ଘଟଣାକ୍ରମେ, ମସିନାଗୁଡ଼ିରେ ମୋ ମା’ଙ୍କ ନିଯୁକ୍ତିଦାତା ପରିଚାଳନା କରୁଥିବା ଶ୍ରୀ ଶାନ୍ତି ବିଜୟା ଉଚ୍ଚ ବିଦ୍ୟାଳୟରେ ମୁଁ ନାମ ଲେଖାଇଲି। ଏହି ବିଦ୍ୟାଳୟ ଶ୍ରମିକଙ୍କ ପିଲାମାନଙ୍କ ପାଇଁ ଥିଲା। ସେଠାକୁ ଯିବା କାରଗାର ଭଳି ଅନୁଭବ ହେଉଥିଲା। ମୁଁ କାକୁତିମିନତି ହେବା ସତ୍ତ୍ୱେ, ସେଠାକୁ ଯିବା ପାଇଁଆମ୍ମା ଜୋର ଦେଲେ। ଏପରିକି ମୁଁ ଜିଦ୍ ଧରିବାରୁ ସେ ମୋତେ ପିଟିଥିଲେ। ଶେଷରେ, ଆମେ ଅଜାଆଈଙ୍କ ଘରୁ ବାହାର ମୋ ବଡ଼ ଭଉଣୀ ଚିତ୍ରାଙ୍କ ଶାଶୁ ଘରକୁ ଆସିଲୁ, ଯାହା ଏକ ଦୁଇ ବଖୁରିଆ କୁଡ଼ିଆ ଥିଲା। ମୋ ସାନ ଭଉଣୀ କୁମାରୀ, ଜିଟିଆର ମାଧ୍ୟମିକ ବିଦ୍ୟାଳୟରେ ପାଠ ପଢ଼ା ଜାରି ରଖିଲା।
ମୋ ଭଉଣୀ ଶଶିକଲା ଦଶମ ଶ୍ରେଣୀ ପରୀକ୍ଷା ପାଇଁ ପାଠପଢ଼ା ଚାପ ସହ୍ୟ କରିନପାରି, ସ୍କୁଲ୍ ଛାଡ଼ିଦେଲା ଓ ଘର କାମରେ ମନୋନିବେଶ କଲା, ମୋ ମା’ଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଲା। ଗୋଟିଏ ବର୍ଷ ପରେ, ଶଶିକଲା ଗୋଟିଏ ତିରୁପୁର ପୋଷାକ କମ୍ପାନୀରେ ଚାକିରି ପାଇଲା ଓ ବର୍ଷକୁ ଥରେ କିମ୍ବା ଦୁଇ ଥର ଘରକୁ ଆସୁଥିଲା। ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଆମେ ତା’ର ୬,୦୦୦ ଟଙ୍କାର ମାସିକ ଦରମାରେ ଚଳିଲୁ। ଆମ୍ମା ଓ ମୁଁ ପ୍ରତି ତିନି ମାସରେ ଥରେ ତା’ ପାଖକୁ ଯାଉଥିଲୁ ଏବଂ ସେ ଆମକୁ ନିଜ ସଞ୍ଚିତ ଅର୍ଥ ଦେଉଥିଲା। ମୋ ଭଉଣୀ କାମ କରିବାର ଗୋଟିଏ ବର୍ଷ ପରେ ମୋ ମା’ କଫି ଇଷ୍ଟେଟ୍ରେ କାମ କରିବା ଛାଡ଼ିଦେଲେ। ସେ ମୋ ବଡ଼ ଭଉଣୀ ଚିତ୍ରାର ପିଲାଙ୍କ କଥା ଓ ଘର କଥା ବୁଝିବାରେ ଅଧିକାଂଶ ସମୟ ବିତାଉଥିଲେ।
ମୁଁ ଶ୍ରୀ ଶାନ୍ତି ବିଜୟା ହାଇସ୍କୁଲରୁ ଦଶମ ପର୍ଯ୍ୟନ୍ତ ପାଠପଢ଼ା ଶେଷ କଲି ଏବଂ ତା’ପରେ ଉଚ୍ଚ ମାଧ୍ୟମିକ ପାଠପଢ଼ା ପାଇଁ କୋଟାଗିରି ସରକାରୀ ବୋର୍ଡିଂ ସ୍କୁଲ୍କୁ ଚାଲିଗଲି। ମା’ ମୋର ଗୋବର ଘଷି ବିକ୍ରି କରି ମୋର ପାଠପଢ଼ା ଖର୍ଚ୍ଚ ତୁଲାଉଥିଲେ, ମୋତେ ଯଥାସମ୍ଭବ ସୁବିଧା ସୁଯୋଗ ଦେବା ପାଇଁ ବଦ୍ଧ ପରିକର ଥିଲେ।
ଆପ୍ପା ଯିବା ସମୟରେ ଆମ ଘରକୁ ନଷ୍ଟ କରି ଦେଇଥିଲେ ଏବଂ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରି ଦେଇଥିଲେ। ବିନା ବିଦ୍ୟୁତରେ, ଆମେ ମଦ ବୋତଲରେ ତିଆରି କିରାସିନି ଡିବିରେ ଅଭ୍ୟସ୍ତ ହୋଇଯାଇଥିଲୁ। ଏହାପରେ ସେସବୁ ସ୍ଥାନରେ ଦୁଇଟି ସେମ୍ବୁ (ତମ୍ବା) ଡିବି ବ୍ୟବହାର କରାଗଲା। ଏସବୁ ଲଣ୍ଠନ ଦଶ ବର୍ଷ ଧରି ଆମ ଜୀବନକୁ ଆଲୋକିତ କରିଥିଲା। ଶେଷରେ ମୁଁ ଦ୍ୱାଦଶ ଶ୍ରେଣୀରେ ପଢ଼ିବା ସମୟରେ ଆମ ଘରକୁ ପୁଣି ବିଦ୍ୟୁତ ସଂଯୋଗ ଫେରିଥିଲା।
ପ୍ରଶାସନ ସହ ସଂଘର୍ଷ ଓ ବିଦ୍ୟୁତକୁ ନେଇ ନିଜ ଭୟକୁ ମୁକାବିଲା କରି ମୋ ମା’ଙ୍କୁ ଆମ ବିଦ୍ୟୁତ ସଂଯୋଗ ଫେରାଇ ଆଣିବା ପାଇଁ ଯଥେଷ୍ଟ ପରିଶ୍ରମ କରିବାକୁ ପଡ଼ିଥିଲା। ଏକାକୀ ଥିବା ସମୟରେ, ସେ ସବୁ ଲାଇଟ୍ ଲିଭାଇ ଦିଅନ୍ତି, କେବଳ ଲ୍ୟାମ୍ପ୍ ବ୍ୟବହାର କରନ୍ତି। ସେ ବିଦ୍ୟୁତକୁ କାହିଁକି ଏତେ ଡରୁଛନ୍ତି ବୋଲି ମୁଁ ଯେତେବେଳେ ତାଙ୍କୁ ପଚାରିଲି, ସେ ଶୁଣିଥିବା ଗୋଟିଏ ଘଟଣା ବିଷୟରେ ମନେ ପକାଇଥିଲେ ଯେଉଁଥିରେ ସିଙ୍ଗାରାର ଜଣେ ମହିଳାଙ୍କର ବିଦ୍ୟୁତ ଆଘାତରେ ପ୍ରାଣହାନି ଘଟିଥିଲା।