ଗାଁର ଅନ୍ୟ କେତେକ ବାସିନ୍ଦା କହନ୍ତି, ସେମାନେ କେବଳ ଯେ ଗ୍ରାମସଭାରେ ଅଂଶଗ୍ରହଣ କରିଛନ୍ତି ତାହା ନୁହେଁ, ବରଂ ଏହା ମାଧ୍ୟମରେ କେତେକ ମୌଳିକ ସମସ୍ୟାର ସମାଧାନ ମଧ୍ୟ କରିପାରିଛନ୍ତି। ବେନେଡିକ୍ଟ ଆସୁର କହନ୍ତି, “ଆମେ ଆମ ପାଣି ସମସ୍ୟାର ସମାଧାନ କରିପାରିଛୁ। ଆଗରୁ ପାଣି ଆଣିବା ଲାଗି ଗାଁର ମହିଳାମାନଙ୍କୁ ବହୁ ଦୂର ଯିବାକୁ ପଡୁଥିଲା। ଏବେ ଗାଁର ରାସ୍ତା କଡ଼ରେ ହିଁ ପାଣି ଯୋଗାଇ ଦିଆଯାଉଛି। ଆଗରୁ ଆମେ ଖାଦ୍ୟ ସାମଗ୍ରୀ ଆଣିବା ଲାଗି ଭିନ୍ନ ଭିନ୍ନ ଗାଁକୁ ଯାଉଥିଲୁ। ଏବେ ଏହା ଆମ ନିକଟରେ ପହଞ୍ଚିଛି।” ସେ କହନ୍ତି, “କେବଳ ସେତିକି ନୁହେଁ, ଆମ ଗାଁକୁ ଆମେ ଖଣି ଅଞ୍ଚଳ ପରିସରରୁ ମଧ୍ୟ ରକ୍ଷା କରିପାରିଛୁ।”
ପୁରୁଣା ଦିନର କଥା ମନେ ପକାନ୍ତି ଗାଁ ଲୋକେ। କେମିତି କେତେକ ବାହାର ଲୋକ ଆସି ବକ୍ସାଇଟ୍ ଖଣି ଖୋଳିବା ପାଇଁ ଜଙ୍ଗଲ ଭିତରେ ସର୍ଭେ କରୁଛନ୍ତି ବୋଲି ଗାଁ ଲୋକଙ୍କୁ ଲାଗିଲା ଏବଂ କେମିତି ଗାଁ ଭିତରେ ଲୋକଙ୍କୁ ସତର୍କ କରାଇ ଦିଆଯିବା ପରେ ଲୋକେ ଏକତ୍ର ହେଲେ ଏବଂ ସେମାନଙ୍କୁ ଘଉଡ଼ାଇ ଦେଲେ।
ଗ୍ରାମସଭା କମିଟି ସହିତ ଲୁପୁଙ୍ଗପାଟ ଗାଁ ଲୋକେ ଆଉ ସାତଟି କମିଟି ଗଠନ କରିଛନ୍ତି। ସେଗୁଡ଼ିକ ହେଲା- ଏକ ମୌଳିକ ଭିତ୍ତିଭୂମି କମିଟି, ଜନସଂପଦ କମିଟି, କୃଷି କମିଟି, ସ୍ୱାସ୍ଥ୍ୟ କମିଟି, ଗ୍ରାମ ରକ୍ଷା କମିଟି, ଶିକ୍ଷା କମିଟି ଏବଂ ସତର୍କତା କମିଟି।
ଏ ସଂପର୍କରେ ବୁଝାଇବାକୁ ଯାଇ ଗ୍ରାମସଭାର ଜଣେ ସଦସ୍ୟ ଖ୍ରୀଷ୍ଟୋଫର କହନ୍ତି, “ପ୍ରତିଟି କମିଟି ନିଜ ପରିସରଭୁକ୍ତ ପ୍ରସଙ୍ଗରେ ଆଲୋଚନା କରନ୍ତି ଏବଂ ହିତାଧିକାରୀ ଚୟନ ପ୍ରକ୍ରିୟା ସ୍ଥିର କରନ୍ତି। ତା’ପରେ ସେମାନେ ସେମାନଙ୍କ ନିଷ୍ପତ୍ତିକୁ ମୌଳିକ ଭିତ୍ତିଭୂମି କମିଟିକୁ ପଠାଇ ଦିଅନ୍ତି ଏବଂ ସେମାନେ ଏହାକୁ ଗ୍ରାମ ବିକାଶ କମିଟିକୁ ପଠାଇ ଦିଅନ୍ତି।” ଅଜିମ ପ୍ରେମଜୀ ଫାଉଣ୍ଡେସନ ପରିଚାଳିତ ‘ସେଣ୍ଟର ଫର୍ ଡେଭଲପ୍ମେଣ୍ଟ’ର ମୁଖ୍ୟ ପ୍ରଫେସର ଅଶୋକ ସରକାର କହନ୍ତି, “ଆମେ ଯଦି ଗ୍ରାମୀଣ ଅଞ୍ଚଳରେ ଗଣତାନ୍ତ୍ରିକ ପଦ୍ଧତିକୁ ସଶକ୍ତ କରିବା, ତେବେ ଲୋକ କଲ୍ୟାଣକାରୀ ଯୋଜନା ଏବଂ ସାମାଜିକ ନ୍ୟାୟ ସ୍ଥାପିତ ହୋଇପାରିବ।”
ଗାଁର ସବୁ ଲୋକଙ୍କ ପାଇଁ ଗ୍ରାମସଭା କମିଟିର ଦ୍ୱାର ଖୋଲା ରହୁଥିବାରୁ, ସେମାନେ ନିଜେ ନିଷ୍ପତ୍ତି ନିଅନ୍ତି ଏବଂ ଏହାକୁ ଗାଁର ମୁଖିଆ ଏବଂ ୱାର୍ଡମେମ୍ବରଙ୍କ ଜରିଆରେ ଚାଇଁପୁର ବ୍ଲକ୍ ଅଫିସ୍ରେ ପହଞ୍ଚାଇ ଦିଆଯାଏ।