ଧନୀ ହୁଅନ୍ତୁ ଅବା ଗରିବ, ଯୁବକ ହୁଅନ୍ତୁ କି ବୟସ୍କ, ସମସ୍ତଙ୍କୁ ନିଜ ଜୋତା ଓହ୍ଲାଇ ମହାରାଜାଙ୍କ ପାଦ ଛୁଇଁବାର ଥିଲା। କିନ୍ତୁ, ଜଣେ ଦୁର୍ବଳ ଯୁବକ ତାଙ୍କ ଆଖିରେ ଆଖି ମିଶାଇ ଚାହିଁ ରହିଲା, ସିଧା ଛିଡ଼ା ହୋଇଥିଲା, ନଇଁବାକୁ ମନା କରିଦେଲା। ମହାରାଜାଙ୍କ ସାମ୍ନାରେ ଏପରି ଅବଜ୍ଞା ପଞ୍ଜାବର ଜୋଗା ଗାଁରେ ବୟସ୍କମାନଙ୍କୁ ଆତଙ୍କିତ କରିଦେଇଥିଲା ଏବଂ ଅତ୍ୟାଚାରୀ ରାଜା ଏଥିରେ କ୍ରୋଧିତ ହୋଇଥିଲେ।

ସେହି ଯୁବକ ଜଣଙ୍କ ଥିଲେ ଜାଗୀର ସିଂ ଜୋଗା। ତାଙ୍କର ସାହସପୂର୍ଣ୍ଣ, ବ୍ୟକ୍ତିଗତ ବିରୋଧ ନଅ ଦଶନ୍ଧି ପୂର୍ବରୁ ଘଟିଥିଲା। ପୂର୍ବର ସେହି ଘଟଣା ଏବେ ପ୍ରାସଙ୍ଗିକ ହୋଇପଡ଼ିଛି, ଯେତେବେଳେ ଗତ କିଛି ଦିନ ପୂର୍ବରୁ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ) କନଷ୍ଟେବଳ କୁଲୱିନ୍ଦର କୌର ବଲିଉଡ୍ ତାରକା ତଥା ହିମାଚଳ ପ୍ରଦେଶ ମଣ୍ଡିରୁ ସାଂସଦ କଙ୍ଗନା ରାଣାୱତଙ୍କୁ ଚାପୁଡ଼ା ମାରିଛନ୍ତି। ଜୋଗାଙ୍କ ପ୍ରତିବାଦ ତତ୍କାଳୀନ ପଟିଆଲା ମହାରାରାଜା ଭୁପିନ୍ଦର ସିଂଙ୍କ ବିରୋଧରେ ଥିଲା, ଯାହାଙ୍କର ସାମନ୍ତବାଦୀ ଗୁଣ୍ଡାମାନେ  ଗରିବ ଚାଷୀଙ୍କ ଜମି ହଡ଼ପ କରିବାକୁ ଚେଷ୍ଟା କରିଥିଲେ। ଏହା ୧୯୩୦ ଦଶକର କଥା। ଏହି ଘଟଣା ପରେ ଯାହା ଘଟିଥିଲା ତାହା ଲୋକକଥା ଏବଂ ପ୍ରମାଣିତ ଇତିହାସରେ ହଜିଗଲା। କିନ୍ତୁ ଜୋଗା ଆଉ ଦିନେ ଲଢ଼ିବା ପାଇଁ ଜୀବିତ ରହିଲେ ।

ଗୋଟିଏ ଦଶନ୍ଧି ପରେ ଜୋଗା ଏବଂ ତତ୍କାଳୀନ ଲାଲ ପାର୍ଟିର ତାଙ୍କ ସାଥୀମାନେ କିଶନଗଡ଼ (ଏବେ ସଙ୍ଗରୁର୍‌ ଜିଲ୍ଲାରେ) ପାର୍ଶ୍ୱବର୍ତ୍ତୀ ଇଲାକାରେ ଏକ ଯୁଗାନ୍ତକାରୀ ସଂଘର୍ଷର ନେତୃତ୍ୱ ନେଇଥିଲେ ଏବଂ ଭୁପିନ୍ଦର ସିଂଙ୍କ ପୁଅଠାରୁ ୭୮୪ ଗାଁରେ ଥିବା ହଜାର ହଜାର ଏକର ଜମି ଛଡ଼େଇ ଆଣିଥିଲେ। ସେହି ଜମିକୁ ଭୂମିହୀନଙ୍କ ମଧ୍ୟରେ ବାଣ୍ଟି ଦେଇଥିଲେ। ପଟିୟାଲାର ପୂର୍ବତନ ରାଜବଂଶର ଦାୟଦ ତଥା ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂ ହେଉଛନ୍ତି ଭୁପିନ୍ଦର ସିଂଙ୍କ ପୁତୁରା।

୧୯୫୪ରେ ଜମି ଓ ଅନ୍ୟାନ୍ୟ ସଂଘର୍ଷ ପାଇଁ ଯୋଗା ନାଭା ଜେଲରେ ଥିଲେ। ବନ୍ଦୀ ଥିବା ଅବସ୍ଥାରେ ଲୋକମାନେ ତାଙ୍କୁ ଭୋଟ୍‌ ଦେଇ ବିଧାନସଭାକୁ ନିର୍ବାଚିତ କରିଥିଲେ । ସେ ପୁଣିଥରେ ୧୯୬୨, ୧୯୬୭ ଏବଂ ୧୯୭୨ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

PHOTO • Jagtar Singh

ବାମ : ୧୯୩୦ରେ ଜଗୀର ସିଂ ଜୋଗା ପ୍ରତିବାଦ ତତ୍କାଳୀନ ପଟିଆଲା ମହାରାଜା ଭୁପିନ୍ଦର ସିଂଙ୍କ ବିରୋଧରେ ଥିଲା, ଯାହାଙ୍କର ସାମନ୍ତବାଦୀ ଗୁଣ୍ଡାମାନେ  ଗରିବ ଚାଷୀଙ୍କ ଜମି ହଡ଼ପ କରିବାକୁ ଚେଷ୍ଟା କରିଥିଲେ। ଡାହାଣ : ୨୦୨୪ରେ ସିଆଇଏସଏଫର ଜଣେ କନଷ୍ଟେବଳ କୁଲୱିନ୍ଦର କୌରଙ୍କ ପ୍ରତିବାଦ ନବ ନିର୍ବାଚିତ ସାଂସଦ କଙ୍ଗନା ରାଣାୱତଙ୍କ ବିରୋଧରେ ଥିଲା

ଜୋଗାଙ୍କ ଜୀବନୀ ଲେଖିଥିବା ଜଗତାର ସିଂହ କୁହନ୍ତି, ‘‘ପଞ୍ଜାବର ପାଣିପବନରେ ବିଦ୍ରୋହ କୁହୁଳିଥାଏ। କୁଲୱିନ୍ଦର କୌର ପଞ୍ଜାବରେ ବ୍ୟକ୍ତିଗତ - ପ୍ରାୟତଃ ସ୍ୱତଃପ୍ରବୃର୍ତ୍ତ-ବିଦ୍ରୋହର ସଦ୍ୟତମ ଝଲକ ଦେଖାଇଛନ୍ତି। ଏହା ଜୋଗାଙ୍କଠାରୁ ଆରମ୍ଭ ହୋଇ ନାହିଁ କିମ୍ବା କୁଲୱିନ୍ଦରଙ୍କଠାରେ ସରୁ ନାହିଁ ।’’ ଜଗତାର ସିଂ ଜଣେ ଅବସରପ୍ରାପ୍ତ କଲେଜ ଶିକ୍ଷକ ଏବଂ ସେ ‘ ଇନକିଲାବୀ ୟୋଦ୍ଧା : ଜାଗୀର ସିଂ ଜୋଗା (ବିପ୍ଳବୀ ଯୋଦ୍ଧା : ଜାଗୀର ସିଂ ଜୋଗା) ପୁସ୍ତକର ରଚୟିତା।

ପଞ୍ଜାବରେ ବ୍ୟକ୍ତିଗତ ସ୍ୱତଃପ୍ରବୃତ୍ତ ବିଦ୍ରୋହ ପ୍ରଦର୍ଶନ ସାଧାରଣ ନାଗରିକଙ୍କଠାରୁ ଦେଖିବାକୁ ମିଳିଥାଏ, ଯେଉଁମାନେ ପ୍ରାୟତଃ ସାଧାରଣ କିମ୍ବା ନମ୍ର ପୃଷ୍ଠଭୂମିରୁ ଆସିଥା’ନ୍ତି। ସିଆଇଏସଏଫ କନେଷ୍ଟବଳ କୁଲୱିନ୍ଦର କପୁରତାଲା ଜିଲ୍ଲାର ମହିୱାଲ ଗାଁର ଏକ ଛୋଟ ଚାଷୀ ପରିବାରରୁ ଆସିଛନ୍ତି । ତାଙ୍କ ମା’ ବୀର୍‌ କୌର ଏବେ ବି ଜଣେ ଚାଷୀ ଭାବେ କାମ କରୁଛନ୍ତି । କଙ୍ଗନା ରାଣାୱତ ତାଙ୍କ ମା’ଙ୍କୁ ଉପହାସ ଓ ବଦନାମ୍‌ କରିଥିବା କୁଲୱିନ୍ଦର ଭାବନ୍ତି ।

ଜୋଗାଙ୍କ ପୂର୍ବରୁ ପ୍ରେମଦତ୍ତ ବର୍ମା ଏପରି କାମ କରିଥିଲେ। ଭଗତ ସିଂ ଓ ତାଙ୍କ ସାଥୀଙ୍କ ବିରୋଧରେ ଲାହୋର ଷଡ଼ଯନ୍ତ୍ର ମାମଲା (୧୯୨୯-୩୦)ର ଶୁଣାଣି ସମୟରେ କୋର୍ଟ ରୁମ୍‌ ଭିତରେ ସରକାରୀ ସାକ୍ଷୀ ହୋଇଥିବା ଜୟ ଗୋପାଲଙ୍କ ଉପରକୁ ସେ ଚପଲ ପକେଇଥିଲେ। ଦ ଭଗତ ସିଂ ରିଡର୍‌ର ଲେଖକ ପ୍ରଫେସର ଚମନ ଲାଲ କୁହନ୍ତି, ‘‘ଏହା କୌଣସି ସୁନିୟୋଜିତ ରଣନୀତି ନଥିଲା ଏବଂ ବର୍ମାଙ୍କ ବିରୋଧ ସ୍ୱତଃପ୍ରବୃତ୍ତ ଥିଲା। ମାମଲା ଚାଲିଥିବା ସମୟରେ ତାଙ୍କୁ ଓ ଅନ୍ୟ ଅଭିଯୁକ୍ତମାନଙ୍କୁ ନିର୍ଯାତନା ଦିଆଯାଥିଲା।

ଏକ ତୁଚ୍ଛ ମାମଲାର ଶୁଣାଣି ପରେ, ଭଗତ ସିଂ ଓ ତାଙ୍କର ଦୁଇ ସାଥୀଙ୍କୁ ୨୩ ମାର୍ଚ୍ଚ, ୧୯୩୧ରେ ଫାଶୀ ଦିଆଗଲା। (ସେମାନଙ୍କ ମଧ୍ୟରୁ ସବୁଠୁ କମ୍‌ ବୟସ୍କ ବର୍ମାଙ୍କୁ ପାଞ୍ଚ ବର୍ଷ ଜେଲ୍‌ ହୋଇଥିଲା)। ଠିକ୍‌ ଗୋଟିଏ ବର୍ଷ ପରେ, ସେମାନଙ୍କ ଶହୀଦ ହେବାର ପ୍ରଥମ ବର୍ଷ ପୂର୍ତ୍ତି ପାଳନ କରିବା ଓ ଦେଖିବା ମାତ୍ରେ ଗୁଳି କରିବାର ଆଦେଶକୁ ଘୋର ଅବମାନନା କରି ୧୬ବର୍ଷ ବୟସ୍କ ହରକିଷନ ସିଂ ସୁରଜିତ୍‌ ହୋସିଆରପୁର ଜିଲ୍ଲା ନ୍ୟାୟାଳୟର ଛାତ ଉପରୁ ବ୍ରିଟିଶ ପତାକା ହଟେଇ ତ୍ରିରଙ୍ଗା ଉଡ଼େଇଥିଲେ।

‘‘ମୂଳତଃ ବ୍ରିଟିଶ ପତାକା ବାହାର କରିବା ପାଇଁ କଂଗ୍ରେସ ଦଳ ଆହ୍ୱାନ ଦେଇଥିଲା, କିନ୍ତୁ ସେମାନେ ଏଥିରୁ ଖସିଯିବା ପାଇଁ ଚେଷ୍ଟା କରିଥିଲେ। ସୁର୍ଜିତ ସ୍ୱେଚ୍ଛାରେ ଏହି କାମ କଲେ, ତା’ପରେ ସବୁକିଛି ଇତିହାସରେ ଲିପିବଦ୍ଧ ହୋଇ ରହିଗଲା,’’ ସ୍ଥାନୀୟ ଐତିହାସିକ ଅଜମେର୍‌ ସିଦ୍ଧୁ ପରୀକୁ କହିଥିଲେ। ଅନେକ ଦଶନ୍ଧି ପରେ, ସେହି ଘଟଣାକୁ ସ୍ମରଣ କରି ସୁର୍ଜିତ କୁହନ୍ତି, ‘‘ମୁଁ ସେଦିନ ଯାହା କରିଥିଲି ତା’କୁ ନେଇ ଆଜି ଗର୍ବ ଅନୁଭବ କରୁଛି।’’ ପତାକା ଉତ୍ତୋଳନ କରିବା ଘଟଣାର ପ୍ରାୟ ଛଅ ଦଶନ୍ଧି ପରେ ସୁର୍ଜିତ ଭାରତୀୟ କମ୍ୟୁନିଷ୍ଟ ପାର୍ଟୀ (ମାକ୍ସବାଦୀ)ର ସାଧାରଣ ସମ୍ପାଦକ ହୋଇଥିଲେ।’’

PHOTO • Daily Milap / courtesy Prof. Chaman Lal
PHOTO • Courtesy: Prof Chaman Lal

ଲାହୋର ଷଡ଼ଯନ୍ତ୍ର ମାମଲା ଉପରେ ଦ ଡେଲି ମିଲାପ ଦ୍ୱାରା ୧୯୩୦ ଦଶକର ଏକ ଫଟୋ (ବାମ)। ପ୍ରେମଦତ୍ତ ବର୍ମା (ଡାହାଣ) ଯିଏକି ଭଗତ ସିଂ ଓ ତାଙ୍କ ସାଥୀଙ୍କ ବିରୋଧରେ ମାମଲା ସମୟରେ କୋର୍ଟ ଭିତରେ ସରକାରୀ ସାକ୍ଷୀ ହୋଇଥିବା ଜୟ ଗୋପାଲଙ୍କ ଉପରକୁ ଚପଲ ଫିଙ୍ଗିଥିଲେ

PHOTO • Courtesy: Amarjit Chandan
PHOTO • P. Sainath

ବାମ : ୧୯୩୨ରେ ହରକିଶନ ସିଂ ସୁର୍ଜିତ ମାତ୍ର ୧୬ ବର୍ଷ ବୟସରେ ହୋଶିଆରପୁର ଜିଲ୍ଲା ଅଦାଲତ ଉପରେ ଲାଗିଥିବା ବ୍ରିଟିଶ ପତାକାକୁ ଚିରି ଦେଇଥିଲେ ଏବଂ ସାହସର ସହିତ ତ୍ରିରଙ୍ଗା ପତାକା ଉଡ଼ାଇଥିଲେ। ଫେବୃଆରୀ ୧୯୬୭ରେ ଫିଲୌର ବିଧାନସଭା ନିର୍ବାଚନରେ ବିଜୟ ହାସଲ କରିବା ପରେ ଏଠାରେ ଉପସ୍ଥିତ । ଡାହାଣ : ବିପ୍ଳବୀ ଶହୀଦ ଭଗଦ ସିଂଙ୍କ ପୁତୁରା ପ୍ରଫେସର ଜଗମୋହନ ସିଂ (ନୀଳ) ରାମଗଡ଼ରେ ଥିବା ତାଙ୍କ ଘରେ ଝୁଗ୍ଗିୟାଁଙ୍କ ସହିତ

୧୯୩୨ରେ ପତାକା ଉତ୍ତୋଳନ ଘଟଣାର କିଛି ବର୍ଷ ପରେ, ସୁରଜିତଙ୍କଠାରୁ ବୟସରେ ଖୁବ୍ ସାନ ତାଙ୍କ ସାଥୀ ଭଗତ ସିଂ ଝୁଗ୍ଗିୟାଁ ମାତ୍ର ୧୧ ବର୍ଷ ବୟସରେ ବହୁତ ନାଟକୀୟ ବ୍ୟକ୍ତିଗତ ବିରୋଧ ପ୍ରଦର୍ଶନ କରିଥିଲେ। ଝୁଗ୍ଗିୟାଁ ତୃତୀୟ ଶ୍ରେଣୀର ଜଣେ ପୁରସ୍କାର ବିଜେତା ଛାତ୍ର ଥିଲେ, ଶ୍ରେଣୀରେ ପ୍ରଥମ ହେଉଥିଲେ। ପୁରସ୍କାର ଦେଉଥିବା ଶିକ୍ଷା ବିଭାଗର ବିଶିଷ୍ଟ ଅତିଥିମାନେ, ତାଙ୍କୁ ମଞ୍ଚ ଉପରେ ଅଭିନନ୍ଦନ ଜଣାଇଥିଲେ ଏବଂ ତାଙ୍କୁ ‘ବ୍ରିଟାନିୟା  ଜିନ୍ଦାବାଦ, ହିଟଲର୍ ମୁର୍ଦ୍ଦାବାଦ’ କହିବାକୁ କହିଥିଲେ। କିନ୍ତୁ ବାଳକ ଝୁଗ୍ଗିୟାଁ ସମାରୋହରେ ଦର୍ଶକଙ୍କ ଆଡ଼କୁ ମୁହଁ କରି ବଡ଼ ପାଟିରେ ଚିଲ୍ଲାଇ କହିଥିଲା: ‘ବ୍ରିଟାନିୟା ମୁର୍ଦ୍ଦାବାଦ, ହିନ୍ଦୁସ୍ତାନ ଜିନ୍ଦାବାଦ।’’

ତାଙ୍କୁ ମାଡ଼ ମରାଗଲା, ସ୍କୁଲରୁ ବାହାର କରି ଦିଆଗଲା, ଯେମିତି ସେ ଆଉ କେବେ ଫେରି ପାରିବେ ନାହିଁ ସେହି ବ୍ୟବସ୍ଥା କରାଗଲା। କିନ୍ତୁ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ନିଜ କାମକୁ ନେଇ ଝୁଗ୍ଗିୟାଁ ଗର୍ବ ଅନୁଭବ କରୁଥିଲେ। ଆପଣ ତାଙ୍କ କାହାଣୀ ଏଠାରେ ପଢ଼ିପାରିବେ ଯେଉଁଠି ଝୁଗ୍ଗିୟାଁ ୨୦୨୨ରେ ୯୫ ବର୍ଷ ବୟସରେ ମୃତ୍ୟୁବରଣ କରିବା ପୂର୍ବରୁ ପରୀ ପ୍ରତିଷ୍ଠାତା ପି. ସାଇନାଥଙ୍କୁ ତାଙ୍କର କାହାଣୀ କହିଥିଲେ।

ଠିକ୍‌ ଏପରି ଭାବନା ୧୨ ଜୁନ୍‌ରେ ମଧ୍ୟ ଦେଖିବାକୁ ମିଳିଥିଲା ଯେତେବେଳେ କୁଲୱିନ୍ଦର କୌରଙ୍କ ଭାଇ ତଥା ୬ ଏକର ଜମିର ମାଲିକ ଶେର ସିଂ ମାହିୱାଲ ମୋହାଲିରେ ନିଜ ଭଉଣୀଙ୍କୁ ଭେଟିବା ପରେ ଗଣମାଧ୍ୟମକୁ କହିଥିଲେ: ‘‘ସେ କିମ୍ବା ମୁଁ ତାଙ୍କ କାମକୁ ନେଇ ଆଦୌ ପଶ୍ଚାତାପ କରୁନାହୁଁ। ସେଥିପାଇଁ କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ,’’ ସେ ଜୋର୍‌ ଦେଇ କହିଥିଲେ।

ନିକଟ ଅତୀତରେ ପଞ୍ଜାବରେ ଏପରି ବିଦ୍ରୋହୀ ବ୍ୟକ୍ତିଗତ ପ୍ରତିବାଦର ଏକାଧିକ ଘଟଣା ଦେଖିବାକୁ ମିଳିଛି । ଚାଷୀ ଆତ୍ମହତ୍ୟା, ନିଶା ଓ ବ୍ୟାପକ ବେକାରୀ ସମସ୍ୟା ଯୋଗୁଁ ପଞ୍ଜାବ କପା ଅଞ୍ଚଳରେ ୨୦୧୪ ଏକ ଅଶାନ୍ତ ବର୍ଷ ଥିଲା। କୌଣସି ପକ୍ଷରୁ କିଛି ଆଶା ନପାଇବାରୁ, ବିକ୍ରମ ସିଂ ଧନୌଲା ନିଜ ଗାଁରୁ ୧୦୦ କିଲୋମିଟର ଦୂର ଯାତ୍ରା କରି ଖାନ୍ନା ଟାଉନକୁ ଆସିଥିଲେ ଯେଉଁଠି ତତ୍କାଳୀନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ ୧୫ ଅଗଷ୍ଟ ୨୦୧୪ରେ ତ୍ରିରଙ୍ଗା ଉଡ଼ାଇବାର ଥିଲା।

PHOTO • Courtesy: Vikram Dhanaula
PHOTO • Shraddha Agarwal

ଯୁବକଙ୍କ ବେକାରୀ ସମସ୍ୟା ଓ ଚାଷୀଙ୍କ ଦୁର୍ଦ୍ଦଶା ପ୍ରତି ସରକାରଙ୍କ ଅବହେଳା ପ୍ରତିବାଦରେ ୨୦୧୪ରେ ବିକ୍ରମ ସିଂ ଧନୌଲା (ବାମ) ତତ୍କାଳୀନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କ ଉପରକୁ ଚପଲ ଫିଙ୍ଗିଥିଲେ । ୨୦୨୧ରେ ପଞ୍ଜାବର ମହିଳାମାନେ ଚାଷୀ ଆନ୍ଦୋଳନର ନେତୃତ୍ୱ ନେଇଥିଲେ (ଡାହାଣ)

ବାଦଲ ନିଜ ଭାଷଣ ଆରମ୍ଭ କରିବାକୁ ଯାଉଥିବା ସମୟରେ ଧନୌଲା ତାଙ୍କ ଆଡ଼କୁ ଜୋତା ଫିଙ୍ଗିଥିଲେ। ‘‘ମୁଁ ଖୁବ୍‌ ସହଜରେ ତାଙ୍କ ମୁହଁକୁ ମାରିପାରିଥା’ନ୍ତି, କିନ୍ତୁ ମୁଁ ଜାଣିଶୁଣି ପୋଡ଼ିୟମ ଆଡ଼କୁ ଜୋତା ଫିଙ୍ଗିଥିଲି। ମୁଁ କେବଳ ବେକାର ଯୁବକ ଏବଂ ନକଲି ବିହନ ଓ କୀଟନାଶକ ବିକ୍ରି କାରଣରୁ ହେଉଥିବା ଚାଷୀ ଆତ୍ମହତ୍ୟା ଘଟଣା ସମ୍ପର୍କରେ ତାଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚାହିଁଥିଲି।’’

ବର୍ନାଲା ଜିଲ୍ଲାର ଧନୌଲା ଗ୍ରାମନିବାସୀ ଧନୌଲା ୨୬ ଦିନ ଜେଲରେ ବିତାଇଥିଲେ। ନିଜ କୃତକର୍ମକୁ ନେଇ ସେ ପଶ୍ଚାତାପ କରନ୍ତି କି? ସେ ପରୀକୁ କୁହନ୍ତି, ‘‘ଆପଣଙ୍କ ପାଖରେ କୌଣସି ଆଶା ନଥିଲେ ଆପଣ ସେୟା ହିଁ କରିବେ ଯାହା କୁଲୱିନ୍ଦର କୌର କରିଥିଲେ କିମ୍ବା ଯାହା ମୁଁ ୧୦ ବର୍ଷ ପୂର୍ବରୁ କରିଥିଲି।’’ ବ୍ରିଟିଶ ରାଜ ଠାରୁ ଆରମ୍ଭ କରି ବର୍ତ୍ତମାନର ବିଜେପି ସରକାରଙ୍କ ପର୍ଯ୍ୟନ୍ତ, ସମୟ ବିତିବା ସହିତ କେତେକ ଏକାକୀ ସ୍ୱର ବିଭିନ୍ନ ସମୟରେ ଉତ୍ଥାପନ ହୋଇଛି। ଏସବୁ ପ୍ରତ୍ୟେକ ସ୍ୱରର ନିଜସ୍ୱ ପରିଚୟ ରହିଛି, ଏଥିପାଇଁ ଯାହା ପରିଣାମ ଭୋଗିବାକୁ ପଡ଼ୁ ପଛେ, ସମସ୍ତେ ନିଜ ଲକ୍ଷ୍ୟରେ ଦୃଢ଼ ରହିଛନ୍ତି।

ପଞ୍ଜାବ ସହିତ କଙ୍ଗନା ରାଣାୱତଙ୍କ ସମ୍ପର୍କ ୨୦୨୦ରେ ପୁନଃପରିଭାଷିତ ହୋଇଥିଲା, ଯେତେବେଳେ ଚାଷୀ ଆନ୍ଦୋଳନ ଚରମ ସ୍ଥିତିରେ ପହଞ୍ଚିଥିଲା, ତିନିଟି ବିବାଦୀୟ କୃଷି ଆଇନ କୁ ବିରୋଧ କରୁଥିବା ମହିଳାଙ୍କ ପ୍ରତି ସେ ଅପମାନଜନକ ଭାଷା ପ୍ରୟୋଗ କରିଥିଲେ। ତେବେ କେନ୍ଦ୍ର ସରକାର ଶେଷରେ ୧୯ ନଭେମ୍ବର ୨୦୨୧ରେ କୃଷି ଆଇନକୁ ପ୍ରତ୍ୟାହାର କରିଥିଲେ। କଙ୍ଗନା ଟୁଇଟ୍‌ କରିଥିଲେ, ‘‘ହା ହା ହା ହା ସେ ହେଉଛନ୍ତି ସେହି ଦାଦି (ଜେଜେ ମା’) ଯାହାଙ୍କୁ ଟାଇମ୍‌ ପତ୍ରିକାରେ ସବୁଠୁ ଶକ୍ତିଶାଳୀ ଭାରତୀୟ ଭାବେ ଚିତ୍ରିତ କରାଯାଇଥିଲା... ଆଉ ସେ ମାତ୍ର ୧୦୦ ଟଙ୍କାରେ ମିଳିଯିବେ ।

ଲାଗୁଛି ପଞ୍ଜାବର ଲୋକମାନେ କଙ୍ଗନାଙ୍କ ମନ୍ତବ୍ୟକୁ ଭୁଲି ନାହାନ୍ତି । ୬ ଜୁନ୍‌ରେ ପୁଣିଥରେ ଏହି ସ୍ୱର ଉଠିଥିଲା ଓ ଗୁଞ୍ଜରିତ ହୋଇଥିଲା ଯେତେବେଳେ କୁଲୱିନ୍ଦର କୌର କହିଥିଲେ, ‘‘ଚାଷୀମାନେ ୧୦୦ କି ୨୦୦ ଟଙ୍କା ପାଇବା ପାଇଁ ଦିଲ୍ଲୀରେ ଆନ୍ଦୋଳନ କରୁଛନ୍ତି ବୋଲି ସେ (କଙ୍ଗନା) କହିଥିଲା। ସେତେବେଳେ ମୋ ମା’ ଆନ୍ଦୋଳନକାରୀଙ୍କ ମଧ୍ୟରୁ ଜଣେ ଥିଲେ।’’  ଆଶ୍ଚର୍ଯ୍ୟର କଥା ହେଉଛି, କଙ୍ଗନାଙ୍କୁ କୁଲୱିନ୍ଦର ଚାପୁଡ଼ା ମାରିଥିବାର ପ୍ରକୃତ ଫୁଟେଜ୍‌ ଦେଖିବା ସମ୍ପର୍କରେ କେହି ଏଯାଏ ଦାବି କରିନାହାନ୍ତି। କିନ୍ତୁ ଯାହା କିଛି ଘଟିଥିଲା ତାହାର ଆରମ୍ଭ ୬ ଜୁନରେ ହୋଇନଥିଲା।

ଭିଡିଓ ଦେଖନ୍ତୁ : କଙ୍ଗନାଙ୍କ ମନ୍ତବ୍ୟ ବିରୋଧରେ କ୍ରୋଧ ପଛରେ ଥିବା କାହାଣୀ

ପଞ୍ଜାବରେ ଏସବୁ ବ୍ୟକ୍ତିଗତ ସ୍ୱତଃପ୍ରବୃତ୍ତ ପ୍ରତିବାଦ ସାଧାରଣ ଓ ନମ୍ର ପୃଷ୍ଠଭୂମିର ନାଗରିକଙ୍କଠାରୁ ଆସିଥାଏ

ଚଣ୍ଡିଗଡ଼ ବିମାନ ବନ୍ଦରରେ ଜୁନ୍‌ ୬ ତାରିଖରେ ଘଟିଥିବା ‘ଚାପୁଡ଼ାକାଣ୍ଡ’ ବିବାଦର ବହୁଦିନ ପୂର୍ବରୁ ୩ ଡିସେମ୍ବର ୨୦୨୧ରେ କଙ୍ଗନା ଯେତେବେଳେ ମନାଲିରୁ ଫେରୁଥିଲେ ତାଙ୍କ କାର୍‌ ପଞ୍ଜାବରେ ପ୍ରବେଶ କରିବା ମାତ୍ରେ ମହିଳା ଚାଷୀମାନେ ତାଙ୍କୁ ଅଟକାଇ ଦେଇଥିଲେ। ନିଜ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିବା ପରିବର୍ତ୍ତେ କଙ୍ଗନାଙ୍କ ପାଖରେ ଆଉ କୌଣସି ବିକଳ୍ପ ନଥିଲା। ବର୍ତ୍ତମାନର ବିବାଦରେ ମଧ୍ୟ କୁଲୱିନ୍ଦର, ତାଙ୍କ ଭାଇ ଶେର ସିଂ ମହିୱାଲ ଓ ତାଙ୍କ ପରିଜନଙ୍କ ପାଇଁ, ପାରିବାରିକ ପ୍ରତିଷ୍ଠା ଓ ସମ୍ମାନର ଗମ୍ଭୀର ପ୍ରସଙ୍ଗ ମଧ୍ୟ ସାମିଲ ରହିଛି।

‘‘ଆମେ ଅନେକ ଦିନ ଧରି ସୁରକ୍ଷାବାହିନୀରେ କାମ କରିଆସୁଛୁ,’’ ମହିୱାଲ ପରୀକୁ କହିଥିଲେ। ‘‘କୁଲୱିନ୍ଦରଙ୍କ ପୂର୍ବରୁ, ମୋ ଜେଜେବାପାଙ୍କ ପରିବାରର ୫ ଜଣ ସଦସ୍ୟ ଭାରତୀୟ ସେନାରେ ସେବା କରିଥିଲେ। ମୋ ଜେଜେବାପା ଏବଂ ତାଙ୍କର ପାଞ୍ଚ ଜଣ ପୁଅଙ୍କ ମଧ୍ୟରୁ ତିନି ଜଣ ଭାରତୀୟ ସେନାରେ କର୍ତ୍ତବ୍ୟ ନିର୍ବାହ କରିଛନ୍ତି । ସେମାନେ ଦେଶ ପାଇଁ ୧୯୬୫ ଓ ୧୯୭୧ ଯୁଦ୍ଧ ଲଢ଼ିଥିଲେ। ଆମକୁ ଆତଙ୍କବାଦୀ ବୋଲି କହୁଥିବା କଙ୍ଗନାଙ୍କ ଭଳି ଲୋକଠାରୁ ଆମକୁ ଦେଶପ୍ରେମୀର ପ୍ରମାଣପତ୍ର ଲୋଡ଼ା ବୋଲି ଆପଣ ଭାବୁଛନ୍ତି କି?’’ ଶେର ସିଂ ମହିୱାଲ ପ୍ରଶ୍ନ କରିଥା’ନ୍ତି।

କୁଲୱିନ୍ଦର କୌରଙ୍କୁ ନିଲମ୍ବନ କରାଯାଇଛି। ନିଜ ଚାକିରି ହରେଇବା ସଂକଟରେ ପଡ଼ିଥିବା ୩୫ ବର୍ଷ ବୟସ୍କା କୁଲୱିନ୍ଦର ଆଉ ଜଣେ ସିଆଇଏସଏଫ କନଷ୍ଟେବଳଙ୍କୁ ବାହା ହୋଇଛନ୍ତି ସେମାନଙ୍କର ଦୁଇ ପିଲା ଅଛନ୍ତି, ପାଞ୍ଚ ବର୍ଷର ଗୋଟିଏ ପୁଅ ଏବଂ ନଅ ବର୍ଷର ଗୋଟିଏ ଝିଅ। ତଥାପି, ପଞ୍ଜାବକୁ ଭଲ ଭାବେ ଜାଣିଥିବା ଲୋକମାନେ କୁହନ୍ତି, ସମସ୍ତ ବ୍ୟକ୍ତିଗତ ବିଦ୍ରୋହୀଙ୍କୁ ନିଜ କର୍ମର ଫଳ ଭୋଗିବାକୁ ପଡ଼ିଛି, କିନ୍ତୁ ସେମାନଙ୍କର ବ୍ୟକ୍ତିଗତ ସାହସ ପ୍ରାୟତଃ ଏକ ଉଜ୍ଜ୍ୱଳ ଭବିଷ୍ୟତର ବୀଜ ବପନ କରିଛି। ଛଅ ଦଶନ୍ଧି ପୂର୍ବରୁ ଜଗିର ସିଂ ଜୋଗାଙ୍କ ସହ ଯୋଡ଼ି ହୋଇ ରହିଥିବା ପୂର୍ବତନ ସିପିଆଇ ବିଧାୟକ ହରଦେବ ସିଂ ଅର୍ଶୀ କୁହନ୍ତି, ‘‘ଆମ ସ୍ୱପ୍ନ ଏବେ ବି ଜୀବିତ ରହିଛି, ଜୋଗା ଓ କୌର ଏହାର ପ୍ରତୀକ।’’ ଜଗୀର ସିଂଙ୍କ ଗାଁ ଜୋଗାଠାରୁ ପ୍ରାୟ ୨୫ କିଲୋମିଟର ଦୂର ଦାତେବାସ ଗାଁର ବାସିନ୍ଦା ହେଉଛନ୍ତି ଅର୍ଶୀ। ଉଭୟ ଗାଁ ଏବେ ବି ମନସା ଜିଲ୍ଲା ଅଧୀନରେ ଆସୁଛି ।

ନାଭା ଜେଲ୍‌ରେ ବନ୍ଦୀ ଥିବା ସମୟରେ ୧୯୫୪ରେ ଜୋଗା ପଞ୍ଜାବ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପଞ୍ଜାବରେ ବ୍ୟକ୍ତିଗତ ପ୍ରତିବାଦ ଓ ସଂଘର୍ଷର ଲୋକକଥାକୁ ନେଇ ରହିଥିବା ଲମ୍ବା କାହାଣୀରେ ସୁରଜିତ, ଭଗତ ସିଂ ଝୁଗ୍ଗିୟାଁ ଓ ପ୍ରେମ ଦତ୍ତ ବର୍ମା ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ଅଟନ୍ତି।

କୁଲୱିନ୍ଦରଙ୍କ ଭାଇ ଶେର ସିଂ ମହିୱାଲ ଘଟଣା ସମ୍ପର୍କରେ କହୁଥିବାର ଭିଡିଓ ଦେଖନ୍ତୁ

ସମସ୍ତ ବ୍ୟକ୍ତିଗତ ପ୍ରତିବାଦକାରୀମାନେ ସେମାନଙ୍କ କର୍ମର ଫଳ ଭୋଗିଥା’ନ୍ତି, କିନ୍ତୁ ସେମାନଙ୍କ ବ୍ୟକ୍ତିଗତ ସାହସ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବୀଜ ବପନ କରିଥାଏ

କୁଲୱିନ୍ଦର କୌରଙ୍କ ସମର୍ଥନରେ ପଞ୍ଜାବ ଓ ଚଣ୍ଡିଗଡ଼ରେ ଶୋଭାଯାତ୍ରା ଓ ପଦଯାତ୍ରା ଜାରି ରହିଛି। ଅଧିକାଂଶ ଲୋକ ଚାପୁଡ଼ା ମରାଯିବାକୁ ନେଇ ଖୁସି ପାଳନ କରିନାହାନ୍ତି କିମ୍ବା ଏହା ଠିକ୍‌ ବୋଲି କେହି ଜୋର୍‌ ଦେଇ କହିନାହାନ୍ତି।  ପଞ୍ଜାବର ଚାଷୀଙ୍କ ସମ୍ମାନ ଓ ବିଶ୍ୱସନୀୟତାକୁ ରକ୍ଷା କରିବା ଲାଗି ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଏବଂ ସାଂସଦଙ୍କ ସାମ୍ନାରେ ପ୍ରତିବାଦ କରିଥିବା ଜଣେ ସାଧାରଣ କନଷ୍ଟେବଳଙ୍କ ସାହସକୁ ପ୍ରଶଂସା କରିବା ଲାଗି ସେମାନେ ଉତ୍ସବ ପାଳନ କରିଛନ୍ତି। ସ୍ପଷ୍ଟ ଭାବେ କହିଲେ, କୁଲୱିନ୍ଦରଙ୍କ କାମକୁ ସେମାନେ ପଞ୍ଜାବରେ ରହିଥିବା ବ୍ୟକ୍ତିଗତ ସ୍ୱତଃପ୍ରବୃତ୍ତ ବିରୋଧ ପରମ୍ପରା ଅଧୀନରେ ଦେଖନ୍ତି।

ଏହି ସମ୍ପୂର୍ଣ୍ଣ ଘଟଣାକୁ ନେଇ ସାରା ରାଜ୍ୟରେ କବିତା, ଗୀତ, ମିମ୍ସ ଓ କାର୍ଟୁନର ବନ୍ୟା ଦେଖିବାକୁ ମିଳିଛି। ଆଜି ପରୀ ଏପରି ଏକ କବିତାକୁ ଏହି କାହାଣୀ ସହିତ ପ୍ରକାଶ କରିଛି : ଏହାର କବି ହେଉଛନ୍ତି ସ୍ୱରାଜବୀର ସିଂ, ସେ ଜଣେ ବିଶିଷ୍ଟ ନାଟ୍ୟକାର ଏବଂ ପଞ୍ଜାବ ଟ୍ରିବ୍ୟୁନ୍‌ର ପୂର୍ବତନ ସମ୍ପାଦକ।

କୁଲୱିନ୍ଦରଙ୍କ ସମର୍ଥନରେ ପୁରସ୍କାର, ଆଇନଗତ ସହାୟତା ଓ ବିରୋଧ ପ୍ରଦର୍ଶନ ସତ୍ତ୍ୱେ ସୁରକ୍ଷା ବାହିନୀରେ ତାଙ୍କୁ ଚାକିରି ହରେଇବାକୁ ପଡ଼ିପାରେ। କିନ୍ତୁ ଜୋଗାଙ୍କ ଭଳି ପଞ୍ଜାବ ବିଧାନସଭାରେ ତାଙ୍କ ପାଇଁ ବହୁତ ବଡ଼ ଚାକିରି ଅପେକ୍ଷା କରି ରହିଛି - କାରଣ ପାଞ୍ଚଟି ଉପନିର୍ବାଚନ ପାଖେଇ ଆସୁଛି। ସେ ନିର୍ବାଚନ ଲଢ଼ିବେ ବୋଲି ପଞ୍ଜାବର ଅନେକ ଲୋକ ଆଶା ବାନ୍ଧି ରହିଛନ୍ତି ।

PHOTO • PARI Photos

ବାମ : ଏହି ଘଟଣା ପରେ ଚଣ୍ଡିଗଡ଼ ବିମାନ ବନ୍ଦରରେ କୁଲୱିନ୍ଦର କୌର। ଡାହାଣ : କଙ୍ଗନାଙ୍କୁ ବିରୋଧ ଏବଂ କୁଲୱିନ୍ଦରଙ୍କୁ ସମର୍ଥନ କରି ୯ ଜୁନ୍‌ ୨୦୨୪ରେ ମୋହାଲିରେ ଅନୁଷ୍ଠିତ ଶୋଭାଯାତ୍ରା

___________________________________________________

କୁହ ମୋ ମା

ସ୍ୱରାଜବୀର

ମା’ ଲୋ ମୋ ମା’
ମୋତେ କହ, ତୋ ମନରେ କ’ଣ ଅଛି, ମୋ ମା’
ମୋ ମନ ଆଗ୍ନେୟ ଉଦ୍‌ଗିରଣ ପରି ଜଳି ଯାଉଛି।

ମୋତେ କହ, କିଏ ସବୁଦିନ ମୋତେ ଚାପୁଡ଼ା ମାରୁଛି?
ଆମ ସୀମା କିଏ ଲଂଘନ କରୁଛି
ଏବଂ ପରଦାରେ ଚିତ୍କାର କରୁଛି?

ଧନୀ ଓ ଶକ୍ତିଶାଳୀର ଚାପୁଡ଼ାକୁ ଆମେ ସହୁଛୁ।
ଦୁନିଆର ଦୁଃଖୀ ଲୋକମାନେ ଯନ୍ତ୍ରଣା ସହନ୍ତି।
ସରକାରଙ୍କର ସବୁ ପ୍ରତିଶ୍ରୁତି ମିଛ ହୁଏ।

କିନ୍ତୁ ବେଳେବେଳେ,
ହଁ, ଅତି ବିରଳ ସମୟରେ,
ହାରି ଯାଇଥିବା ଗରିବ ଝିଅଟିଏ ଉଠି ଛିଡ଼ା ହୁଏ
ତା’ ମନରେ ତୀବ୍ର ଭାବନା ଉଙ୍କି ମାରୁଥାଏ,
ସେ ହାତ ଉଠାଏ ଓ ଚଲାଏ।
ଶାସନ କରୁଥିବା ସୈତାନମାନଙ୍କୁ ସେ ଆହ୍ୱାନ କରେ।

ଏହି ମୁଥ,
ଏହି ଚାପୁଡ଼ା କୌଣସି ମାଡ଼ ନୁହେଁ, ମୋ ମା’।
ଏହା ମୋ ଯନ୍ତ୍ରଣାସିକ୍ତ ହୃଦୟର ଏକ ପ୍ରତିବାଦ, ଏକ ଚିତ୍କାର, ଏକ ଗର୍ଜନ

କିଛି ଏହାକୁ ଠିକ୍‌ ବୋଲି କୁହନ୍ତି,
କେହି କେହି କୁହନ୍ତି ଭୁଲ୍‌।
ଏହାକୁ ସଭ୍ୟ କୁହ କି ଅସଭ୍ୟ,
ମୋ ମନ ତୋ ପାଇଁ କାନ୍ଦୁଛି ମୋ ମା’।

ଶକ୍ତିଶାଳୀ ଲୋକମାନେ ତୋର ଲୋକଙ୍କୁ ଓ ତୋତେ ଦେଇଛନ୍ତି ଧମକ
ତୋତେ ଆହ୍ୱାନ କରିଛନ୍ତି ଶକ୍ତିଶାଳୀମାନେ।
ଆଉ ଏହି ଶକ୍ତିଶାଳୀମାନେ ହିଁ ମୋ ମନକୁ ମକଚି ଦେଇଛନ୍ତି।

ଏହା ମୋ ମନ, ଲୋ ମା’,
କାନ୍ଦୁଥିବା ମୋ ହୃଦୟ।
ଏହାକୁ ସଭ୍ୟ କୁହ କି ଅସଭ୍ୟ,
ତୋ ପାଇଁ ଏ ମନ କାନ୍ଦୁଛି ଓ ଚିତ୍କାର କରୁଛି।
କିଛି ଏହାକୁ ଠିକ୍‌ ବୋଲି କୁହନ୍ତି,
କେହି କେହି କୁହନ୍ତି ଭୁଲ୍‌।

ହେଲେ ଏହା ମୋ ମନ, ଲୋ ମା’।
ମୋର ଦୃଢ଼ ଛୋଟ ହୃଦୟ, ତୋ ପାଇଁ କହୁଛି।

(ଅନୁବାଦ ଚରଣଜିତ୍‌ ସୋହଲ)

ସ୍ୱରାଜବୀର ଜଣେ ନାଟ୍ୟକାର ଓ ଦ ଟ୍ରିବ୍ୟୁନ୍‌ ( ପଞ୍ଜାବୀ ) ର ପୂର୍ବତନ ସମ୍ପାଦକ

ଅନୁବାଦ : ଓଡ଼ିଶାଲାଇଭ୍‍

Vishav Bharti

Vishav Bharti is a journalist based in Chandigarh who has been covering Punjab’s agrarian crisis and resistance movements for the past two decades.

यांचे इतर लिखाण Vishav Bharti
Editor : P. Sainath

पी. साईनाथ पीपल्स अर्काईव्ह ऑफ रुरल इंडिया - पारीचे संस्थापक संपादक आहेत. गेली अनेक दशकं त्यांनी ग्रामीण वार्ताहर म्हणून काम केलं आहे. 'एव्हरीबडी लव्ज अ गुड ड्राउट' (दुष्काळ आवडे सर्वांना) आणि 'द लास्ट हीरोजः फूट सोल्जर्स ऑफ इंडियन फ्रीडम' (अखेरचे शिलेदार: भारतीय स्वातंत्र्यलढ्याचं पायदळ) ही दोन लोकप्रिय पुस्तकं त्यांनी लिहिली आहेत.

यांचे इतर लिखाण साइनाथ पी.
Illustration : Antara Raman

Antara Raman is an illustrator and website designer with an interest in social processes and mythological imagery. A graduate of the Srishti Institute of Art, Design and Technology, Bengaluru, she believes that the world of storytelling and illustration are symbiotic.

यांचे इतर लिखाण Antara Raman
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

यांचे इतर लिखाण OdishaLIVE