“ସିମେଣ୍ଟ ଚେ ଜଙ୍ଗଲ ଅଚ୍ ଝାଲେଲେ ଆହେ (ଏହା ପ୍ରାୟତଃ ଏକ ସିମେଣ୍ଟ ଜଙ୍ଗଲ ପାଲଟିଗଲାଣି),” କହନ୍ତି କୋହ୍ଲାପୁର ଜିଲ୍ଲାର ଉଚଗାଓଁ ଗାଁର ଜଣେ ଚାଷୀ ସଞ୍ଜୟ ଚୌହାନ । ଗତ ଦଶନ୍ଧିରେ ଉଚଗାଓଁରେ ଶିଳ୍ପ ଓ କାରଖାନା ସଂଖ୍ୟା ବୃଦ୍ଧି ପାଇଛି ଏବଂ ଅନୁରୂପ ଭାବେ ଭୂତଳ ଜଳସ୍ତର ହ୍ରାସ ପାଇଛି ।
ଏହି ୪୮ ବର୍ଷୀୟ ଚାଷୀ ଜଣକ କହନ୍ତି, “ଏବେ ଆମ କୂଅଗୁଡ଼ିକରେ ଆଉ ପାଣି ନାହିଁ ।”
ମହାରାଷ୍ଟ୍ରର ଭୂତଳ ଜଳ ବାର୍ଷିକ ପୁସ୍ତିକା (୨୦୧୯) ଅନୁସାରେ କୋହ୍ଲାପୁର, ସାଙ୍ଗଲି, ସତାରା ସମେତ ମହାରାଷ୍ଟ୍ରର ପାଖାପାଖି ୧୪ ପ୍ରତିଶତ ଅଞ୍ଚଳରେ କୂଅଗୁଡ଼ିକର ଜଳସ୍ତର କମିବାରେ ଲାଗିଛି । କୂଅଖୋଳାର ଜଣେ ଠିକାଦାର ରତନ ରାଠୋଡ଼ କହନ୍ତି ଯେ, ଗତ ଦୁଇ ଦଶନ୍ଧି ଭିତରେ କୂଅର ହାରାହାରି ଗଭୀରତା ୩୦ ଫୁଟ୍ରୁ ୬୦ ଫୁଟ୍ରେ ପହଞ୍ଚିଲାଣି ।
ସଞ୍ଜୟ କହନ୍ତି ଯେ ଉଚଗାଓଁର ପ୍ରତିଟି ଘରେ ଏବେ ବୋର୍ୱେଲ ବା ଗଭୀର ନଳକୂପ ରହିଛି । ଫଳରେ ବହୁ ପରିମାଣର ଭୂତଳ ଜଳ ବାହାରି ଯାଉଛି । ଉଚଗାଓଁର ପୂର୍ବତନ ନାଏବ ସରପଞ୍ଚ ମଧୁକର ଚୌହାନ କହନ୍ତି, “କୋଡ଼ିଏ ବର୍ଷ ତଳେ ଗାଁରେ ୧୫-୨୦ଟି ବୋର୍ୱେଲ ଥିଲା । ଏବେ ୭୦୦-୮୦୦ ରହିଛି ।”
ଉଚଗାଓଁରେ ଦୈନିକ ୨୫ରୁ ୩୦ ଲକ୍ଷ ଲିଟର ପାଣି ଆବଶ୍ୟକ ହୁଏ । କିନ୍ତୁ, ମଧୁକର କହନ୍ତି, “(…) ଗାଁରେ ଏବେ ଦିନେ ଛଡ଼ା ଦିନେ କେବଳ ୧୦ରୁ ୧୨ ଲକ୍ଷ ଲିଟର ପାଣି ମିଳୁଛି ।” ସେ କହନ୍ତି, ଏବେ ପରିସ୍ଥିତି ଏମିତି ଯେ ଆଗକୁ ଗାଁରେ ଜଳ ସଂକଟ ଉତ୍କଟ ରୂପ ନେବାର ସମସ୍ତ ସଂକେତ ଦେଖାଦେଲାଣି ।
କୋହ୍ଲାପୁରରେ ଭୂତଳ ଜଳସ୍ତର ଦିନକୁ ଦିନ କମୁଥିବାରୁ ପ୍ରଭାବିତ ଚାଷୀମାନଙ୍କ ସ୍ଥିତିକୁ ନେଇ ଏହି କ୍ଷୁଦ୍ର ଚଳଚ୍ଚିତ୍ର ।
ଅନୁବାଦ : ଓଡ଼ିଶାଲାଇଭ୍