ଏହା ହେଉଛି ସେପ୍ଟେମ୍ବର ୨୦୨୩ର ସମୟ ଏବଂ ଆମେ ପଶ୍ଚିମ ଘାଟର ‘ଫୁଲ ଘାଟୀ’ରେ ପୁଷ୍ପ ଋତୁ ସମୟରେ ଉପସ୍ଥିତ ଅଛୁ। ଏଠାରେ ପ୍ରତି ବର୍ଷ ଶତାଧିକ ପ୍ରଜାତିର ଗୋଲାପୀ ଓ ବାଇଗଣୀ ଫୁଲ ଫୁଟିଥାଏ। ଏଥିମଧ୍ୟରୁ ଅଧିକାଂଶ ଫୁଲ ଏହି ଜୈବବିବିଧତା କେନ୍ଦ୍ରସ୍ଥଳୀର ମୂଳ ପ୍ରଜାତି ଅଟନ୍ତି।
କିନ୍ତୁ ଚଳିତ ବର୍ଷ, କେବଳ ମଉଳି ଯାଇଥିବା ଫୁଲ ମାଟି ଉପରେ ପଡ଼ି ରହିଛନ୍ତି।
ସମୁଦ୍ର ପତ୍ତନଠାରୁ ୧,୨୦୦ ମିଟର ଉଚ୍ଚତାରେ ଅବସ୍ଥିତ କାସ୍ ମାଳଭୂମିକୁ ୨୦୧୨ରେ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳୀ ମାନ୍ୟତା ମିଳିଥିଲା। ସେବେଠାରୁ, ଏହା ମହରାଷ୍ଟ୍ରରେ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ପରିଗଣିତ ହେଉଛି, ବିଶେଷ କରି ଅଗଷ୍ଟଠାରୁ ଅକ୍ଟୋବର ପର୍ଯ୍ୟନ୍ତ ଫୁଲ ଋତୁରେ ଏଠାକୁ ବହୁ ସଂଖ୍ୟକ ପର୍ଯ୍ୟଟକ ଆସନ୍ତି। ଆଉ ଏଥିରେ ହିଁ ସମସ୍ୟା ରହିଛି।
‘‘ପୂର୍ବେ ଏଠାକୁ କେହି ଆସୁନଥିଲେ। କାସ୍ ଆମ ପାଇଁ କେବଳ ଏକ ପାହାଡ଼ ଥିଲା। ଆମେ ଗାଈଗୋରୁ ଓ ଛେଳି ଚରାଉଥିଲୁ,’’ ସୁଲାବାଇ ବଦାପୁରୀ କୁହନ୍ତି। ‘‘ଏବେ ଲୋକମାନେ ଫୁଲ ଉପରେ ଚାଲୁଛନ୍ତି, ଫଟୋ ଉଠାଉଛନ୍ତି, ସେଗୁଡ଼ିକୁ ମୂଳରୁ ଉପାଡ଼ି ଦେଉଛନ୍ତି!’’ ସେଗୁଡ଼ିକର ଦୟନୀୟ ସ୍ଥିତିକୁ ଦେଖି ନିରାଶ ଏହି ୫୭ ବର୍ଷୀୟ ମହିଳା ଆହୁରି କୁହନ୍ତି, ‘‘ଏହା କୌଣସି ବାଗ୍ (ବଗିଚା) ନୁହେଁ; ଏସବୁ ଫୁଲ ଚଟାଣରେ ଫୁଟନ୍ତି।’’
କାସ୍ ମାଳଭୂମି ସତାରା ଜିଲ୍ଲାର ସତାରା ତାଲୁକା ରେ ଥିବା ଏକ ୧,୬୦୦ ହେକ୍ଟର ପରିମିତ ଏକ ପର୍ବତ ଚଟାଣ ଏବଂ ଏହା କାସ୍ ପଠାର୍ ନାମରେ ମଧ୍ୟ ପରିଚିତ।














