ଟକ୍-ଟକ୍-ଟକ୍ !
କୋଡ଼ାବାଟିପୁଡ଼ିର ଗୋଟିଏ ତାରପୁଲିନ ଘେରା କୁଡ଼ିଆ ଭିତରୁ ଭାସି ଆସୁଥିଲା ଏହି ଲୟବଦ୍ଧ ଧ୍ୱନି । ମୁଲାମପାକା ଭଦ୍ରରାଜୁ ଗୋଟିଏ ମାଟି ପାତ୍ରକୁ ଚେକ୍କା ସୁଟ୍ଟି ରେ ବାଡ଼େଇ ବାଡ଼େଇ ଗଢ଼ିବାରେ ଲାଗିଥିଲେ – ଚେକ୍କା ସୁଟ୍ଟି ହେଉଛି ଛୋଟ ହାତୁଡ଼ି ଭଳି କାଠର ଏକ ଉପକରଣ, ଯାହା ମାଟିପାତ୍ରକୁ ସଂପୂର୍ଣ୍ଣ ଗୋଲାକୃତି କରିବାରେ ଲାଗିଥାଏ ।
“ମାଟିପାତ୍ରର ତଳଭାଗକୁ ବନ୍ଦ କରିବା ଲାଗି ମୋଟା ଚେକ୍କା ସୁଟ୍ଟି ବ୍ୟବହାର କରାଯାଏ । ସାଧାରଣତଃ ବ୍ୟବହାର କରାଯାଉଥିବା ଏଇ ଗୋଟିକ ତଳଭାଗକୁ ଅଧିକ ମସୃଣ କରିବାରେ ଲାଗିଥାଏ । ପୂରା ପାତ୍ରଟିକୁ ମସୃଣ କରିବା ଲାଗି ସବୁଠାରୁ ପତଳା ଚେକ୍କା ସୁଟ୍ଟି ବ୍ୟବହାର କରାଯାଏ,” ଆବଶ୍ୟକତା ଅନୁସାରେ ହାତୁଡ଼ି ବଦଳାଇ କାମରେ ଲାଗିଥିବା ବେଳେ ଏହା ବୁଝାଇ ଦିଅନ୍ତି ୭୦ ବର୍ଷୀୟ ଭଦ୍ରରାଜୁ ।
ସେ କହନ୍ତି ଯେ ଏହି ପତଳା ଏବଂ ସାଧାରଣ ଆକାରର ହାତୁଡ଼ିକୁ ତାଳଗଛ (Borassus flabellifer) ଶାଖାରୁ ଏବଂ ମୋଟାଗୁଡ଼ିକ ଅର୍ଜୁନ ଗଛ (Terminalia arjuna)ରୁ ତିଆରି ହୋଇଥାଏ । ସେ ସବୁଠାରୁ ପତଳା ଚେକ୍କା ସୁଟ୍ଟି ନେଇ କାମରେ ଲାଗନ୍ତି ଏବଂ ଏଥିରୁ ନିର୍ଗତ ଶବ୍ଦ ବେଶ୍ କ୍ଷୀଣ ହୋଇଯାଏ ।
ଗୋଟିଏ ୨୦ ଇଞ୍ଚ ବ୍ୟାସର ମାଟି ପାତ୍ରକୁ ଠିକ୍ ଆକାର ଦେବା ଲାଗି ତାଙ୍କୁ ପ୍ରାୟ ୧୫ ମିନିଟ୍ ଲାଗିଥାଏ । ଯଦି ପାତ୍ରର କୌଣସି ସ୍ଥାନ ଭାଙ୍ଗିଯାଏ ବା ଫାଟିଯାଏ, ତେବେ ସେ ତୁରନ୍ତ କାଦୁଅ ନେଇ ସେଥିରେ ଲଗାଇ ଦିଅନ୍ତି ଏବଂ ପୁଣି ବାଡ଼େଇ ବାଡ଼େଇ ଏହାକୁ ଠିକ୍ କରି ନିଅନ୍ତି ।









