‘‘ୟେ ବାରା ଲାଖ୍ ୱାଲା ନା? ଇସି କି ବାତ୍ କର୍ ରହେ ହୈ ନା?’’ ଶାହିଦ ହୁସୈନ (୩୦) ତାଙ୍କ ଫୋନରେ ହ୍ୱାଟ୍ସ ଆପ୍ ମେସେଜ୍ ଧରି ମୋ ଆଗରେ ଛିଡ଼ା ହୋଇଛନ୍ତି । ଏହା ଆୟକର ସୀମା ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯିବା ସହ ଜଡ଼ିତ। ଶାହିଦ ଜଣେ କ୍ରେନ୍ ଅପରେଟର ଏବଂ ସେ ବେଙ୍ଗାଲୁରୁରେ ଏକ ମେଟ୍ରୋ ଲାଇନରେ ନାଗାର୍ଜୁନ କନଷ୍ଟ୍ରକ୍ସନ କମ୍ପାନୀ ସହ କାମ କରୁଛନ୍ତି।
‘‘ଆମେ ୧୨ ଲକ୍ଷ ଟଙ୍କା ଟିକସ-ମୁକ୍ତ ବଜେଟ୍ ବିଷୟରେ ଅନେକ ଚର୍ଚ୍ଚା ଶୁଣୁଛୁ,’’ ସେହି ସ୍ଥାନରେ କାମ କରୁଥିବା ବ୍ରିଜେଶ ଯାଦବ ବ୍ୟଙ୍ଗ କରି କୁହନ୍ତି। ‘‘ଏଠାରେ କେହି ଜଣେ ହେଲେ ବାର୍ଷିକ ୩.୫ ଲକ୍ଷ (ଟଙ୍କା) ଠାରୁ ଅଧିକ ରୋଜଗାର କରନ୍ତି ନାହିଁ।’’ ୨୦ ବର୍ଷରୁ ଅଧିକ ବୟସ୍କ ବ୍ରିଜେଶ ଉତ୍ତର ପ୍ରଦେଶ ଦେଓରିଆ ଜିଲ୍ଲାରେ ଥିବା ଡୁମାରିଆ ଗ୍ରାମର ଜଣେ ଅଣକୁଶଳୀ ପ୍ରବାସୀ ଶ୍ରମିକ।
‘‘ଏହି କାମ ଚାଲୁଥିବା ବେଳେ, ଆମେ ମାସକୁ ପ୍ରାୟ ୩୦,୦୦୦ ଟଙ୍କା ରୋଜଗାର କରିବୁ,’’ ବିହାରର କୈମୁର (ଭାବୁଆ) ଜିଲ୍ଲାର ବାସିନ୍ଦା ଶାହିଦ୍ କୁହନ୍ତି। ସେ କାମ ଖୋଜିବା ପାଇଁ ଅନେକ ରାଜ୍ୟକୁ ଯାଇଛନ୍ତି। ‘‘ଏହି ଚାକିରି ପରେ, ହୁଏତ କମ୍ପାନୀ ଆମକୁ ଅନ୍ୟତ୍ର ପଠାଇବ, କିମ୍ବା ଆମେ ଅନ୍ୟ କାମ ଖୋଜିବୁ ଯାହା ୧୦-୧୫ ଟଙ୍କା ଅଧିକ ଦେବ।’’






