍ଥା ଖୋଜିବାକୁ ବାଧ୍ୟ ହୁଅନ୍ତି ଏବଂ ଅନ୍ୟାନ୍ୟ କାର୍ଯ୍ୟ ସହିତ କେବଳ ଅନ୍ତିମ ସଂସ୍କାର ସମୟରେ ପରିବେଷିତ ତେରୁକୁତୁର ଏକ ପ୍ରଥା ଭିତ୍ତିକ ରୂପ, କାରିଅକୁତୁ ବି ପରିବେଷଣ କରନ୍ତି। ତାଙ୍କ ନାଟକ କମ୍ପାନୀର ମୁଖ୍ୟାଳୟ ତିରୁବାଲୁର ଜିଲ୍ଲାର ପଟ୍ଟାରାଇପେରୁମ୍ବୁଦୁରଠାରୁ ପାଖାପାଖି ୬୦ କିଲୋମିଟର ଦୂର ବଡ଼ାନାମେଲିରେ କାରିଅକୁତୁ ପରିବେଷଣ ଲାଗି ସଜବାଜ ହେଉ ହେଉ ଶାର୍ମି କହନ୍ତି, “କାହାରି ମୃତ୍ୟୁ ହେଲେ ଆମକୁ ସପ୍ତାହରେ ଥରେ କି ଦୁଇ ଥର କଳା ପରିବେଷଣର ଅବସର ମିଳେ।”
କୁତୁ ପରିବେଷଣ ଲାଗି ‘ମଞ୍ଚ’ ପ୍ରସ୍ତୁତ ହୋଇସାରିଛି। ମୃତ ବ୍ୟକ୍ତିଙ୍କ ଘର ବାହାରେ କପଡ଼ାର ଏକ ତମ୍ବୁ ଟଣା ଯିବା ସହିତ ଦାଣ୍ଡରେ କଳା ରଙ୍ଗର ଏକ ଚାଦର ବିଛାଇ ଦିଆଯାଇଛି। ଘର ସାମନାରେ ପରଲୋକଗତ ବ୍ୟକ୍ତିଙ୍କର ଫଟୋ ଏବଂ ଏହାକୁ ଘେରି ମିଞ୍ଜିମିଞ୍ଜି ହୋଇ ଜଳୁଥିବା ଛୋଟ ଛୋଟ ଦୀପ ରଖାଯାଇଛି। ଦାଣ୍ଡରେ ଥୁଆ ହୋଇଥିବା ବେଞ୍ଚ, ବଡ଼ ବଡ଼ ପାତ୍ର ଏବଂ ଟେବୁଲ ଦେଖିଲେ ଜାଣିହୁଏ ଯେ ଭୋଜନ ପାଇଁ ଏହି ବନ୍ଦୋବସ୍ତ କରାଯାଇଛି।
“ଗାଁ ସାରା ନିରବ ହୋଇଗଲେ ଆମେ ଆମ ବାଦ୍ୟଯନ୍ତ୍ର ସଜାଡ଼ିବା ଆରମ୍ଭ କରୁ, ସେଗୁଡ଼ିକରୁ ଠିକ୍ ସ୍ୱର ବାହାରୁଛି ଏବଂ ଶୁଣାଯାଉଛି ବୋଲି ପରଖି ନେଉ। ଆମେ ବେଶ ହେବା ବି ଆରମ୍ଭ କରି ଦେଉ,” ଶାର୍ମି କହନ୍ତି। ମୁଡ଼ି (ମୁକୁଟ, ପରିବେଷଣ ସମୟରେ ପିନ୍ଧାଯାଉଥିବା ଅନ୍ୟତମ ଆଭୂଷଣ) ପ୍ରତି ପୁସାଇ (ନୈବେଦ୍ୟ) ସହିତ ରାତି ୧୦ଟା ସୁଦ୍ଧା କୁତୁ ଆରମ୍ଭ ହୁଏ। “ନାଟକକୁ ସମ୍ମାନ ପ୍ରଦର୍ଶନ ଉପଲକ୍ଷେ ପୁସାଇ ଅନୁଷ୍ଠିତ ହୁଏ। ନାଟକ ପରିବେଷଣ ସଫଳ ହେଉ ଏବଂ କଳାକାରମାନେ ନିରାପଦରେ ଘରକୁ ଫେରନ୍ତୁ ବୋଲି ଆମେ ପ୍ରାର୍ଥନା କରିଥାଉ,” ସେ ବୁଝାଇ ଦିଅନ୍ତି।
ଆଜି ସନ୍ଧ୍ୟାର ନାଟକ ହେଉଛି ମିନ୍ନାଲୋଲି ଶିବ ପୂଜା , ଯାହାକି ମହାଭାରତର ଏକ କାହାଣୀ ଉପରେ ପର୍ଯ୍ୟବସିତ। ପାଣ୍ଡବ ଯୁବରାଜ ଅର୍ଜୁନନ୍ ଏବଂ ତାଙ୍କ ଆଠ ଜଣ ପତ୍ନୀଙ୍କ ସଂପର୍କିତ ଏହି କାହାଣୀ। “ମୁଁ ସମସ୍ତ ଆଠଟି ଭୂମିକାରେ ଅଭିନୟ କରିପାରିବି, (କିନ୍ତୁ) ଆଜି ମୁଁ ବୋଗାବତୀ ଭୂମିକାରେ ଅଭିନୟ କରୁଛି,” ଶାର୍ମି କହନ୍ତି। ଏହା ସହିତ ମହାକାବ୍ୟରେ ବର୍ଣ୍ଣିତ ବିଭିନ୍ନ ନାମ ଏବଂ ବିଭିନ୍ନ ଚରିତ୍ରର ଜଟିଳତା ସଂପର୍କରେ ସେ କହି ଚାଲନ୍ତି।
କଥାବସ୍ତୁ ବୁଝାଇ ଦେବାକୁ ଯାଇ ସେ କହନ୍ତି ଯେ, ଅର୍ଜୁନଙ୍କ ଆଠ ଜଣ ପତ୍ନୀଙ୍କ ମଧ୍ୟରୁ ଜଣେ ହେଲେ ମିନାଲୋଲି (ବିଜୁଳି)। ରାଜା ମେଗାରାସନ (ମେଘ ରାଜା) ଏବଂ ରାଣୀ କୋଡ଼ିକାଲ୍ଲାଦେବୀଙ୍କ ଝିଅ। ତାଙ୍କ ବୟସ ପାଞ୍ଚ ବର୍ଷ ହୋଇଥିବା ବେଳେ ଅର୍ଜୁନନ୍ଙ୍କ ସହିତ ତାଙ୍କର ବିବାହ କରିଦିଆଯାଇଥିଲା। ପ୍ରାପ୍ତବୟସ୍କା ହେବା ପରେ ସେ ଯେତେବେଳେ ତାଙ୍କ ବାପାମାଆଙ୍କୁ ସ୍ୱାମୀଙ୍କ ସଂପର୍କରେ ପଚାରିଲେ, ସ୍ୱାମୀଙ୍କୁ ସାକ୍ଷାତ କରିବା ଲାଗି ୪୮ ଦିନ ପାଇଁ ଶିବପୁସାଇ (ଭଗବାନ ଶିବଙ୍କୁ ନୈବେଦ୍ୟ ଅର୍ପଣ) କରିବାକୁ ତାଙ୍କୁ କୁହାଗଲା। ମିନାଲୋଲି ୪୭ ଦିନ ଯାଏ ନିଷ୍ଠାର ସହିତ ପୂଜାରୀତି ପାଳନ କଲେ। ପୂଜାବିଧି ପାଳନର ୪୮ତମ ଦିବସରେ ସେ ପୁସାଇ କରିବା ପୂର୍ବରୁ ଅର୍ଜୁନନ ତାଙ୍କୁ ଦେଖା କରିବା ପାଇଁ ଆସି ପହଞ୍ଚିଲେ। ସେ ତାଙ୍କ ସହ ସାକ୍ଷାତ କରିବାକୁ ମନା କରି ପୁସାଇ ସଂପନ୍ନ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଲେ। ଅର୍ଜୁନନ୍ ତାଙ୍କ କଥା ଶୁଣିଲେ ନାହିଁ। ଏହି କଥାବସ୍ତୁକୁ ନେଇ ରଚିତ ନାଟକଟି ବିଭିନ୍ନ ମୋଡ଼ ଦେଇ ଆଗକୁ ବଢ଼ିଛି ଏବଂ ଶେଷରେ ଭଗବାନ ଶ୍ରୀକୃଷ୍ଣ ପହଞ୍ଚିବା ପରେ ମିନାଲୋଲି ଓ ଅର୍ଜୁନନ୍ଙ୍କ ପୁନର୍ମିଳନ ସହିତ ନାଟକର ଏକ ସୁଖଦ ପରିସମାପ୍ତି ଘଟିଛି।
ତାଙ୍କ ଓଠରେ ମାଇ (କଳା ସ୍ୟାହି) ଲଗାଇବା ଆରମ୍ଭ କରନ୍ତି ଶାର୍ମି। “ମୋ ଓଠରେ ମାଇ ଲଗାଇବା ଦେଖି ଅନେକ ଲୋକ ଏହାକୁ ଲଗାଇବା ଆରମ୍ଭ କରିଛନ୍ତି,” ସେ କହନ୍ତି। “ଆଜିକାଲି ମୋ ବେଶଭୁଷା ଦେଖି ମୁଁ ପ୍ରକୃତରେ ଜଣେ ମହିଳା କି ବୋଲି ଲୋକେ ମୋତେ ପଚାରନ୍ତି। (ମୁଁ ଚାହେଁ) ମୁଁ ଯେତେବେଳେ ବେଶଭୁଷା ହୋଇ ବାହାରିବି ଲୋକେ ମୋ ଉପରୁ ନଜର ହଟାଇ ପାରିବେ ନାହିଁ।”
ଶାର୍ମିଙ୍କର “ପ୍ରସାଧନ ପ୍ରତି ଆବେଗ” ଏତେ ବେଶୀ ଯେ କିଛି ବର୍ଷ ତଳେ ସେ ଛଅମାସିଆ ବିୟୁଟିସିଆନ୍ ପାଠ୍ୟକ୍ରମ ଶେଷ କରିଛନ୍ତି। “କିନ୍ତୁ (ଲିଙ୍ଗ ପରିବର୍ତ୍ତନ ନିରୂପଣ) ପୂର୍ବରୁ ମୋତେ ମହିଳାଙ୍କ ଭଳି ପ୍ରସାଧନ କରିବାକୁ ଅନୁମତି ଦିଆଯାଉ ନଥିଲା।”
ଶାର୍ମିଙ୍କୁ ତାଙ୍କର ଅରିଦାରମ କରିବା ପାଇଁ ପାଖାପାଖି ଦେଢ଼ ଘଣ୍ଟା ଲାଗେ। ଶାଢ଼ି ପିନ୍ଧିବାରେ ଶେଷ ହୁଏ ତାଙ୍କର ବୋଗାବତୀ ‘ରୂପ’। “ମୋତେ କେହି ଶାଢ଼ି ପିନ୍ଧାଇବା ଶିଖାଇ ନାହାନ୍ତି। ମୁଁ ନିଜକୁ ନିଜେ ଶାଢ଼ି ପିନ୍ଧି ଶିଖିଲି। ମୁଁ ନିଜେ ମୋ ନାକ ଓ କାନରେ କଣା କଲି। ଏ ସବୁ ମୁଁ ନିଜେ ନିଜେ ଶିଖିଛି,” ସେ କହନ୍ତି।
“କେବଳ ଡାକ୍ତରମାନେ ହିଁ ଅପରେସନ୍ କରନ୍ତି। କେମିତି ଅପରେସନ କରିବାକୁ ହୁଏ ଜାଣିଥିଲେ, ମୁଁ ନିଜେ ନିଜେ ତାହା ବି କରି ପାରିଥାଆନ୍ତି। କିନ୍ତୁ ମୋତେ ହାସପାତାଳରେ ୫୦,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଲା,” ୨୩ ବର୍ଷ ବୟସରେ ତାଙ୍କ ଶରୀରରେ ହୋଇଥିବା ଲିଙ୍ଗ ନିରୂପଣ ଅସ୍ତ୍ରୋପଚାର ସଂପର୍କରେ ସେ କହନ୍ତି।
“ଜଣେ ଭିନ୍ନଲିଙ୍ଗୀ ମହିଳା ଶାଢ଼ି ପିନ୍ଧିବା କଥାକୁ ଏ ପର୍ଯ୍ୟନ୍ତ ସ୍ୱାଭାବିକ ଭାବରେ ଗ୍ରହଣ କରାଯାଇନାହିଁ। ଅନ୍ୟ ମହିଳାଙ୍କ ଭଳି ଆମେ ଶାଢ଼ି ପନ୍ଧି ସହଜରେ ରାସ୍ତାରେ ଚାଲି ପାରିବୁ ନାହିଁ,” ସେ କହନ୍ତି। କିନ୍ତୁ ଅନ୍ୟ ଭିନ୍ନଲିଙ୍ଗୀ ମହିଳାମାନେ ବାରମ୍ବାର ସମ୍ମୁଖୀନ ହେଉଥିବା ଆକ୍ରୋଶ ଓ ଉତ୍ପୀଡ଼ନରୁ ତାଙ୍କୁ ତାଙ୍କ ବୃତ୍ତି ହିଁ ସୁରକ୍ଷିତ ରଖିଥାଏ। “ଲୋକେ ମୋତେ ସମ୍ମାନ ଦିଅନ୍ତି, କାରଣ ମୁଁ ଜଣେ ଥିଏଟର କଳାକାର।”
*****
“ମୁଁ (ତାମିଲନାଡୁର) ତିରୁବାଲୁର ଜିଲ୍ଲାର ଇକାଡୁ ଗାଁରୁ ଆସିଛି,” ତାଙ୍କ ତୋପ୍ପା (ୱିଗ୍)ରେ ପାନିଆ ଚଲାଉ ଚଲାଉ ଶାର୍ମି କହନ୍ତି। ପିଲାବେଳେ ଗୀତ ଗାଇବା ଏବଂ ସଂଳାପ ଦେବା ପ୍ରତି ପ୍ରାକୃତିକ ଭାବେ ତାଙ୍କର ଆଗ୍ରହ ଜାତ ହୋଇଥିବା କଥା ସେ ମନେ ରଖିଛନ୍ତି। “ପିଲାଟି ଦିନରୁ ମୁଁ ଥିଏଟର ପ୍ରେମରେ ପଡ଼ିଗଲି। ମୁଁ (ଏହା ସହ ସଂପର୍କିତ) ସବୁ କଥାକୁ ଭଲ ପାଉଥିଲି- ପ୍ରସାଧନକୁ, ପୋଷାକ ପରିଚ୍ଛଦକୁ। କିନ୍ତୁ ମୁଁ ଯେ ଦିନେ ଥିଏଟରର କଳାକାରଟିଏ ହୋଇପାରିବି ବୋଲି କେବେହେଲେ କଳ୍ପନା କରିନଥିଲି।”
ପୁରୁଣା କଥାକୁ ସେ ମନେ ପକାନ୍ତି ଯେ, କେମିତି ରାସ୍ତାରେ ପରିବେଷିତ ନାଚ ଓ ବାଦ୍ୟର ଏକ କାର୍ଯ୍ୟକ୍ରମ- ‘ରାଜା ରାଣୀ ଡ୍ୟାନ୍ସ’ରୁ ତାଙ୍କର ନାଟକ ଯାତ୍ରା ଆରମ୍ଭ ହୋଇଥିଲା। “ସେତେବେଳେ, ପ୍ରାୟ ଦଶ ବର୍ଷ କାଳ ମୁଁ ସମସାମୟିକ କାହାଣୀ ଉପରେ ଆଧାରିତ ଏବଂ ମଞ୍ଚ ଉପରେ ପରିବେଷିତ ତେରୁକୁତୁରେ ଅଭିନୟ କରୁଥିଲି। ପାଖାପାଖି ଚାରି ବର୍ଷ ତଳେ ମୁଁ ତେରୁକୁତୁରେ ଅଭିନୟ ଆରମ୍ଭ କରିଥିଲି।”
ନେପଥ୍ୟରେ, ଚରିତ୍ର ଅଭିନେତାମାନେ ଅରିଦାରମ ଲଗାଇବା ଆରମ୍ଭ କରିସାରିଥିଲେ। ଶାର୍ମି କହି ଚାଲିଥିଲେ ତାଙ୍କ ଅତୀତର କଥା। “ମୋ ପରିବାର ଲୋକେ ମୋତେ ଜଣେ ଝିଅ ଭାବରେ ପାଳନ କରୁଥିଲେ। ସେହି ଅନୁଭୂତି ଥିଲା ବେଶ୍ ପ୍ରାକୃତିକ,” ସେ ମନେ ପକାନ୍ତି। ସେ ଚତୁର୍ଥ ଶ୍ରେଣୀରେ ପଢୁଥିବା ବେଳେ ତାଙ୍କର ଭିନ୍ନଲିଙ୍ଗୀ ପରିଚୟ ସଂପର୍କରେ ଜାଣିପାରିଲେ। “କିନ୍ତୁ ଏ ସଂପର୍କରେ ଅନ୍ୟମାନଙ୍କୁ କିଭଳି ଅବଗତ କରାଇ ହେବ ବୋଲି ମୁଁ ନିଶ୍ଚିତ ନଥିଲି।”
ଏ ଯାତ୍ରା ଏତେ ସହଜ ନଥିଲା ବୋଲି ସେ ପରେ ଜାଣିପାରିଲେ। ସ୍କୁଲରେ ସାଙ୍ଗମାନଙ୍କ ଟାହିଟାପରା ସହି ନପାରି ସେ ଦଶମ ଶ୍ରେଣୀରୁ ପାଠପଢ଼ା ଛାଡ଼ିଲେ। “ସେହି ସମୟରେ ତିରୁଡ଼ା ତିରୁଡ଼ି ନାମକ ଏକ ସିନେମା ମୁକ୍ତିଲାଭ କରିଥିଲା। ଆମ ଶ୍ରେଣୀର ପୁଅମାନେ ମୋତେ ଚାରିପଟୁ ଘେରିଯାଇ ଭଣ୍ଡାରାକୁଲାଲି ଗୀତର (ଭିନ୍ନଲିଙ୍ଗୀ ବ୍ୟକ୍ତିମାନଙ୍କ ପ୍ରତି ଅଶ୍ଳୀଳ ଟିପ୍ପଣୀ ଥିବା ଏକ ଲୋକପ୍ରିୟ ଗୀତ) କେତେକ ପଦ ଗାଇ ମୋତେ ଚିଡ଼ାଇବାରେ ଲାଗିଲେ। ତା’ ପରଠାରୁ ମୁଁ ଆଉ ସ୍କୁଲ ଗଲି ନାହିଁ।
“ମୁଁ (କାହିଁକି ସ୍କୁଲ ଯିବା ବନ୍ଦ କରିଦେଲି ବୋଲି) ମୋ ବାପାମାଆଙ୍କୁ କିଛି କହିପାରିଲିନାହିଁ। ସେମାନେ ତାହା ବୁଝିବା ଭଳି ସ୍ଥିତିରେ ନଥିଲେ। ତେଣୁ ମୁଁ କିଛି କହିଲି ନାହିଁ,” ସେ କହନ୍ତି। “କିଶୋର ବୟସର ପ୍ରାରମ୍ଭରୁ ମୁଁ ଘରୁ ଲୁଚି ପଳାଇଲି ଏବଂ ୧ ୫ ବର୍ଷ ପରେ ଫେରିଲି।”
ହେଲେ, ଏତେଟା ସହଜ ନଥିଲା ତାଙ୍କ ଘରବାହୁଡ଼ା। ସେ ବାହାରେ ରହୁଥିବା ସମୟରେ, ତାଙ୍କ ପିଲାଦିନର ଘରଟି ପୂରା ଭାଙ୍ଗିରୁଜି ଯାଇଥିଲା ଏବଂ ବାସୋପଯୋଗୀ ହୋଇ ରହି ନଥିଲା। ଫଳରେ ବାଧ୍ୟ ହୋଇ ସେ ଭଡ଼ାଘର ଖୋଜିବାରେ ଲାଗିଲେ। “ମୁଁ ଏହି ଗାଁରେ ବଢ଼ିଥିଲି ସତ, ହେଲେ ମୋତେ ଏହି ଗାଁରେ ଭଡ଼ାରେ ଘର ମିଳିଲା ନାହିଁ। କାରଣ ମୁଁ ଭିନ୍ନଲିଙ୍ଗୀ ବ୍ୟକ୍ତି,” ଶାର୍ମି କହନ୍ତି। “ସେମାନେ (ଘରମାଲିକମାନେ) ଭାବନ୍ତି ଯେ ଆମେ ଘରେ ଯୌନ କାରବାର କରୁ।” ପରିଶେଷରେ ସେ ଗାଁର କେନ୍ଦ୍ରସ୍ଥଳରୁ ଅନେକ ଦୂରରେ ମିଳିଥିବା ଗୋଟିଏ ଭଡ଼ାଘରକୁ ଚାଲିଗଲେ।
ଆଦି ଦ୍ରାବିଡ଼ର (ଅନୁସୂଚିତ ଜାତି ରୂପେ ତାଲିକାଭୁକ୍ତ) ସଂପ୍ରଦାୟର ଶାର୍ମି ଏବେ ତାଙ୍କ ୫୭ ବର୍ଷୀୟା ମାଆ ଓ ତାଙ୍କର ୧୦ଟି ଛେଳି ସହ ରହୁଛନ୍ତି। ତେରୁକୁତୁ ନ ଥିବା ମାସରେ ଏହି ଛେଳିମାନେ ତାଙ୍କ ରୋଜଗାରର ଉତ୍ସ ପାଲଟି ଯାଆନ୍ତି।
“ମୋର ଏକମାତ୍ର ବୃତ୍ତି ହେଉଛି ତେରୁକୁତୁ। ଏହା ମଧ୍ୟ ଏକ ସମ୍ମାନଜନକ ବୃତ୍ତି। ଲୋକଙ୍କ ଭିତରେ ମୋର ମର୍ଯ୍ୟାଦାପୂର୍ଣ୍ଣ ସ୍ଥିତି ଯୋଗୁଁ ମୋତେ ଖୁସି ଲାଗେ,” ସେ କହନ୍ତି। “ଯେତେବେଳେ ତେରୁକୁତୁ ନଥାଏ (ଅକ୍ଟୋବର ଏବଂ ମାର୍ଚ୍ଚ ମଧ୍ୟରେ) ଆମେ ଛେଳି ବିକି ଚଳୁ। ମୁଁ ପିଚାଇ (ଭିକ ମାଗିବା) ପାଇଁ କିମ୍ବା ଯୌନକ୍ରିୟା ଲାଗି ଯିବାକୁ ଚାହେଁ ନାହିଁ।”
ଶାର୍ମିଙ୍କର ରୋଗୀସେବା ପ୍ରତି ଖୁବ୍ ଆଗ୍ରହ ରହିଛି। “ମୋ ଛେଳିମାନେ ରୋଗରେ ପଡ଼ିଲେ ମୁଁ ସେମାନଙ୍କର ଚିକିତ୍ସା କରିଥାଏ। ଏମିତି କି ସେମାନଙ୍କ ପ୍ରସବ ପୀଡ଼ା ସମୟରେ ମୁଁ ଧାଈ ପାଲଟି ଯାଏ,” ସେ କହନ୍ତି। “କିନ୍ତୁ ମୁଁ ଜଣେ ପେସାଦାର ନର୍ସ ହୋଇପାରିବି ନାହିଁ।”
*****
ଦର୍ଶକମାନଙ୍କର ଧ୍ୟାନ ଆକର୍ଷଣ କରିବା ଲାଗି ଜଣେ ଜୋକରଙ୍କ ଗୀତ ବୋଲିବା ଓ ହସକଥା ଶୁଣାଇବାରୁ ନାଟକ ପରିବେଷଣ ଆରମ୍ଭ ହୁଏ। ତା’ପରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ପୁରୁଷ ଅଭିନେତା ମଞ୍ଚକୁ ଆସନ୍ତି। ମେଗାରାଜନ ଓ କୋଡ଼ିକାଲାଦେବୀ ସେମାନଙ୍କର ପରିଚୟ ପ୍ରଦାନ ନିମନ୍ତେ ରଚିତ ଗୀତ ପରିବେଷଣ କରନ୍ତି ଏବଂ ନାଟକ ଆରମ୍ଭ ହେବା ସଂପର୍କରେ ଘୋଷଣା କରନ୍ତି।
ହାସ୍ୟରସ, ଗୀତ ଏବଂ ବିଳାପ ଗୀତି ଭିତର ଦେଇ କ୍ଷୀପ୍ର ଗତିରେ ଆଗେଇ ଚାଲେ ନାଟକର କାହାଣୀ। ଜୋକର ଭାବରେ ଅଭିନୟ କରୁଥିବା ମୁନୁସାମୀ ତାଙ୍କ କଥା ଓ କାର୍ଯ୍ୟକଳାପରେ ଲୋକଙ୍କୁ ହସାଇ ହସାଇ ବେଦମ୍ କରି ପକାନ୍ତି। ନାଟକ ଅବସରରେ ଶାର୍ମି ଏବଂ ଅନ୍ୟ କଳାକାରମାନେ ପ୍ରାୟ ୧୦ ଥର ସେମାନଙ୍କ ପୋଷାକ ପରିଚ୍ଛଦ ବଦଳାଇ ଥାଆନ୍ତି, ଯାହାକି ଦର୍ଶକଙ୍କ ଲାଗି ବେଶ୍ ଆମୋଦଦାୟକ ହୋଇଥାଏ। ନାଟକର ମୂଳରୁ ଶେଷ ଯାଏଁ, ମଝିରେ ମଝିରେ ଗୋଟିଏ ଚାବୁକ୍ର ପ୍ରହାର ଶବ୍ଦ ମଞ୍ଚରେ ପରିବେଷିତ କାର୍ଯ୍ୟକ୍ରମରେ ନାଟକୀୟତା ଭରି ଦେବା ସହିତ ଦର୍ଶକଙ୍କ ଆଖିରୁ ନିଦ ଛଡ଼ାଇ ନେବାରେ ସହାୟକ ହୋଇଥାଏ।
ଭୋର୍ ପ୍ରାୟ ୩ଟା ୩୦ ବେଳକୁ ସାରା ଜୀବନ ବିଧବା ରୂପରେ କାଟିବା ଲାଗି ଅର୍ଜୁନନଙ୍କ ଦ୍ୱାରା ଅଭିଶାପ ପାଇଥିବା ମିନାଲୋଲି ମଞ୍ଚ ଉପରକୁ ଆସନ୍ତି। ନିଜେ ନାଟ୍ୟକାର ରୁବାନ ଏହି ଭୂମିକାରେ ଅଭିନୟ କରନ୍ତି। ତାଙ୍କ କଣ୍ଠରେ ଓପାରି (ଶୋକଗୀତି) ଆବୃତ୍ତି ଏତେ ଭାବପୂର୍ଣ୍ଣ ଯେ ଅଧିକାଂଶ ଦର୍ଶକ କାନ୍ଦି ପକାନ୍ତି। ସେ ଗାଉଥିବା ବେଳେ କେତେକ ଦର୍ଶକ ରୁବାନଙ୍କ ହାତରେ ଟଙ୍କା ଗୁଞ୍ଜି ଦିଅନ୍ତି। ଏହି ଦୃଶ୍ୟ ଶେଷ ହେବା ପରେ ପୁଣି ଜୋକର୍ ମଞ୍ଚକୁ ଆସି ଲୋକଙ୍କୁ ହାସ୍ୟରସର ଖୋରାକ ଯୋଗାନ୍ତି।
ସୂର୍ଯ୍ୟ ଉଦୟ ହେବା ଉପରେ। ଏଇ ମାତ୍ର ମିନାଲୋଲି ଓ ଅର୍ଜୁନନଙ୍କ ପୁନର୍ମିଳନ ଘଟିଛି। ରୁବାନ ମୃତକମାନଙ୍କ ନାଁ ଧରି ଆବାହନ କରନ୍ତି ଏବଂ ସେମାନଙ୍କ ଆଶୀର୍ବାଦ କାମନା କରନ୍ତି। ତା’ପରେ ସେ ଦର୍ଶକମାନଙ୍କୁ ଧନ୍ୟବାଦ ଦେବା ସହିତ ନାଟକର ପରିସମାପ୍ତି ଘୋଷଣା କରନ୍ତି। ସମୟ ସକାଳ ୬ଟା। କାମ ସାରିବାର ବେଳ।
କଳାକାରମାନେ ଘରକୁ ଯିବା ପାଇଁ ପ୍ରସ୍ତୁତ ହୁଅନ୍ତି। ସେମାନେ କ୍ଳାନ୍ତ ସତ, କିନ୍ତୁ ଏହି ମୁହୂର୍ତ୍ତରେ ଖୁବ୍ ଖୁସି। ନାଟକ ପରିବେଷଣ ସଫଳ ହୋଇଛି, କୌଣସି ଅଘଟଣ ଘଟିନାହିଁ। “ବେଳେବେଳେ, ଲୋକେ ଆମକୁ (ନାଟକ ଚାଲିଥିବା ବେଳେ) ଚିଡ଼ାନ୍ତି। ବାସ୍ତବରେ, ଥରେ ଜଣେ ଲୋକ ମୋତେ ଛୁରୀ ଭୁସି ଦେବାକୁ ଉଦ୍ୟମ କରିଥିଲା। କାରଣ, ମୁଁ ତାକୁ ମୋ ଫୋନ୍ ନମ୍ବର ଦେବାକୁ ମନା କରିଦେଇଥିଲି,” ଶାର୍ମି କହନ୍ତି। “ଆମେ ଭିନ୍ନଲିଙ୍ଗୀ ମହିଳା ବୋଲି ଜାଣିଯିବା ପରେ ସେମାନେ ଆମ ପ୍ରତି ଅଭଦ୍ର ବ୍ୟବହାର କରନ୍ତି, ଏମିତି କି ଯୌନକ୍ରିୟା ଲାଗି ଅଡ଼ି ବସନ୍ତି। କିନ୍ତୁ ସେମାନେ ବୁଝନ୍ତି ନାହିଁ ଯେ ଆମେ ବି ମଣିଷ। ଯଦି, କେବଳ ମୁହୂର୍ତ୍ତକ ପାଇଁ ଅଟକି ଯାଇ, ସେମାନେ ଆମେ ସମ୍ମୁଖୀନ ହେଉଥିବା ସମସ୍ୟା କଥା ଚିନ୍ତା କରନ୍ତେ, ତେବେ ସେମାନେ ଏସବୁ କରନ୍ତେ ନାହିଁ।”
ଅରିଦାରମ ସହଜରେ ଛାଡ଼େ ନାହିଁ, ତେଣୁ କଳାକାରମାନେ ଏହା ଉପରେ ତେଲ ଲଗାଇ କପଡ଼ାରେ ପୋଛି ସଫା କରନ୍ତି। “ଆମେ ଘରେ ପହଞ୍ଚିବା ବେଳକୁ ସକାଳ ୯ଟା କି ୧୦ଟା ବାଜିଥାଏ। ଏହା ଆମେ କେତେ ଦୂର ଆସିଛୁ, ତାହା ଉପରେ ନିର୍ଭର କରେ। ମୁଁ ଘରେ ପହଞ୍ଚିଲା ପରେ ରାନ୍ଧେ, ଖାଏ ଏବଂ ଶୋଇଯାଏ। ହୁଏତ ମୁଁ ଉପରଓଳି ଉଠିଲେ ଖାଏ କିମ୍ବା ସଞ୍ଜ ହେଲା ଯାଏଁ ଶୋଇ ରହିଥାଏ,” ଶାର୍ମି କହନ୍ତି। “(କୁତୁ ଋତୁ ଅବସରରେ) କ୍ରମାଗତ ଭାବେ ପରିବେଷଣ କରୁଥିଲେ ବି କେହି ଥକି ଯାଆନ୍ତିନି। ଦୁଇଟି ପରିବେଷଣ ମଝିରେ ଲମ୍ବା ବ୍ୟବଧାନ ରହିଥିବାରୁ କେବଳ ଉତ୍ସବ ନଥିବା ସମୟରେ ପରିବେଷଣ କଲେ କ୍ଳାନ୍ତ ଲାଗେ।”
ଶାର୍ମିଙ୍କ କହିବା କଥା ଯେ ବିଶ୍ରାମ ନେଲେ କି ଅଳ୍ପ କାମ କଲେ ତାଙ୍କୁ ପୋଷାଇବ ନାହିଁ। ଜଣେ ତେରୁକୁତୁ କଳାକାରର ଜୀବନ ଯାତ୍ରାରେ ବୟସ ବଡ଼କଥା: କଳାକାର ଯେତେ ଯୁବା ବୟସର ହେବେ ଏବଂ ସୁସ୍ଥ ରହିବେ ତାଙ୍କ ପାଇଁ ରୋଜଗାରର ସମ୍ଭାବନା ସେତେ ବେଶୀ ରହିବ। ସାଧାରଣତଃ ଗୋଟିଏ ନାଟକ ପାଇଁ ୭୦୦ରୁ ୮୦୦ ଟଙ୍କା ଭଳି ଭଲ ରୋଜଗାର କରିପାରିବେ। ବୟସ ବଢ଼ିବା ସହିତ ସେମାନଙ୍କୁ ଅଳ୍ପସଂଖ୍ୟକ ନାଟକରେ ଅଭିନୟର ପ୍ରସ୍ତାବ ମିଳିଥାଏ ଏବଂ ତାହା ବି ନାଟକ ପିଛା ୪୦୦ରୁ ୫୦୦ ଟଙ୍କା ଭଳି କମ୍ ପାଉଣାରେ।
ଶାର୍ମି କହନ୍ତି, “ଜଣେ ଥିଏଟର କଳାକାର ଭାବରେ ଆମକୁ ସେ ପର୍ଯ୍ୟନ୍ତ କାମ ମିଳେ, ଯେଉଁ ପର୍ଯ୍ୟନ୍ତ ଆମ ମୁହଁ ସୁନ୍ଦର ଦିଶୁଥାଏ, ଶରୀରରେ ଶକ୍ତି ଥାଏ। ମୁଁ ସେ ସବୁ (ସୌନ୍ଦର୍ଯ୍ୟ, ସମ୍ମାନ, କାର୍ଯ୍ୟ) ହରାଇବା ପୂର୍ବରୁ ଗୋଟିଏ ଘର (ତିଆରି ପାଇଁ ପର୍ଯ୍ୟାପ୍ତ ଟଙ୍କା) ପାଇଁ ରୋଜଗାର କରିବା ଦରକାର, ଯେଉଁ ଘରେ ମୁଁ ରହିବି ଏବଂ ଆମେ ଚଳିବା ପାଇଁ ଛୋଟିଆ ବ୍ୟବସାୟଟିଏ (ସ୍ଥାପନ) କରିପାରିବି। ତେବେ ଯାଇ ଆମେ ବୁଢ଼ା ବୟସରେ ବଞ୍ଚି ରହିପାରିବୁ !”
ଏହି ଆଲେଖ୍ୟ ପ୍ରସ୍ତୁତିରେ ମୃଣାଳିନୀ ମୁଖାର୍ଜୀ ଫାଉଣ୍ଡେସନ (MMF) ର ଏକ ଫେଲୋସିପ୍ର ସହାୟତା ରହିଛି ।
ଅନୁବାଦ : ଓଡ଼ିଶାଲାଇଭ୍