ମୋ ପାଖରେ ଅନେକ କିଛି ଜିନିଷ ଅଛି ବାଣ୍ଟିବା ପାଇଁ, କିନ୍ତୁ ମୁଁ କରିନି। ମୋର ବୟସ ୮୯ ବର୍ଷ ଏବଂ ମୋ ପାଖରେ ଅନେକ କାହାଣୀ ଅଛି। କିନ୍ତୁ ମୁଁ କେବେ ତାହା କହେନି। ମୁଁ ସେଗୁଡ଼ିକୁ ମୋ ହୃଦୟରେ ରଖେ। ଅନେକ ସମ୍ବାଦଦାତା ଏବଂ ସାମ୍ବାଦିକ ଆସନ୍ତି ଏବଂ ମୋ କାହାଣୀ ଲେଖନ୍ତି। ସେମାନେ ପୁସ୍ତକ ପ୍ରକାଶନ କରନ୍ତି ଏବଂ ଦୁନିଆକୁ କହନ୍ତି ଯେ ସେମାନେ ମୋତେ ପ୍ରସିଦ୍ଧ କରିଦେଇଛନ୍ତି। ଅନେକ ସଙ୍ଗୀତଜ୍ଞ ଆସନ୍ତି ଏବଂ ମୋ ସଙ୍ଗୀତ ଚୋରାଇବାକୁ ଚେଷ୍ଟା କରନ୍ତି ଏବଂ ଚୋରାନ୍ତି। ତେଣୁ, ମୁଁ ସମସ୍ତଙ୍କୁ ଭେଟେନି। ଆପଣ ଭାଗ୍ୟବାନ ଯେ ଆପଣ ମୋତେ ଭେଟିଲେ।
ମୁଁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିଲି। ଏହି ଉତ୍ସବ ଦିଲ୍ଲୀରେ ଥିଲା। ଯେତେବେଳେ ମୁଁ ପୁରସ୍କାର ଗ୍ରହଣ କଲି ମୋ ଆଖିରେ ଲୁହ ଭରିଗଲା। ମୋ ବାପା ମୋତେ କେବେବି ସ୍କୁଲ୍ ପଠେଇନଥିଲେ। ସେ ଭାବୁଥିଲେ ସେହି ଶିକ୍ଷା ଦ୍ୱାରା ମୁଁ କାମ ପାଇପାରେ କିମ୍ବା ନ ପାଇପାରେ। କିନ୍ତୁ ସେ ମୋତେ କହିଥିଲେ ଯେ, ‘ଏହି ବାଦ୍ୟଯନ୍ତ୍ର ହେଉଛି ଆମର ଦେବତା।’ ଏହା ପ୍ରକୃତରେ ଦେବତା। ଏହା ମୋତେ ସବୁକିଛି ଦେଇଛି। ଏହା ମୋତେ ମାନବତା ଶିଖାଇଛି। ସାରା ପୃଥିବୀର ଲୋକେ ମୋ ନାଁ ଜାଣନ୍ତି। ମୋ ତାରପା ଏକ ଡାକ ଏନ୍ଭେଲପ୍ [ଏକ ଡାକ ଟିକଟ]ରେ ଛପା ହୋଇଛି। ଯଦି ଆପଣ ଆପଣଙ୍କ ଫୋନ୍ରେ ମୋ ନାଁରେ ଏକ ବଟନ ଦବାଇବେ, ଆପଣ ମୋର ଭିଡିଓ ଦେଖିବେ… ଆପଣ ଆଉ ଅଧିକ କ’ଣ ଚାହାଁନ୍ତି। କୂଅରେ ଥିବା ଗୋଟିଏ ବେଙ୍ଗ ସେହି ଗର୍ତ୍ତ ବାହାରରେ ଥିବା ଦୁନିଆ ବିଷୟରେ ଜାଣେ ନାହିଁ। କିନ୍ତୁ ମୁଁ ସେହି କୂଅରୁ ବାହାରକୁ ବାହାରିଲି… ମୁଁ ଦୁନିଆ ଦେଖିଲି।
ଆଜିର ଯୁବପିଢ଼ି ତାରପାର ତାଳରେ ନାଚନ୍ତି ନାହିଁ। ସେମାନଙ୍କ ପାଖରେ ଡିଜେ ଅଛି। କିନ୍ତୁ ମୁଁ ଗୋଟିଏ କଥା କହୁଛି, ଯେତେବେଳେ ଆମେ ଆମ ଜମିରୁ ଫସଲ ଅମଳ କରୁ, ଯେତେବେଳେ ଆମେ ନୂଆ ଚାଉଳ ଗାଁ ଦେବୀଙ୍କ ପାଖକୁ ଭୋଗ କରିବାକୁ ନେଉ, ଯେତେବେଳେ ଆମେ ତାଙ୍କ ନାଁ ନେଉ ଏବଂ ତାଙ୍କୁ ପ୍ରାର୍ଥନା କରୁ, ସେତେବେଳେ କ’ଣ ଆମେ ଡିଜେ ବଜାଉ? ସେହି ମୁହୂର୍ତ୍ତଗୁଡ଼ିକରେ ସେଠି କେବଳ ତାରପା ଥାଏ, ଆଉ କିଛି ନୁହେଁ।
ପରୀ ଏହି ପ୍ରାମାଣିକ ତଥ୍ୟ ଲାଭ କରିବାରେ ସହାୟତା ପାଇଁ ଆରୋହଣର ମାଧୁରୀ ମୁକାନେଙ୍କୁ ଧନ୍ୟବାଦ ଜଣାଉଛି।
ସାକ୍ଷାତ, ପ୍ରତିଲେଖନ ଏବଂ ଇଂରାଜୀ ଅନୁବାଦ: ମେଧା କାଲେ
ଫଟୋ ଏବଂ ଭିଡିଓ: ସିଦ୍ଧିତା ସୋନାବନେ
ଏହି କାହାଣୀ ହେଉଛି ପରୀର ଲୁପ୍ତପ୍ରାୟ ଭାଷା ପ୍ରକଳ୍ପର ଏକ ଅଂଶ ଯାହାର ଲକ୍ଷ୍ୟ ହେଉଛି ଦେଶର ଅସୁରକ୍ଷିତ ଏବଂ ଲୁପ୍ତପ୍ରାୟ ଭାଷାର ଦଲିଲକରଣ।
ୱର୍ଲି ହେଉଛି ଏକ ଭାରତୀୟ-ଆର୍ଯ୍ୟ ଭାଷା ଯାହାକି ଗୁଜରାଟ, ଡାମନ ଏବଂ ଡିଉ, ଦାଦ୍ରା ଓ ନଗର ହାଭେଳି, ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ଗୋଆରେ ରହୁଥିବା ଓର୍ଲି ବା ବାର୍ଲି ଆଦିବାସୀମାନଙ୍କ ଦ୍ୱାରା ପ୍ରଚଳିତ। ୟୁନେସ୍କୋର ଭାଷା ମାନଚିତ୍ର ୱର୍ଲିକୁ ଭାରତର ସର୍ବାଧିକ ଅସୁରକ୍ଷିତ ଭାଷା ମଧ୍ୟରୁ ଗୋଟିଏ ଭାବରେ ତାଲିକାଭୁକ୍ତ କରିଛି।
ଆମେ ମହାରାଷ୍ଟ୍ରରେ ପ୍ରଚଳିତ ୱର୍ଲି ଭାଷାର ଦଲିଲକରଣର ଲକ୍ଷ୍ୟ ରଖିଛୁ।
ଅନୁବାଦ: ଓଡ଼ିଶାଲାଇଭ୍