ଯେକେହି ଏହାକୁ ଏକ ମିତବ୍ୟୟୀ ଉଦ୍ଭାବନ ବୋଲି କହିପାରିବେ । କିନ୍ତୁ ୬୫ ବର୍ଷ ବୟସ୍କ ନାରାୟଣ ଦେସାଇ ଏହାକୁ ସହଜରେ ନିଜ କଳାର ‘ମୃତ୍ୟୁ’ ଭାବେ ଅଭିହିତ କରିଥାନ୍ତି। ‘ଏହା’ ତାଙ୍କ ଶେହନାଇଗୁଡ଼ିକ ଡିଜାଇନ ଓ ଉପକରଣଗୁଡ଼ିକରେ ଏକ ସୃଜନଶୀଳ ପରିବର୍ତ୍ତନ। ବଜାର ବାସ୍ତବତା ଏବଂ ନିଜ କଳାର ଅସ୍ତିତ୍ୱ ପାଇଁ ଏକ ନିଶ୍ଚିତ ବିପଦର ମୁକାବିଲା କରିବା ଲାଗି ସେ ଏହା କରିବାକୁ ବାଧ୍ୟ ହୋଇଥିଲେ।
ଶେହନାଇ ଫୁଙ୍କରେ ବାଜୁଥିବା ଏକ ବାଦ୍ୟଯନ୍ତ୍ର, ଯାହାକି ବାହାଘର, ପର୍ବପର୍ବାଣୀ ଏବଂ ସ୍ଥାନୀୟ କାର୍ଯ୍ୟକ୍ରମରେ ବେଶ୍ ଲୋକପ୍ରିୟ।
ଦୁଇ ବର୍ଷ ପୂର୍ବରୁ, ଦେସାଇ ତିଆରି କରୁଥିବା ସବୁ ଶେହନାଇ ର ଅନ୍ତିମ ଅଗ୍ରଭାଗରେ ଏକ ପିତଳୀ (ପିତ୍ତଳ) ଘଣ୍ଟି ଲାଗୁଥିଲା। ପାରମ୍ପରିକ ହାତ ତିଆରି ଶେହନାଇରେ, ଏହି ଚଉଡ଼ା ଘଣ୍ଟି, ବା ଭଟୀ (ମରାଠୀରେ କୁହାଯାଏ) କାଠରେ ତିଆରି ଏହି ସଙ୍ଗୀତ ଉପକରଣରୁ ବାହାରୁଥିବା ସ୍ୱରର ଗୁଣବତ୍ତାକୁ ବଢ଼ାଇ ଦେଇଥାଏ। ୭୦ ଦଶକରେ ନାରାୟଣଙ୍କ ବେଉସା ସବୁଠୁ ଭଲ ଚାଲୁଥିଲା। ସେ ଘରେ ସବୁବେଳେ ଗୋଟିଏ ଡଜନରୁ ଅଧିକ ପିତ୍ତଳ ଘଣ୍ଟି ରଖୁଥିଲେ, ଯାହାକୁ ସେ କର୍ଣ୍ଣାଟକର ବେଲଗାଭୀ ଜିଲ୍ଲାରେ ଥିବା ଚିକୋଡ଼ି ସହରରୁ କିଣୁଥିଲେ।
ତେବେ ଗତ କିଛି ବର୍ଷ ହେବ ଦୁଇଟି କାରଣରୁ ପ୍ରାୟ ଅର୍ଦ୍ଧଶତାବ୍ଦୀ ଧରି ଚାଲି ଆସିଥିବା ନିଜର ଜ୍ଞାନକୌଶଳକୁ ବଦଳାଇବା ପାଇଁ ସେ ବାଧ୍ୟ ହୋଇଥିଲେ: ପ୍ରଥମତଃ ପିତ୍ତଳ ଘଣ୍ଟିର ବର୍ଦ୍ଧିତ ମୂଲ୍ୟ ଏବଂ ଦ୍ୱିତୀୟତଃ, ଗୋଟିଏ ଭଲ ଶେହନାଇ ତିଆରି କରିବା ପାଇଁ ଖର୍ଚ୍ଚ ହେଉଥିବା ଟଙ୍କା ପରିଶୋଧ କରିବା ଲାଗି ଗ୍ରାହକମାନେ କୁଣ୍ଠାବୋଧ କରିବା।
‘‘ଲୋକମାନେ ମୋତେ ୩୦୦-୫୦୦ ଟଙ୍କାରେ ଶେହନାଇ ବିକ୍ରି କରିବାକୁ କହିବା ଆରମ୍ଭ କଲେ’’, ସେ କୁହନ୍ତି। ଏହି ଦାବି ପୂରଣ କରିବା କଷ୍ଟକର ଥିଲା, କାରଣ କେବଳ ପିତ୍ତଳ ଘଣ୍ଟି କିଣିବା ପାଇଁ ପ୍ରାୟ ୫୦୦ ଟଙ୍କା ଲାଗୁଥିଲା, ସେ କୁହନ୍ତି। କେତେକ ସମ୍ଭାବ୍ୟ ଅର୍ଡର ହରାଇବା ପରେ ନାରାୟଣ ଶେଷରେ ଏକ ସମାଧାନ ପାଇଲେ, ‘‘ମୁଁ ଗାଁ ମେଳାରୁ ପ୍ଲାଷ୍ଟିକ ତୂରୀ କିଣିଲି, ସେଗୁଡ଼ିକର ଚଉଡ଼ା ଅଗ୍ରଭାଗ (ଯାହାକି ଚଉଡ଼ା ଘଣ୍ଟି ଭଳି ଦେଖାଯାଏ)କୁ କାଟି ଦେଲି ଏବଂ ସେଗୁଡ଼ିକୁ (ଘଣ୍ଟି ଭଳି ଆକୃତିର ପ୍ଲାଷ୍ଟିକ ଭାଗ) ଶେହନାଇରେ ପିତ୍ତଳ ଘଣ୍ଟି ସ୍ଥାନରେ ଲଗାଇଦେଲି।
‘‘ଏହା ସ୍ୱରକୁ ପ୍ରଭାବିତ କଲା ନାହିଁ, କିନ୍ତୁ ଏବେ ଲୋକମାନେ ତାହା (ଗୁଣବତ୍ତା) ହିଁ ଦାବି କରୁଥିଲେ,’’ ସେ କହିଥାନ୍ତି। ଅଧିକ ବୁଦ୍ଧିମାନ କ୍ରେତାଙ୍କ ପାଇଁ, ନିଜସ୍ୱ ଭଟୀ ପ୍ରଦାନ କରିବାର ବିକଳ୍ପ ଦେବା ଜାରି ରଖିଲେ। ପ୍ଲାଷ୍ଟିକ ବିକଳ୍ପ ପାଇଁ ତାଙ୍କୁ ମାତ୍ର ୧୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଲା ଅନ୍ୟପଟେ ନିଜର କଳା ସହିତ ସାଲିସ କରିବାର ବୋଝ ତାଙ୍କ ବିବେକକୁ ବୋହିବାକୁ ପଡ଼ିଲା ନାହିଁ।

























