‘‘ଏହିସବୁ ଓଟିପିକୁ ନେଇ ମୁଁ ଅତ୍ୟନ୍ତ ଭୟଭୀତ। ସହା ଆକଡ଼େ ଆଣି ପୈସା ଗାୟବ (ଛଅଟି ସଂଖ୍ୟା ଆଉ ଟଙ୍କା ଗାଏବ),’’ ଅନୀଳ ଠୋମ୍ବ୍ରେ ମୋତେ ରାଜ୍ୟ ପରିବହନ ବସ୍ଷ୍ଟାଣ୍ଡରେ କୁହନ୍ତି। ସେହି ସ୍ଥାନ ବସ୍ ହର୍ଣ୍ଣ, ଜଳଖିଆ ଓ ପାଣି ବୋତଲ ବିକ୍ରି କରୁଥିବା ବୁଲା ବିକାଳିଙ୍କ ଡାକ ଏବଂ ଆଗମନ ଓ ପ୍ରସ୍ଥାନ ଘୋଷଣାରେ କୋଳାହଳ ଥାଏ। କେହି ଜଣେ ତାଙ୍କୁ ଓଟିପି (ୱାନ ଟାଇମ୍ ପାସୱାର୍ଡ) ମାଗିଲା ଏବଂ ସେ ମୋତେ ସହାୟତା ପାଇଁ କହିଲେ।
ସେ ବଜେଟ୍, ତାଙ୍କ ଶବ୍ଦରେ ଅର୍ଥସଂକଳ୍ପ ବିଷୟରେ ଶୁଣିଥିଲେ। ‘‘ଜାନୁଆରୀ ୩୧ ତାରିଖରେ, ରେଡିଓରେ ଏହାକୁ ନେଇ କିଛି ସମାଚାର ପ୍ରସାରିତ ହୋଇଥିଲା। ସରକାର ପ୍ରତ୍ୟେକ ବିଭାଗ ପାଇଁ କିଛି ଘୋଷଣା କରିଥା’ନ୍ତି। ମୁଁ ଏହା ବିଷୟରେ ଜାଣିଛି। କିଛି ନହେଲେ, ଅତିକମ୍ରେ ରୂପାୟାତ ଦାହା ପୈସେ (ଗୋଟିଏ ଟଙ୍କାରେ ଦଶ ପଇସା)!’’ ସେ କୁହନ୍ତି, ଅଡ଼କିତ୍ତା (ଖିଲିକାତି)ରେ ଗୁଆ କାଟୁ କାଟୁ ସେ କୁହନ୍ତି।
ଆମେ ଗୋଟିଏ ଶାନ୍ତ ସ୍ଥାନ ଖୋଜୁ ଖୋଜୁ ତାଙ୍କର ନାଲି ଓ ଧଳା ବାଡ଼ି ତାଙ୍କୁ କ୍ୟାଣ୍ଟିନ ଆଡ଼କୁ ନେଇଗଲା। ଠୋମ୍ବ୍ରେ ଜଣେ ଦୃଷ୍ଟିଶକ୍ତିହୀନ ବ୍ୟକ୍ତି। ସେ ପ୍ଲାଟଫର୍ମ, ଲୋକଭିଡ଼, କ୍ୟାଣ୍ଟିନ କାଉଣ୍ଟର ଏବଂ ଶିଢ଼ିକୁ ନେଇ ଅଭ୍ୟସ୍ତ। ‘‘ମାତ୍ର ଗୋଟିଏ ମାସ ବୟସରେ ମିଳିମିଳା ରୋଗ କାରଣରୁ ମୋର ଦୃଷ୍ଟି ଶକ୍ତି ଚାଲିଯାଇଥିବା, ମୁଁ ଶୁଣିଛି।’’



