ବଜେଟ୍ ବିଷୟରେ ଜାଣିବା ପୁରୁଷ ଲୋକଙ୍କ କାମ ବୋଲି ଅଞ୍ଜନା ଦେବୀ ବିଶ୍ୱାସ କରନ୍ତି।
‘‘ମରଦ ଲୋଗ୍ ହି ଜାନତା ହୈ ଏ ସବ୍, ଲେକିନ୍ ୱ ତୋ ନହିଁ ହେଁ ଘର ପର୍ (କେବଳ ପୁରୁଷମାନେ ଏ ବିଷୟରେ ଜାଣନ୍ତି କିନ୍ତୁ ମୋ ସ୍ୱାମୀ ଘରେ ନାହାନ୍ତି)’’, ସେ କୁହନ୍ତି। ତେବେ ଘରେ, ସେ ହିଁ ଏକାକୀ ପରିବାରର ବଜେଟ ଚଳେଇଥା’ନ୍ତି। ଅଞ୍ଜନା ଜଣେ ଚମାର, ଅନୁସୂଚିତ ଜାତି ସମ୍ପ୍ରଦାୟର ଜଣେ ସଦସ୍ୟା।
‘‘ବଜ୍ଜଟ୍ (ବଜେଟ)!’’ ସେ କୁହନ୍ତି, ଏବଂ ନୂଆ ଘୋଷଣା ସମ୍ପର୍କରେ ସେ ଶୁଣିଛନ୍ତି କି ନାହିଁ ତାହା ମନେ ପକାଇଥା’ନ୍ତି। ‘‘ୱ ସବ୍ ତୋ ହମ୍ ନହିଁ ସୁନେ ହେଁ (ଏ ସମ୍ପର୍କରେ ମୁଁ ଶୁଣିନାହିଁ)।’’ କିନ୍ତୁ ବିହାର ବୈଶାଳୀ ଜିଲ୍ଲା ସୋନ୍ଧୋ ରାତ୍ତି ଗ୍ରାମର ଏହି ଦଳିତ ନିବାସୀ କୁହନ୍ତି: ‘‘ଏ ସବ୍ (ବଜେଟ୍) ପୈସେ ୱାଲା ଲୋଗ୍ କେଲିୟେ ହେ (ଏସବୁ ଧନୀ ଲୋକଙ୍କ ପାଇଁ)।’’
ଆମେ ଯାଇଥିବା ସମୟରେ, ସେମାନଙ୍କ ଘରେ ଗୋଟିଏ ରେଡିଓ ମରାମତି ଦୋକାନ ଚଳେଇ ଥିବା ଅଞ୍ଜନାଙ୍କ ସ୍ୱାମୀ ୮୦ ବର୍ଷ ବୟସ୍କ ଶମ୍ଭୁ ରାମ ଭଜନ ଗାୟକ ଭାବେ ଏକ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ବାହାରକୁ ଯାଇଥିଲେ। ତାଙ୍କ ଦୋକାନକୁ ଖୁବ କମ୍ ଗ୍ରାହକ ଆସନ୍ତି। ‘‘ଆମେ ଗୋଟିଏ ସପ୍ତାହରେ ଅତି କଷ୍ଟରେ ୩୦୦-୪୦୦ ଟଙ୍କା ରୋଜଗାର କରିଥାଉ,’’ ସେ କୁହନ୍ତି। ଅତି ବେଶୀ ହେଲେ ବାର୍ଷିକ ହାରାହାରୀ ୧୬,୫୦୦ ଟଙ୍କା ହୋଇଥାଏ। କିମ୍ବା ବ୍ୟକ୍ତିବିଶେଷଙ୍କ ପାଇଁ ଆୟକର ଛାଡ଼ ସୀମା ୧୨ ଲକ୍ଷ ଟଙ୍କାର ମାତ୍ର ୧.୩୭ ପ୍ରତିଶତ। ବର୍ଦ୍ଧିତ ସୀମା ବିଷୟରେ ଶୁଣିଲେ ସେ ହସନ୍ତି। ‘‘ବେଳେ ବେଳେ ଆମେ ଗୋଟିଏ ସପ୍ତାହରେ ୧୦୦ ଟଙ୍କା ସୁଦ୍ଧା ରୋଜଗାର କରିପାରିନଥାଉ। ଏବେ ମୋବାଇଲ ଫୋନର ଯୁଗ, କେହି ଆଉ ରେଡିଓ ଶୁଣୁନାହାନ୍ତି,’’ ସେ ଅଭିଯୋଗ କରନ୍ତି।





